Unknown

 

 

 

 

 

 

 

 

 

 

 

କଥା ବିଚିତ୍ରା

ଭାଗୀରଥି ନେପାକ

 

ସୂଚୀପତ୍ର

 

୧.

‘ଲକ୍ଷ୍ମୀପୁରର କାହାଣୀ’କର୍ବେଟ୍‌ ସାହେବ ସେବକରାମ ମୁଁ ଓ ମାର୍ଗାରେଟ୍

୨.

ଦୁଇ ପୁରର କାହାଣୀଏ ପୁରର କାହାଣୀ : ସେ ପୁରର କାହାଣୀ

୩.

ମୃତ୍ୟୁ ରହସ୍ୟ

୪.

ସନ୍ଧି

୫.

ବିରାଡ଼ି ବୈଷ୍ଣବ

୬.

ରଙ୍ଗଣୀ ଫୁଲର ବାସ୍ନା

୭.

ସର୍ପ ଜନ୍ମ ବୃତ୍ତାନ୍ତ

୮.

ସର୍ପ

୯.

ସପନି, ଗୌରୀ, କେନ୍ଦୁଗଛ ଓ ଜହ୍ନରାତି ଉପାଖ୍ୟାନ

୧୦.

ନାଲି ଆଲୁଅ

୧୧.

ବୁଡ଼ିଗଲା ଗୋଡ଼

୧୨.

ଚପଳା

୧୩.

କାମଳ

୧୪.

ଖମାରୀ

୧୫.

ସ୍କାଇଲାବ ପଡ଼ୁଛି

୧୬.

ସଂଗୀତା

☆☆☆

 

ମୁଖବନ୍ଧ

 

ବିଚିତ୍ର ଏ ବିଶ୍ୱ, ବିଚିତ୍ର ଏ ଜୀବନ ଏବଂ ଅତି ବିଚିତ୍ର ଏଇ ପୃଥିବୀର ମଣିଷ । ଏଠାକାର ସବୁକଥା ବିଚିତ୍ର । ଏଇଠି ଅସମ୍ଭବ ବୋଲି କିଛି ନାହିଁ, ସବୁ ସମ୍ଭବ, ସବୁ ଅସମ୍ଭବ କଥା ସମ୍ଭବ ।

ବୟସ ହେଲେ, ଅଭିଜ୍ଞ ମଣିଷ ଏ ସବୁ ସମ୍ଭବ; ଅସମ୍ଭବ କଥା ଦେଖି ସମ୍ଭବ; ଅସମ୍ଭବ କଥା ଶୁଣି ତାଟକା ହୁଏ । ବୋଧହୁଏ ଜୀବନରେ କେବେ ଦେଖି ନଥିବା ବା ଭାବି ନ ଥିବା କଥା ଆଖିରେ ପଡ଼ି ମଣିଷକୁ ଛାନିଆ କରି ଦେବ ବୋଲି ତାକୁ ଚାଳିଶିଆ ଧରେ, ପରଳ ପଡ଼େ ଓ ପରେ ପରେ ପେଜୁଆ ଆଖିରେ ସେ ଆଉ କିଛି ସ୍ପଷ୍ଟ ଭାବରେ ଦେଖିପାରେ ନାହିଁ । ଅସମ୍ଭବ କଥା ତା କାନରେ ପଡ଼ି ତାକୁ ଜଳକା କରିଦେବ ବୋଲି, ଭଗବାନ ତାକୁ ଶେଷ ଜୀବନରେ ବଧିର କରି ଦିଅନ୍ତି । ଏ ସବୁ ହୁଏତ ଭଗବାନଙ୍କର ଆଶୀର୍ବାଦ ! ବିଚିତ୍ର ଅନୁଭୂତିର ଏହି ଜୀବନ କାହାଣୀମାନଙ୍କୁ କଥା ବିଚିତ୍ରା ନାମ ନ ଦେଇ ଆଉ କଣ କରିଥାନ୍ତି ? ସହୃଦୟ ପାଠକ ପାଠିକାମାନେ ଏ ବହି ପଢ଼ିବାକୁ ପସନ୍ଦ କଲେ ଭାବିବି, ପରିଶ୍ରମ ବ୍ୟର୍ଥ ହୋଇ ନାହିଁ ।

ପରିଶେଷରେ ସାହିତ୍ୟିକ ସର୍ବଶ୍ରୀ ରମେଶ ଧଳ, ଉଜ୍ଜ୍ୱଳ ପାଢ଼ୀ ଓ ପ୍ରଶାନ୍ତ ମିଶ୍ର (ଚିରନ୍ତନ) ଏ ପୁସ୍ତକ ପ୍ରକାଶ ପାଇଁ ଉତ୍ସାହ ପ୍ରଦାନ କରିଥିବାରୁ ସେମାନଙ୍କୁ ସାଧୁବାଦ ଜଣାଉଛି ।

ବିନୀତ

ଭାଗୀରଥି ନେପାକ

 

ପଢ଼ନ୍ତୁ ଏଇ ଲେଖକଙ୍କର କଥା ଓ କାହାଣୀ ପୁସ୍ତକ :

 

ମୋର ପ୍ରିୟ କାହାଣୀ, ପ୍ରିୟମ୍ବଦାର ପ୍ରଶ୍ନ, ପାହାଚ (ସଂକଳନ) ଶ୍ରେଷ୍ଠଗଳ୍ପ, ସଂକଳନ

☆☆☆

 

ଲକ୍ଷ୍ମୀପୁରର କାହାଣୀ

କର୍ବେଟ୍‌ ସାହେବ, ସେବକରାମ, ମୁଁ ଓ ମାର୍ଗାରେଟ୍

 

ଶୁଣିଲି, କର୍ବେଟ୍‌ ସାହେବ ଆସିଛନ୍ତି ।

 

କର୍ବେଟ୍‌ ସାହେବଙ୍କ ସଂପର୍କରେ ଅନେକ କିଛି ଶୁଣିଥିଲି । ସମସ୍ତେ କହୁଥିଲେ, କର୍ବେଟ୍‌ ସାହେବ ମଣିଷ ନୁହଁନ୍ତି ଦେବତା ! କେତେକ ଲୋକ କର୍ବେଟ୍‌ ସାହେବଙ୍କ ଫଟୋ ଉପରେ ଫୁଲ ଚନ୍ଦନ ବି ଚଢ଼ାଉଥିଲେ । ଜାଣେନାଁ, ତାଙ୍କ ପାଖରେ ଘଣ୍ଟ, ଶଙ୍ଖ ବଜାହୋଇ ପୁରୋହିତ ହାତରେ ପୂଜା ଉପାସନା କରାଉଥିଲେ କି ନାହିଁ !

 

ଭଗବାନଙ୍କ ଦେଉଳକୁ ଯାଇ ତାଙ୍କ ଆଗରେ ଘିଅ ଦୀପ ଜଳାଇ ଭୋଗ ଚଢ଼ାଇବାରେ, କେଜାଣି କାହିଁକି, ମୋର ମୋଟେ ହେଲେ ଆଗ୍ରହ ଆସେ ନାହିଁ । କିନ୍ତୁ କର୍ବେଟ୍‌ ସାହେବଙ୍କ ପାଖକୁ ଯାଇ ତାଙ୍କୁ ଦର୍ଶନ କରିବା ପାଇଁ ମୋ ମନରେ ପ୍ରବଳ ଆଗ୍ରହ ଦେଖାଦେଲା । ତାଙ୍କୁ ଯାଇ ସାକ୍ଷାତ କରିବି ବୋଲି ମୁଁ ସଙ୍ଗେ ସଙ୍ଗେ ପ୍ରସ୍ତୁତ ହୋଇଗଲି ।

 

କର୍ବେଟ୍‌ ସାହେବ ଆମ ସହରଠାରୁ ସତର ମାଇଲ ଦୂରରେ ଏକ ନିପଟ ପଲ୍ଲୀ ଗାଁରେ ରହୁଥାନ୍ତି । ସେଇଠି ସ୍କୁଲ ପାଖରେ ତାଙ୍କର ଗୋଟିଏ ଛୋଟିଆ ଘର ଥାଏ । ବହୁ ଦିନ ତଳେ ଗାଁ ଗଉଁନ୍ତିଆଙ୍କୁ ସେ ଏକ ନିଶ୍ଚିତ ମରଣ ମୁଖରୁ ଉଦ୍ଧାର କରିଥିବା ଯୋଗୁଁ, ଗାଁ ଗଉଁତିଆ ତାଙ୍କୁ ତାଙ୍କ ସଙ୍ଗରେ ସେହି ପଲ୍ଲୀ ଗାଁକୁ ଆସିବା ପାଇଁ ନିମନ୍ତ୍ରଣ କରିଥିଲା । ତାଙ୍କର ଗୋଡ଼ହାତ ଧରି କାକୁତି ମିନତି ହେଵାରୁ, ମୁହଁ ଉପ୍ରଧ ଭାଙ୍ଗି ନ ପାରି କର୍ବେଟ୍ ସାହେବ ସେହି ପଲ୍ଲୀ ଗାଁକୁ ଯାଇଥିଲେ । ଗାଁ ଗଉଁତିଆ ତାଙ୍କ ନାମରେ ଜମିବାଡ଼ି ଓ ସେହି ସ୍କୁଲ ପାଖର ଘରଟିକୁ ନିଜ ଇଚ୍ଛାରେ ଲେଖି ଦେଇଥିଲା । କର୍ବେଟ୍ ସାହେବ ସେହି ଜମିବାଡ଼ି, ଘରଦ୍ଵାର ମୋହରେ ସେହି ଗାଁରେ ଅଟକି ଗଲେ ନାହିଁ ସତ, କିନ୍ତୁ ଗାଁ ଗଉଁତିଆର ଅନୁରୋଧ କଥା ମନେ ପକାଇ ବେଳେ ବେଳେ, କିଛି ବର୍ଷର ବ୍ୟବଧାନରେ ସେହି ଗାଁକୁ ଆସନ୍ତି ଓ ସେହି ଘରେ ବିଶ୍ରାମ ନିଅନ୍ତି ।

 

ଗାଁ ଗଉଁତିଆଙ୍କ ମୃତ୍ୟୁପରେ ଗାଁ ଲୋକମାନେ ନିଜ ନିଜ ଭିତରେ ଚାନ୍ଦା–ଭେଦା କରି ସେହି ଘରର ମରାମତି କରନ୍ତି, ପୁଣି ତାଙ୍କ ନାଁରେ ଥିବା ଜମିକୁ ଚାଷକରି କର୍ବେଟ୍ ସାହେବଙ୍କ ଧାନ ବିକି ଟଙ୍କା ଜମା କରିଥାନ୍ତି । ସାହେବ ଆସିଲେ ତାଙ୍କ ହାତକୁ ବଢ଼ାଇ ଦିଅନ୍ତି ।

 

ମୁଁ ସହରରୁ ବାହାରି କର୍ବେଟ୍ ସାହେବ ରହୁଥିବା ଗାଁ ଆଡ଼କୁ ଚାଲିଲି । ସତର ମାଇଲ ରାସ୍ତା ମଧ୍ୟରୁ ଦଶ ମାଇଲ ଯାଏ ବସ୍ ଚାଲେ । ତେଣିକି ସାତ ମାଇଲ ଶଗଡ଼ରେ ବା ଚାଲିକରି ଯିବାକୁ ପଡ଼େ ।

 

ମୁଁ ବସ୍‌ରୁ ଓହ୍ଲାଇ ଏପାଖ ସେପାଖ ହେଉଛି, ଜଣେ ଗାଉଁଲୀ ଲୋକ ସଙ୍ଗରେ ଦେଖାହେଲା । କହିଲି କର୍ବେଟ୍ ସାହେବଙ୍କ ପାଖକୁ ଯିବାକୁ ଆସିଛି । ପାଦରେ ଚାଲିଯାଇ ପାରିବି ନାହିଁ । ଶଗଡ଼ ଖଣ୍ଡେ ଯଦି ଯୋଗାଡ଼ ହୁଅନ୍ତା.....

 

ସେହି ଲୋକଟି କର୍ବେଟ୍ ସାହେବଙ୍କ ନାଁ ଶୁଣି ତାଙ୍କ ଉଦ୍ଦେଶ୍ୟରେ ନମସ୍କାର ଜଣାଇଲା-। କହିଲା, ମୋର ଶଗଡ଼ ଅଛି, କର୍ବେଟ୍ ସାହେବଙ୍କ ନାଁ ଧରିଛ ଯେତେବେଳେ, ମୁଁ ନେଇ ତାଙ୍କ ପାଖରେ ପହୁଞ୍ଚାଇ ଦେବି ।

 

ଶଗଡ଼ିଆ ସଙ୍ଗେ ସଙ୍ଗେ ଶଗଡ଼ ପ୍ରସ୍ତୁତ କରି ମୋ ପାଖରେ ହାଜର ହେଲା । କହିଲା, ବସିପଡ଼ ବାବୁ ! ଉଛୁର ହେଉଛି । ଜଙ୍ଗଲୀ ବାଟ । ସଞ୍ଜ ପୂର୍ବରୁ ପହଞ୍ଚି ଯିବା ।

 

ମୁଁ ଶଗଡ଼ିଆକୁ ତାର ଭଡ଼ା କଥା ପଚାରିଲି ।

 

ଶଗଡ଼ିଆ ଛଳ ଛଳ ଆଖିରେ କହିଲା, ମୋର ଭଗବାନଙ୍କୁ ତୁମେ ଦର୍ଶନ କରିବାକୁ ବାହାରିଛ । ତୁମ ପାଖରୁ ଶଗଡ଼ ଭଡ଼ା ନେବି ? ଦ୍ରୋହୀ ହେବି ? ବରଂ ତୁମରି ଦୟାରୁ ଭଗବାନଙ୍କୁ ଦର୍ଶନ କରି ଆସିବି । ସେଇ କ’ଣ ଯଥେଷ୍ଟ ନୁହେଁ ?

 

କର୍ବେଟ୍ ସାହେବଙ୍କ ନାଁ ଧରି ଯେ ଏତେ ବଡ଼ ସୁବିଧା ସୁଯୋଗ ହାସଲ କରି ପାରିବି, ସେ ଧାରଣା ମୋର ନଥିଲା । କର୍ବେଟ୍‌ଙ୍କୁ ଆଗରୁ କେବେ ଦେଖି ନଥିଲେ ବି, ତାଙ୍କର ଏକ ଶାନ୍ତ ମୁହଁ ମୋ ଆଖି ଆଗରେ ଝଲସି ଉଠିଲା ।

 

ଶଗଡ଼ିଆ ବଳଦ ପିଠିରେ ହାତ ରଖି ସାହେବଙ୍କ ସମ୍ପର୍କରେ କହୁଥିଲା, ମଣିଷ ନୁହନ୍ତି ବାବୁ, ସାକ୍ଷାତ ଦେବତା ! ଆଖିରେ ସାନ ବଡ଼ କିଛି ନାହିଁ । ସମସ୍ତେ ସମାନ; ସମସ୍ତେ ତାଙ୍କର ଅତି ଆପଣାର । ଦୁଃଖ ଯେଉଁଠି କର୍ବେଟ୍ ସାହେବ ସେଇଠି । କର୍ବେଟ୍ ସାହେବଙ୍କୁ ଦେଖିଲେ ଦୁଃଖ ଆଉ ରହେ ନାହିଁ ।

 

ଶଗଡ଼ିଆ ନିଜ କଥା ପ୍ରକାଶ କରି କହିଲା, ସେ ବର୍ଷ ମୁଁ ସଂସାରରୁ ଭାସି ଯାଇଥାନ୍ତି ବାବୁ । ‘ବିହାରୀ’ ସାହୁକାର କୋରକ ନୋଟିସ ନେଇ ସରକାରୀ ଫଉଜ ସାଙ୍ଗରେ ଆସିଥିଲା । ମୋ ପିଲାଛୁଆ ଦାଣ୍ଡରେ ଛିଡ଼ା ହୋଇ ଭୋ ଭୋ କରି କାନ୍ଦୁଥାନ୍ତି । କେଉଁଠି ଥିଲେ କେଜାଣି କର୍ବେଟ୍ ସାହେବ ଆସି ଆମ ଘର ମୁହଁରେ ଛିଡ଼ା ହେଲେ । ପେଣ୍ଟ ପକେଟ୍‌ରୁ ପୁଳାଏ ନୋଟ୍ ବାହାର କରି ବିହାରୀ ସାହୁକାର ହାତକୁ ବଢ଼ାଇଦେଲେ । ସରକାରୀ ଫଉଜଙ୍କ ସଙ୍ଗରେ କଣ କଥାବାର୍ତ୍ତା କଲେ କେଜାଣି, ସେମାନେ ସେଇଠୁ ମୁହଁ ବୁଲାଇ ସହରକୁ ଫେରିଗଲେ । ମୁଁ ତାଙ୍କରି ଦୟାରୁ ବଞ୍ଚିଗଲି ବାବୁ ! ନ ହେଲେ ଭାସି ଯାଇଥାନ୍ତି । କର୍ବେଟ୍ ସାହେବ ଆସିଥିବା ଶୁଣି ମନ ଭିତରଟା ଛଟପଟ ହେଉଥିଲା, ଯୋଗ ଦେଖ, ଆପଣ ଆସି ପହଞ୍ଚିଗଲେ !

 

।। ଦୁଇ ।।

 

ଗାଁର ନାଁ ଲକ୍ଷ୍ମୀପୁର । ଲକ୍ଷ୍ମୀପୁରରେ ଶଗଡ଼ ପହଞ୍ଚିଲା ବେଳକୁ ଛାଇ ଅନ୍ଧାର ମାଡ଼ିଆସୁଥାଏ ।

 

କର୍ବେଟ୍ ସାହେବଙ୍କ ଘର ମୁହଁରେ ଅନେକଲୋକ ।

 

ଶଗଡ଼ିଆ ଘର ମୁହଁର ଆମ୍ବଗଛ ତଳେ ଶଗଡ଼ ଫିଟାଇ ସେହି ଧୂଳିଆ ଗୋଡ଼ରେ ଯାଇ କର୍ବେଟ୍ ସାହେବଙ୍କୁ ଜୁହାର ହେଲା । ମୁଁ ମଧ୍ୟ ତାରି ସଙ୍ଗରେ ଯାଇ କର୍ବେଟ୍ ସାହେବଙ୍କୁ ପ୍ରଣାମକଲି ଓ ଘରର ଗୋଟିଏ କୋଣରେ ବସି ରହିଲି ।

 

କର୍ବେଟ୍ ସାହେବ ଶଗଡ଼ିଆର ପିଠିରେ ହାତ ରଖି ଭଙ୍ଗା ଓଡ଼ିଆରେ ତା’ସଙ୍ଗରେ କଥାବାର୍ତ୍ତା ଓ ସୁଖ ଦୁଃଖ ହେଲେ । ଫସଲ କଥା ଓ ପିଲାପିଲିଙ୍କ କଥା ପଚାରିଲେ । ତା’ ପରେ କହିଲେ, କାମଦାମ ଛାଡ଼ି ଆସିଲ କାହିଁକି ? ଫେରିଯାଅ । ତା’ପରେ ଶଗଡ଼ିଆ କ’ଣ କହିଲା କେଜାଣି, ମୋତେ ହାତଠାରି ପାଖକୁ ଡାକିଲେ । ମୁଁ ଆସି ପୁନର୍ବାର ତାଙ୍କୁ ନମସ୍କାର ଜଣାଇବାରୁ ସେ ମୋତେ ମଧୁର କଣ୍ଠରେ କହିଲେ ଆଜି ସାଙ୍ଗହୋଇ ରହିବା, ସାଙ୍ଗହୋଇ ଖାଇବା । ଏ ଗାଁରେ ଚା’ ଜଳଖିଆ କିଛି ମିଳିବ ନାହିଁ । ତୁମର ଅସୁବିଧା ହୋଇପାରେ ।

 

ଗୋରା ତକ ତକ ଚେହେରା । କହରା କହରା ଆଖି । ଅଳ୍ପ ଦାଢ଼ି । ଦେହରେ ଖଣ୍ଡେ ଖାକି ପେଣ୍ଟ ଓ ଧଳା ଜାମା । ଓଠ ଦୁଇଟି ଲାଲିଆ ରଙ୍ଗରେ ଫାଟି ପଡ଼ୁଛି । କଥା ଗୁଡ଼ାକ ଖୁବ୍ ମିଠା ।

 

ମୁଁ ପ୍ରଥମ ସାକ୍ଷତରୁହିଁ କିଣି ହୋଇ ଯାଇଥିଲି । କହିଲି, ଆପଣଙ୍କ ସଙ୍ଗରେ ରହିଲେ ମୁଁ ନିଜକୁ ଧନ୍ୟ ମନେ କରିବି ।

 

ଏହାପରେ ତାଙ୍କର ଖାଇବା ପିଇବା କଥା ବୁଝୁଥିବା ଜଣେ ଲୋକ ଆସି ମୋର ଚା’ ଜଳଖିଆର ସବୁପ୍ରକାର ସୁବିଧା କରିଦେଲା । ସବୁ କାମସାରି ମୁଁ ପୁଣି ଥରେ ଆସି କର୍ବେଟ୍ ସାହେବଙ୍କ ପାଖରେ ବସିଲି ।

 

କର୍ବେଟ୍ ସାହେବ ଜଣ ଜଣକରି ସମସ୍ତଙ୍କ ସଙ୍ଗରେ କଥାବାର୍ତ୍ତା କଲେ । କ୍ରମେ ରାତି ଗଭୀର ହେଲା । ‘ପୁଣି କାଲି ଦେଖା ହେବ’ କହି ଶେଷ ଦଳକ ସେଠାରୁ ବିଦାୟ ନେଲେ ।

 

ମୁଁ ଓ କର୍ବେଟ୍ ସାହେବ କବାଟ ପକାଇ ରୋଷାଇଘରକୁ ଯିବାକୁ ବସିଛୁ, ଦୁଆର ମୁହଁରେ ଜିପ୍‌ଗାଡ଼ି ଅଟକିବାର ଶବ୍ଦ ହେଲା । ଆମେ ଅପେକ୍ଷା କଲୁ ।

 

ଜିପ୍ ଉପରୁ ଜଣେ ହୃଷ୍ଟପୃଷ୍ଟ ଲୋକ ଓହ୍ଲାଇ ଆସିଲେ । ତାଙ୍କ ମୁହଁରେ ସୁନା ଚଷମା ଥିଲା । ସେ ଚୁଡ଼ିଦାର ଜାମା ପିନ୍ଧିଥିଲେ । ଜାମା ଦେହରୁ ତାଙ୍କର ପୃଥୁଳକାୟ ପେଟଟି ସ୍ପଷ୍ଟ ବାରି ହେଉଥିଲା । ସେ ଜିପ୍ ଉପରୁ ଓହ୍ଲାଇ ଆସି ସିଧା ସଳଖ କର୍ବେଟ୍ ସାହେବଙ୍କ ଗୋଡ଼ତଳେ ପଡ଼ିଗଲେ ।

 

ଆରେ, ଆରେ, ଏ କଣ କରୁଛ ? କର୍ବେଟ୍ ସାହେବ ସେହି ହୃଷ୍ଟପୃଷ୍ଟ ଲୋକଟିର ହାତ ଧରି ଉଠାଉ ଉଠାଉ ପ୍ରଶ୍ନ କଲେ ।

 

ଆଜ୍ଞା, ମୋତେ ଆପଣ ଚିହ୍ନି ପାରୁ ନାହାନ୍ତି ? ସେହି ବ୍ୟକ୍ତି ପ୍ରଶ୍ନକଲେ । ନା, ମନେ ପଡ଼ୁନି । କର୍ବେଟ୍ ସାହେବ ଦ୍ଵିଧାଗ୍ରସ୍ତ କଣ୍ଠରେ ଉତ୍ତର ଦେଲେ । ମୁଁ ପରା ସେହି ସେବକ ରାମ ! ଯାହାକୁ ଆପଣ ପାଞ୍ଚବର୍ଷ ତଳେ........କର୍ବେଟ୍ ସାହେବ ସେବକ ରାମଙ୍କୁ ତାଙ୍କର ପୁରା ବାକ୍ୟଟା ଉଚ୍ଚାରଣ କରିବା ପାଇଁ ଅବସର ନ ଦେଇ କୁଣ୍ଢେଇ ପକାଇଲେ, ଆଉ କହିଲେ, ଭଲ ଅଛ ତ ସେବକ ?

 

ସେବକ ରାମ୍ କୃତ୍ୟ କୃତ୍ୟ ହୋଇ କହିଲେ ଖୁବ୍‌ଭଲ ଅଛି ଦେଖୁଛନ୍ତି ତ ସ୍ଵାସ୍ଥ୍ୟ । ଅନେକ ଟଙ୍କା ରୋଜଗାର କରିଛି । ବର୍ତ୍ତମାନ ଆପଣଙ୍କର ଟଙ୍କାଟା ଫେରାଇ ଦେବାକୁ ଆସିଛି । ସ୍ନେହ ମମତା ତ ଫେରାଇ ପାରିବି ନାହିଁ । ଅନ୍ତତଃ ଆପଣଙ୍କ ପାଖରୁ ଟଙ୍କା ନେଇ ଯେଉଁ ଲାଭ କରିଛି, ତହିଁରେ ତିନିପୁରୁଷ ଚଳିଯିବେ । ବର୍ତ୍ତମାନ ସେଇ ଟଙ୍କାଟା ଫେରାଇ ଦେବି ।

 

ଏହାପରେ ସେବକ ରାମଙ୍କ ଆଦେଶରେ ଜଣେ ଜିପ୍ ଉପରୁ ଝୁଡ଼ିଏ ପାଚିଲା ଆମ୍ବ ନେଇ ଆସିଲା ।

 

ସେବକ ରାମ ଝୁଡ଼ି ଭିତରୁ ଆମ୍ବତକ ତଳେ ଥୋଇବା ପରେ ତା’ ଭିତରୁ ନୋଟଭରା ଏକ ଥଳୀ ବାହାରିଲା । ତା’ ଭିତରେ ଶହେ ଟଙ୍କିଆ ନୋଟର ଏକ ବଣ୍ଡିଲ ଥିଲା ।

 

କର୍ବେଟ୍ ସାହେବ, ଆମ୍ବତକ ପାଖରେ ରଖି ସେହି ନୋଟ୍ ବଣ୍ଡିଲକୁ ସେବକ୍ ରାମ ହାତକୁ ବଢ଼ାଇ ଦେଇ କହିଲେ, ଆମ୍ବତକ ରଖିଲି ସେବକ ରାମ୍ । ସେଥିପାଇଁ ଧନ୍ୟବାଦ ଜଣାଉଛି-। କିନ୍ତୁ ଏ ନୋଟ୍ ବଣ୍ଡିଲ ରଖି ପରିବି ନାହିଁ ।

 

ସେବକ ରାମ ବିକଳ କଣ୍ଠରେ କହିଲା, ଯେତେବେଳେ ନିଃସ୍ଵ ଅବସ୍ଥାରେ ଆପଣଙ୍କ ପାଖରୁ ବିଦାୟ ନେଲି, ସେତେବେଳେ ଦୟା ପରବଶ ହୋଇ ଆପଣ ମୋତେ ଅଢ଼େଇଶହ ଟଙ୍କା ଦେଇ ଜୀବନ ଆରମ୍ଭ କରିବାକୁ କହିଲେ । ସେଇ ଟଙ୍କା ନେଇ ମୋ ନିଜ ସହରରେ ପହଞ୍ଚି ଦେଖିଲି, ମୋର ବନ୍ଧୁମାନେ ମୋତେ ପ୍ରତାରିତ କରିଅଛନ୍ତି । ମୁଁ ମରି ଯାଇଛି ବୋଲି ଘୋଷଣା କରି, ଋଣ ପଇଠ ନେବା ଆଳରେ କୌଶଳକ୍ରମେ ସେମାନଙ୍କୁ ଘରୁ ବାହାର କରି ଦେଇଛନ୍ତି । ମୋ ସ୍ତ୍ରୀ ଓ ପୁତ୍ର ଦାଣ୍ଡର ଭିକାରି ହୋଇ ବୁଲୁଛନ୍ତି । ସାହା ଭରସା କେହି ନାହିଁ । ମୁଁ ସେମାନଙ୍କୁ ପାଖରେ ରଖି ସେହି ଅଢ଼େଇଶହ ଟଙ୍କାରେ ବ୍ୟବସାୟ ଆରମ୍ଭ କଲି । ଭାଗ୍ୟ ଓ ଆପଣଙ୍କର ଆଶୀର୍ବାଦ ଫଳରେ ପାଞ୍ଚ ବର୍ଷ ମଧ୍ୟରେ ପ୍ରଚୁର ଧନ ରୋଜଗାର କରିଛି । ଆପଣଙ୍କୁ ଏ ଯେଉଁ ଟଙ୍କା ଦେଉଛି ତାହା ମୋର ଉପାର୍ଜିତ ସମ୍ପତ୍ତିରୁ ଏକଶତାଂଶ ହେବ କି ନାହିଁ ସନ୍ଦେହ । ଆପଣ ସେ ଅର୍ଥ ଗ୍ରହଣ କରିବାକୁ ରାଜି ହେଉ ନାହାନ୍ତି କାହିଁକି ?

 

କର୍ବେଟ୍ ସାହେବ ହସି ହସି କହିଲେ, ତୁମ ମୁହଁରେ ତୁମ ଜୀବନର ସଫଳତାର କାହାଣୀ ଶୁଣି ମୁଁ ଖୁସି ହେଲି ସେବକ ରାମ୍ । ତୁମ କଥା ମନେ ରଖିବି ଓ ତୁମର ମଙ୍ଗଳ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିବି । କିନ୍ତୁ ତୁମର ଟଙ୍କା ଗ୍ରହଣ କରିପାରୁ ନ ଥିବାରୁ ମୁଁ ଦୁଃଖିତ । ମୁଁ ଯାହାକୁ ଯାହା ସାହାଯ୍ୟ କରେ ତା ଠାରୁ ତାହା ଫେରି ପାଇବା ଆଶା ରଖେ ନାହିଁ କି, ସେ ତାହା ଫେରାଇବାକୁ ଆସିଲେ ଗ୍ରହଣ କରେ ନାହିଁ । ତୁମେ ଏ ଟଙ୍କା ଫେରାଇ ନିଅ । ଏହା ମୋର ଆଦେଶ ।

 

ସେବକ ରାମ କର୍ବେଟ୍ ସାହେବଙ୍କ କଥା ଶୁଣି କାନ୍ଦି ପକାଇଲା । କଂପିତ କଣ୍ଠରେ ପ୍ରକାଶ କଲା, କର୍ବେଟ୍ ସାହେବଙ୍କ ପରି ଭଗବାନଙ୍କ ଆଦେଶ ଏ ଜୀବନରେ କେବେହେଲେ ଅମାନ୍ୟ କରିବି ନାହିଁ । ତେବେ ଏ ଟଙ୍କାରେ ଆପଣଙ୍କ ନାମରେ ଏକ ମନ୍ଦିର ନିର୍ମାଣ କରାଇବି ।

 

କର୍ବେଟ୍ ସାହେବ ସେବକ ରାମର ହାତ ଧରି କହିଲେ, ମୋ ନାଁ’ରେ କେବେହେଲେ ମନ୍ଦିର କରିବ ନାହିଁ । ତାହା ହେଲେ ମୋର ମୃତ୍ୟୁ ହୋଇଯିବ !

 

ସେବକ ରାମ କର୍ବେଟ୍ ସାହେବଙ୍କ ମୃତ୍ୟୁ କଥା ଉଚ୍ଚାରଣ କରୁଥିବା ଶୁଣି, ତାଙ୍କର ଗୋଡ଼ଧରି କହିଲା, ମୋର ଭଗବାନଙ୍କର କେବେହେଲେ ମୃତ୍ୟୁ ହେବ ନାହିଁ । ମୁଁ ପାପୀ ଟଙ୍କା କଥା କହି ତାଙ୍କ ମନରେ ଦୁଃଖ ଦେଲି । ସେଥିପାଇଁ ଅନୁତାପ କରୁଛି ।

 

ଠିକ୍ ଏତିକିବେଳେ ଖାଇବା ପାଇଁ ଡାକରା ଆସିଲା ।

 

କର୍ବେଟ୍ ସାହେବ, ମୁଁ ଓ ସେବକ ରାମ୍ ଏକସାଙ୍ଗରେ ଖାଇ ବସିଲୁ ।

 

କର୍ବେଟ୍ ସାହେବଙ୍କ ବ୍ୟକ୍ତିତ୍ଵ ଦେଖି ମୁଁ ଅଭିଭୂତ ହୋଇ ପଡ଼ିଥାଏଁ । ଭାବୁଥାଏ, କର୍ବେଟ୍ ସାହେବ ମଣିଷ ନୁହଁନ୍ତି ଦେବତା !

 

।। ତିନି ।।

 

ଖାଇ ସାରିବା ପରେ ଆମେ ଘର ବାରଣ୍ଡାରେ ଖଟ ପକାଇ ଗପସପ କରୁଛୁ, ଏହି ସମୟରେ ଜଣେ ଲୋକ ଧଇଁସଇଁ ହୋଇ କର୍ବେଟ୍ ସାହେବଙ୍କ ପାଖରେ ପହୁଞ୍ଚିଲା । କର୍ବେଟ୍ ସାହେବ ତାକୁ କଥା କଣ ବୋଲି ପଚାରି ଦେବା ମାତ୍ରେ, ସେ ଭୋ’କିନା ରଡ଼ି ଛାଡ଼ି କହିଲା, ମୋ ସ୍ତ୍ରୀକୁ ସାପ ଦଂଶିଛି ସାହେବ ! ସମସ୍ତେ କହିଲେ ଗୁଣିଆକୁ ଯାଇ ଡାକ । କିନ୍ତୁ ମୁଁ ଆପଣଙ୍କ ପାଖକୁ ଆସିଛି । ଆପଣା ମୋ ସ୍ତ୍ରୀକୁ ବଞ୍ଚାନ୍ତୁ ।

 

କର୍ବେଟ୍ ସାହେବ ମୋତେ ଓ ସେବକ ରାମ୍‌ଙ୍କୁ ଅପେକ୍ଷା କରିବାକୁ କହି, ହାତରେ ଚମଡ଼ା ବ୍ୟାଗ ଖଣ୍ଡକ ଧରି ଆଗେ ଆଗେ ଚାଲିଲେ । ଆମେ ଲକ୍ଷ୍ୟ କଲୁ କର୍ବେଟ୍ ସାହେବ ଚାଲୁ ନାହାନ୍ତି ଯେ ଧାଉଁଛନ୍ତି । ଅଳ୍ପ ସମୟ ପରେ ସେ ଦୁହେଁ ଆମ ଆଖି ଆଗରୁ ଅଦୃଶ୍ୟ ହୋଇ ଗଲେ-

 

ଏହାପରେ ସେବକ ରାମ କହିଲେ, କର୍ବେଟ୍ ସାହେବ ସତରେ ଜଣେ ଭଗବାନ । ସଂସାରର ଦୁଃଖ ଦୂର କରିବା ପାଇଁ ଜନ୍ମ ହୋଇଛନ୍ତି । ବିଲାତ ଦେଶରୁ ଧର୍ମ ପ୍ରଚାର ପାଇଁ ଆସିଥିଲେ । ଧର୍ମ ପ୍ରଚାର ନ କରି ଦୁଃଖୀ ମଣିଷର ସେବା କଲେ, ସେବା କରୁ କରୁ ଜୀବନର ଅଧେ ବୟସ କଟେଇ ଦେଲେଣି । କହୁଛନ୍ତି ଆଉ ବିଲାତ ଦେଶକୁ ଫେରିବେ ନାହିଁ ।

 

କର୍ବେଟ୍ ସାହେବଙ୍କ ସମ୍ପର୍କରେ ସେବକ ରାମ୍ ଅନେକ କିଛି ଜାଣିଥିଲେ । କହିଲେ ସାହେବ ବିବାହ କରି ନାହାନ୍ତି । କିନ୍ତୁ ଭାରତର ବହୁ ସ୍ଥାନରେ ତାଙ୍କରି ଚିହ୍ନା–ପରିଚିତ ଲୋକ ଅଛନ୍ତି । ସେମାନଙ୍କ ଉଦ୍ୟମରେ ଏକ ସ୍ୱତନ୍ତ୍ର ପାଣ୍ଠି ଗଢ଼ା ଯାଇଛି । ବ୍ୟାଙ୍କରୁ ସେ ଅନେକ ଟଙ୍କା ପାଆନ୍ତି । କିନ୍ତୁ ନିଜ ପାଇଁ କଛି ହେଲେ ଖର୍ଚ୍ଚ କରନ୍ତି ନାହିଁ । ସବୁ ଟଙ୍କାତକ ଦାନ ପୁଣ୍ୟରେ ଯାଏ । କାହାରି ଦୁଃଖ ସହି ପାରନ୍ତି ନାହିଁ । ସେ ମଣିଷମାନଙ୍କର ଦେବତା !

 

କର୍ବେଟ୍ ସାହେବଙ୍କ ବିଷୟରେ ଏତେ କଥା ଜାଣିଲ କେଉଁଠୁ ? ତୁମେ ତାଙ୍କୁ କେବେଠୁ ଜାଣ ? ମୁଁ ପ୍ରଶ୍ନ କଲି ।

 

ସେବକ ରାମ୍ ଟିକିଏ ଭାବିହେଲେ । ତା’ପରେ କହିଲେ ସେ ମୋର ରକ୍ଷାକର୍ତ୍ତା ! ସେ ନ ଥିଲେ ମୋତେ ଆଜି ଆପଣ ଦେଖି ନ ଥାନ୍ତେ । ତାଙ୍କ ପାଇଁ ଜୀବନ ପାଇଲି । ମଲା ମୁର୍ଦ୍ଦାରକୁ ବଞ୍ଚାଇ ସେ ମଣିଷ କେଲେ । ମୁଁ କର୍ବେଟ୍ ସାହେବଙ୍କ ଦୟାରୁ ସୃଷ୍ଟି, ମୁଁ ତାଙ୍କରି ଦୟା ଓ କରୁଣାର ନିଦର୍ଶନ !

 

ସେବକ ରାମଙ୍କ ଆଖିରୁ ଦି’ ଧାର ଲୁହ ଗଡ଼ି ପଡ଼ିଲା । ସେ ସେହି ଲୁହକୁ ନିଜ ଲୁଗାରେ ପୋଛି ନେଉଥିଲେ ।

 

ମୁଁ ଭାବିଲେ, କର୍ବେଟ୍ ସାହେବଙ୍କ ବିଷୟରେ ପ୍ରଶ୍ନ କରି ତାଙ୍କ ମନରେ ଆଘାତ ଦେଇଛି । ସେ ପ୍ରଶ୍ନ ମୋର ପଚାରିବାର ନ ଥିଲା । କହିଲି, ବିଶ୍ୱାସ କରନ୍ତୁ ସେବକ ବାବୁ ! ଆପଣଙ୍କ ମନରେ ଦୁଃଖ ଦେବାର ଅଭିପ୍ରାୟ ମୋର ନ ଥିଲା । କର୍ବେଟ୍ ସାହେବଙ୍କ କଥା ଆଉ ପଚାରିବି ନାହିଁ ।

 

ଏହାଶୁଣି ସେବକ ରାମ୍ କହିଲେ, ମୋରି ଭଗବାନଙ୍କ ନାମ ଉଚ୍ଚାରଣ କଲେ ହିଁ ମୋ ଆଖିରୁ ଲୁହ ଝରେ । ତାଙ୍କ ନାମ କୀର୍ତ୍ତନ କରିବାରେ ମୋର ଯେ କି ଆନନ୍ଦ, ସେ କଥା ମୋ ଆଖିର ଲୁହଧାର ହିଁ କହିବ । ଏ ଲୁହ ଦୁଃଖର ନୁହେଁ, ଆନନ୍ଦର । ବରଂ କର୍ବେଟ୍ ସାହେବଙ୍କ ଗୁଣ କୀର୍ତ୍ତନ କଲେ ମୋ ଜୀବନର କ୍ଲାନ୍ତି, ଦୁଃଖ, ଅବସାଦ ସବୁକିଛି ଦୂରେଇଯାଏ । ଆପଣ ଯଦି ବିରକ୍ତ ନ ହୁଅନ୍ତି, ମୋର ‘ଈଶ୍ଵର’ କର୍ବେଟ୍ ସାହେବଙ୍କ ସଙ୍ଗରେ ଥିବା ମୋର ସମ୍ପର୍କ ବିଷୟରେ କିଛି ଶୁଣାଇବି ।

 

ମୁଁ କହିଲି କର୍ବେଟ୍ ସାହେବଙ୍କ ବିଷୟରେ ଅନେକ ଅଲୌକିକ କଥା ଶୁଣିଛି । ତାଙ୍କ କଥା ଶୁଣିବାକୁ ମୋର ଅନେକ ଆଗ୍ରହ । ସେଥିପାଇଁତ ତାଙ୍କୁ ଦେଖିବି ବୋଲି ଧାଇଁ ଆସିଛି । ଆପଣ ତାଙ୍କ ବିଷୟରେ ଯାହା ଜାଣନ୍ତି ଦୟାକରି କହନ୍ତୁ ।

 

।। ଚାରି ।।

 

କର୍ବେଟ୍ ସାହେବ ଓ ସେବକ ରାମ

 

ଲକ୍ଷ୍ମୀପୁର ଗାଁ ଶୂନଶାନ୍‍ ହୋଇ ଯାଇଥାଏ । ଗାଁ ଶ୍ମଶାନରୁ ବିଲୁଆମାନଙ୍କର ‘ହୁକେ ହୋ’ ଡାକ ଶୁଭିଲା । ରାତି ଅଧ ହେଲା । ତଥାପି କର୍ବେଟ୍ ସାହେବ ଫେରି ନ ଥାନ୍ତି ।

 

କର୍ବେଟ୍ ସାହେବଙ୍କ ରୋଷେଇ କାମ କରୁଥିବା ଲୋକ ଜଣକ କହିଲେ, ସାହେବ ଫେରିବେ କି ନାହିଁ ନିର୍ଦ୍ଦିଷ୍ଟ ଭାବରେ କହି ହେବ ନାହିଁ । ସ୍ତ୍ରୀ ଲୋକର ଚେତା ନଫେରିବା ପର୍ଯ୍ୟନ୍ତ ସେ ସେଇଠି ଜଗି ବସିବେ । କାଲି ସେମିତି ମୁହଁ ସଞ୍ଜରେ ଘରୁ ବାହାରିଲେ ଯେ, ଫେରିଲା ବେଳକୁ ରାତି ଅଧ ହେଲା । ଜଣେ ସ୍ତ୍ରୀ ଲୋକ ଭୀଷଣ ଗର୍ଭ ଯନ୍ତ୍ରଣା ଭୋଗୁ ଥିଲା । କର୍ବେଟ୍ ସାହେବ ଯାଇ ତା’ର ଚକିତ୍ସା କଲେ । ପୁଅର ମୁହଁ ଦେଖି ତା’ ମାଆ ସାଙ୍ଗରେ କଥାବାର୍ତ୍ତା କରି ଫେରିଲେ । ସେଇଠୁ ଫେରିବା ପରେ ଯାଇ ମୁହଁରେ ଆହାର ଦେଲେ । ଆପଣମାନେ ଆଉ ଅପେକ୍ଷା କରି ବସିଛନ୍ତି କାହିଁକି ? ଶୋଇ ପଡ଼ନ୍ତୁ ?

 

ସେବକରାମ୍ କହିଲେ ଆମକୁ ନିଦ ଲାଗୁ ନାହିଁ । ବସି ବସି କଥାବାର୍ତ୍ତା କରୁଛୁ । ନିଦ ଆସିଲେ ଶୋଇ ପଡ଼ିବୁ । ତୁମେ ଯାଅ ଆରାମ ନେବ ।

 

ଲୋକଟି ଆମ ପାଖରୁ ବିଦାୟ ନେଇ ଚାଲିଗଲା ।

 

ମୁଁ ଭାବୁଥାଏ, କର୍ବେଟ୍ ସାହେବ ସତରେ ମଣିଷ ନୁହଁନ୍ତି । ସେ ଦେବତା ନ ହେଲେ ଆଉ କିଛି । କୌଣସି ଶାପଗ୍ରସ୍ତ ଦେବଦୂତ ବି ହୋଇପାରନ୍ତି ! ଏ ମଣିଷଜାତି ପାଇଁ ତାଙ୍କର କେତେ ଦୟା ସତରେ !

ସେବକ ରାମ୍ ଏଥର ତାଙ୍କ ନିଜକଥା ଆରମ୍ଭ କରିଦେଲେ । କହିଲେ, ସାତ ବର୍ଷ ତଳର କଥା । ସେତେବେଳେ ମୁଁ ଖୁବ୍ ଧନୀ ଥିଲି । ମୋର ଖୁବ୍ ଭଲ ବ୍ୟବସାୟ ଚାଲୁଥାଏ । ଅନେକ ନୌକର ଚାକର ଥାଆନ୍ତି । ଆମେ କଟକ ସହରରୁ କାର ନେଇ କଲିକତା ଉଦ୍ଦେଶ୍ୟରେ ଯାତ୍ରାକଲୁ । ସଙ୍ଗରେ ମୋର ଆଉ ଦୁଇଜଣ ଜାତିଭାଇ ବ୍ୟବସାୟୀ ବି ଯାଉଥାନ୍ତି । ଅନେକ ଟଙ୍କାପଇସା ଥାଏ । କଲିକତାରେ ପହଞ୍ଚି ଏକ ପ୍ରତିଷ୍ଠିତ କମ୍ପାନୀର ମେନେଜରଙ୍କ ସଙ୍ଗରେ ବ୍ୟକ୍ତିଗତ ସାକ୍ଷାତ କରି, ତାଙ୍କ ସଙ୍ଗେ ବାଣିଜ୍ୟ ଚୁକ୍ତି କରିବାକୁ ଯାଉଥାଉଁ ।

ଯୋଗ ଖରାପ, କଲିକତା ପହଞ୍ଚିବାକୁ ଅଳ୍ପବାଟ ବାକି ଅଛି । ବାଟରେ ଭୀଷଣ ଝଡ଼ ତୋଫାନ ଉଠାଇଲା । ରାସ୍ତାଘାଟ ପାଣିରେ ବୁଡ଼ିଗଲା । ସଡ଼କ ଉପରେ ପାଣି ଜମି ଗଲା । ଆମେ ଆଉ ଆଗକୁ ଯାଇ ନ ପାରି ବାଧ୍ୟ ହୋଇ ବାଟରେ ଅଟକି ଗଲୁ ଓ ଏକ ଛୋଟ ଗାଁରେ ଆଶ୍ରୟ ନେଲୁ ।

ସେଦିନ ରାତିରେ କାର ଡ୍ରାଇଭରକୁ ଭୀଷଣ ଜ୍ଵର ହେଲା । ପରେ ପରେ ତା’ ଦେହରେ ହଇଜାର ଲକ୍ଷଣ ଦେଖାଦେଲା । ସେହି ଛୋଟ ଗାଁରେ ଡାକ୍ତରୀ ଚିକିତ୍ସା ପାଇବା ସମ୍ଭବ ହେଲା ନାହିଁ । ବାଧ୍ୟହୋଇ ଆମେ ଜଣେ କବିରାଜଙ୍କ ପାଖରୁ ଔଷଧ ଆଣି ଡ୍ରାଇଭରକୁ ଖାଇବାକୁ ଦେଲୁ । କିନ୍ତୁ ଆମ ସମସ୍ତଙ୍କୁ ହତାଶ କରି ଡ୍ରାଇଭର ବିଚରା ସେହି କଲେରା ରୋଗରେ ମରିଗଲା-

 

ଏହି ଘଟଣା ପରେ ଗାଁ ଲୋକ ଆମକୁ ଆଉ ତାଙ୍କ ଗାଁରେ ରଖାଇ ଦେଲେ ନାହିଁ । ଆମେ ବାଧ୍ୟ ହୋଇ ସେହି କାରରେ ଡ୍ରାଇଭରର ଶବ ବୋହି ଆଣିଲୁ ଓ ଏକ ନିଛାଟିଆ ପଡ଼ିଆରେ ତାକୁ ପୋତି ପକାଇଲୁ ।

 

ଆମ ଭିତରୁ ଜଣେ କାର ଚଳାଇବା ଶିଖିଥାନ୍ତି । ତେଣୁ ଆପାତତଃ କୌଣସି ଅସୁବିଧା ହେଲା ନାହିଁ । ଆମେ ଆସି ଆଉ ଏକ ଗାଁରେ ଆଶ୍ରୟ ନେଲୁ । ସେଇଠି ଦି’ଦିନ ବିଶ୍ରାମ ଗ୍ରହଣ କରିବା ପରେ ମେଘ ଛାଡ଼ିଗଲା ଓ ରାସ୍ତାଘାଟ ଭଲ ହୋଇଗଲା । ତୃତୀୟ ଦିନ ଆମେ ପୁଣି ଥରେ କଲିକତା ଯିବାକୁ ବାହାରିଲୁ । କିନ୍ତୁ ଦୁର୍ଭାଗ୍ୟର ବିଷୟ, ଅଳ୍ପ କିଛି ବାଟ ଯାଇଛୁ, ମୋ ଦେହରେ କଲେରା ଲକ୍ଷଣ ଦେଖାଦେଲା । ଲାଗ୍ ଲାଗ୍ କେଇଟା ଝାଡ଼ାବାନ୍ତି ହେବାପରେ ମୁଁ ବେହୋସ୍ ହୋଇ ପଡ଼ିଲି ।

 

ମୋର ଏ ଅବସ୍ଥା ଦେଖି, ମୋର ସହଯାତ୍ରୀମାନଙ୍କ ମନରେ ପାପ ଛୁଇଁଲା । ସେମାନେ ମୋର ଟଙ୍କା ପଇସା ରଖି, ମୋତେ ଅସହାୟ ଭାବରେ ହୁଗୁଳି ନଦୀ କୂଳରେ ଗଡ଼ାଇ ଦେଇ ଚାଲିଗଲେ ।

 

ମୋର ଭାଗ୍ୟ ଭଲ, କର୍ବେଟ୍ ସାହେବ ମୋର ସେହି ମୁମୂର୍ଷ ଅବସ୍ଥାରେ ମୋରି ପାଖରେ ପହଞ୍ଚିଗଲେ । ସେ ମୋତେ ନିଜ କାନ୍ଧରେ ବୋହି କୂଳ ଉପରକୁ ଉଠାଇ ଆଣିଲେ ଓ ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଇଲେ । ସେହି ଚିକିତ୍ସାଳୟରେ ‘ମିସ୍ ମାର୍ଗାରେଟ୍’ ନାମ୍ନୀ ଜଣେ ନର୍ସ କାମ କରୁଥାନ୍ତି । ସେ କର୍ବେଟ୍ ସାହେବଙ୍କ ଅନୁରୋଧ କ୍ରମେ ଅହୋରାତ୍ର ମୋ’ ପାଖରେ ଜଗି ବସି ମୋତେ ସୁସ୍ଥ କରାଇଲେ । ପରେ ଆଉ କିଛି ଦିନ ମଧ୍ୟ ନିଜ ହେପାଜତ୍‌ରେ ନିଜ ବସାରେ ରଖିଲେ ।

ମୋ ପାଖରେ ଟଙ୍କା ପଇସା କିଛି ନ ଥାଏ । ମୁଁ ସେହି ଦେବୀ ପ୍ରତିମା ନର୍ସ ମାର୍ଗାରେଟ୍‌ଙ୍କ ଦୟା ଉପରେ ନିର୍ଭର କରି ଚଳୁଥାଏଁ ଓ କର୍ବେଟ୍ ସାହେବଙ୍କୁ ଅପେକ୍ଷା କରିଥାଏ । ମାର୍ଗାରେଟ୍ ତାଙ୍କର ସ୍ନେହ ମମତାରେ ମୋତେ ଗୋଟାପଣେ ବୁଡ଼ାଇ ରଖିଥାନ୍ତି ।

ସେଇଠି ରହି ଦିନେ ମାର୍ଗାରେଟ୍‌ଙ୍କ ମୁହଁରୁ ଶୁଣିବାକୁ ପାଇଲି, କର୍ବେଟ୍ ସାହେବ ମାର୍ଗାରେଟ୍‌ଙ୍କ ସଂପର୍କରେ କିଛି ନ ହେଲେ ମଧ୍ୟ ଜୀବନରେ ତାଙ୍କର ସବୁକିଛି । ସ୍ଵାମୀ ପରିତ୍ୟକ୍ତା ମାର୍ଗାରେଟ୍ ଦିନେ ଏକ ନିଦାରୁଣ ପରିସ୍ଥିତିରେ ପଡ଼ି ଜୀବନ ହାରିଦେବାକୁ ଯାଉଥିଲାବେଳେ କର୍ବେଟ୍ ସାହେବ ଅଚାନକ ପାଖରେ ପହଞ୍ଚି ତାଙ୍କ ହାତଧରି ନିଶ୍ଚିତ ମୃତ୍ୟୁ ମୁଖରୁ ଭିଡ଼ି ଆଣିଥିଲେ-। ତାପରେ ତାଙ୍କୁ ଭଉଣୀ ବୋଲି ପରିଚୟ ଦେଇ ନିଜର ପ୍ରଭାବ ବଳରେ ନର୍ସିଂ ଟ୍ରେନିଂରେ ଭର୍ତ୍ତି କରିଦେଲେ । ଟ୍ରେନିଂ ପରେ ସେ ଏବେ ମୁକ୍ତ ଓ ସୁସ୍ଥ ଜୀବନ ଯାପନ କରୁଛନ୍ତି । ଏହାପରେ ଅନେକ ବର୍ଷର ବ୍ୟବଧାନ ପରେ ସେ ମୋତେ ନିଶ୍ଚିତ ମରଣ ମୁହଁରୁ ଉଠାଇ ନେଇ ତାଙ୍କରି ହେପାଜତ୍‌ରେ ଛାଡ଼ି ଦେଇଥିଲେ । ଏହାପରେ ଅନେକ ବର୍ଷର ବ୍ୟବଧାନ ପରେ, ମୋରି ଯୋଗୁ ମାର୍ଗାରେଟ୍ କର୍ବେଟ୍ ସାହେବଙ୍କୁ ସାକ୍ଷାତ୍ କଲେ ।

ଦିନେ ମୁଁ ଏବଂ ମାର୍ଗାରେଟ୍ ଘର ବାରଣ୍ଡାରେ ବସି କଥାବାର୍ତ୍ତା କରୁଛୁ, କର୍ବେଟ୍ ସାହେବଙ୍କ ସଙ୍ଗେ ଦେଖା ହେଲା । କର୍ବେଟ୍ ସାହେବ ସେଦିନ ମାର୍ଗାରେଟ୍ ଘରର ଅତିଥି ହେଲେ-। ମାର୍ଗାରେଟ୍ ମନରେ ଅନେକ ଆନନ୍ଦ । ସତେଅବା ଅନେକ ପୂଜା ଉପାସନା କରିବା ପରେ, ଭକ୍ତ ତାର ପୂଜ୍ୟ ଭଗବାନଙ୍କର ସାକ୍ଷାତ ପରିଚୟ ଲାଭ କରିଛି ।

 

ଖାଇ ସାରିବା ପରେ ବିଶ୍ରାମ ଗ୍ରହଣ କରୁଛୁ କର୍ବେଟ୍ ସାହେବ ମୋରି ଉଦ୍ଦେଶ୍ୟରେ କହିଲେ, ସେବକ୍ ରାମ୍ ! ଏଥର ତୁମର ଛୁଟି । ତୁମେ ସୁସ୍ଥ ହୋଇ ଯାଇଛ । ଗାଁକୁ ଫେରିଯାଅ ।

 

ସେ ସ୍ଥାନ, ସେହି ମହାନ୍ ବ୍ୟକ୍ତିଙ୍କର ସାନ୍ନିଧ୍ୟ ତ୍ୟାଗକରି ଘରକୁ ଫେରିବାକୁ ମନ ବଳୁ ନ ଥିଲା । କିନ୍ତୁ କର୍ବେଟ୍ ସାହେବଙ୍କୁ କିଛି ନ କହି ମୁଁ ନିରବ ରହିଲି ।

 

ପର ଦିନ କର୍ବେଟ୍ ସାହେବ ମୋ ପାଇଁ ଟିକେଟ୍ କରି ଆଣି କହିଲେ, ଏଥର ବାହାରିପଡ଼ ସେବକ୍ ରାମ୍ । ତୁମ ଗାଁକୁ ଯିବାପାଇଁ ପ୍ରସ୍ତୁତ ହୋଇଯାଅ । ମାର୍ଗାରେଟ୍‌କୁ ଧନ୍ୟବାଦ ଜଣାଅ !

 

ମୁଁ ଛଳ ଛଳ ଆଖିରେ ମାର୍ଗାରେଟ୍‌ଙ୍କୁ ଧନ୍ୟବାଦ ଜଣାଇ ବିଦାୟ ମାଗିଲି ।

 

ମାର୍ଗାରେଟ୍ ଲୁହ ଛଳ ଛଳ ଆଖିରେ ମୋତେ ଓ କର୍ବେଟ୍ ସାହେବଙ୍କୁ ବିଦାୟ ଜଣାଇଲେ ।

 

ଆମେ କଲିକତା ରେଳ ଷ୍ଟେସନ୍‌ରେ ପହଞ୍ଚିଲା ବେଳକୁ ପୁରୀ ଏକ୍‌ସପ୍ରେସ୍ ଅପେକ୍ଷା କରିଥାଏ । ମୁଁ କର୍ବେଟ୍ ସାହେବଙ୍କ ପାଦଧରି ତାଙ୍କର ଆଶୀର୍ବାଦ ଭିକ୍ଷା କଲି ।

 

କର୍ବେଟ୍ ସାହେବ କହିଲେ, ତୁମେ ଅନେକ ଦୁଃଖ ଭୋଗ କରିଛ ସେବକ୍ ରାମ୍ ! ଈଶ୍ଵରଙ୍କୁ ପ୍ରାର୍ଥନା କର, ଏଥର ସେ ତୁମକୁ ସୁଖରେ ରଖିବେ । ତା’ପରେ କ’ଣ ଭାବି କେଜାଣି, ପକେଟରୁ ମନିପର୍ସ ବାହାର କରି ତାଙ୍କ ପାଖରେ ଥିବା ସର୍ବମୋଟ ଅଢ଼େଇ ଶହ ଟଙ୍କା ମୋ ହାତକୁ ବଢ଼ାଇ ଦେଇ କହିଲେ, କଟକ ସହରରେ ପହଞ୍ଚିଲେ ହୁଏତ ତୁମେ ଅସୁବିଧାର ସମ୍ମୁଖୀନ ହୋଇପାର । କିନ୍ତୁ ମନର ସାହସ ହରାଇବ ନାହିଁ । ଏହି ଟଙ୍କାରେ ତୁମର ନୁତନ ଜୀବନ ଯାତ୍ରା ଆରମ୍ଭ କରିବ । ଈଶ୍ଵରଙ୍କ ଉପରେ ବିଶ୍ୱାସ ରଖିବ । ସେ ତୁମକୁ ସାହାଯ୍ୟ କରିବେ ।

ଠିକ୍ ଏତିକିବେଳେ ଗାଡ଼ି ଛାଡ଼ିବାର ହୁଇସିଲ ଶୁଭିଲା । ମୁଁ କର୍ବେଟ୍ ସାହେବଙ୍କ ସେହି ଅମୂଲ୍ୟ ଦାନକୁ ଯତ୍ନରେ ପକେଟ୍‌ରେ ରଖି ତାଙ୍କୁ ଯୋଡ଼ ହସ୍ତରେ ବିଦାୟ ମାଗିଲି ।

କର୍ବେଟ୍ ସାହେବ ସେହି ପ୍ଲାଟଫର୍ମରେ ଛିଡ଼ା ହୋଇ ମୋ ଉଦ୍ଦେଶ୍ୟରେ ରୁମାଲ ହଲାଉଥାନ୍ତି । ସତେଅବା ଅସ୍ପଷ୍ଟ କଣ୍ଠରେ କହୁଥାନ୍ତି, “ଭୟ ନାହିଁ ସେବକ୍ ରାମ୍ ! ମୁଁ ତୁମ ପଛରେ ଅଛି । ଚିନ୍ତା କରିବ ନାହିଁ । ”

କଟକ ସହରରେ ପହଞ୍ଚି ଦେଖିଲି, ମୁଁ ରାସ୍ତାର ଫକୀର ପାଲଟି ଯାଇଛି । ମୋର ସେହି ସହଯାତ୍ରୀମାନେ ମୁଁ ମରିଯାଇଛି ବୋଲି ପ୍ରଚାର କରି କୌଶଳକ୍ରମେ, ମୋର କୋଠାବାଡ଼ି, ବାଣିଜ୍ୟ ବ୍ୟବସାୟ ସବୁକିଛି ହସ୍ତଗତ କରି ନେଇଛନ୍ତି । ମୋ ସ୍ତ୍ରୀ ବିଧବା ବେଶରେ, ସାନ ପୁଅକୁ ସାଙ୍ଗରେ ବୁଲାଇ ଭିକ ମାଗୁଛି ।

କର୍ବେଟ୍ ସାହେବଙ୍କ ଅଶ୍ଵାସନା କାନ ପାଖରେ ବାରମ୍ବାର ପ୍ରତିଧ୍ଵନିତ ହେବାକୁ ଲାଗିଲା-। ନୂତନ ଜୀବନ ସଂଗ୍ରାମ ପାଇଁ ପ୍ରସ୍ତୁତ ହୋଇ ପଡ଼ିଲି । ଭାଗ୍ୟ ବଳରୁ ମାତ୍ର କେଇଟା ବର୍ଷରେ ସଂପଦର ଅଧିକାରୀ ହେଲି ।

କର୍ବେଟ୍ ସାହେବ କେବଳ ମୋର ଜୀବନ ଦାତା ନୁହଁନ୍ତି, ସେ ମଧ୍ୟ ମୋର ଅନ୍ନଦାତା । ସେ ମୋର ପୂଜ୍ୟ ଈଶ୍ଵର ।

ତା’ପରେ ସେବକ ରାମ୍ ଦୀର୍ଘ ନିଶ୍ଵାସ ଛାଡ଼ି କହିଲେ, ଅଢ଼େଇଶହ ଟଙ୍କାରୁ ମୁଁ ଲକ୍ଷପତି ହେଲି । ଘରଦ୍ଵାର, ବାଣିଜ୍ୟ ବ୍ୟବସାୟ ସବୁ ପାଇଲି । ତା’ପରେ ଭାବିଲି, କର୍ବେଟ୍ ସାହେବଙ୍କ ସେଇ ଅଢ଼େଇଶହ ଟଙ୍କା ପରିଶୋଧ କରିବି । ମୂଳ ସୁଧ ହିସାବ କରି, କର୍ବେଟ୍ ସାହେବଙ୍କ ଠିକଣା ଖୋଜି ଏ ଜିପ୍ ନେଇ ଲକ୍ଷ୍ମୀପୁର ଆସିଥିଲି । କିନ୍ତୁ କର୍ବେଟ୍ ସାହେବ ସେ ଟଙ୍କା ଗ୍ରହଣ କଲେ ନାହିଁ ।

ସେବକ ରାମ୍‌ଙ୍କ କଥା ସରିଲା । ତେଣେ ଦୁଆର ମୁହଁରେ କର୍ବେଟ୍ ସାହେବଙ୍କ କଣ୍ଠସ୍ଵର ବି ଶୁଣାଗଲା । ସେ ହସି ହସି ଘର ଭିତରକୁ ପଶି ଆସୁ ଆସୁ କହୁଥିଲେ–

ଈଶ୍ଵରଙ୍କ ଦୟାରୁ ସ୍ତ୍ରୀ ଲୋକଟା ବଞ୍ଚିଗଲା !

ସେବକ ରାମ୍ ଗଦ୍‌ଗଦ୍ କଣ୍ଠରେ କହିଲେ, ସବୁ ଆପଣଙ୍କ ଦୟା ! ସବୁ ଆପଣଙ୍କ ଇଚ୍ଛା !

କର୍ବେଟ୍ ସାହେବ କହିଲେ, ପୁଣି ଭୁଲ୍ କଲ ସେବକ ରାମ୍ ! କୁହ ଈଶ୍ଵରଙ୍କ ଦୟା; ଈଶ୍ଵରଙ୍କ ଇଚ୍ଛା !

ସେବକ ରାମ୍ ମନେ ମନେ ଗୁଣୁ ଗୁଣୁ ହେଲେ, ଆପଣ ଈଶ୍ଵର ! ଆପଣ ପରମେଶ୍ଵର-!!

ମୁଁ ଈଶ୍ଵରଙ୍କୁ କି ପରମେଶ୍ଵରଙ୍କୁ କେବେ ଦେଖି ନାହିଁ । ତେବେ କର୍ବେଟ୍ ସାହେବଙ୍କୁ ଦେଖି ଓ ତାଙ୍କ କଥା ଶୁଣି ମନେ ହେଲା, କର୍ବେଟ୍ ସାହେବ ହିଁ ଈଶ୍ଵର । କାରଣ ଈଶ୍ଵର ନ ହେଲେ ମଣିଷ ଏତେ ନିଃସ୍ଵାର୍ଥପର ଓ ନିର୍ବାକାର ଭାବରେ ଏମିତି କାମ କରି ପାରନ୍ତେ ନାହିଁ ।

ତଥାପି ଅଳ୍ପ ରାତ୍ରି ବାକିଥିଲା ।

କର୍ବେଟ୍ ସାହେବ ସତର୍କ କରିଦେଲେ, ସାରା ରାତିଟା ଉଜାଗର ରହିଲେ ଦେହ ଖରାପ ହେବ । ଶୋଇ ଯାଅ ।

ଆମେ ସମସ୍ତେ ଅଳ୍ପ ସମୟ ପରେ ନିଘୋଡ଼ ନିଦରେ ଶୋଇପଡ଼ିଲୁ ।

ପରଦିନ ଅନେକ ସମୟ ପର୍ଯ୍ୟନ୍ତ କର୍ବେଟ୍ ସାହେବଙ୍କ ଦର୍ଶନ ମିଳୁ ନ ଥିବା ଦେଖି ଆମେ ବ୍ୟସ୍ତ ହୋଇ ତାଙ୍କ ଶୋଇବା ଘରକୁ ପଶିଯାଇ ଦେଖିଲୁ, କର୍ବେଟ୍ ସାହେବଙ୍କ ଶରୀରରେ ପ୍ରାଣ ନାହିଁ ।

ସମଗ୍ର ଲକ୍ଷ୍ମୀପୁର ଗାଁରେ ଚହଳ ପଡ଼ିଗଲା । ସମସ୍ତେ ତାଙ୍କର ଶବାଧାର ପାଖରେ ଭୋ’ ଭୋ’ ହୋଇ କାନ୍ଦିବାକୁ ଲାଗିଲେ । ସହରରୁ ଡାକ୍ତର ଆସି ପରୀକ୍ଷା କରି କହିଲେ, ଅତ୍ୟଧିକ ପରିଶ୍ରମ ଫଳରେ କର୍ବେଟ୍ ସାହେବଙ୍କର ହାର୍ଟ ଫେଲ କରିଛି ।

☆☆☆

 

ଦୁଇ ପୁରର କାହାଣୀ

ପ୍ରଥମଭାଗ

।। ଏକ : ଏ ପୁରର କାହାଣୀ ।।

 

କାହାଣୀ ଶୁଣାଇବା ପୂର୍ବରୁ ମୁଁ ମୋର ଆତ୍ମ କାହାଣୀ କହେଁ–

ମୋର ଜନ୍ମ ଏକ ନିତାନ୍ତ ଦରିଦ୍ର ପରିବାରରେ । ମୋ’ ବାପା ମୂଲଲାଗି ପରିବାରର ଭରଣ ପୋଷଣ କରୁଥିଲେ । ଆମେ ଏକ ଅଚିହ୍ନା ଗାଁରେ ନୀଡ଼ବାନ୍ଧି ନିହାତି ଅବହେଳିତ ଭାବରେ, ବାହାରର ଜନସମାଜ ତଥା ଇତିହାସ, ଭୂଗୋଳର ସଂପୂର୍ଣ୍ଣ ଆଗୋଚରରେ କାଳଯାପନ କରୁଥିଲୁ ।

ମୁଁ ସେହି ଅପନ୍ତରା ପରିବେଶରେ ବଢ଼ି ବଡ଼ ହେଲି । ଭାବିଲି, ସେଇ ଅଚିହ୍ନା ଗାଁ ଛାଡ଼ି ସହରକୁ ନଗଲେ, ମୋର କୌଣସି ଇଚ୍ଛା ପୂରଣ ହେବ ନାହିଁ ।

ଗାଁ ଛାଡ଼ି ସହରକୁ ନ ଆସିଲେ ମୋର କିଛିହେବ ନାହିଁ ବୋଲି ଭାବି, ଆମ ଘରର ବାସନ କେଇଖଣ୍ଡକୁ ଗାଁ ସାହୁକାରଙ୍କ ପାଖରେ ବନ୍ଧା ପକାଇ, ଆମ ବଂଶର କେହି କରି ନ ଥିବା କାମ କରିବାକୁ ବାହାରି ପଡ଼ିଲି ।

ଗାଁ ଛାଡ଼ି ସହରକୁ ଆସିବାରେ ମୁଁ ହେଲି ଆମ ବଂଶର ସର୍ବପ୍ରଥମ ବ୍ୟକ୍ତି । ସହର ସ୍କୁଲରେ ନାଁ ଲେଖାଇ ପାଠ ପଢ଼ିବାରେ ମଧ୍ୟ ମୁଁ କେବଳ ଆମ ଘର କି ପରିବାର ନୁହେଁ, ଆମ ଗାଁ ଓ ଆମ ଅଞ୍ଚଳରେ ପ୍ରଥମ ଛାତ୍ର ହେଲି ।

 

ସହର ସ୍କୁଲର କୋଠା ତଳେ ବସି ବିଜୁଳି ଆଲୁଅ ଓ ବିଜୁଳି ପଙ୍ଖା ଦେଖୁ ଦେଖୁ ମୋ ମନ ଭିତରେ ଅନେକ ଇଚ୍ଛା ଜମାଟ ବାନ୍ଧୁଥିଲା । ଭବିଷ୍ୟତରେ ବଡ଼ ଲୋକ ହେବାର ଅଦମ୍ୟ ନିଶାରେ ମୋ ଆଖି ଦୁଇଟି ଟଳମଟଳ ହେଉଥିଲା । ସହରୀ ସଭ୍ୟତାର ଘୋଡ଼ା ଦଉଡ଼ରେ ମୁଁ ମଧ୍ୟ ନିଜକୁ ସାମିଲ କରିବାକୁ ଚାହୁଁଥିଲି ।

 

କିନ୍ତୁ ମାସ ଦି’ଟା ପରେ ସ୍କୁଲ ଦରମା ଦେଇ ନ ପାରିବାରୁ ଉପସ୍ଥାନ ଖାତାରୁ ଯେତେବେଳେ ମୋ ନାଁ ଆପେ ଆପେ କଟିଗଲା, ସେତେବେଳେ ମୋର ବଡ଼ଲୋକ ହେବାର ନିଶା ସଂପୂର୍ଣ୍ଣ ରୂପେ ଫାଙ୍କି ଗଲା । ମୁଁ ଯେ ଏଇ ପରିସ୍ଥିତିରେ କେବେହେଲେ ବଡ଼ଲୋକ ହୋଇ ପାରିବି ନାହିଁ, ସେ କଥା ମର୍ମେ ମର୍ମେ ଅନୁଭବ କଲି ।

 

ସେ ଦିନ ମୋ ଆଖି ଆଗରେ ଆମ ଗାଁର ଅପନ୍ତରା ମାଟିସଡ଼କ, ଦଳପୂର୍ଣ୍ଣ ପୋଖରୀ, ମଇଳାଖାତ ଓ ନୂଆଣିଆ ଚାଳଘରମାନେ ଗୋଟିଏ ଗୋଟିଏ ଅତିକାୟ ଯକ୍ଷ ପରି ଖତେଇ ହୋଇ ସେମାନଙ୍କ କୁତ୍ସିତ କଦାକାର ରୂପରେ ମୋତେ ଭୟଭୀତ କଲେ । ଆଙ୍ଗୁଠି ଦେଖାଇ ପ୍ରଶ୍ନ କଲେ, ପାଇଲୁତ ମଜା ? ସହରୀ ନିଶା କ’ଣ ଛାଡ଼ିଲା ।

 

ସେ ଦିନ ସ୍କୁଲ ଛୁଟି ପରେ ମୁଁ ଆଉ ବସାକୁ ନଫେରି, ନିର୍ଜନ ସ୍କୁଲ ପାଚେରୀରେ ମୁଣ୍ଡ ଆଉଜାଇ ଅନାଥ ଶିଶୁପରି ଭୋ ଭୋ ହୋଇ କାନ୍ଦିଲି । ଟଙ୍କା ପଇସା ଅପେକ୍ଷା ଆଖିର ଉଷୁମ ଲୁହଧାର ହିଁ ମୋ ପାଖରେ ଶସ୍ତା ଥିଲା ।

 

ସେ ଦିନ ବିଳମ୍ବରେ ଘରକୁ ଫେରୁଥିବା ସ୍କୁଲ ପଣ୍ତିତ ମୋ କାନ୍ଦ ଶୁଣି ବାଟ ବଙ୍କେଇ ପାଖକୁ ଆସିଲେ ଓ ସବୁକଥା ଶୁଣିବା ପରେ ମୋ ପ୍ରତି ଦୟା କରି ତାଙ୍କ ସଙ୍ଗରେ ମୋତେ ତାଙ୍କ ବସା ଘରକୁ ଡାକି ନେଇଗଲେ ।

 

।। ଦୁଇ ।।

 

ଏଇଠୁ ମୋ ଜୀବନର ବାଙ୍କ ବୁଲିଗଲା ।

 

ମୋତେ ସେ ଦିନ ସ୍କୁଲ ପଣ୍ତିତ ନିଜ ବସାକୁ ନେଇ ଆଶ୍ରୟ ଦେଇ ମୋ ପ୍ରତି ନ୍ୟାୟ କଲେ କି ଅନ୍ୟାୟ କଲେ, ସେ କଥା ମୁଁ ଏବେ ମଧ୍ୟ ବୁଝିପାରୁ ନାହିଁ ।

 

ପ୍ରଥମେ ମୁଁ ତାଙ୍କ ଘରେ ଘରୋଇ ଚାକର ପରି ଚଳିଲି । ଲୁଗା ଧୋଇବା, ବାସନ ମାଜିବା ଓ ଘର ଓଳାଇବା ପରି କେତେକ ଛୋଟ ବଡ଼ କାମ କଲି । କ୍ରମେ ତାଙ୍କ ଘରର ଆଉ ଏକ ମଣିଷ ପରି ପାରୁପର୍ଯ୍ୟନ୍ତ ସବୁ କାମ ତୁଲାଇବା ମୋର ଅଭ୍ୟାସରେ ପରିଣତ ହୋଇଗଲା । ପ୍ରତିବଦଳରେ ମୁଁ ମୋର ବାସଗ୍ରାସର ବ୍ୟବସ୍ଥା କରିବାରେ ସକ୍ଷମ ହେଲି ଓ ରୀତିମତ ସ୍କୁଲକୁ ଗଲି । ସ୍କୁଲ ପଣ୍ଡିତେ ମୋର ଦରମା କଥା, ବହିପତ୍ର କଥା ବି’ ବୁଝିଲେ ।

 

ମୋ ଭାଗ୍ୟ ଭଲ, ପଣ୍ଡିତଙ୍କର କୋଟିଏ ମାତ୍ର କନ୍ୟା ଥିଲା । ପଣ୍ଡିତ ଦମ୍ପତି ସର୍ବାନ୍ତ କରଣରେ ଏକ ନବଜାତ ସନ୍ତାନର ମୁଖ ଦର୍ଶନ ପ୍ରତୀକ୍ଷାରେ ଥିଲେ । କିନ୍ତୁ ସେମାନଙ୍କର ଦୁର୍ଭାଗ୍ୟ ଓ ମୋର ସୌଭାଗ୍ୟ ଯେ, ସେହି ସମ୍ଭାବ୍ୟ ସନ୍ତାନର ମୁଖ ଦର୍ଶନରୁ ସେ ବଞ୍ଚିତ ହେଲେ ।

 

ଏହାପରେ ପଣ୍ଡିତ ଦମ୍ପତି ଆଉ କୌଣସି ସନ୍ତାନର ମୁଖାବଲୋକନ କରି ନ ଥିଲେ । କ୍ରମେ ମୋ ଉପରେ ସେମାନଙ୍କର ସ୍ନେହ ଶ୍ରଦ୍ଧା ଠୁଳ ହୋଇ ପଡ଼ିଲା । ମୁଁ ସେ ଗୃହର ଭୃତ୍ୟ ଓ ପୁତ୍ର ଉଭୟ ପଦରେ ଆପେ ଆପେ ଅଭିଷିକ୍ତ ହେଲି ।

 

ମୁଁ ସ୍କୁଲ ପାହାଚ ଡେଇଁ କଲେଜ ପାହାଚରେ ପାଦ ପକାଇଲା ବେଳକୁ ସ୍କୁଲ ପଣ୍ଡିତେ ବୁଢ଼ା ହୋଇ ଯାଇଥିଲେ । ତାଙ୍କର ଏକମାତ୍ର କନ୍ୟା ‘ପଦ୍ମା’ ନବ–ଯୁବତୀ ହୋଇ ପଦ୍ମଫୁଲର ସୁରଭି ବୁଣୁଥିଲା ।

 

ଏକ ସଂପର୍କ ଶୂନ୍ୟ ନବଯୁବକ ସଙ୍ଗରେ ନବଯୁବତୀଟିଏ ଏକାଠି ରହିଲେ ଯେଉଁ ସ୍ଵଭାବିକ ପରିଣତି ଘଟେ, ମୋର ଏବଂ ପଦ୍ମାର ସଂପୂର୍ଣ୍ଣ ଅଜ୍ଞାତରେ ଆମ ଭିତରେ ସେହି ପରିଣତି ଦେଖାଗଲା । ଆମେ ପରସ୍ପରକୁ ପ୍ରେମ କରିବାକୁ ଲାଗିଲୁ । ପରସ୍ପର ମୁହଁରୁ ପଦେ କଥା ଶୁଣିଲେ କି ଟିକିଏ ହସ ଦେଖିଲେ, ଆମ ମନରେ ଯୌବନ ସୁଲଭ ଉନ୍ମାଦନା ଜାତ ହେଉଥିଲା । ଟିକିଏ ସୁବିଧା ପାଇଲେ ଆମେ ପରସ୍ପର ଭିତରେ ହଜି ଯିବାକୁ ଚାହୁଁଥିଲୁ । ସତର୍କ ହେବାର ସୁବିଧା ନ ଥିଲା କି ସୁଯୋଗ ନ ଥିଲା । ଯାହା ହେଉଥିଲା, ଆପେ ଆପେ ହୋଇ ଯାଉଥିଲା ।

 

କ୍ରମେ ପଦ୍ମା ଓ ମୋ ଭିତରେ ଦେଖା ଦେଇଥିବ ଏହି ଆକସ୍ମିକ ପ୍ରେମ ବ୍ୟାପାର, ଆମ ସାହିରେ ଏକ ସରଗରମ ଆଲୋଚନାରେ ପରିଣତ ହେଲା । ମୁଁ ଏବଂ ପଦ୍ମା ଆମ ବାଟରେ ମୁଣ୍ଡପୋତି ଯିବା ଆସିବା କଲାବେଳେ, ଚିହ୍ନା ଲୋକମାନେ ଆମକୁ ଅଚିହ୍ନା ଆଖିରେ ଚାହିଁବାକୁ ଲାଗିଲେ ।

 

ପଣ୍ତିତ ମହାଶୟ ସେ ବର୍ଷ କର୍ମ କ୍ଷେତ୍ରରୁ ଅବସର ଗ୍ରହଣ କଲେ ଓ ପଦ୍ମାର ମାଆ ରୋଗାକ୍ରାନ୍ତ ହେଲେ ।

 

ମୋର ଆଉ ପଢ଼ା ଶୁଣା କରିବା ଭଲ ହେଲା ନାହିଁ ।

 

ମୋ ବାପା ଆମ ଗାଁରୁ ଚିଠି ଲେଖିଲେ, ଯାହା ପାଠପଢ଼ା ହେଲା, ସେତିକି ଥାଉ । ସହର ଛାଡ଼ି ଗାଁ କୁ ଆ । ଗାଁରେ ବଡ଼ ଇସ୍କୁଲ ହେଲାଣି । ସେଇଠି ମାଷ୍ଟର ହେବୁ ।

 

ମୁଁ କିନ୍ତୁ ଜାଣିଶୁଣି ବାପାଙ୍କ ପତ୍ରର କୌଣସି ଉତ୍ତର ଦେଉ ନ ଥିଲି । ସହର ଜୀବନ, କଲେଜ ସାଙ୍ଗ ସାଥୀ, ସିନେମା ଆଡ଼୍‌ଡ଼ା ଓ ସର୍ବୋପରି ପଦ୍ମାର ପ୍ରେମ ମୋର ଗାଁକୁ ଫେରିବା ପଥରେ ପ୍ରଥମ ଅନ୍ତରାୟ ହେଲା ।

 

ମୁଁ ଦେଖି ଆଶ୍ଚର୍ଯ୍ୟ ହେଲି ଯେ, ମୋତେ ଓ ନବଯୁବତୀ ପଦ୍ମାକୁ କେନ୍ଦ୍ରକରି ସାହି ଓ ସହରରେ ହାଟ ବସିଥିଲେ ବି’ ପଦ୍ମାର ବାପା ମା’ ପଦେ ହେଲେ କିଛି କହୁ ନ ଥାନ୍ତି । ଭାବୁଥାଏଁ, ସେମାନଙ୍କ ଆଖିରେ କିଛି ପଡ଼ି ନାହିଁ ବୋଲି ନୀରବ ରହିଛନ୍ତି । ଯେଉଁଦିନ ଜାଣିବେ, କଥା ସରିଲା-। ମୋତେ ଏ ଘରେ ଆଉ ଠାବ ମିଳିବ ନାହିଁ । ‘ଏ ଘରେ ଆଉ ଠାବ ମିଳିବ ନାହିଁ’, ଏ କଥା ଭାବି ଦେଲାବେଳକୁ ମୋ ମୁଣ୍ଡ ବୁଲାଇ ଯାଉଥାଏ । ତା’ପରେ କଣ ହେବ, ସେ କଥା ଭାବି ମୁଁ ଆତଙ୍କିତ ହୋଇ ଯାଉଥାଏ । ପଦ୍ମାକୁ ପ୍ରେମିକ ନୁହେଁ, ଘରର ଦାସ ହିସାବରେ ଅନେଇବାକୁ ଚେଷ୍ଟା କରୁଥାଏଁ । କିନ୍ତୁ ସେ ଚେଷ୍ଟା, ଚେଷ୍ଟାରେ ହିଁ ରହିଯାଏ । ପଦ୍ମାର ପଦ୍ମଗନ୍ଧ ପ୍ରମତ୍ତ ଭ୍ରମର ପରି ମୋତେ ବାଚାଳ କରିଦିଏ ।

 

ପରେ ବୁଝିଲି, ପଦ୍ମାର ବାପା ମା’ ମୋତେ ସେମାନଙ୍କ ଅଲିଅଳ କନ୍ୟାକୁ ବିବାହ ଦେଇ ଜୁଆଁଇ କରିବା ଚାହାନ୍ତି ।

 

।। ତିନି ।।

 

କଲେଜର କପି ‘ହୋ’ରେ ପଡ଼ି ପ୍ରଥମ ବର୍ଷ ଉଦ୍ଧାର ପାଇଗଲେ ବି’ ଲାଗ ଲାଗ ଦୁଇ ବର୍ଷ ଧରି ଦ୍ଵିତୀୟ ବର୍ଷରେ ପଡ଼ି ରହିଲି । ଯେତେ ଯାହା କଲେବି’ ବୈତରଣୀ ପାରି ହୋଇ ପାରିଲି ନାହିଁ ।

 

ପଣ୍ଡିତେ ସେତେବେଳେ ଆରପୁରୀରେ । ପଦ୍ମାର ମା’ଙ୍କ ଅବସ୍ଥା ଅଚଳ ।

 

ସେହି ସହରରେ ରହି ଶୁଣିଲି, ବାପା ଅଜଣା ରୋଗ ଭୋଗି ମରିଗଲେ । ମୁଁ ହତଭାଗା ତାଙ୍କର ଶେଷ ଦର୍ଶନ କରି ପାରିଲି ନାହିଁ । ପଦ୍ମା ମା’ଙ୍କର ଉପଦେଶ କ୍ରମେ ଦି’ ଦିନ ପାଇଁ ଗାଁକୁ ଯାଇ, ମାଆଙ୍କୁ ସଙ୍ଗରେ ନେଇ, ପୁଣିଥରେ ସହରକୁ ଫେରିଲି ।

 

ମୋର ବାରମ୍ବାର ଫେଲ୍ ଖବର ଶୁଣି ପଦ୍ମାର ପଦ୍ମମୁହଁ ଶୁଖି ଗଲା । ବାରମ୍ବାର ଅନୁରୋଧ କଲା, କଲେଜ ପଢ଼ା ଛାଡ଼ି ବ୍ୟବସାୟ କର । ପରିବାର ଚଳିବା କଷ୍ଟ ବଳେଇ ପଡ଼ିଲାଣି ।

 

ପାଠପଢ଼ା ଛାଡ଼ି ବାଧ୍ୟ ହୋଇ ବ୍ୟବସାୟ ଧରିଲି ।

 

ପ୍ରଥମେ ଡାଲି ଚାଉଳର ଖୁଚୁରା ଦୋକାନ, ତା’ପରେ ତାକୁ ଭାଙ୍ଗି ଜଳଖିଆ ଦୋକାନ ଓ ପରେ ପରେ ଜଳଖିଆ ସାଙ୍ଗକୁ ମଦ ଦୋକାନ ।

 

ବ୍ୟବସାୟ ହୁ ହୁ ହୋଇ ବଢ଼ିଲା ।

 

ମୁଁ ନେତାମାନଙ୍କୁ ଚାନ୍ଦା ଦେଲି, ସଭାସମିତିର ଆୟୋଜନ କରି ମନ୍ତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଜଣାଇବାର ଆୟୋଜନ କଲି ।

କ୍ରମେ ମୁଁ ବହୁ ଲୋକଙ୍କୁ ପଛରେ ପକାଇ ସରକାରୀ କଣ୍ଟ୍ରାକ୍‌ଟର ହେଲି, ହୋଲ୍‌ସେଲର୍‌ ଲାଇସେନ୍‌ସ୍‌ ପାଇଲି ଓ ରାତାରାତି ସରକାରୀ ଟଙ୍କାରେ ମିଲ୍‌ମାଲିକ ବନିଗଲି ।

 

ମୋରି ପାଖରେ ଅପର୍ଯ୍ୟାପ୍ତ ଟଙ୍କା ଠୁଳ ହେଲା । ସହରରେ ମୋର ପ୍ରଭାବ ପ୍ରତିପତ୍ତି ବଢ଼ିଗଲା । ମୋ ଅଧିନରେ ଶହ ଶହ ଲୋକ କାମ କଲେ ।

 

ମୋର ଦାନ, ସାଧୁତା ଓ ଉଚ୍ଚ ବ୍ୟକ୍ତିତ୍ଵର ପ୍ରଶଂସା କରାଗଲା ।

 

ମୁଁ କଳା ବଜାର କଲେ’ ଖାଦ୍ୟରେ ଅପମିଶ୍ରଣ କଲେ କିମ୍ବା କଣ୍ଟ୍ରାକଟରୀରେ ଠକିଲେ କେହି ମୋତେ ସନ୍ଦେହ କଲେ ନାହିଁ । ସମଗ୍ର ସରକାରୀକଳ ମୋ ନାଁ ଶୁଣି ତଟସ୍ଥ ହେଉଥିଲା । ମୋ ବିରୁଦ୍ଧରେ ପଦେ କିଛି କହି ଦେଲେ, ସରକାରଙ୍କ ସର୍ବୋଚ୍ଚ କର୍ମଚାରୀମାନେ ମଧ୍ୟ ବଦଳି ହେଲେ । ସେମାନଙ୍କର ତଥାକଥିତ ଚରିତ୍ରପଞ୍ଜିକା ନଷ୍ଟ ହେଲା ।

 

ମୁଁ ପଦ୍ମାକୁ ସୁନା ଗହଣାରେ ଛାଉଣି କରିଦେଲି । ଛୋଟ ବସା ଘରଟି କିଣି ନେଇ, ପ୍ରଚୁର ଟଙ୍କା ଖର୍ଚ୍ଚ କରି ଚାରିମହଲା କୋଠାଘର ତିଆରି କଲି । ଚଟାଣ ମୋଜାଇକ୍ କଲି । ଘର ଭିତରେ କାଠ ବାକ୍‌ସ ଓ ପେଡ଼ି ପେଟରା ଯାହାଥିଲା, ତାକୁ ଭାଙ୍ଗି ଗଡ଼୍‌ରେଜ୍ ଆଲମାରୀ ଆଣି ରଖିଲି । ଟଙ୍କା ପଇସାର ହିସାବ କାମ ବଳେଇ ପଡ଼ିବାରୁ, ହିସାବ ରଖିବାକୁ କର୍ମଚାରୀ ନିଯୁକ୍ତ କଲି ।

 

ମୁଁ କାର୍‌ରେ ବୁଲିଲି, ବ୍ୟାଙ୍କ୍‌ ଚେକ୍‌ରେ ଖେଳିଲି ଓ ମଦକୁ ପାଣି ପରି ବ୍ୟବହାର କଲି ।

 

ପଦ୍ମା କ୍ରମେ ମୋର ମନର ଅବସ୍ଥା ଦେଖି, ମୋତେ ଆଉ ପୂର୍ବପରି ବିବାହ ବେଦୀରେ ବସି ବିବାହ କରିବାକୁ ତାଗିଦ୍ କଲା ନାହିଁ । ବରଂ ମୋର ସେବା ପାଇଁ ଦୁଇ ତିନିଜଣ ଅପରୂପା ତରୁଣୀଙ୍କୁ ମୁତୟନ କରି, ମୋର ଭୋଗର ମାର୍ଗକୁ ପ୍ରଶସ୍ତ କରିଦେଲା ।

 

ମୁଁ ମୋର ଗାଁ କଥା ଭୁଲି ଗଲି । ମୋ ଗାଁର ନାଁଟା ବି ଆଉ ମନେ ପଡ଼ିଲା ନାହିଁ । ଶେଷରେ ମୋର ଅତୀତ ସଙ୍ଗରେ ଅତି ପରିଚିତ ମୋର ନାଁଟାକୁ ବି’ ଆଫିଡ଼େଭିଟ୍ କରି ବଦଳାଇ ଦେଲି ।

 

ସର୍ବମୋଟ ତିନିଥର ମୁଁ ମୋର ନାମ ପରିବର୍ତ୍ତନ କଲି ।

 

ଏତଦ୍ଵାରା ମୋ ବିରୁଦ୍ଧରେ ଥିବା କେତୋଟି ଅପରାଧ, କେତେକ ମୋକଦ୍ଦମା ଓ କେତେ ଲକ୍ଷଟଙ୍କାର ସରକାରୀ ଋଣରୁ ଅବ୍ୟାହତି ପାଇଗଲି । ଅନେକ କ୍ଷେତ୍ରରେ ମୁଁ ବ୍ୟକ୍ତିଗତ ଭାବରେ ଲାଭବାନ୍ ବି ହେଲି’ । ମୋର ବ୍ୟବସାୟ ଅନୁଷ୍ଠାନର ନାଁ ବଦଳାଇ ମୁଁ ଆୟକର ବିଭାଗର ଦେୟରୁ ଅବ୍ୟାହତି ପାଇଥିଲି ।

 

ମୁଁ ସର୍ବମୋଟ ଷାଠିଏ ବର୍ଷ ବଞ୍ଚିଲି । ଅବଶେଷରେ ଯେତେବେଳେ ବୁଝିଲି ଯେ, ଉପାର୍ଜନ ଓ ଉପଭୋଗ କରିବା ପ୍ରବଳ ଇଚ୍ଛା ଥିବା ସତ୍ଵେ ମୋର ଶାରୀରିକ ଅବସ୍ଥା ମୋତେ ଦୁର୍ବଳ ଓ ଅସହାୟ କରି ଦେଇଛି, ମୁଁ ଆତ୍ମଗ୍ଳାନିରେ ପଳ ପଳ ହୋଇ ମରିବା ଅପେକ୍ଷା, ଅଧିକ ସ୍ଳିପିଙ୍ଗ୍‌ ପିଲ ଖାଇ ଦିନେ ମୁଁ ଚିରଦିନ ପାଇଁ ଶୋଇ ପଡ଼ିଲି ।

 

ମୁଁ ମୃତ୍ୟୁବରଣ କରିବା ପୂର୍ବରୁ ମର୍ତ୍ତ୍ୟପୁରରେ ସବୁକିଛି ଉପଭୋଗ କରିଥିଲି । ଖାଦ୍ୟ, ପେୟ, ବାସ ଓ ନାରୀ–ଏହି ଚତୁବର୍ଗ ମୋତେ ପ୍ରାପତ ହୋଇଥିଲା । ପ୍ଲେନ୍ ଯୋଗେ ଦେଶ ବିଦେଶକୁ ଯାତ୍ରା କରି ମୁଁ ଅର୍ଥବହୁଳ ବିଶ୍ରାମାଗାରରେ ରାତ୍ରି ଯାପନ କରୁଥିଲି । ପ୍ରଚୁର ଅର୍ଥ ବିନିମୟରେ ସେ ଦେଶର ଦୁର୍ଲଭ ସୁରା ଓ ସୁନ୍ଦରୀ ସାକୀ ମେଳରେ ରାତ୍ରିଯାପନ କରିବା ମୋର ଅଭ୍ୟାସରେ ପରିଣତ ହୋଇ ଯାଇଥିଲା । ମୁଁ ଲୋକ କଥାର ବାଦ୍‌ଶାହା ପରି ସ୍ଵଦେଶରେ ଓ ବିଦେଶରେ ପ୍ରତିଷ୍ଠା ଲାଭ କରିଥିଲି ।

 

କିନ୍ତୁ ହାୟ, ବୟସ ମୋର ଦାଉ ସାଧିଲା ।

 

ମୋ ପାଇଁ ଅନ୍ତତଃ ପଚାଶଥର ବିରାଟ ସମ୍ବର୍ଦ୍ଧନା ସଭାର ଆୟୋଜନ କରା ଯାଇଥିଲା-। ସେହି ସଭାରେ ଅନ୍ତତଃ ଶହେ ଜଣ ମନ୍ତ୍ରୀ, ନେତା, ଶିଳ୍ପପତି, ସାହିତ୍ୟିକ ଓ ସମାଜସେବୀ ଯୋଗ ଦେଇ ମୋର କାର୍ଯ୍ୟକଳାପକୁ ଉଚ୍ଛ୍ଵସିତ କଣ୍ଠରେ ପ୍ରଶଂସା କରିଥିଲେ । ମୋର ପୂର୍ଣ୍ଣାବୟବ ଛବିମାନ ପ୍ରତିଷ୍ଠିତ ସମ୍ବାଦପତ୍ରମାନଙ୍କରେ ପ୍ରକାଶିତ ହୋଇଥିଲା ଓ ମୋର ଶତାୟୁ କାମନା କରାଯାଇଥିଲା ।

 

ଜୀବନରେ ମୁଁ ଯାହା ଚାହୁଁଥିଲି ପୂରଣ ହେଉଥିଲା, ଯାହା ଭାବୁଥିଲି ତାହା ଘଟୁଥିଲା ।

 

ସମସ୍ତେ ଶତ ମୁଖରେ ମୋର ପ୍ରଶଂସା କରୁଥିଲେ । ପ୍ରଶଂସାରେ ମୁଁ ପୋତି ହୋଇ ପଡ଼ୁଥିଲି । ଏତେ ଭାଗ୍ୟ, ଏତେ ସମ୍ମାନ, ଏତେ ପ୍ରଶଂସା ଜୀବନ କାଳ ମଧ୍ୟରେ କେହି ପାଇଥିବେ କି ନାହିଁ ସନ୍ଦେହ ।

 

କିନ୍ତୁ ଏ ସବୁ ସତ୍ତ୍ଵେ. ଗୋଟିଏ ଇଚ୍ଛା ମୁଁ ପୂରଣ କରି ପାରିଲି ନାହିଁ । ପୂରଣ କରିବାକୁ ଚାହିଁଥିଲେ ଯେ ମୁଁ ପାରି ନଥାନ୍ତି, ସେପରି ନୁହେଁ । ଅସଲ କାରଣଟା ହେଲା, ତାହା ମୁଁ ଚାହିଁଲି ନାହିଁ ।

 

ସେଇଟି ହେଲା–

 

ମୁଁ ଗାଁ ଛାଡ଼ି ସହରକୁ ଆସିବା ପରେ, ଆମ ଗାଁରୁ ମୋର ଜଣେ ବାଲ୍ୟ ବନ୍ଧୁ ମୋତେ ବରାବର ଚିଠି ଲେଖି ଆମ ଗାଁର ପ୍ରତ୍ୟେକ କଥା ଜଣାଉଥିଲା । ପ୍ରଥମେ କିଛି ବର୍ଷ ଚିଠିପତ୍ରର ଆଦାନ ପ୍ରଦାନ ଚାଲିଥିଲେ ମଧ୍ୟ ପରବର୍ତ୍ତୀ କାଳରେ ମୁଁ ଜାଣିଶୁଣି ମୋ ନିଜପକ୍ଷରୁ ତା’ ପାଖକୁ ଉତ୍ତର ଦେବା ବନ୍ଦ କରିଦେଲି । ତା’ର କାରଣ ହେଲା ମୁଁ ମୋ ଗାଁ ସଙ୍ଗେ ଥିବା ମୋର ସମସ୍ତ ସଂପର୍କ ଛିନ୍ନ କରିଦେବାକୁ ଚାହୁଁଥିଲି । ଗାଁ କଥା ସ୍ମରଣ କଲେ ମୋତେ ହୀନମନ୍ୟତା ଗ୍ରାସ କରୁଥିଲା ।

 

ବାପାଙ୍କର ମୃତ୍ୟୁପରେ ମୁଁ ଦୁଇଦିନ ପାଇଁ ଗାଁକୁ ଯାଇଥିବା ଅବସରରେ ପୁଣିଥରେ ମୋର ସେହି ବାଲ୍ୟବନ୍ଧୁ ସଙ୍ଗରେ ଆମରି ଘରେ ଦେଖାହେଲା । ମୋର ଅନୁପସ୍ଥିତିରେ ସେ ଆମ ଘରର ଭଲମନ୍ଦ ଖବର ବୁଝୁଥିଲା । ମୋ ମାଆଙ୍କୁ ସେହି ଦୁଃସମୟବେଳେ, ଜନ୍ମକଲା ପୁଅପରି ପାଖରେ ବସି ସାନ୍ତ୍ଵନା ଦେଉଥିଲା । ମୋତେ ଦେଖି କୃତକୃତ୍ୟ ହେଲା ଓ ଅନନ୍ଦାଧିକ୍ୟ ହେତୁ କରପ୍ରସାରଣ କରି ଆଲିଙ୍ଗନ କଲା । ସୁଖଦୁଃଖବେଳେ କହିଲା, କଲେଜରେ ପଢ଼ୁଛୁ । ଭବିଷ୍ୟତରେ ନିଶ୍ଚୟ ବଡ଼ ଲୋକ ହେବୁ । କଥା ଦେ, ତୁ ବଡ଼ ଲୋକ ହେଲେ ଆମ ଗାଁକୁ ସଡ଼କ ପକାଇବୁ । ଯଦି ସମ୍ଭବ, ହାଇସ୍କୁଲ କରିବୁ, ଏତିକି ମୋର ଅନୁରୋଧ ! ମନେରଖ, ନିଜ ପାଇଁ କିଛି ମାଗୁ ନାହିଁ । ଆମ ଗାଁ, ଆମ ଗାଁ ଲୋକଙ୍କ ପାଇଁ ଅନୁରୋଧ କଲି । ମୁଁ ସେଦିନ ତା’ ଆଗରେ ଛଳ ପ୍ରତିଶ୍ରୁତି ଦେଇ ସହରକୁ ଚାଲି ଆସିଥିଲି । ଏହାର ବହୁଦିନ ପରେ, ଯେତେବେଳେ ସମ୍ବାଦପତ୍ରମାନଙ୍କରେ ମୋର ଫଟୋ ବାହାରିଲା ଓ ମୋର କାର୍ଯ୍ୟକଳାପର ଭୂୟସି ପ୍ରଶଂସା ଛପାହେଲା, ସେ ଆଉ ଥରେ ମୋ ପାଖରୁ ଶେଷ ଚିଠି ଲେଖି ମୋ ପୂର୍ବର ପ୍ରତିଶୃତି ସ୍ମରଣ କରାଇ ଦେଇଥିଲା ।

 

ପରେ ଶୁଣିଲି, ମୋର ସେହି ବାଲ୍ୟବନ୍ଧୁ ନିଜର ପତ୍ନୀ ଓ ଏକମାତ୍ର ପୁତ୍ରସନ୍ତାନକୁ ହରାଇ ସନ୍ନ୍ୟାସୀ ଜୀବନ ଆରମ୍ଭ କରିଛି । ଗାଁ ମୁଣ୍ଡରେ ଚାଳଛପର କରି ଅନାଥ ପିଲାଙ୍କୁ ପାଠ ପଢ଼ାଉଛି ।

 

ସେହି ସନ୍ନ୍ୟାସ ଅବସ୍ଥାରେ ସେ ଆଉଥରେ ଲେଖିଲା, ଧନ ଉପାର୍ଜନଟା ଜୀବନର ବଡ଼ ଜିନିଷ ନୁହେଁରେ ! ଅସଲ ହେଲା ପୁଣ୍ୟ ଉପାର୍ଜନ । ମନକୁ ନିର୍ମଳ କଲେ ଯାଇ ପୁଣ୍ୟ ପ୍ରାପ୍ତି ହୁଏ-। କଥା–କାମ ଓ ଭାବନାକୁ ବିଷୟାଶକ୍ତ ନ କରି ଭଗବତ୍‍ ପ୍ରେମରେ ଚାଲିବାକୁ ହେବ । ପ୍ରତିଦିନ, ପ୍ରତିମୁହୂର୍ତ୍ତରେ ଭଗବତ୍ ପ୍ରାପ୍ତି ହେବ । ତାହାହିଁ ଜୀବନର ଲକ୍ଷ୍ୟ ହେଲେ, ଧରାଧାମକୁ ସ୍ଵର୍ଗ–ସୁଖ ଓହ୍ଲାଇ ଆସିବ । ତୁ ଭଗବତ ହୁଅ, ଏହାହିଁ କାମନା ।

 

ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସେହି ଗ୍ରାମ୍ୟ ସନ୍ନ୍ୟାସୀର କଥା ଯେତେ ଭୁଲିବାକୁ ଚାହିଁଲେ ମଧ୍ୟ, ମୋର ବାରମ୍ବାର ମନେ ପଡ଼ୁଥିଲା, ମୋର ଧନ, ମାନ, ଯଶ, ପୌରୁଷ ସବୁ କଥା ଶୂନ୍ୟ ହୋଇ, ଶେଷ ମୁହୂର୍ତ୍ତରେ କେବଳ ମାତ୍ର ସେହି ଗ୍ରାମ୍ୟ–ସନ୍ନ୍ୟାସୀର ସୌମ୍ୟରୂପ ମୋ ଆଖି ଆଗରେ ନାଚି ଉଠିଲା । ସେ ଯାହା ଅନୁରୋଧ କରିଥିଲା, ତାହା ମୋର ଧନସମ୍ପଦ, ପ୍ରଭାବ, ପ୍ରତିପତ୍ତି ତୁଳନାରେ ସାମାନ୍ୟ କାଣିଚାଏ ମାତ୍ର । ଚାହିଁଥିଲେ, ଆମ ଗାଁକୁ ସଡ଼କ ପକାଇ ହାଇସ୍କୁଲଟିଏ ଛିଡ଼ା କରି ପାରିଥାନ୍ତି । କିନ୍ତୁ କଲି ନାହିଁ କାହିଁକି ?

 

ଶେଷ ମୁହୂର୍ତ୍ତରେ ମୁଁ କଇଁ କଇଁ ହୋଇ କାନ୍ଦିଲି । ମୋର ମନ, ମୋର ହୃଦୟ, ମୋର ଆତ୍ମା ଏବଂ ଅବଶେଷରେ ମୋର ପୌରୁଷ ସମସ୍ତେ ମିଶି କାନ୍ଦିବାକୁ ଲାଗିଲେ ।

 

ମୁଁ ଶେଷ ସମୟରେ ଉପଲବ୍‌ଧି କଲି, ମୋର ଜୀବନଟା ଅକାରଣ ହୋଇଗଲା । ସେଇ ଗ୍ରାମ୍ୟ-ସନ୍ନ୍ୟାସୀଟି ବୋଧ ହୁଏ ମୋ ନିଜର ବିବେକ ପୁରୁଷ ଥିଲା । ସେ ଯାହା କହୁଥିଲା, ଠିକ୍ କହୁଥିଲା ।

 

ଏ ସଂସାରରେ ଯଦି ମୃତ୍ୟୁଟାହିଁ ଏକମାତ୍ର ସତ୍ୟ ଏବଂ ଆଉ ସବୁ ମିଥ୍ୟା, ତାହାହେଲେ କ୍ଷୟଶୀଳ ଶରୀର ଓ ଦୁର୍ବଳ ମନର ପରିତୁଷ୍ଟି ପାଇଁ ଏତେ ହୋ’ ହଲ୍ଲା କାହିଁକି ? ଜୀବନକାଳ ମଧ୍ୟରେ କାହିଁକି ଅନୀତିରେ ଅନବରତ ଶୋଭାଯାତ୍ରା ? କାହିଁକି ଏ ଲୁଣ୍ଠନ, କଳାବଜାର ଓ ପ୍ରତାରଣାର ବାଦୀ ପାଲା ? କାହିଁକି ଏ ଛଳ ଆଚରଣ ?

 

ଏ ସବୁ ନ କଲେ କ’ଣ ଚଳନ୍ତା ନାହିଁ ?

 

ଏ ସବୁ ନ ହେଲେ କ’ଣ ହୁଅନ୍ତା ନାହିଁ ?

କେବଳ କେଇଟା ଦିନ ପାଇଁ, କିଛିଟା ବସ୍ତୁ ପାଇଁ କାହିଁକି ଏ ହଟ୍ଟଗୋଳ ?

ଜୀବନ ଯୌବନରେ ମୁଁ ପଦ୍ମା ନାମ୍ନୀ ଯେଉଁ କନ୍ୟା ଓ ଅନ୍ୟାନ୍ୟ ସୁନ୍ଦରୀ ତରୁଣୀମାନଙ୍କୁ ଭଲ ପାଉଥିଲି, ସେମାନେ କେହି ହେଲେ ମୋର ଏହି ମୃତ୍ୟୁ ଯନ୍ତ୍ରଣାର ଅଂଶୀଦାର ହେଲେ ନାହିଁ । ମୁଁ ଲଣ୍ଠନ, କଳାବଜାର ଓ ଶଠତା କରି ଯେଉଁ କୋଠାଘର, ଆସବାବପତ୍ର, ଅଫିସ ଓ ପ୍ରମୋଦ ଉଦ୍ୟାଦମାନ ନିର୍ମାଣ କରିଥିଲି, ସେ ସବୁ କିଛି ହେଲେ ମୋ ଯନ୍ତ୍ରଣାର ଉପଶମ ପାଇଁ ସାହାଯ୍ୟ କଲେ ନାହିଁ । ଦୁନିଆ ଆପଣା ମାର୍ଗରେ ପଡ଼ି ରହିଲା । ଦୁନିଆ ମୋ ପାଇଁ ସହାନୁଭୂତି ପ୍ରକଟ କଲା ନାହିଁ ।

ଆଃ, ମୁଁ କ’ଣ କଲି ସତରେ ?

ମୁଁ ମୋର ନିଜର ଅବୟବମାନଙ୍କ ଉପରେ ହାତ ବୁଲାଇ ମୋ ଆଖି ଦୁଇଟିକୁ ସ୍ପର୍ଶ କଲି ।

ଏ ଅବୟବମାନେ ମୋତେ ପ୍ରତାରିତ କଲେ । ମୋ ଚକ୍ଷୁ ଅବଶେଷରେ ମୋତେ ପ୍ରତାରିତ କଲା । ଏଇ ଶରୀରର ଉପଭୋଗ, ସାଜସଜ୍ଜା ଓ ବିଳାସ ପାଇଁ ମୁଁ ଅତୀତରେ କେତେ କ’ଣ କରି ଯାଇ ନାହିଁ ! !

ମୋ ଜିହ୍ୱାର ପରିତୃପ୍ତି ପାଇଁ ମୁଁ ଷଡ଼ରସ ଭରା ଖାଦ୍ୟ ସାମଗ୍ରୀ ଆବଶ୍ୟକ କରୁଥିଲି । ନୟନର ତୃପ୍ତି ପାଇଁ ସୁନ୍ଦର ବାସଗୃହ, ସୁଶୋଭିତ ସାଜସଜ୍ଜା ଓ ସୁନ୍ଦରୀ ରମଣୀର ଯୌବନ ରସାଣିତ ଦେହ ଆବଶ୍ୟକ କରୁଥିଲି । କର୍ଣ୍ଣର ପରିତୃପ୍ତି ପାଇଁ ସରସ ସଙ୍ଗୀତ ଆସରର ଆୟୋଜନ କରାଉଥିଲି । ଏ ଦେହ, ଏ ଦେହର ଅବୟବମାନଙ୍କର ବିଳାସ ପାଇଁ ଜୀବନରେ କେତେ ଯେ କ’ଣ କରିଛି, ତା’ର ଇୟତ୍ତା ନାହିଁ ।

ଅବଶେଷରେ ମୋତେ ପ୍ରତାରିତ କରି ମୋ ଅଙ୍ଗ ଶିଥିଳ ହେଲା । ମୋ ଚକ୍ଷୁର ଦୃଷ୍ଟିଶକ୍ତି କ୍ଷୀଣ ହେଲା । ମୋ ଦେହର ପଂଚ ଇନ୍ଦ୍ରିୟମାନେ ମୋ ମନର କଥା ମାନିଲେ ନାହିଁ । ମୁଁ ମୋ ଇନ୍ଦ୍ରିୟମାନଙ୍କୁ ନିଜ ଇଚ୍ଛାରେ ଚଳାଇ ପାରିଲି ନାହିଁ । ପୃଥିବୀର ସର୍ବଶେଷ ଆବିଷ୍କୃତ ଔଷଧ ଓ ଇଂଜେକ୍‌ସନ୍‌ ଆୟୁର୍ବେଦ ଶାସ୍ତ୍ରର ସର୍ବଶ୍ରେଷ୍ଠ ମହୌଷଧି, ତାନ୍ତ୍ରିକର ବହୁ ବିଜ୍ଞାପିତ ଆଲୌକିକ ରକ୍ଷା କବଚ, ସବୁକିଛି ନିଷ୍ଫଳ ପ୍ରତୀତ ହେଲା ।

ମୁଁ ମରିବାକୁ ଚାହୁଁ ନଥିଲି ।

ମୁଁ ବଞ୍ଚିବାକୁ ଚାହୁଁ ଥିଲି ।

ମୁଁ ବଞ୍ଚିବାକୁ ଚାହୁଁଥିଲି, ମୋର ଆଦ୍ୟ ଯୌବନର ସମଗ୍ର ଉନ୍ମାଦନା ଓ ମୋର ଅର୍ଜିତ ଅକଳନ ଧନସଂପଦକୁ ସଙ୍ଗରେ ନେଇ । ସେଥିପାଇଁ ଅନେକ ଚେଷ୍ଟା ବି’ କଲି ।

 

କିନ୍ତୁ ହାୟ, ମୁଁ ପରାସ୍ତ ହେଲି ଅତି ଶୋଚନୀୟ ଭାବରେ । ମୋ ମନ ଅବ୍ୟକ୍ତ ଯନ୍ତ୍ରଣାରେ ଆର୍ତ୍ତନାଦ କଲା । ମୋ ପୌରୁଷର ଅମରାବତୀ ଆହତ ଅଭିମାନରେ ଭୁଷୁଡ଼ି ପଡ଼ିଲା-

କାହିଁକି ମୁଁ ଆଉ ବଞ୍ଚିଥାନ୍ତି ? ବଞ୍ଚି ମଧ୍ୟ ଲାଭ କ’ଣ ହେଇଥାନ୍ତା ?

 

ପ୍ରତି ମୁହୂର୍ତ୍ତରେ ମୃତ୍ୟୁ ଯନ୍ତ୍ରଣାରେ ଛଟପଟ ହୋଇ ବଞ୍ଚିବାର ଅର୍ଥ କ’ଣ ?

 

ମୋର ଚତୁଃପାର୍ଶ୍ଵରେ ବିଳାସ ଓ ପ୍ରମତ୍ତ ସଂଭୋଗର ମଧୁମୂର୍ଛନା । କିନ୍ତୁ ମୁଁ ତାକୁ ମନ କରି ବି ସ୍ପର୍ଶ କରି ପାରିବି ନାହିଁ, ଇଛା ଥାଇବି ଉପଭୋଗ କରି ପାରିବି ନାହିଁ । ମୋ ବୟସ ମୋତେ ଠକି ଦେଲା । ମୋର ଇନ୍ଦ୍ରିୟମାନେ ମୋତେ ପ୍ରତାରିତ କଲେ । ମୁଁ ଜୀବନ ଥାଉ ଥାଉ ମୃତବତ୍‌ । ପୁରୁଷ ହୋଇବି’ ପୌରୁଷଚ୍ୟୁତ । ଇଛା ଥାଇ ବି ନିଶ୍ଚଳ । ସବୁ ଥାଇ ବି କିଛି ନାହିଁ ।

 

ମୋର ସେହି ବାଲ୍ୟ–ବନ୍ଧୁ ଗ୍ରାମ୍ୟ ସନ୍ନ୍ୟାସୀ ହୁଏତ ଠିକ୍‌ କହିଥିଲା । ବିଳାସର ମାର୍ଗ ପରିତ୍ୟାଗ କରି, ନିଷ୍କାମ ଭଗବତ ମାର୍ଗ ଅନୁସରଣ କରିଥିଲେ ଏହି ଅସହାୟ ମୁହୂର୍ତ୍ତ ଆସି ନ ଥାନ୍ତା । କିଛି ନ ହେଲେ ବି, ଏ ଅଥର୍ବ ଅବସ୍ଥାରେ ମୁଁ ଆତ୍ମତୁଷ୍ଟି ଅନୁଭବ କରିଥାନ୍ତି । ମନକୁ ମନ କହି, ନିଜକୁ ନିଜେ ସାନ୍ତ୍ଵନା ଦେଇଥାନ୍ତି, ଜୀବନରେ ମୁଁ ଭୁଲ କରି ନାହିଁ । ଖଚମିଛ କହି କାହାରିକୁ ପ୍ରତାରିତ କରି ନାହିଁ । ଯାହା ଭୁଲ ବୋଲି ଭାବିଛି, ତା’ ପାଖରୁ ଦୂରେଇ ରହିଛି । ମୋ ଜୀବନର ଅନ୍ତିମ ଓ ଅଥର୍ବ ଅବସ୍ଥାରେ ତାହାହିଁ ହୋଇଥାନ୍ତା ମୋ ଜୀବନର ଏକମାତ୍ର ଆଶ୍ୱାସନା ।

 

ଆତ୍ମ–ସଂଯମୀ ସଦା ସୁଖୀ । ଭୋଗ ବିଳାସ ତା’ ପାଇଁ ଅର୍ଥହୀନ ।

 

ଜୀବନ–ପଥିକର ତୃଷ୍ଣାତୁର ପଥ ପଥ ନୁହେଁ । ଅସଲ ପଥ ତା’ ପାଇଁ ଅନେକ ଦୂର । ତୃଷ୍ଣାର ଶେଷ ନାହିଁ । ତୃଷ୍ଣାତୁର ପଥିକ ପଥ ଖୋଜି ପାଏ ନାହିଁ ।

 

ମୁଁ ବଞ୍ଚିଥିବା ଅବସ୍ଥାରେ ଯେତେବେଳେ ଅସହାୟ ହୋଇ ପଡ଼ିଲି, ବଞ୍ଚି ଥାଉ ଥାଉ ମୃତ୍ୟୁର ହୃଦୟ ବିଦାରିତ ଅନୁଭୂତିମାନଙ୍କୁ ଅସ୍ଵୀକାର କରିବା ପାଇଁ ଅତ୍ୟଧିକ ମାତ୍ରାରେ ସ୍ଲିପିଙ୍ଗ୍‌ ପିଲ୍‌ ଆଣି ନିଜ ହସ୍ତରେ ସେବନ କଲି ।

 

ମୋ ମନ ଦେହକୁ ମୁଁ ଅତିଶୟ ଭଲ ପାଉଥିଲି । ତାକୁ ମୃତ୍ୟୁ ହସ୍ତରେ ସମର୍ପଣ କରିଦେବା ଅପେକ୍ଷା, ନିଜ ହସ୍ତରେ ନିଃଶେଷ କରିଦେବା ସାର୍ଥକ ମନେ କଲି । କହିଲି, ହେ ମୋର ଇନ୍ଦ୍ରିୟମାନେ, ତୁମକୁ ଅତି ଯତ୍ନରେ ଲାଳନ ପାଳନ କରି ବଢ଼ାଇ ଥିଲି । ଆଜି ନିଜ ହସ୍ତରେ ତୁମକୁ ହତ୍ୟା କରୁଛି ।

 

ଦ୍ଵିତୀୟ ଭାଗ

।। ଦୁଇ : ସେପୁରର କାହାଣୀ ।।

।। ଏକ ।।

 

ମୁଁ କଣ ଜାଣିଥିଲି ଯେ, ମୋର ମୃତ୍ୟୁ ପରେ ପୁଣି ଏକ ବିଚିତ୍ର ପରିସ୍ଥିତି ଦେଖା ଦେବ ବୋଲି ?

 

ମୁଁ ଭାବିଥିଲି, ଜୀବନର ଇତିହାସ ଗୋଟିଏ ଜନ୍ମରେ ଶେଷ ହୋଇଯାଏ । ଗୋଟିଏ ଜନ୍ମର କାର୍ଯ୍ୟକାଳ ମଧ୍ୟରେ ମଣିଷ ଉପଭୋଗ, ଅନୁଭବ ସବୁକରେ । ତା’ ପରେ ମୃତ୍ୟୁ ପରେ ସେ ମାଟିରେ ମିଶି ବିଲୀନ ହୋଇଯାଏ । ମୃତ୍ୟୁପରେ ତାର କୃତକର୍ମର ହିସାବ କେହିହେଲେ ରଖନ୍ତି ନାହିଁ । ସେ ନିଜେ ନିଜର ଗୋପ୍ୟ ଓ ପ୍ରକାଶ୍ୟ ହିସାବକୁ ସଙ୍ଗରେ ନେଇ ଚିତାନଳ ଭିତରେ ଭସ୍ମ କରି ଦିଏ ଅଥବା ମାଟି ତଳର କବର ଭିତରେ ପୋତି ପକାଏ । ତାପରେ ସବୁ ଶୂନ୍ୟ ହୋଇ ଯାଏ ।

 

କିନ୍ତୁ ମୁଁ ମୃତ୍ୟୁ ପରେ ଅନୁଭବ କଲି, କେହି ଜଣେ ଆସି ବଳ ପ୍ରୟୋଗ କରି ମୋତେ ଭିଡ଼ି ଭିଡ଼ି ନେଉଛି । ସେହି ଅଦୃଶ୍ୟ ଶକ୍ତି ଆଗେ ଆଗେ ଚାଲିଛି ଓ ମୁଁ ତାର ପଛେ ପଛେ ବାଧ୍ୟ ହୋଇ ଚାଲିଛି । ମୁଁ କେଉଁ ଅଜ୍ଞାତପୁରୀକୁ ଗମନ କରୁଛି, ନିଜେ ଜାଣେ ନାଁ । ମୁଁ ଯେଉଁ ପଥ ଦେଇ ଚାଲିଛି, ସେ ପଥ ଚିହ୍ନା ନୁହେଁ । ମୁଁ ନିଜ ଇଛାରେ ନିଜେ ଚାଲୁ ନାହିଁ ।

 

ପ୍ରଥମେ ମୋର କାୟିକ ବଳ ଓ ପରେ ମାନସିକ ବଳ ଏକାଠି କରି ପ୍ରୟୋଗ କଲି ଓ ମୁକ୍ତି ପାଇବାକୁ ଛାଟିପିଟି ହେଲି । କିନ୍ତୁ କିଛି ଫଳ ହେଲା ନାହିଁ । ଅଳ୍ପକ୍ଷଣ ପରେ ସମ୍ପୂର୍ଣ୍ଣ କ୍ଳାନ୍ତ ହୋଇ ପଡ଼ିଲି । ମୋର ସମସ୍ତ କାୟିକ ଓ ମାନସିକ ଶକ୍ତି ବିପର୍ଯ୍ୟସ୍ତ ହେଲା । ମୁଁ ସେହି ଅଦୃଶ୍ୟ ଶକ୍ତି କବଳରୁ ରକ୍ଷା ପାଇ ନ ପାରି ଯନ୍ତ୍ରବତ୍‌ ଚାଳିତ ହେଲି ।

 

ବହୁ ଶୂନ୍ୟ, ନିର୍ଜନ ପଥ ଅତିକ୍ରମ କରିବା ପରେ, ମୋ ଚକ୍ଷୁ ସମ୍ମୁଖରେ ଏକ ଆଲୋକିତ ରାଜ୍ୟ ଉଦ୍‌ଭାସିତ କଲେ । ସେଇଠି ମର୍ତ୍ତ୍ୟଲୋକର କୋଳାହଳ ନଥିଲା । ସବୁ ଶାନ୍ତ, ସ୍ଥିର, ମଧୁର ।

 

ସେହି ଆଲୋକିତ ରାଜ୍ୟର ଏକ ସମୁଚ୍ଚ ଆଲୋକର ପାହାଡ଼ ଉପରେ ଜଣେ ବିରାଟକାୟ ଶକ୍ତି ପୁରୁଷ ଉପବେଶନ କରିଥିବା ଦେଖିଲି । ତାଙ୍କ ଦେହରୁ ମଧୁର ଜ୍ୟୋତିର ଝର ଫିଟୁଥିଲା ।

 

ତାଙ୍କ ସମ୍ମୁଖରେ ଦଣ୍ଡାୟମାନ ହେବାପରେ ମୁଁ ମୁକ୍ତି ଓ ସ୍ଵାଧୀନତାର ସ୍ଵାଦ ଚାଖିଲି । ମୁଁ ଅନୁଭବ କଲି କେହି ମୋତେ ଟଣା ଭିଡ଼ା କରୁନାହିଁ । ମୁଁ ସଂପୂର୍ଣ୍ଣ ସୁସ୍ଥ ମନେ କରୁଛି ।

 

ସେହି ମହାଶକ୍ତି ମୌନ ଥିଲେ । ମୋତେ ଇଙ୍ଗିତ ମାଧ୍ୟମରେ ଜଣାଇ ଦେଲେ, ‘ଆଗେଇ ଯାଅ’ ।

 

ମୁଁ ନିର୍ଭୟରେ ଚାଲିବାକୁ ଆରମ୍ଭ କଲି ।

 

କିନ୍ତୁ ଏ କି ବିସ୍ମୟ ?

 

ମୋର ମନେ ହେଲା, ସେହି ଅଚିହ୍ନା ରାଜ୍ୟରେ ଅନେକ ଆଲୋକିତ ପ୍ରକୋଷ୍ଠ ରହିଛି । ପ୍ରତ୍ୟେକ ପ୍ରକୋଷ୍ଠରେ କେହି ନା କେହି ଅଛନ୍ତି । ସମସ୍ତେ କାର୍ଯ୍ୟରତ ଅଛନ୍ତି ।

 

ମୁଁ ଆଉ କିଛି ବାଟ ଆଗେଇ ଯାଇଛି କି ନାହିଁ, ଦେଖି ବିସ୍ମିତ ହେଲି, ମୋର ପରିଚିତ ବାଲ୍ୟ ବନ୍ଧୁ ତଥା ଗ୍ରାମ୍ୟ–ସନ୍ନ୍ୟାସୀ ଜଣକ ମୋରି ସମ୍ମୁଖରେ ହସି ହସି ବିପରୀତ ପାର୍ଶ୍ଵରୁ ଚାଲି ଆସୁଛନ୍ତି ।

 

ମୁଁ ତାଙ୍କୁ କୁଶଳ ଜିଜ୍ଞାସା କରିବାକୁ ଅପେକ୍ଷା କଲି । ସେ କିନ୍ତୁ ଅପେକ୍ଷା ନ କରି ଚାଲି ଯାଉଥିଲେ । ମୁଁ ତାଙ୍କୁ, ଏହା କେଉଁ ସ୍ଥାନ, କେଉଁ ରାଜ୍ୟ ଓ ମୋତେ ଏଠାକୁ କାହିଁକି ଅଣା ଯାଇଛି ବୋଲି ପ୍ରଶ୍ନ କଲି । କିନ୍ତୁ ମୋ କଥା ତାଙ୍କୁ ଶୁଭିଲା କି ନାହିଁ ଜାଣେ ନାଁ, ସେ ମୋର କୌଣସି ପ୍ରଶ୍ନର ଉତ୍ତର ଦେଲେ ନାହିଁ । ଅତି ପରିଚିତ ବାଲ୍ୟବନ୍ଧୁ ଭାବି ମୁଁ ତାଙ୍କର ଅନୁଗମନ କରିବାକୁ ଚାହିଁଲି, କିନ୍ତୁ ହାୟ, ତାଙ୍କ ସଙ୍ଗରେ ପଛକୁ ଆଉ ଫେରି ପାରିଲି ନାହିଁ । ପଛକୁ ଫେରିବା ପାଇଁ ଉଦ୍ୟମ କଲାବେଳେ ମନେ ହେଲା, ପୂର୍ବର ସେହି ଅପରିଚିତ ଶକ୍ତିମାନେ ମୋର ପଥରୋଧ କରୁଛନ୍ତି ।

 

ମୁଁ ଦେଖିଲି, ମୋର ଶକ୍ତି ସାସର୍ଥ୍ୟ ସବୁକିଛି ହରାଇ ବସିଛି । ମୋ ମନ ଭିତରେ ଯେଉଁତକ ଅବଶିଷ୍ଟ ଶକ୍ତି ରହି ଯାଇଥିଲା, ତାହା ମଧ୍ୟ ନିଃଶେଷ ହୋଇ ଯାଇଛି ।

 

ମୁଁ ମୋର ପରିଚିତ ବାଲ୍ୟ ବନ୍ଧୁର ହସ ହସ ମୁଖ ଦେଖିବାରେ ସମର୍ଥ ହେଲି ସତ, କିନ୍ତୁ ତା’ର ସାନ୍ନିଧ୍ୟ ଲାଭରୁ ବଞ୍ଚିତ ହେଲି । ମୁଁ ବୁଝିଲି, ମୋର ବନ୍ଧୁ ଏହି ଅଚିହ୍ନା ରାଜ୍ୟରେ ମୋ ଅପେକ୍ଷା ଅଧିକ ଶକ୍ତି ସାମର୍ଥ୍ୟ ଲାଭ କରିଛି । ତା’ର ଚଳପ୍ରଚଳ ସ୍ଵାଧୀନତା ଅକ୍ଷୁଣ୍ଣ ରହିଛି । ସେ ନିଜ ଇଚ୍ଛାରେ ଯେଉଁଠିକି ଇଚ୍ଛା ଯାଇପାରୁଛି । କିନ୍ତୁ ମୋର ଶକ୍ତି ସେ ନାହିଁ ।

 

ମୋତେ ବଡ଼ କ୍ଳାନ୍ତ ଲାଗିଲା । ପଥ ପାର୍ଶ୍ଵର ଯେ କୌଣସି ପ୍ରକୋଷ୍ଠ ମଧ୍ୟରେ ପ୍ରବେଶ କରି ବିଶ୍ରାମ ନେବାକୁ ସ୍ଥିର କରି ଦେଖିଲି, ସେ ରାଜ୍ୟର ପ୍ରତ୍ୟେକ ପ୍ରକୋଷ୍ଠ ଅଧିକୃତ । ତନ୍ମଧ୍ୟସ୍ଥ ପ୍ରତ୍ୟେକ ପୁରୁଷ ସ୍ତ୍ରୀ, କୌଣସି ନା କୌଣସି କର୍ମରେ ଲିପ୍ତ ଅଛନ୍ତି । ମୁଣ୍ଡଟେକି ଚାହିଁବାକୁ ବି କାହାର ଅବସର ନାହିଁ ।

 

ମୁଁ ବ୍ୟସ୍ତ ହୋଇ ଆହୁରି ଆଗକୁ ଚାଲିଲି ।

 

ପଥ ପାର୍ଶ୍ଵର ପ୍ରକୋଷ୍ଠମାନଙ୍କ ମଧ୍ୟରେ ବହୁ ପରିଚିତ ମୃତବ୍ୟକ୍ତିମାନଙ୍କ ସଙ୍ଗରେ ଦେଖା ହେଲା । ସେମାନେ ସମସ୍ତେ କାର୍ଯ୍ୟରତ ଥିଲେ । ଦେଖିଲି, କେହି ଜଣେ ବି ମୁଣ୍ଡ ଟେକି ଚାହୁଁ ନାହାନ୍ତି କି କୁଶଳ ପ୍ରଶ୍ନ କରୁ ନାହାନ୍ତି ।

 

ମୁଁ ବ୍ୟସ୍ତ ହୋଇ ଆଗରୁ ଚାଲିଲି ।

 

ଅବଶେଷରେ ଆଉ ଏକ ପ୍ରକୋଷ୍ଠ ମୋର ଦୃଷ୍ଟିଗୋଚର ହେଲା । ମୋତେ ଲାଗିଲା, ସେହି ପ୍ରକୋଷ୍ଠ ନିର୍ଜନ । ମୁଁ ସେଇଠି ବିଶ୍ରାମ ନେଇ ପାରିବି ।

 

ମୁଁ ଧୀରେ ଧୀରେ ଉକ୍ତ ପ୍ରକୋଷ୍ଠ ଆଡ଼କୁ ଅଗ୍ରସର ହେଲି । ପ୍ରକୋଷ୍ଠ ମଧ୍ୟରେ ପ୍ରବେଶ କରି ଦେଖିଲି, ତାହା ମଧ୍ୟ ନିର୍ଜନ ନୁହେଁ । ଜଣେ କେହି ଅଚିହ୍ନା ବ୍ୟକ୍ତି ଛାୟାମୂର୍ତ୍ତି ଭାବରେ ସେହି ଗୃହରେ କାର୍ଯ୍ୟରତ ଥିଲା । ସେ ଜଣେ କରୁଛି ଦେଖିବା ପାଇଁ ମୁଁ ତାର ନିକଟବର୍ତ୍ତୀ ହେଲି ।

 

ସେହି ଛାୟାମୂର୍ତ୍ତି ମୋତେ ଦେଖି ଆନନ୍ଦ ପ୍ରକାଶ କଲା ଓ ମୋତେ ସେଇଠି ତାରି ପାଖରେ ବସିବାକୁ ଇଙ୍ଗିତ ଦେଲା । ତା’ ଚାହାଣୀରେ ଆନନ୍ଦର ଧାରା ବୋହୁଥିଲା । ତା ଆନନ୍ଦରେ ଆନନ୍ଦିତ ହୋଇ ମୁଁ ତାରି ପାଖରେ ବସିଲି ।

 

କିନ୍ତୁ ଆଶ୍ଚର୍ଯ୍ୟ ! ମୁଁ ତା ପାଖରେ ବସିବା ମାତ୍ରେ ସେ ଆସନ ତ୍ୟାଗ କରି ଦଣ୍ଡାୟମାନ ହେଲା ଓ ସଙ୍ଗେ ସଙ୍ଗେ ଅଦୃଶ୍ୟ ହୋଇଗଲା ।

 

ସେ କୁଆଡ଼େ ଗଲା ବୋଲି ବେକ ଭାଙ୍ଗି ଚାହୁଁଛି । ଦୁଆର ପାଖରେ ମୋର କେହି ପରିଚିତ ବାଲ୍ୟବନ୍ଧୁ ହସି ହସି ମୋ ନିକଟକୁ ଚାଲି ଆସୁଥିବା ଦେଖିଲି । ମୁଁ ଆଶ୍ୱସ୍ତ ହେଲି ଓ ତାଙ୍କ ସଙ୍ଗରେ ଆଳାପ କରିବାକୁ ପ୍ରସ୍ତୁତ ହେଲି । କିନ୍ତୁ ସେ ମୋର ପ୍ରକୋଷ୍ଠ ଭିତରେ ପଶି, ମୋର ଆସନ ସମ୍ମୁଖରେ କିଛି ରଖି ଦେଲେ ଓ ପଲକ ମାତ୍ରକେ ହସି ହସି ଫେରିଗଲେ । ସେ ଚାଲିଯିବା ପରେ, ତାଙ୍କର ଛାଡ଼ି ଯାଇଥିବା ଜିନିଷଟିକୁ କୌତୂହଳ ବଶତଃ ଚାହିଁଲି ।

 

।। ଦୁଇ ।।

 

ସେହି ବାଲ୍ୟବନ୍ଧୁ ଗ୍ରାମ୍ୟ ସନ୍ନ୍ୟାସୀ ଜଣକ ମୋତେ ଏକ ନିର୍ଦ୍ଦେଶ ପତ୍ର ହିଁ ଦେଇ ଯାଇଥିଲେ । ତହିଁରେ ଲେଖାଥିଲା–

 

“ଆପଣ ଜୀବିତାବସ୍ଥାରେ କାହାକୁ ଭଲ ପାଉ ନଥିଲେ । ଆପଣଙ୍କ କାର୍ଯ୍ୟକଳାପରୁ ଜଣା ପଡ଼ିଲା, ଆପଣ ନିଜକୁ ଓ ମିଥ୍ୟା ସଂପଦକୁହିଁ ଅତ୍ୟଧିକ ଭଲ ପାଉଥିଲେ । ଆପଣଙ୍କ ଦ୍ଵାରା ଆଲୋକ–ପୁରୁଷଙ୍କର କୌଣସି ଉଦ୍ଦେଶ୍ୟ ସାଧିତ ହୋଇ ନାହିଁ । ଆପଣଙ୍କର କର୍ମର ଫଳାଫଳ ବିବେଚନା କରି ଏହି ନିର୍ଦ୍ଦେଶ ଦିଆଯାଉଛି ଯେ, ସମ୍ମୁଖରେ ଅଗଣା ନୋଟ୍‌ ବସ୍ତାର ନୋଟ୍‌ ସବୁ ସଜାଡ଼ି ଗଣି ରଖନ୍ତୁ । ଏ କାମ ଆପଣଙ୍କୁ ଶେଷ କରିବାକୁ ହିଁ ପଡ଼ିବ । ତା’ପରେ ଯାଇ ମୁକ୍ତି ପାଇବେ ।”

 

ବାସ୍‌, ସେତିକି ମାତ୍ର !

 

ତା’ପରେ ମୁଁ ଅନନ୍ୟୋପାୟ ହୋଇ ସେହି ନୋଟ୍‌ ବସ୍ତାର ବିଭିନ୍ନ ସଂଖ୍ୟା ଓ ପରିମାଣର ନୋଟ୍‌ ଗୁଡ଼ିକ ସଜାଡ଼ି ଗଣିବାକୁ ଲାଗିଲି ।

 

ମୋ ହାତରେ ଏତେ ଅର୍ଥ ଥାଇବି’ ମୁଁ ସେ ପୁରର ସେହି ନିର୍ଜନ ପ୍ରକୋଷ୍ଠ ମଧ୍ୟରେ ନିତାନ୍ତ ଅସହାୟ ବୋଧ କଲି । ଯେଉଁ ଅର୍ଥ ଲାଳସା ଭିତରେ ପେଷି ହୋଇ ମୁଁ ସମଗ୍ର ଜୀବନଟାକୁ ବିତାଇ ଦେଇଥିଲି, ମୃତ୍ୟୁ ପରେ ସେହି ଅର୍ଥର ଅକଳନ ଭଣ୍ଡାର ମୋତେ ଅଣନିଶ୍ଵାସୀ କରି ପକାଇଲା । ଅଥଚ ମୁଁ ଆନ୍ତରିକ ଭାବରେ ଚାହୁଁଥିଲି, ଅତିଶୀଘ୍ର ଏ ଜଞ୍ଜାଳ ଓ ଜ୍ୱାଳାର ପରିସମାପ୍ତି ଘଟୁ । ଯଥା ଶୀଘ୍ର ମୁଁ ଏଥିରୁ ନିଷ୍କୃତି ଲାଭ କରେ ।

 

କିନ୍ତୁ ସେ କଣ ଏତେ ଶୀଘ୍ର ସରୁଛି ?

☆☆☆

 

ମୃତ୍ୟୁ ରହସ୍ୟ

 

ସହର କୋଳାହଳକୁ ବହୁ ପଛରେ ପକାଇ, କୌଣସି ଏକ ଜନବିରଳ ପରିତ୍ୟକ୍ତ ପ୍ରାନ୍ତରର କଟୀଦେଶରେ ସାଂଧ୍ୟ ଭ୍ରମଣ କରୁ କରୁ ତିନିଜଣ ଉଚ୍ଚଶିକ୍ଷିତ ଯୁବକ ବନ୍ଧୁ ଗଭୀର ଆଲୋଚନାରତ ଥିଲେ । ସେହି ତିନିଜଣ ବନ୍ଧୁ ହେଲେ ମନୋଜ, ସରୋଜ ଓ ରାଜୀବ । ସେମାନେ ମେଡ଼ିକାଲ୍‌ କଲେଜର ନବନିଯୁକ୍ତ ହାଉସ୍‌ ସର୍ଜନ ଥିଲେ ।

 

ସେମାନଙ୍କ ଆଲୋଚନାର କେନ୍ଦ୍ର ବିନ୍ଦୁ ଥିଲା ଚନ୍ଦ୍ରିକା ।

 

ଚନ୍ଦ୍ରିକା ଥିଲା ସେମାନଙ୍କର ସହପାଠିନୀ ।

 

ଚନ୍ଦ୍ରିକାର ଉପସ୍ଥିତିରେ ଶିକ୍ଷାୟତନର ସମସ୍ତ ବାୟୁମଣ୍ଡଳ ସରଗରମ ହୋଇ ଉଠୁଥିଲା-। ସତେ ଅବା ଶିକ୍ଷାୟତନର ସେ ପ୍ରାଣ ଥିଲା । ଚନ୍ଦ୍ରିକାକୁ କେନ୍ଦ୍ରକରି ଶିକ୍ଷିତ ଯୁବକଦଳ ଜୀବନ ଯୌବନର ରଙ୍ଗୀନ କଳ୍ପନା କରୁଥିଲେ । କେତେ ଯେ ଅବିବାହିତ ଯୁବକର ଆଖିରେ ନବ ଯୁବତୀ ଚନ୍ଦ୍ରିକା ତାର ବିପୁଳ ଯୌବନ ଓ ବର୍ଣ୍ଣାଢ଼୍ୟ ବେଶଭୂଷଣରେ ମଣ୍ଡିତା ହୋଇ ପାହାନ୍ତା ପହରର ମୁଲାୟମ ସ୍ୱପ୍ନରୂପେ ଦେଖା ଦେଇଥିଲା, ତାର କଳନା ନାହିଁ ।

 

ଚନ୍ଦ୍ରିକାର ଚକିତ ଭ୍ରୂଲତିକାରେ ବିଜୁଳିର ଚମକ ଥିଲା । ମସ୍ତକର କୁଞ୍ଚିତ କୃଷ୍ଣ କେଶଗୁଚ୍ଛ ଭଗ୍ନ ନିତମ୍ବକୁ ସ୍ପର୍ଶ କରୁଥିଲା । ରୂପରେ ଥିଲା କଳ୍ପିତ ସ୍ୱର୍ଗର ସେହି ଅନନ୍ତ ଯୌବନା ଉର୍ବଶୀ ପରି । ଓଠ ପାଖୁଡ଼ାର ପ୍ରାଣପୂର୍ଣ୍ଣ ହସର ଛଟାରେ ଅମାବାସ୍ୟାର ପ୍ରଗାଢ଼ ଅନ୍ଧକାର ଅପସରି ଯାଉଥିଲା ।

 

ରୂପସୀ–ଚନ୍ଦ୍ରିକାର ପ୍ରଥମ ଦର୍ଶନରେ କିଏ ତାର ପ୍ରେମରେ ପଡ଼ିନାହିଁ, ଏମିତ ଯୁବକ ଦୁର୍ଲଭ ।

ଚନ୍ଦ୍ରିକା ଚାହିଁଥିଲେ, ତାକୁ ବିବାହ କରି ସୁଖୀ ରଖିବାର ପ୍ରତିଶ୍ରୁତି ହୁଏ ତ ଅନେକ ସହପାଠୀଙ୍କ ଠାରୁ ମିଳି ପାରିଥାନ୍ତା ।

କିନ୍ତୁ, ଏ କଣ ହେଲା ସତରେ ?

ମେଡ଼ିକାଲ କଲେଜର ସର୍ବଶେଷ ପରୀକ୍ଷାଫଳ ଯେଉଁଦିନ ପ୍ରକାଶ ପାଇବ, ଠିକ୍‌ ସେ ଦିନରେ ଚନ୍ଦ୍ରିକା ଆତ୍ମହତ୍ୟା କଲା ।

ଅଳ୍ପ କିଛି ସମୟ ନିଜକୁ ବଞ୍ଚାଇ ରଖି ପାରିଥିଲେ ସେ ଶୁଣିବାକୁ ଯାଇଥାନ୍ତା ଯେ, ମେଡ଼ିକାଲ କଲେଜର ସର୍ବଶେଷ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ସେ ପାଶ୍‌ କରିଛି । ଗୋଟିଏ ମେଡ଼ିକାଲ କଲେଜ ଛାତ୍ରୀ ପାଇଁ ଏହା ତ କମ୍‌ ଗୌରବର କଥା ନୁହେଁ ।

ଚନ୍ଦ୍ରିକାର ଆତ୍ମହତ୍ୟା ସମ୍ବାଦ ବିଜୁଳି ବେଗରେ ପ୍ରଚାରିତ ହୋଇଗଲା । ସଙ୍ଗେ ସଙ୍ଗେ ଶୋକସଭାମାନ କରାଯାଇ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରାଗଲା ।

ଚନ୍ଦ୍ରିକାର ମୃତ ଆତ୍ମା ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ମେଡ଼ିକାଲ କଲେଜରେ ମାଗାଜିନ୍‌ ବିଭାଗ ଓ ଡ୍ରାମାଟିକ୍‌ ଆସୋସିଏସନ୍‌ ତରଫରୁ ଦୁଇଟି ସ୍ୱତନ୍ତ୍ର ଶୋକସଭା ଆହୂତ ହୋଇ ଶୋକପ୍ରସ୍ତାବକୁ ସର୍ବସମ୍ମତିକ୍ରମେ ଗ୍ରହଣ କରାଗଲା ।

କାରଣ ଚନ୍ଦ୍ରିକା ମେଡ଼ିକାଲ ଛାତ୍ରୀମାନଙ୍କ ମଧ୍ୟରେ ଅନ୍ୟତମ ସୁଲେଖିକା ଥିଲା । ସେ କଲେଜ ଡ୍ରାମାରେ ବିଭିନ୍ନ ଚରିତ୍ରରେ ଅଂଶ ଗ୍ରହଣ କରି ଅନେକ ପ୍ରଶଂସା–ପତ୍ର ହାସଲ କରିଥିଲା-

ଗୋଟିଏ କଥାରେ କହିବାକୁ ଗଲେ, ମୃତ ଚନ୍ଦ୍ରିକା ଛାତ୍ରଛାତ୍ରୀ ନିର୍ବିଶେଷରେ ସମସ୍ତଙ୍କର ବାନ୍ଧବୀ ଥିଲା । ଭଲଭାବରେ ପଢ଼ାଶୁଣା କରୁଥିବା ହେତୁ କଲେଜ ଅଧ୍ୟାପକମାନଙ୍କର ପ୍ରଶଂସାର ପାତ୍ରୀ ହୋଇ ପାରିଥିଲା । କାରଣ ତାର ଅନାଗତ ଭବିଷ୍ୟତ ସମ୍ୱନ୍ଧରେ ଅନେକ କିଛି ଆଶା କରଯାଉଥିଲା । ପ୍ରତ୍ୟେକେ ଭାବୁଥିଲେ, ହୁଏତ ଚନ୍ଦ୍ରିକା ତା’ର ଉତ୍ତର ଜୀବନରେ ଶରୀର ବିଜ୍ଞାନର କୌଣସି ଏକ ବିଶିଷ୍ଟ ବିଭାଗରେ ନୂତନ ଆଲୋକପାତ କରି ମେଡ଼ିକାଲ କଲେଜର ଗର୍ବର କାରଣ ହେବ ।

ଅଥଚ ଚନ୍ଦ୍ରିକା ଆତ୍ମହତ୍ୟା କଲା–

ଚନ୍ଦ୍ରିକାର ମୃତ ଦେହକୁ ଅସ୍ତ୍ରୋପଚାର କଲାବେଳେ ମେଡ଼ିକାଲ କଲେଜରେ–ବିଭିନ୍ନ ବିଭାଗର ମୁଖ୍ୟ ଅଧ୍ୟାପକମାନେ ଉପସ୍ଥିତ ଥିଲେ । ସେମାନେ ନିଷ୍ପତ୍ତି କଲେ ଯେ, ଚନ୍ଦ୍ରିକା ବିଷ ପାନ କରି ମୃତ୍ୟୁବରଣ କରିଛି ।

କାରଣ–

ସ୍ତ୍ରୀରୋଗ ବିଶାରଦା ମହିଳା ପ୍ରଫେସର ଗୁପ୍ତା କୁଆଡ଼େ ଗୁପ୍ତ ଭାବରେ ପ୍ରକାଶ କଲେ ଯେ, ଚନ୍ଦ୍ରିକା ମୃତ୍ୟୁ ଅବସ୍ଥାରେ ଗର୍ଭବତୀ ଥିଲା ।

 

ବିଷର ବିଶେଷ ପ୍ରକରଣ ସଂପର୍କରେ ଉଚ୍ଚ ଜ୍ଞାନ ଲାଭ କରିଥିବା ବୟୋଜ୍ୟେଷ୍ଠ ପ୍ରଫେସର ବିଜନ ଚୌଧୁରୀ ଅତି ଗୋପନରେ ପ୍ରକାଶ କଲେ ଯେ, ଚନ୍ଦ୍ରିକାର ମୃତ୍ୟୁ ଆପାତତଃ ବିଷପାନର ପରିଣାମ ସଦୃଶ ପ୍ରତୀୟମାନ ହେଲେ ମଧ୍ୟ, ଏହା କୌଣସି ଏକ ଅପରୀକ୍ଷିତ ନୂତନ ଔଷଧ ସେବନର ଉତ୍କଟ ପ୍ରତିକ୍ରିୟା ବି’ ହୋଇପାରେ ।

 

ରୋଗର ଜୀବାଣୁ ସମ୍ୱନ୍ଧରେ ଦରିଆପାରିର ଉଚ୍ଚତମ ଶିକ୍ଷାଲାଭ କରିଥିବା ଜଣେ ଅଭିଜ୍ଞ ଓ ଲୋକପ୍ରିୟ ଯୁବକ ପ୍ରଫେସର ଗୁପ୍ତ ଭାବରେ ନିଜର ବନ୍ଧୁମାନଙ୍କ ଆଗରେ ପ୍ରକାଶ କଲେ ଯେ, ଚନ୍ଦ୍ରିକାର ମୃତ୍ୟୁ ଅଦ୍ୟାବଧି ଅନାବିଷ୍କୃତ, କୌଣସି ଏକ ସର୍ବାଧୁନିକ ଜୀବାଣୁର ସଂକ୍ରମଣ ଫଳ ହୋଇଥାଇ ପାରେ ।

 

କାହାରି ମନ କାହାରି ସଙ୍ଗରେ ଖାପ ଖାଇଲା ନାହିଁ । କିନ୍ତୁ ଧରିନିଆଗଲା ଯେ, ଚନ୍ଦ୍ରିକା ବିଷପାନ କରିଛି ।

 

କାରଣ ବିଷପାନ ପରର ସମସ୍ତ ଲକ୍ଷଣ ଚନ୍ଦ୍ରିକାର ମୃତ ଶରୀରର ପ୍ରତିଟି ଅଂଶରେ ବିଦ୍ୟମାନ ଥିଲା । ପାଠ୍ୟ ପୁସ୍ତକର ଲିଖିତ ବିବରଣୀ ସଙ୍ଗେ ଚନ୍ଦ୍ରିକାର ଶବ ବ୍ୟବଚ୍ଛେଦର ପରୀକ୍ଷାକୁ ତନ୍ନ ତନ୍ନ କରି ମିଶାଇ ଦେଖାଯାଇଥିଲା ।

 

ଚନ୍ଦ୍ରିକା ବିଷପାନ ପୂର୍ବକ ମୃତ୍ୟୁବରଣ କଲା ବୋଲି ଧରି ନିଆଗଲେ ମଧ୍ୟ ବିଷପାନର କାରଣ ସମ୍ୱନ୍ଧରେ କିଛି ହେଲେ ବୁଝା ପଡ଼ିଲା ନାହିଁ ।

 

ଶରୀର–ବିଜ୍ଞାନରେ ଶରୀର ସମ୍ବନ୍ଧୀୟ ସବିଶେଷ ବିବରଣୀ ଥିଲେ ମଧ୍ୟ ମାନସିକ ଘାତ ପ୍ରତିଘାତ ମିଳେଇ ଦେଖିବାର ସୂତ୍ର କାହିଁ । ସେଇଥିପାଇଁ ଚନ୍ଦ୍ରିକାର ମୃତ୍ୟୁ ବରଣର ଅସଲ କାରଣ ସେମିତି ଅଜ୍ଞାତ ଓ ଅସ୍ପଷ୍ଟ ରହିଗଲା ।

 

ଚନ୍ଦ୍ରିକାର ବୟସ, ରୂପଯୌବନ, ସ୍ଵାସ୍ଥ୍ୟସମ୍ଭାର, ସାହିତ୍ୟିକ ପାରଦର୍ଶିତା ତଥା ଅଭିନୟକୁଶଳତା ଜନିତ ଲୋକପ୍ରିୟତା ତାକୁ ତା’ର ଅବଶ୍ୟମ୍ଭାବୀ ମୃତ୍ୟୁ କବଳରୁ ଉଦ୍ଧାର କରି ପାରିଲା ନାହିଁ । ତା’ ଜୀବନ କାବ୍ୟକୁ ସେମିତି ଅସଂପୂର୍ଣ୍ଣ ଓ ଅଧୁରା ରଖିଦେଇ ସେ ସର୍ବଶେଷ ନିଶ୍ଵାସ ଗ୍ରହଣ କଲା ।

 

ମନୋଜ, ସରୋଜ ଓ ରାଜୀବ ତିନିଜଣଯାକ ବନ୍ଧୁ ଚନ୍ଦ୍ରିକାର ମୃତ୍ୟୁ ସମ୍ପର୍କରେ କଥାବାର୍ତ୍ତା ହୋଇ ସହରକୁ ପ୍ରତ୍ୟାବର୍ତ୍ତନ କରୁ କରୁ ବାଟ ମଝିରେ କୌଣସି ଏକ ପରିତ୍ୟକ୍ତ ଗୃହର ଧ୍ଵଂସାବଶେଷ ଉପରେ ଉପବେଶନ କଲେ ।

 

ଆହା ବିଚାରୀ ଚନ୍ଦ୍ରିକା । ଜୀବନରେ କେତେ କଣ କରି ପାରିଥାନ୍ତା । ଅଥଚ ଅଧବାଟରେ ଅଟକି ଗଲା । କି ଯେ ଭଗ୍ୟ ତା’ର ! ମନୋଜ ମନ୍ତବ୍ୟ ଦେଲା ।

 

ତୁ ଯାହା କହ ମନୋଜ, ଭାଗ୍ୟ ଉପରେ ଦୋଷ ଲଦି ଦେଇ ମୁଁ ନିଶ୍ଚିନ୍ତ ରହି ପାରେନା-। ଚନ୍ଦ୍ରିକା ଚାହିଁଥିଲେ, ଆଉ ଅନେକ ଦିନ ବଞ୍ଚି ରହି ପାରିଥାନ୍ତା । ନିଜ ହାତରେ ବିଷପାନ କରି....

 

ନା ନା, ତାହାହୋଇ ପାରେ ନା ! ସରୋଜକୁ ତାର ମନ୍ତବ୍ୟରେ ଅଗ୍ରସର ହେବାକୁ ସୁବିଧା ନ ଦେଇ ରାଜୀବ ପ୍ରକାଶ କଲା ମୃତ୍ୟୁ କଣ ମଣିଷ ହାତର କଥା ? କେଉଁ ମଣିଷର ଜୀବନ ପ୍ରତି ଲୋଭ ନାହିଁ ଯେ । ହୁଏତ ବିଷପାନ କରି ମୃତ୍ୟୁବରଣ କରିବ ବୋଲି ଚନ୍ଦ୍ରିକାର ଅଦୃଷ୍ଟରେ ଲେଖାଥିଲା ।

 

ମେଡ଼ିକାଲ କଲେଜର ଛାତ୍ର ହୋଇ ଅଦୃଷ୍ଟ ଉପରେ ବିଶ୍ଵାସ ସ୍ଥାପନ କରିବା ଚରମ ନିର୍ବୋଧତା, ସରୋଜ ସଂଯୋଗ କଲା । ତାରି କଥାକୁ ସମର୍ଥନ କରି କହିଲା, ଜୀବନ ଆମର ହାତମୁଠାରେ । ଆମେ ଚାହିଁବା ପର୍ଯ୍ୟନ୍ତ ବଞ୍ଚିବା । ଶରୀର–ବିଜ୍ଞାନର ନିର୍ଦ୍ଦେଶ ମୁତାବକ ସ୍ୱାସ୍ଥ୍ୟ ସୁରକ୍ଷାର ବ୍ୟବସ୍ଥା ଗ୍ରହଣ କଲେ ଆମର ପରମାୟୁ ବହୁଗୁଣିତ ହେବାର ଅବକାଶ ରହିଛି ।

 

କିନ୍ତୁ କେତେଦିନ ? ଦିନେ ନା ଦିନେ ତ ପୁଣି ମରିବା ? ରାଜୀବ ଯୁକ୍ତିକଲା ।

 

ଚନ୍ଦ୍ରିକା ପରି ଅପମୃତ୍ୟୁରେ ନୁହେଁ, ନିଶ୍ଚୟ । ଚନ୍ଦ୍ରିକା ଚାହିଁଥିଲେ, ନିଜକୁ ଆହୁରି ଅନେକ ଦିନ ବଞ୍ଚାଇ ରଖି ପାରିଥାନ୍ତା । ସେ ନିଜ ହାତରେ ବିଷପାତ୍ର ଧାରଣ କରି ନିଜ ମୃତ୍ୟୁର ସ୍ୱାଗତିକା ଗାଇଛି । କଲେଜ ଡ୍ରାମାର ନିପୁଣା ନାୟିକା ପରି ଜୀବନ ରଙ୍ଗମଞ୍ଚରେ କୁଶଳ ଅଭିନୟ ପ୍ରଦର୍ଶନ କରୁ କରୁ ନିର୍ଦ୍ଦିଷ୍ଟ ସମୟର ବହୁ ପୂର୍ବରୁ ନିଜ ଇଚ୍ଛାରେ, ନିଜ ହସ୍ତରେ ଶେଷ ଯବନିକା ଟାଣି ଦେଲା । ନିର୍ବୋଧ ଚନ୍ଦ୍ରିକା ! ମନୋଜ ମନ୍ତବ୍ୟ କଲା ।

 

କିନ୍ତୁ ମୁଁ କଣ ଭାବୁଛି ଜାଣୁ ? ତାହା ହିଁ ବୋଧହୁଏ ଚନ୍ଦ୍ରିକା ପାଇଁ ବିଧି ନିର୍ଦ୍ଦେଶ ଥିଲା । ସେ ନିର୍ଦ୍ଦିଷ୍ଟ ମୁତ୍ୟୁ ଦିବସରେ ମରିଗଲା । ତା’ ପୂର୍ବରୁ ବା ତା’ ପରେ ସେ କେବେହେଲେ ମରି ପାରି ନଥାନ୍ତା, ରାଜୀବ ପ୍ରକାଶ କଲା । ପୁଣି ନିଜ ମତାମତକୁ ଦୃଢ଼ କରିବାକୁ ଯାଇ କହିଲା ମଣିଷ ଏ ପୃଥିବୀରେ ଆପଣା ଇଛାରେ ଆପେ ଆପେ ବଞ୍ଚି ପାରେ ନା ସରୋଜ । ପ୍ରତି ମୁହୂର୍ତ୍ତରେ ତା ଉପରେ ରାଶି ନକ୍ଷତ୍ର, ଗ୍ରହ ଉପଗ୍ରହର ପ୍ରଭାବ ପଡ଼େ । ଶୁଭଲଗ୍ନ ଥିବା ପର୍ଯ୍ୟନ୍ତ ନିର୍ବିଘ୍ନରେ ସେ ବଞ୍ଚିଥାଏ । କିନ୍ତୁ ଯେଉଁ ଦିନ ଅଶୁଭ ଗ୍ରହ କଟାକ୍ଷପାତ କରେ, ସେଦିନ ସେ ନିଃଶେଷ ହୋଇଯାଏ-। ମନୋଜ ଦୃଢ଼ କଣ୍ଠରେ ପ୍ରକାଶ କଲା ।

 

ଭାଗ୍ୟ, ଅଦୃଷ୍ଟ, ବିଧିଲେଖା–ଆଉ ତା’ ପରେ ରାଶି ନକ୍ଷତ୍ର, ଗ୍ରହ ଉପଗ୍ରହ । ସେତିକି ନା ଆଉ କିଛି ଶୁଣାଇବାକୁ ବାକି ରହିଗଲା ? ସରୋଜ ଉପହାସ କରୁ କରୁ ଖୁବ୍‌ ଜୋର୍‌ରେ ହସି ଉଠିଲା । କହିଲା, ମୁଁ ସେହି ଅଦୃଷ୍ଟର ସ୍ତାବକ ନୁହେଁ କି ରାଶି ନକ୍ଷତ୍ରର ପୂଜାରୀ ନୁହେଁ । ମୋ ମତରେ ମଣିଷର ଜୀବନଟା ଠିକ୍ ଏକ ଯାନ୍ତ୍ରିକ ମୋଟରଗାଡ଼ି ପରି । କଳକବ୍‌ଜା, ପେଟ୍ରୋଲ, ପାଣି ଠିକ୍‍ ଅଛି ତ ଚାଲିଲା । ଗୋଟାଏ କିଛି ଊଣା ପଡ଼ିଗଲେ ବାଟ ମଝିରେ ଅଟକି ଗଲା ।

କିନ୍ତୁ ଜୀବନ କେବେହେଲେ ଯାନ୍ତ୍ରିକ ଯାନ ସଙ୍ଗରେ ତୁଳନୀୟ ନୁହେଁ ସରୋଜ ! ଜୀବନଟା କଣ, କେଉଁଠୁ ଆସେ, କେଉଁଠିକି ଯାଏ, ତା’ର ଆରମ୍ଭ କେଉଁଠି, ଶେଷ କେଉଁଠି ଅଦ୍ୟାବଧି ବିଜ୍ଞାନଶାସ୍ତ୍ର ତାର ସନ୍ତୋଷଜନକ ସମାଧାନ କରି ପାରି ନାହିଁ । ଆଉ ତୁ କହୁଛୁ ଜୀବନଟା ମୋଟରଗାଡ଼ି ସଙ୍ଗରେ ତୁଳନୀୟ ବୋଲି ? ରାଜୀବ ପ୍ରଶ୍ନ କଲା ।

 

ସରୋଜ ଅବିଶ୍ଵାସ ଆଖିରେ ଚାହିଁ ରହିଲା ସତୀର୍ଥ ବନ୍ଧୁ ଯୁଗଳଙ୍କୁ । ସେ ଆଶ୍ଚର୍ଯ୍ୟ ହେଉଥିଲା ସେମାନଙ୍କ ଯୁକ୍ତିତର୍କ ଦେଖି । ଯଦି ଆଦୃଷ୍ଟ ଉପରେ ଏମାନଙ୍କର ଏତିକି ଆସ୍ଥା, ତାହାହେଲେ ଦର୍ଶନ–ଅଧ୍ୟୟନ ନ କରି ଶରୀର–ବିଜ୍ଞାନ ପ୍ରତି ଆକୃଷ୍ଟ ହେଉଥିଲେ କାହିଁକି ? ତଥାପି ସେମାନଙ୍କ ସିଦ୍ଧାନ୍ତକୁ ସ୍ଵୀକାର ନ କରି ପ୍ରକାଶ କଲା, ଜୀବନର ସମାଧାନ ଆଜି ନ ହୋଇଥିଲେ ବି ଆସନ୍ତା କାଲି ହେବ । ଦୟାକରି ଆମର ଏ ଅଦୃଷ୍ଟ ଆଲୋଚନାକୁ ସ୍ଥଗିତ ରଖି, ଚାଲ ଜୀବନର ଅବସ୍ଥିତି ସମ୍ପର୍କରେ ଆଲୋଚନା କରିବା । ବରଂ ସେହି ଆଲୋଚନାରେ ସୁଫଳ ଲାଭ ହେବ । ଜୀବନ–ଦର୍ଶନ ପାଗଳାମୀ ଭିତରେ.....

 

ସରୋଜର ବକ୍ତବ୍ୟ ଶେଷ ହୋଇନି, ମୁଣ୍ଡ ଉପରେ ଅଚାନକ ବିଜୁଳି ଖେଳି ଉଠିଲା । ଶୀତଳ ପବନ ବୋହି ଦେହ ଥରାଇ ଦେଲା । ପଶ୍ଚିମ ଆକାଶରୁ କଳା–ହାଣ୍ଡିଆ ମେଘ ଘୋଟିଆସି ଚାହୁଁ ଚାହୁଁ ଦାଶଦିଗ ଅନ୍ଧାର କରିଦେଲା । ମେଘ ଘଡ଼ଘଡ଼ିରେ ବସୁଧା ପ୍ରକମ୍ପିତ ହେଲା । ସତେ ଅବା ଉନ୍ମତ୍ତ ଝଞ୍ଜା ବତାସର ବେଦନାରେ ପୃଥିବୀ ଆର୍ତ୍ତନାଦ କରିବାକୁ ଲାଗିଲା ।

 

ଆଉ ଠିକ୍ ଏହି ସମୟରେ–

 

ସିଧାସଳଖ ନୈଋତ କୋଣରୁ ତୀର ବେଗରେ ବିଜୁଳି ଧାରଟିଏ ଛୁଟିଆସି ସେହି ପରିତ୍ୟକ୍ତ ଗୃହର ଧ୍ଵଂସାବଶେଷ ଉପରେ ନିପତିତ ହେଲା ।

 

କିଛି କ୍ଷଣ ପରେ ବର୍ଷା ଝଡ଼ ବତାସ ଛାଡ଼ିଗଲା ।

 

ମେଘମୁକ୍ତ ନୀଳ ନିର୍ମଳ ଆକାଶର ଚନ୍ଦ୍ର କିରଣରେ ଦେଖାଗଲା, ତିନିଜଣ ଯାକ ବନ୍ଧୁ, ହାତ ଧରାଧରି ହୋଇ କାନ୍ଥତଳେ ଲୋଟି ପଡ଼ିଛନ୍ତି । ବଜ୍ରାଘାତରେ ସେମାନଙ୍କର ମୃତ୍ୟୁ ହୋଇଛି-

 

☆☆☆

 

ସନ୍ଧି

 

ଟେବୁଲ ଘଣ୍ଟା ସନ୍ଧ୍ୟା ସାତଟାର ସୂଚନା ଦେଉଛି ।

 

ବୃଦ୍ଧ ଅଧିରାଜଙ୍କ ମନ ଦୁଃଖ ଓ ବ୍ୟସ୍ତତାରେ ଗୁମୁରି ଉଠୁଛି ।

 

ଅଧିରାଜଙ୍କ ସାମନାରେ ନାତି ନାତୁଣୀ କଣ୍ଢେଇ ବାହାଘର ପାଇଁ ପ୍ରସ୍ତୁତ ହେଉଛନ୍ତି ।

 

ବଡ଼ଝିଅ ମାଳିନୀ ଏଇମାତ୍ର ଟେବୁଲ ଉପରେ କଫି ରଖିଦେଇ ଯାଇଛି । କଫିକପ୍‌ର ଲଘୁ ଧୂମ୍ରରେଖାମାନେ ଛୋଟ ଛୋଟ, ଅସ୍ପଷ୍ଟ କୁଣ୍ଡଳୀ ସୃଷ୍ଟି କରୁ କରୁ ଉର୍ଦ୍ଧ୍ଵଗାମୀ ହେଉଛନ୍ତି ।

 

ସେହି ଧୂମ୍ରକୁ ଉଦାସ ନୟନରେ ଚାହୁଁ ଚାହୁଁ ଅଧିରାଜ ଦୀର୍ଘ ନିଃଶ୍ଵାସ ନେଲେ ।

 

ସନ୍ଧ୍ୟା ସାତଟାରେ ହିଁ ପ୍ରତିଦିନ ବୁଲିବାକୁ ବାହାରନ୍ତି । ଠିକ୍‌ ସନ୍ଧ୍ୟା ସାତଟାରେ ବନ୍ଧୁ ରାମଶରଣ ଫାଟକ ମୁହଁରୁ ଡାକଛାଡ଼େ ମୁଁ ଆସି ଯାଇଛି ରାଜ୍ । ଶୀଘ୍ର ବାହାରି ପଡ଼ । ଯିବା ।

 

ରାମଶରଣ ଅତୀବ ବନ୍ଧୁପ୍ରିୟ । ତା’ ସଙ୍ଗରେ ଆଳାପ କଲେ ବୟସର ଚାପକୁ ଭୁଲି ହୋଇଯାଏ । ସାଂସାରିକ କ୍ଳାନ୍ତିରୁ ମୁକ୍ତି ମିଳେ ।

 

ରାମଶରଣ ଓ ଅଧିରାଜ ସନ୍ଧ୍ୟା ସାତଟାରୁ ନଅଟା ପର୍ଯ୍ୟନ୍ତ ଏକତ୍ର ଭ୍ରମଣ କରୁ କରୁ କିଛି ନା କିଛି ଆଲୋଚନା କରୁଥାନ୍ତି । ପିଲାଦିନର ଛୋଟ ବଡ଼ ଅନେକ ଘଟଣାର ପୁନରାବୃତ୍ତି କରିବାକୁ ଭଲ ପାଆନ୍ତି । ସେମାନଙ୍କ ଆଳାପ ଆଲୋଚନା କେବେ ହେଲେ ଶେଷ ହୁଏ ନାହିଁ । କଥୋପକଥନ ଭିତରେ ଯଦି ଜଣେ କେହି ଗତଦିବସର ପରିବେଷିତ ଘଟଣାରୁ କିଛି ପୁନରାବୃତ୍ତି କରେ, ଅନ୍ୟ ଜଣକ ତାକୁ ବାଧା ନ ଦେଇ ନୀରବରେ ଶୁଣିବାକୁ ଉଚିତ ମନେ କରେ । କାରଣ, ସେମାନେ ରହୁଥିବା ସାହି ଗୋଟାକରେ ତୃତୀୟ ବକ୍ତା ବା ଶ୍ରୋତା କେହି ନାହିଁ ଯିଏ ଆସି ରାମଶରଣ ଓ ଅଧିରାଜଙ୍କ ସଙ୍ଗରେ ବୁଲିବାକୁ ବାହାରିବ ।

ସେମାନେ ରହୁଥିବା ସାହି ଗୋଟାକରେ ବୃଦ୍ଧ ବୋଲି ମାତ୍ର ଦୁଇଜଣ । ସେମାନେ ଅବଲୀଳା କ୍ରମେ ବିଭିନ୍ନ ସ୍ଥାନରୁ ଆସି ଏକାଠି ହୋଇଛନ୍ତି । ସାକ୍ଷାତର ପ୍ରଥମ ଦିବସରୁହିଁ ପରସ୍ପରକୁ ବନ୍ଧୁ ଭାବରେ ଗ୍ରହଣ କରି ନେଇଛନ୍ତି । ସେମାନଙ୍କ ବନ୍ଧୁତାରେ କେବେହେଲେ ମନାନ୍ତର ବା ମତାନ୍ତର ଘଟି ନାହିଁ ।

ସମବୟସ୍କ କିମ୍ଵା ସମଚିନ୍ତାଧାରାର ଦୁଇଜଣ ଲୋକଙ୍କ ମଧ୍ୟରେ ହିଁ ବନ୍ଧୁତା ସୃଷ୍ଟି ହୋଇଥାଏ ।

ସେମାନେ ରହିଥିବା ସାହୀରେ ଅନ୍ୟମାନେ ଯୁବକ, ପୌଢ଼ କିମ୍ବା କିଶୋର । ସେମାନଙ୍କ ଚିନ୍ତାଧାରା ସଙ୍ଗେ ସମନ୍ୱୟ ରକ୍ଷା କରିବା ପୁଣି ସେମାନଙ୍କ ଗତି ସଙ୍ଗେ ସମାନ ତାଳ ଦେଇ ଚାଲିବା, ଅଧିରାଜ ଓ ରାମଶରଣଙ୍କ ପକ୍ଷରେ ସମ୍ଭବ ନୁହେଁ ।

ଟେବୁଲ–ଘଣ୍ଟାରେ ସାତଟା ବାଜି ସାରିଥିଲେ ମଧ୍ୟ ରାମଶରଣ ଡାକିବାକୁ ଆଉ ଆସିଲେ ନାହିଁ । ଅଥଚ ନିତିଦିନିଆ ଅଭ୍ୟାସବଶତଃ ସନ୍ଧ୍ୟା ସାତଟା ପର୍ଯ୍ୟନ୍ତ ଅଧିରାଜ ଝରକା ପାଖରେ ଚୌକିରେ ବସି ବସି ରାମଶରଣଙ୍କୁହିଁ ଅପେକ୍ଷା କରିଥିଲେ ।

ଅଧିରାଜ ନିବିଡ଼ ଭାବରେ ଲକ୍ଷ୍ୟ କଲେ, ଗତକାଲିର ପରିବେଶ ଓ ଆଜିର ଏହି ସାନ୍ଧ୍ୟ ପରିବେଶରେ କିଛି ହିଁ ପାର୍ଥକ୍ୟ ନାହିଁ । କାଲି ଯାହା ଯେଉଁଠି ସେମିତି ଅବସ୍ଥାରେ ଥିଲା, ଆଜି ସବୁ ଠିକ୍ ସେଇଠି ସେମିତି ଅବସ୍ଥାରେ ହିଁ ରହିଛି ।

ଅଥଚ କାଲି ପରି, ବନ୍ଧୁ ରାମଶରଣ ଫାଟକ ମୁହଁରେ ଛିଡ଼ା ହୋଇ ତାଙ୍କ ତାଙ୍କ ନାମ ଧରି ଡାକିଲା ନାହିଁ । ନାଁ, ସେ ଆଉ କେବେହେଲେ ଆସି ଡାକିବ ନାହିଁ ରାମଶରଣ ଛଡ଼ା ଆଉ କେହି ହେଲେ ଆସି, ତା’ ପରି ତାଙ୍କ ନାଁ ଧରି ଆଉ ଡାକିବେ ନାହିଁ । ତାଙ୍କ ନାଁ ଟା ଆଜିଠୁ ହଜି ଗଲା !

(ଏଇ ଶେଷ କଥା ପଦକ ମନକୁ ମନ କହି ହେବା ପରେ ବୃଦ୍ଧ ଅଧିରାଜ ଅସ୍ଥିର ହୋଇ ପଡ଼ିଲେ ଏବଂ ସନ୍ଧାନୀ ଆଖିରେ ନିଜର ସର୍ବାଙ୍ଗ ଉପରେ ଆଖି ବୁଲାଇ ନେଲେ ।)

ଅଧିରାଜ ସ୍ମରଣ କଲେ, ରାମଶରଣ ବୟସରେ କନିଷ୍ଠ ଥିଲା । ତା’ର ସ୍ୱାସ୍ଥ୍ୟ, ମଧ୍ୟ ସୁସ୍ଥ, ସବଳ, ସତେଜ ଥିଲା । କଥାବାର୍ତ୍ତା ବେଳେ ସେ କେବେହେଲେ ଜୀବନର ସେହି ଅନ୍ଧାରୁଆ କ୍ଲାନ୍ତିକର କଥା କହୁ ନଥିଲା । ଅଥଚ ରାମଶରଣ.....

ଅଧିରାଜ କଥାଟାକୁ ପୂରା କରି ପାରିଲେ ନାହିଁ । ଅବଶିଷ୍ଟାଂଶକୁ ଅବ୍ୟକ୍ତ ରଖି ସେ ମନ ଭିତରେ ଆତଙ୍କିତ ହୋଇ ପଡ଼ିଲେ ।

ରାମଶରଣର ଭାଗ୍ୟଭଲ । କୌଣସି ରୋଗ ଦୁଃଖ ନ ଭୋଗି ମାତ୍ର କେଇଟା ମୁହୂର୍ତ୍ତ ଭିତରେ ବିଦାୟ ନେଇ ଚାଲିଗଲା । ସେ ଯେ ଅଳ୍ପ ସମୟ ଭିତରେ ମରି ଯିବ, ଏ କଥା ନିଜେ ମଧ୍ୟ ଜାଣି ପାରିଲା ନାହିଁ ।

 

ଅଧିରାଜ ଭାବିଲେ, ସତେ କ’ଣ ରାମଶରଣର ମରଣ ତାଙ୍କୁ ହବ ?

 

ଭାଗ୍ୟରେ କ’ଣ ଅଛି କେଜାଣି ! ସେ ଯଦି ରୋଗ ବାଧକାରେ ପଡ଼ନ୍ତି, କ’ଣ ହବ ?

 

ଅଧିରାଜ କଫି–କପ୍‌କୁ ଚାହିଁଲେ । କଫି ଥଣ୍ଡା ହେବାକୁ ବସିଲାଣି ବଡ଼ ଝିଅ ମାଳିନୀ ଟେବୁଲ ଉପରେ କଫି ରଖି ଦେଇ ଗଲା, ଅଥଚ ଖାଇ ନିଅ ବୋଲି ଅନୁରୋଧ କଲା ନାହିଁ ।

 

ବଡ଼ ପୁଅ ବି’ ସେମିତି । ସେ ସେଇ ଘରୁ ଏକ ମୁହାଁ ହୋଇ, ପଦେ ହେଲେ କଥା ନ କହି ଚାଲିଗଲା ।

 

ଘରର ସମସ୍ତେ ବଡ଼ ବୋହୂର ଚର୍ଚ୍ଚାରେ ଲାଗି ପଡ଼ିଛନ୍ତି । କେହି ଜଣେ ସୁଦ୍ଧା ତାଙ୍କ ପାଖକୁ ଆସୁ ନାହାନ୍ତି କି ପଦେ କିଛି ପଚାରୁ ନାହାନ୍ତି ।

 

ନାତି ନାତୁଣୀମାନେ ଖେଳ ଭାଙ୍ଗି ଭିତର ବାରଣ୍ଡାରେ ପଶିଲେ । ଅଧିରାଜ ଯେତେ ଡାକିଲେ ବି’ ପାଖକୁ ଆସିଲେ ନାହିଁ ।

 

(ଅଥଚ ଅଧୀରାଜ ଚାହୁଁଥିଲେ, ଘରର ଅନ୍ୟ କେହି ନ ପଚାରିଲେ ବି’ ସେ ଏଇ ଟିକି ଟିକି ନାତି ନାତୁଣୀମାନଙ୍କ ସଙ୍ଗରେ ଦୁଃଖ ସୁଖ ହୁଅନ୍ତେ !)

 

ଘରର ସମସ୍ତେ କ’ଣ ତାଙ୍କ ସଙ୍ଗରେ ଅସହଯୋଗ ଆରମ୍ଭ କରି ଦେଇଛନ୍ତି !

 

ସେମାନେ କ’ଣ ବୁଝି ସାରିଲେଣି ଯେ, ରାମଶରଣ ପରି ଏଇ ଆଜି କିମ୍ବା କାଲି ଭିତରେ ସେ ନିର୍ଦ୍ଧିଷ୍ଟ ଭାବରେ ମରୁଛନ୍ତି ?

 

ତାହା ହେଲେ ଏ ଦୁନିଆରେ କ’ଣ ବୃଦ୍ଧ ମଣିଷର କୌଣସି ପ୍ରୟୋଜନ ନାହିଁ ?

 

ଏମାନେ ସମସ୍ତେ ତାଙ୍କୁ କ’ଣ ବୋଲି ମନେ କଲେ କି ? ସେମାନେ କ’ଣ ଭାବିଛନ୍ତି, ତାଙ୍କ ପ୍ରତି ଯେତେ ଅନ୍ୟାୟ ପ୍ରଦର୍ଶନ କଲେ ମଧ୍ୟ, ସେ ସବୁ ସହି ନେଇ ପାଷାଣ ଜୀବନ ଧାରଣ କରିବେ ?

 

ଅଥଚ କାଲି.....

 

କାଲି ତାଙ୍କର ବଳ ଥିଲା, ବୟସ ଥିଲା, ଯୌବନ ଥିଲା । ସମଗ୍ର ଘର–ସଂସାରର ଦାୟିତ୍ଵ ମୁଣ୍ଡେଇ ଥିଲେ । ସମସ୍ତେ ତାଙ୍କର ମୁହଁକୁ ଜଳ ଜଳ ହୋଇ ଚାହିଁ ରହୁଥିଲେ । ସବୁଠି, ସମସ୍ତଙ୍କର କାମ ଥିଲା ତାଙ୍କରି ପାଖରେ । ଅଥଚ ଆଜି......

 

ନାଁ, ନାଁ ଏ ପରିସ୍ଥିତି ଅସହ୍ୟ ।

 

ଅଧିରାଜ ଚୌକି ଛାଡ଼ି ଛିଡ଼ା ହେଲେ ଓ ବୁଲିବାକୁ ବାହାରିଲେ ।

 

ରାମଶରଣ ଆଉ ନାହିଁ । ଏଥର ଏକା ଏକା ବୁଲିବାକୁ ହେବ ।

 

ଅଧିରାଜ ଭାବୁଥିଲେ, ତାଙ୍କୁ ବୁଲି ବାହାରୁ ଥିବା ଦେଖି, କେହି ନା କେହି ଆସି ନିଶ୍ଚୟ କହିବ, ଏକୁଟିଆ କୁଆଡ଼େ ଯାଉଛ ଯେ ? ଘରେ ରୁହ !

କିନ୍ତୁ କେହି ହେଲେ ପାଖକୁ ଆସିଲେ ନାହିଁ ।

ଅଧିରାଜ ରାସ୍ତା ଉପରେ ଠିଆ ହୋଇ ଦେଖିଲେ, ବଡ଼ ପୁଅ ଜଣେ ନର୍ସ ସଙ୍ଗରେ ନେଇ ଘର ଭିତରେ ପଶୁଛି ।

ବଡ଼ ବୋହୂର ଏବେ କ’ଣ ହବ ନାଁ କଣ ?

ବଡ଼ ବୋହୂର ଅବସ୍ଥା କ’ଣ ଏକାନ୍ତ ଉଦ୍‌ବେଗଜନକ ?

ସେ କ’ଣ ଘରକୁ ଫେରି ଯିବେ ?

କିନ୍ତୁ ସେଥିରେ ତାଙ୍କର ଯାଏ କେତେ ଆସେ କେତେ ?

ରାମଶରଣର ମୃତ୍ୟୁ ପରେ ଏ ସଂସାରରେ ତାଙ୍କର ଆଉ କେହି ନାହିଁ । ବଡ଼ ପୁଅ, ବଡ଼ ଝିଅ ସମେତ ନାତି ନାତୁଣୀମାନେ ବି’ ତାଙ୍କୁ ପର କରି ଦେଇଛନ୍ତି । ପାଖକୁ ଆସୁ ନାହାନ୍ତି କି ପଚାରୁ ନାହାନ୍ତି ।

ଯାଃ, ଭଲ ହେଲା । ମୁଣ୍ଡରୁ ବୋଝଗଲା ।

ମାୟା ସଂସାର । ସବୁ ମାୟା । ମିଛି ମିଛିକା ଖେଳ ।

ଅଧିରାଜ ସହଳ ସହଳ ପାଦ ପକାଇ ଜନବସତି ପାରି ହୋଇ ଦୂରକୁ ଚାଲି ଗଲେ । ରାସ୍ତା କଡ଼ରେ ପଡ଼ିଥିବା ଏକ ପରିତ୍ୟକ୍ତ ଶିଳାଖଣ୍ଡ ଉପରେ ବସି ସ୍ମରଣ କଲେ, ତାରି ଉପରେ ହିଁ ଗତକାଲି ସନ୍ଧ୍ୟାରେ ସେ ଓ ରାମଶରଣ ବସି ଆଲୋଚନା କରୁଥିଲେ । ଅଥଚ ରାମଶରଣ ଆଜି ଆଉ ନାହିଁ । ଗତକାଲି ବିଦାୟ ନେଲାବେଳେ ତା’ର ଶେଷ-ଯାତ୍ରା କଥା କହି ଦେଇ ଗଲା ନାହିଁତ-!

ଅଥଚ ଶିଳାଖଣ୍ଡଟି ସେମିତି ବସିଛି ।

ଅଧିରାଜଙ୍କ ମନ ଭିତରେ ଅନେକ ଅଶାନ୍ତି ଓ ଅନେକ ବ୍ୟସ୍ତତା ଦେଖା ଦେଲା । ହଠାତ୍ ତାଙ୍କର ଇଛା ହେଲା, ଆଉ ସେ ଘରକୁ ଫେରିବେ ନାହିଁ । ସେହି ଜଳଶୂନ୍ୟ ନୀରବ ପ୍ରାନ୍ତରରେ ପ୍ରାଣତ୍ୟାଗ କରିବେ ।

ପ୍ରାଣ ତ୍ୟାଗ କରିବେ ସେ ?

ହଁ ହଁ ପ୍ରାଣତ୍ୟାଗ କରିବେ । ରାମଶରଣ ପ୍ରାଣତ୍ୟାଗ କରିଛି ।

ପାଖରେ ରେଳଲାଇନ୍‌ଟା ଦେଖା ଯାଉଛି । ଏଇ ମାଲ ଗାଡ଼ିଟା ବି ପାଖେଇ ଆସୁଛି । ଗୋଟିଏ ମୁହୂର୍ତ୍ତର କଥା ।

ବୃଦ୍ଧ ଅଧିରାଜ ଧଇଁ ସଇଁ ହୋଇ ଧାଇଁବାକୁ ଲାଗିଲେ । ମାଲ୍‌ଗାଡ଼ି ଆସିବା ପୂର୍ବରୁ ଲାଇନ ପାଖରେ ପହଞ୍ଚିବାକୁ ହେବ । ସତେ ଅବା ଲାଇନର ଶେଷ ବସ୍‌ଟା ଚାଲିଯାଉଛି । ଏ ସଂସାର ସାଥୀ ଶୂନ୍ୟ ହୋଇଛି । ସାଥୀଶୂନ୍ୟ ସଂସାରରେ ବଞ୍ଚି ରହିବା ଅତୀବ କଷ୍ଟକର । ତା’ ଅପେକ୍ଷା ଜୀବନ ହାରି ଦେବା ଭଲ ।

 

ରୁହ ରାମଶରଣ ! ତୁମ ସଙ୍ଗେ ମୁଁ ବି ଦେଖା କରୁଛି । ଆରପୁରୀରେ ପୁଣି ତୁମ ସଙ୍ଗେ ଦେଖା ହେବ । ଆମେ ପୁଣି ସେଇଠି ବନ୍ଧୁତା କରିବା । ସାଙ୍ଗ ହେଇ ଏକାଠି ବୁଲିବା, ହସିବା ଓ କଥା ହେବା ।

 

ଅଧିରାଜ ଲାଇନ୍ ଉପରେ ପାଦଦେଲେ । ସମଗ୍ର ଲାଇନ୍‌ଟା ଥରି ଥରି ଉଠୁଛି । ତା ଦେହରୁ ଯେଉଁ ମୃଦୁ ଝଙ୍କାର ଝଙ୍କୃତ ହେଉଛି, ସେଇଟା କ’ଣ ଆରପୁରୀର ଆହ୍ୱାନ ?

 

ସେହି ଶବ୍ଦାୟିତ ଲାଇନ୍ ପାଖରେ ବସି ଅଧିରାଜ ଭାବିଲେ, ଏଥର ଜୀବନଟା ନିର୍ଦ୍ଦିଷ୍ଟ ଭାବରେ ଶେଷ ହେଉଛି । ଅଧିରାଜ ବୋଲି ଜଣେ କେହି ବ୍ୟକ୍ତି ଯେ ଜୀବିତ ଥିଲା କିଛି ଦିନ ପରେ ସମସ୍ତେ ଭୁଲିଯିବେ ।

 

ହଁ ସେଇଆ ହଉ । ଜୀବନ ହାରିବା ଭଲ ।

 

କିନ୍ତୁ, ତା ପୂର୍ବରୁ.......

 

ତା’ ପୂର୍ବରୁ ପୁଣି କଣ ?

 

ରେଳଗାଡ଼ି ପାଖେଇ ଆସିଲାଣି ।

 

ତା’ ପୂର୍ବରୁ ଥରେ ମନ ପୁରାଇ ଦେଖି ନେବାକୁ ଇଛା ହେଉଛି, ଆକାଶରେ କେତେ ତାରା ଫିଟୁଛି । ଆଜିର ଶାନ୍ତ ଶୀତଳ ଚନ୍ଦ୍ର ଖଣ୍ଡିଆ ହବ ନାଁ ପୁରା ହବ ? ତିଥି କଣ ? ହଁ ହଁ, ସେ ଯେତେବେଳେ ପିଲା ଥିଲେ, ମା କୁଆଡ଼େ ହାତ ବଢ଼ାଇ ଚନ୍ଦ୍ର ଆଣି ଦେବେ ବୋଲି କହି, ତାଙ୍କର ଅବୁଝା କାନ୍ଦକୁ ବନ୍ଦ କରୁଥିଲେ । ବିବାହର ପ୍ରଥମ ସପ୍ତାହରେ ତାଙ୍କ ସ୍ତ୍ରୀ ଚନ୍ଦ୍ରକିରଣରେ ଚୁମା ଖାଇବାକୁ ବହୁତ ଲାଜ କରୁଥିଲେ । ରାତିରେ ଶୋଇଲା ବେଳେ, ଟୁନାଟୁନି ଜହ୍ନମାମୁଁ ଗପ ଶୁଣିବାକୁ ଅଳି କରୁଥିଲେ । ହଁ ହଁ, ସେହିଚନ୍ଦ୍ର !

 

ଚନ୍ଦ୍ର ଅଛି, ଆଉ କିଛି ନାହିଁ ।

 

ବଡ଼ ବୋହୂ ପ୍ରସବ ବେଦନା ଭୋଗୁଥିଲା । ତାର ହୁଏତ କ’ଣ ହେଇଥିବ !

 

ରେଳଗାଡ଼ି ହେଇ ମାଡ଼ି ଆସିଲା ।

 

ବୃଦ୍ଧ ଅଧିରାଜଙ୍କ ଛାତି ଧଡ଼ପଡ଼ ହେଉଛି । ମୁଣ୍ଡଟା ବୁଲାଇ ଦେଲାଣି । ନିଃଶ୍ଵାସର ବେଗ ଅସମ୍ଭବ ଭାବରେ ବଢ଼ି ଯାଇଛି ।

 

ବସିବେ ନା ଛିଡ଼ା ହେବେ ?

 

ରେଳଗାଡ଼ିର ସାଇରନ୍‌ ଛୋଟ ପିଲାର କାନ୍ଦଣା ପରି ଶୁଭୁଛି ।

 

ବୃଦ୍ଧ ଅଧିରାଜ ସଙ୍ଗେ ସଙ୍ଗେ ରେଳ ଧାରଣାରୁ ଧଡ଼ପଡ଼ ହୋଇ ଛିଡ଼ା ହେଲେ ଓ ଏକା ନହସରେ ଧାଇଁବାକୁ ଲାଗିଲେ ।

 

ସେ ଆଉ ପଛକୁ ନେଉଟି ଚାହିଁ ନାହାଁନ୍ତି । ସତେ ଅବା ପଛରେ ଭୂତ ଗୋଡ଼ାଉଛି ।

 

ଏମିତି ଭାବରେ ସେ ଯେ କେତେବେଳେ ଆସି ଘର ପାଖରେ ପହଞ୍ଚି ଯାଇଛନ୍ତି, ସେଥିପ୍ରତି ତାଙ୍କର ଖିଆଲ ନାହିଁ ।

 

ବଡ଼ ଝିଅ ମାଳିନୀ ହସି ହସି କହିଲା, ବଡ଼ ବୋହୂଙ୍କର କୁନିପୁଅ ହେଇଛି ବାପା, ଠିକ୍ ତୁମରି ଭଳି ।

 

ଏ କ’ଣ କହୁଛୁ ? ମୋରି ଭଳି ପୁଅ ?

 

ଅଧିରାଜ କାହାରି କଥା ନ ମାନି ନବଜାତ ଶିଶୁ ପୁତ୍ରକୁ କୋଳରେ ଧରିଲେ ଓ ମନକୁ ମନ କହିହେଲେ, ତୁ ପୁଣି ଥରେ ଆମ ଘରକୁ ଫେରି ଆସିଛୁ ରାମଶରଣ । ତୁ ଶେଷରେ ମୋରି ଘରେ ନାତି ହୋଇ ଜନ୍ମ ନେଲୁ କି ? କେବଳ ତୋରି ପାଇଁ ବୋଧହୁଏ ମୁଁ ମଧ୍ୟ ଫେରି ଆସିଲି । ପୁଣି ଆମେ ସାଙ୍ଗ ହେବା । ପୁଣି ଥରେ ମୂଳରୁ ଆରମ୍ଭ କରିବା । ଏକ୍‌ବାର୍ ମୂଳରୁ । ମୁଁ କହିବି ତୁ ଶୁଣିବୁ, ତୁ କହିବୁ ମୁଁ ଶୁଣିବି ଠିକ୍ ଅଛି । ଠିକ୍ ଅଛି । ଆଉ ଚିନ୍ତା ନାହିଁ ।

 

ଅଧିରାଜ ମୁରୁକି ମୁରୁକି ହସିବାକୁ ଲାଗିଲେ ।

☆☆☆

 

ବିରାଡ଼ି ବୈଷ୍ଣବ

 

ମୋହିହେଲା ପରି ମୁହଁ । ଗୋରା ତକ ତକ ଚେହେରା । ମୁଣ୍ଡରେ ବୋଝେ କଳା କୁଞ୍ଚୁକୁଞ୍ଚିଆ କେଶ । କଣରେ ହଳେ ସରୁ ସରୁ ସୁନା ଫାଶିଆ । ହସି ହସି ଗରାଖକୁ ଅଭ୍ୟର୍ଥନା ଜଣାନ୍ତି । ହସିଲା ବେଳେ ମୋଟା ଗାଲରେ ଖାଲ ହୋଇଯାଏ । ଗରାଖକୁ ପାଖରେ ବସାଇ ବାରମ୍ବାର କଷ ଗାମୁଛାରେ ମୁହଁ ପୋଛୁ ପୋଛୁ କହନ୍ତି, କେତେ ଦିନର ଏ ଦେହ ? କେତେ ଦିନ ରହିବ ? ଆଜି ଅଛି କାଲି ନାହିଁ । ଜୀବ ନିଶ୍ଚୟ ଯିବ । ଆଜି ଗଲେ କାଲି ଦି’ଦିନ । ଆମେ ମିଛରେ ଯାହା ହଟ ପଟ ହେଉଛୁ, ଜଞ୍ଜାଳ ଭିତରେ ବୁଡ଼ି ଯାଉଛୁ । ପରିତ୍ରାଣ କଥା ଭାବୁନାହୁଁ କି ଲଜ୍ଜାର କଥା !

ଗରାଖ ତାଙ୍କ କଥା ଶୁଣି ଭୋଳ ହୁଏ । ମନେ ମନେ ଭାବେ ଆହା, କି ସୁନ୍ଦର କଥା କହୁଛନ୍ତି ! କେତେ ଭଲ ଲୋକ । କେତେଜଣ ଜଞ୍ଜାଳୀ ଲୋକ ଏପରି ଭାବନ୍ତି, ଏପରି କହନ୍ତି ? ଗରାଖ ତାଙ୍କ କଥା ଶୁଣି ହୁଁ ମାରିବା ପରିବର୍ତ୍ତେ କହେ, ଠିକ୍ ଠିକ୍ ।

ତାଙ୍କ ନାଁ ବୁଣ୍ଡୋ ସୁନାରି । ସୋନପୁର ରାଜ୍ୟର ବିନିକା ଗାଁରେ ଘର । ସେ ଉପର ସାହିରେ ରହନ୍ତି । ଉପର ସାହିର ଧନୀ ମହାଜନମାନଙ୍କ ସାଙ୍ଗରେ ଚଳ ପ୍ରଚଳ ହୁଅନ୍ତି । ସେ ସୁନା ଅଳଙ୍କାର ତିଆରି କରନ୍ତି ।

ବୁଣ୍ଡୋ ସୁନାରିଙ୍କ ଅଳଙ୍କାର ଦେହରେ ବାଜିଲେ ରୂପା ବଦଳି ଯାଏ । ଅଭିଆଡ଼ୀ କନ୍ୟାମାନଙ୍କର ବିବାହ ଯୋଗ ଫିଟେ । ବର୍ଷିୟସୀ ମହିଳାମାନଙ୍କ ବୟସ କମିଯାଏ । ତାଙ୍କ ଅଳଙ୍କାର ଦେହରେ ଲଗାଇ ବିନିକା ଗାଁର ବହୁ ଝିଅବୋହୂ ଗର୍ବ ଅନୁଭବ କରନ୍ତି ।

 

ବୁଣ୍ଡୋ ସୁନାରିଙ୍କ ବିନିକା ଗାଁଆରେ ଦୁଇଟି ଘର । ଗୋଟିଏ ପକ୍‌କା, ଅନ୍ୟଟି ମାଟି ଘର । ମନ ପାଇବା ଯାଏ କିଛି ଦିନ ପକ୍‌କାଘରେ କଟାଇ ପୁଣି ଥରେ ମାଟି ଘରକୁ ଚାଲି ଆସନ୍ତି-। ବେଳେ ବେଳେ ହାତର ପାଞ୍ଚଆଙ୍ଗୁଳିରେ ପାଂଚୋଟି ସୁନା ମୁଦି, ବେକରେ ସୁରେ‌ ଦି’ ସୁରା ସୁନା ମାଳି, କାନ୍ଧରେ ସୋନପୁରୀ ମଠା ଚାଦର ବେଢ଼ାଇ ଦୋକାନରେ ବସନ୍ତି । ଆଉ ଦିନେ ଦିନେ ବିକାଲ୍‍ ନୁଖୁରା ମୁକୁଳା ଦେହରେ ମୁହଁ ଶୁଖାଇ ବସିଥିବା ଦେଖାଯାଏ ।

 

ମୁହଁ ଶୁଖାଇ ବସିବା ଦିନଟି ତାଙ୍କର ଅଶୁଭ ଦିନ । ସେଦିନ ଭୁଲରେ ସୁଦ୍ଧା ହସନ୍ତି ନାହିଁ-। ଗରାଖଙ୍କୁ ଦେଖିଲେ ଗଦ୍‌ଗଦ ହୁଅନ୍ତି ନାହିଁ-। ପାଟିରେ ପୁରାଣ ପାଠ ପଇଟେ ନାହିଁ । ନିଜ ଲୋକଙ୍କୁ ଦେଖିଲେ ନିମ୍ନ ଗଳାରେ, କହନ୍ତି, ଭଗବାନ ବଡ଼ ନିଷ୍ଠୁର । ସେ ଭଲ ଲୋକଙ୍କୁ ଦଣ୍ଡ ଦେବାକୁ ଭଲ ପାଆନ୍ତି । ଦୁଷ୍ଟଲୋକକୁ ଭୟ କରି କି କଅଣ, ସୁଖରେ ରଖନ୍ତି । ଏଭଳି ସଂସାରରେ ଜୀବନ ଧିକ୍‌ ହୋଇ ଯାଉଛି । ବଂଚିବାକୁ ଆଉ ଭଲ ଲାଗୁନାହିଁ ।’

 

ବୁଣ୍ଡୋ ସୁନାରିଙ୍କ ଦୋକାନ ଦୁଆର ଫିଟିଲେ କେବଳ ସୋନପୁର ରାଜ୍ୟର ବିନିକା ଗାଁ ନୁହେଁ, ଆଖପାଖ ପାଞ୍ଚ ସାତଖଣ୍ଡ ଗାଁର ଲୋକମାନେ ଆସି ରୁଣ୍ଡ ହୁଅନ୍ତି । କିଏ ସୁନା, ସୁନା–ଗହଣା ବିକେ ତ, କିଏ ଆସି କିଣେ । ସମସ୍ତଙ୍କ ସଙ୍ଗରେ ତାଙ୍କର ଭାବ । ସମସ୍ତେ ତାଙ୍କୁ ଜାଣନ୍ତି ।

 

।। ଦୁଇ ।।

 

ଦିନେ ସଂଜ ମୁହଁରେ ବୁଣ୍ଡୋ ସୁନାରିଙ୍କ ଦୋକାନ ଦୁଆର ମୁହଁରେ ଅସମ୍ଭବ ଜନଗହଳି ହେଲା । ଗୀତା, ଭାଗବତ, ଖୋଳ, କରତାଳରେ ସାହି ଉଛୁଳି ଉଠିଲା ଦେଖାଗଲା, ବୁଣ୍ଡୋ ସୁନାରି ଲଣ୍ଡାହୋଇ ପଡ଼ିଛନ୍ତି । ତାଙ୍କ ମସ୍ତକରେ କଳା କୁଂଚୁକୁଂଚିଆ ଗହଳି କେଶ ଆଉ ନାହିଁ । କାନର ସୁନା ଫାଶିଆ ଓହ୍ଲାଇ ପକାଇଛନ୍ତି । ଖଣ୍ଡେ ଗେରୁଆ ଲୁଗା ପିନ୍ଧିଛନ୍ତି ଓ ଆଉଖଣ୍ଡେ ବେକରେ ପକାଇଛନ୍ତି । ହାତ ଆଙ୍ଗୁଳିରେ ସୁନାମୁଦି ନାହିଁ । ସେ ସମବେତ ନରନାରୀଙ୍କ ନିକଟରୁ ବିଦାୟ ଗ୍ରହଣ କରୁଛନ୍ତି । ଅଶୃସକଳ ମୁଖରେ, ଗଦ୍‌ଗଦ୍‌ଭାବ ପ୍ରକାଶ କରି କହୁଛନ୍ତି, “ବିବାହର ବହୁବର୍ଷ ପରେ ପୁଅ ପାଇଲି । ପୁଅ ପାଇଁ ଅପେକ୍ଷା କରିଥିଲି । ଏବେ ପୁଅ ବଡ଼ ହେଲା । ଆଉ ଘର ସଂସାର ପ୍ରତି ମନ ନାହିଁ । ସନ୍ନ୍ୟାସ ଗ୍ରହଣ କରୁଛି । ”

 

କେହି ଜଣେ ଦର୍ଶକ କହିଲେ, ପରିବାର କଥା କ’ଣ ହେବ ?

 

ବୁଣ୍ଡୋ ସୁନାରି କହିଲେ, ‘ଜଗନ୍ନାଥ ଦାସ’ ଭାଗବତରେ କହିଛନ୍ତି ‘‘ପତ୍ନୀ ନିବେଶି ପୁତ୍ର ପାଶେ, ଅଥବା ଚଳିବ ସନ୍ନ୍ୟାସେ” ଆଉ ମୋର ଏ ଦୁନିଆରେ କି କାମ ? ପରିବାର ପାଇଁ ଜମିବାଡ଼ି ଘରଦ୍ୱାର କରି ଦେଇଛି ଆଉ ଜଞ୍ଜାଳ କାହିଁକି ? ଅନେକ ଦେଖିଲି ଏଣିକି ତୀର୍ଥ ବାସ ।

 

ସମବେତ ନରନାରୀମାନେ ତାଙ୍କୁ ଧନ୍ୟ ଧନ୍ୟ କଲେ । କହିଲେ ବୁଣ୍ଡୋ ସୁନାରି ପବିତ୍ର ଅତୀତର ବେଦ ଉପନିଷଦ ଯୁଗକୁ ଫେରାଇ ଆଣିଛନ୍ତି । ଉପଯୁକ୍ତ ସମୟ ଦେଖି ସଂସାର ତ୍ୟାଗ କରୁଛନ୍ତି ତାଙ୍କର ମୁକ୍ତିପଥ ଥୁଆ । କାହା ଭାଗ୍ୟରେ ଏପରି ଘଟୁଛି ?

 

ହରିବୋଲ, ଖୋଳ, କରତାଳ, ଶବ୍ଦରେ ବିନିକାର ଉପର ସାହି ଉଛୁଳି ଉଠିଲା । ଯିଏ ଯେଉଁଠି ଥିଲେ ସ୍ତବ୍‌ଧ ହୋଇଗଲେ ।

 

ବୁଣ୍ଡୋ ସୁନାରି ମହାନଦୀ ଘାଟରେ ପହଞ୍ଚିବା ପର୍ଯ୍ୟନ୍ତ ଶୋଭାଯାତ୍ରା ପଟୁଆର ଚାଲିଲା-। ସେ ଡଙ୍ଗାରେ ବସି ନଈ ପାରିହେଲେ । ଘାଟୁଆକୁ ଅଣ୍ଟାରୁ ଖୋସା ହୋଇଥିବା କଡ଼ା ‘ଦୋକ୍ତା ଡବି’ ଟାକୁ ବଢ଼ାଇ ଦେଇ କହିଲେ, ସବୁ ତ ଛାଡ଼ିଲି, ଏ ନିଶା ଡବିଟାକୁ ରଖି ଲାଭ କ’ଣ-? ୟାକୁ ନେ । ଚିହ୍ନ ରଖିଥିବୁ ।

 

ଘାଟିଆ ଆଖିରୁ ଲୁହ ପୋଛି ଡଙ୍ଗା ବାହି କୂଳକୁ ଫେରିଲା ।

 

ବୁଣ୍ଡୋ ସୁନାରିଙ୍କ ମାଟି ଘରେ କୋଳାହଳ ପଡ଼ି ଯାଇଥାଏ । ପତ୍ନୀ, ମା, ଭଉଣୀ ଓ ବନ୍ଧୁବାନ୍ଧବ ମାନେ ବିକଳ କଣ୍ଠରେ ରୋଦନ କରୁଥାନ୍ତି । ସାତବରଷର ବାଳୁତ ପୁଅ ଜୁଳୁ ଜୁଳୁ ଆଖିରେ ମା ମୁହଁକୁ ଅନେଇ ରହିଥାଏ । ବୁଣ୍ଡୋ ସୁନାରିଙ୍କ ସ୍ତ୍ରୀ କାନ୍ଦି କାନ୍ଦି ବାରମ୍ବାର ମୂର୍ଚ୍ଛା ହେଉଥାନ୍ତି ।

 

ମନେହେଲା ବୁଣ୍ଡୋ ସୁନାରିଙ୍କ ପରିବାର ମରଣ କଷ୍ଟ ଭୋଗୁଛି ।

 

।। ତିନି ।।

 

ଦି’ ଦିନପରେ ଦେଖାଗଲା, ତାଙ୍କ ଦୋକାନ ମୁହଁରେ ସରକାରୀ ତାଲା ଝୁଲୁଛି । ତା’ ପରେ ପରେ ତାଙ୍କ ଘରକୁ ଘନ ଘନ ପୋଲିସି କର୍ମଚାରୀ ଧାଇଁଲେ । କଥାଟା କ୍ରମେ ପଦାରେ ପଡ଼ିଗଲା । ଜଣାଗଲା, ବୁଣ୍ଡୋ ସୁନାରି ଜୁଆ ଖେଳରେ ସର୍ବସାନ୍ତ ହୋଇ, ଅନ୍ୟ ଗାଁ’ର ଅନେକ ଧନୀ ଲୋକଙ୍କର ସୁନା ଓ ସୁନା ଅଳଙ୍କାର ବିକିଦେଇ ସନ୍ନ୍ୟାସୀ ହୋଇ ଚାଲିଯାଇଛନ୍ତି । ଏବେ ପୋଲିସବାଲା ଅନୁସନ୍ଧାନ କରୁଛନ୍ତି ।

 

କିନ୍ତୁ ବୁଣ୍ଡୋ ସୁନାରିର ସଠିକ ଖବର କିଏ ଜାଣିଛି ଯେ କହିବ ? ସନ୍ନ୍ୟାସୀଙ୍କର କଣ କିଛି ନିର୍ଦ୍ଦିଷ୍ଟ ଠିକଣା ଥାଏ ?

 

କ୍ରମେ ବୁଣ୍ଡୋ ସୁନାରିଙ୍କ ଅନ୍ୟାନ୍ୟ ଅପକର୍ମ ବି ଫୁଟି ବାହାରିଲା । ଜଣାପଡ଼ିଲା, ସେ କୁଆଡ଼େ ପ୍ରତିଦିନ ସନ୍ଧ୍ୟାପରେ ଦୋକାନ ବନ୍ଦକରି ଜୁଆ ଖେଳନ୍ତି । ଜୁଆରେ ଜିତିଲେ, ପାଞ୍ଚ ଆଙ୍ଗୁଳିରେ ପାଞ୍ଚୋଟି ସୁନାମୁଦି ପିନ୍ଧନ୍ତି । ମଠା ଚାଦର ଦେହରେ ପକାଇ ଦୋକାନରେ ବସନ୍ତି । ଗରାଖଙ୍କ ସଙ୍ଗରେ ଗଦ୍‌ଗଦ୍‌ କଣ୍ଠରେ ପୁରାଣ ଚର୍ଚ୍ଚାକରନ୍ତି । ଖେଳରେ ସବୁଦିନ ଜିତାପଟ ରହେନାଁ-। ହାରିବା ଯୋଗ ପଡ଼ିଲେ ସୁନାମୁଦି, ସୁନାମାଳି ସମେତ ପକ୍‌କା ଘରଟାକୁ ବି ବନ୍ଧକ ପକାଇ ମାଟି ଘରର ଆଶ୍ରୟ ନିଅନ୍ତି । ଭଗବାନଙ୍କ ବିରୁଦ୍ଧରେ ଅପପ୍ରଚାର କରନ୍ତି ।

 

ଚତୁର ସାହୁକାରମାନେ ବୁଣ୍ଡୋ ସୁନାରିଙ୍କ ନାଁରେ ମୋକଦ୍ଦମା କରି ଏକ ତରଫା ଡିଗ୍ରୀ ଆଣିଲେ । କିନ୍ତୁ ଦେଖାଗଲା, ସେ ନିଜ ନାମରେ ଜମିବାଡ଼ି, ଘରଦ୍ୱାର, ଦୋକାନ କିଛିହେଲେ ରଖିନାହାନ୍ତି । ସବୁ ସମ୍ପତ୍ତି ପୁଅ ଓ ସ୍ତ୍ରୀଙ୍କ ନାମରେ ଅଛି । ଯେଉଁ ଲୋକମାନେ ବୁଣ୍ଡୋ ସୁନାରିଙ୍କୁ ବିଶ୍ୱାସ କରି ସୁନା, ଓ ସୁନା ଅଳଙ୍କାରମାନ ଦେଇ ଯାଇଥିଲେ, ଘଟଣା ଦେଖି ସେମାନେ ମୁଣ୍ଡକାନ ଆଉଁସି ରହିଲେ ।

 

।। ଚାରି ।।

 

ବୁଣ୍ଡୋ ସୁନାରିଙ୍କ ଘଟଣା କ୍ରମେ ପୁରୁଣା ହେଲା ।

 

ବିନିକା ଗାଁରେ ଲୋକମାନେ କ୍ରମେ ଭୁଲିଗଲେ ଯେ ବୁଣ୍ଡୋ ନାମରେ ଏକ ବ୍ୟକ୍ତି ଥିଲା-। ଅନେକ ଘଟଣା ଦୁର୍ଘଟଣା ଘଟାଇ, ପୁଅ ଓ ସ୍ତ୍ରୀକୁ ଛାଡ଼ି ସନ୍ନ୍ୟାସୀ ହୋଇ ଚାଲି ଯାଇଥିଲା-

 

କିନ୍ତୁ ଗାଁର ବୁଢ଼ାବୁଢ଼ୀମାନେ ବୁଣ୍ଡୋ ସୁନାରିଙ୍କ ସ୍ତ୍ରୀଙ୍କୁ ଦେଖି କହିଲେ, ଛି ଛି ମଣିଷ ପୁଣି ଏମିତି ଅବିଶ୍ଵାସୀ ହୁଏ ? ହାତଧରି ବାହା ହୋଇଥିଲା, ଅଧବାଟରେ ଏକୁଟିଆ ଛାଡ଼ି ଚାଲିଗଲା ? କି ପୁଣ୍ୟ ପାଇବ କେଜାଣି ! କହିଲା କଣନାଁ, ପତ୍ନୀ ନିବେଶି ପୁତ୍ର ପାଶେ….ଚୁଲି ପାଉଁଶ । ପୁଅଟା ଭଲା ବଡ଼ ହୋଇଥାନ୍ତା !

 

ଆଉ କେହି କହିଲେ, ବୁଣ୍ଡୋ ସୁନାରିଙ୍କ ସ୍ତ୍ରୀ “ଦମୟନ୍ତୀ” ଦଶା ଭୋଗୁଛି । ବୁଣ୍ଡୋ ସୁନାରି “ନଳ” ପରି ଶନି ଦଶା ଭୋଗି ଚାଲି ଯାଇଛି ।

 

ସବୁକଥା ସବୁଦିନ ରହେ ନାହିଁ । ସବୁଦିନ ସମାନ ଯାଏନାହିଁ । ନୂଆ ପୁରୁଣା ହୋଇ ସରିଯାଏ ।

 

ବୁଣ୍ଡୋ ସୁନାରିଙ୍କ ପରିବାରବର୍ଗ ମଧ୍ୟ କ୍ରମେ ଭୁଲିଗଲେ ଯେ, ବୁଣ୍ଡୋ ସୁନାରି ଦିନେ ତାଙ୍କ ପରିବାରର ମୁଖ୍ୟ ଥିଲେ । ସେ ବହୁବର୍ଷ ଯାଏ ପରିବାର ପ୍ରତିପୋଷଣ କରିଥିଲେ ।

 

କିନ୍ତୁ ଦିନେ କେବଳ ଉପରେ ସାହିର ନୁହେଁ, ସମଗ୍ର ବିନିକା ଗାଁରେ ଏକ ଅଭିନବ ଘଟଣା ସୃଷ୍ଟି ହେଲା । ଏମିତି ଘଟଣା ଆଉ କେବେ ଅତୀତରେ ଘଟିଥିବା କଥା, ବିନିକା ଗାଁର ଶହେ ବର୍ଷ ବୟସର ବୁଢ଼ାବୁଢ଼ୀମାନେ ବି କହିପାରିଲେ ନାହିଁ ।

 

ଦିନେ ରାତି ଅଧରେ ବୁଣ୍ଡୋ ସୁନାରିଙ୍କ ମଧ୍ୟବୟସ୍କା ନିଃସଙ୍ଗ ପତ୍ନୀ ବଡ଼ ପାଟିରେ ହୁରି ଛାଡ଼ିଲେ, ‘ଚୋର–ଚୋର’ ।

 

ତାଙ୍କ ପାଟି ଶୁଣି ସାହିର ମରଦମାନେ ବଡ଼ ବଡ଼ ଠେଙ୍ଗାଧରି ଚୋର ସଙ୍ଗରେ ମୁକାବିଲା କରିବାକୁ ହୋ’ ହୋଇ ବାହାରି ପଡ଼ିଲେ । ସମସ୍ତେ ଦେଖିଲେ, ବୁଣ୍ଡୋ ସୁନାରିଙ୍କ ଦୁଆର ତଳେ କିମ୍ଭୂତକିମାକର ଲୋକଟିଏ ଚୁପ୍‌ଚାପ୍‌ ଛିଡ଼ା ହୋଇଛି । ତା’ ମୁଣ୍ଡରେ ବୋଝେ ଜଟ । ନିଶ ଦାଢ଼ିରେ ସାରା ମୁହଁ ଭର୍ତ୍ତି । ଅଣ୍ଟାରେ କୋତରା ଲୁଗା ଖଣ୍ଡେ ବେଢ଼ା ହୋଇଛି । ଛାତିର କଙ୍କାଳ ବାରି ହୋଇ ଯାଉଛି ।

 

ଲୋକଟା ଏତେ ହୋ’ ହଲ୍ଲାରେ ବି’ କୁଆଡ଼େ ନଯାଇ ଚୁପ୍‌ଚାପ୍‌ ଛିଡ଼ା ହୋଇଛି ଓ ମରଦଙ୍କ ମୁହଁକୁ ଜୁଳୁଜୁଳୁ ଆଖିରେ ଅନେଇ ରହିଛି ।

 

ସମସ୍ତଙ୍କ ଧାରଣା ହେଲା, ଲୋକଟା ବଡ଼ ଧରଣର ଚୋର ନୁହେଁ । ନହେଲେ କେତେ କଣ କରି ସାରନ୍ତାଣି । ଛତରଖିଆ ଅରକ୍ଷିତଟିଏ । ପେଟରେ ଭୋକ ସମ୍ଭାଳି ନ ପାରି ବୁଣ୍ଡୋ ସୁନାରିଙ୍କ ଘରେ ପଶିବାକୁ ଚେଷ୍ଟା କରୁଥିଲା । ଛୋଟ ହେଉକି ବଡ଼ ହେଉ ଚୋରକୁ କି ଦୟା ? ସମସ୍ତେ ମିଶି ଲୋକଟିକୁ ରାତି ଅଧରେ ଟାଙ୍କେ ଛେଚି ଗଲେ । ମାଡ଼ ଖାଇ ବେହୋସ ହୋଇ ସେ ତଳେ କଚାଡ଼ି ହୋଇ ପଡ଼ିଲା ।

 

ଲୋକଟାର ଏପରି ଅବସ୍ଥା ଦେଖି ଲୋକଙ୍କର ରାଗ ମରିଗଲା । ସେ ବଞ୍ଚିଛି କି ମରିଛି ଜାଣିବା ପାଇଁ, ଜଣେ ଲୋକ ତା’ ନାକ ପୁଡ଼ା ପାଖରେ ହାତ ରଖିଲା ।

 

ଲୋକଟାର ଜୀବନ ଥିଲା । କିଛି ସମୟ ପରେ କାତର କଣ୍ଠରେ କହିଲା ପାଣି…ପାଣି ।

 

ଲୋକେ ଦୟା କରି ତା’ ମୁହଁରେ ପାଣି ଦେଲେ । ଚଅଁ ଚଅଁ କରି ଅଧଢ଼ାଳ ପାଣି ପିଇବା ପରେ ସେ କରୁଣ କଣ୍ଠରେ କହିଲା, ମୋତେ ମାର ନାହିଁ । ମୁଁ ବୁଣ୍ଡୋ । ମୁଁ ବୁଣ୍ଡୋ ସୁନାରି-

 

ଲୋକେ ଛାନିଆ ହୋଇ ଆଡ଼େଇ ଗଲେ ।

 

ବୁଣ୍ଡୋ ସୁନାରିଙ୍କ ପତ୍ନୀ ଡିବିରି ଆଣି ଚିହ୍ନିଲେ, ସେ ସତରେ ବୁଣ୍ଡୋ ସୁନାରି । ତାଙ୍କର ପଳାତକ ସ୍ଵାମୀ ।

 

ଲୋକେ ଆହା କଲେ ।

 

ତାଙ୍କ ସ୍ତ୍ରୀ ତାଙ୍କୁ ନିଜ ବାହୁରେ ଟେକି ନେଇ ଘରେ ସେବା ଶୁଶ୍ରୂଷା କଲେ ।

 

ମାସକ ପରେ ଦେଖାଗଲା, ବୁଣ୍ଡୋ ସୁନାରି ନିଶ ଦାଢ଼ି କାଟି, ଦୋକାନ ଫିଟାଇ ନିରୀହ ଲୋକଟିଏ ପରି ଅଳଙ୍କାର ଗଢ଼ୁଛନ୍ତି । କେହି କିଛି ତାଙ୍କୁ ପଚାରିଲେ କହୁଛନ୍ତି, ମୋତେ କାମ କରିବାକୁ ଦିଅ । କିଛି ପଚାର ନାହିଁ । କାମ ସରିଲେ ଯାଇ କଥା ।

 

ବୁଣ୍ଡୋ ସୁନାରି ଗମ୍ଭୀର ପାଲଟି ଯାଇଛନ୍ତି । ବିନିକା ଗାଁର ଲୋକମାନେ ତାଙ୍କୁ ଏବେ କହୁଛନ୍ତି ବିରାଡ଼ି ବୈଷ୍ଣବ ।

☆☆☆

 

ରଙ୍ଗଣୀ ଫୁଲର ବାସ୍ନା

 

ବର୍ଷାର ପ୍ରଥମ ସ୍ପର୍ଶ ପାଇ ଅଗଣାର ରଙ୍ଗଣୀ ଗଛ ଶାଖା ପ୍ରଶାଖା ମେଲି ଛିଡ଼ା ହେଲା-। ସାନପୁଅ ଗଛମୂଳରେ ଦୁବଘାସ ଉପାଡ଼ି ସଫା କରୁ କରୁ ମାଆକୁ ଡାକି କହିଲା, ଗଛରେ ଗଛେ ପତ୍ର ହେଲାଣି । ଏଥର ଫୁଲ ଫୁଟିବ । ଦେଖିବୁ ଆ ।

 

ମାଆ ତା’ର ଡାକ ଶୁଣି ଆସିଲେ ଓ ରଙ୍ଗଣୀ ଗଛ ମୂଳରେ ବସି ପଡ଼ିଲେ । ବଛା ଘାସକୁ ନିଜ ହାତରେ ଟେକି ନେଇ ମଇଳା ଖାତରେ ପକାଇ ଦେଲେ । ଗଛମୂଳରେ ମାଟି ଆଡ଼େଇ ମଳାଟିଏ ତିଆରି କଲେ ।

 

ଏହାପରେ ବସାଘରେ ପ୍ରତିଦିନ ରଙ୍ଗଣୀ ଫୁଲ ଗଛର ଚର୍ଚ୍ଚା ଚାଲିଲା । ମନେ ହେଲା, ରଙ୍ଗଣୀ ଫୁଲଗଛଟି ସତେ ଅବା ଆମ ଘରର ଆଉ ଏକ ମଣିଷ ପାଲଟି ଯାଇଛି । ସେ ଆମ ଘରର ସବୁଠୁ ସାନ ସନ୍ତାନ । ସମସ୍ତେ ତାର ଯତ୍ନ ନେବାରେ ବ୍ୟସ୍ତ । ତା’ ଡାଳରେ ମାଛି କି ପୋକ ବସିଥିବା ଦେଖିଲେ ଆଡ଼େଇ ଦେବା, ଶାଖା ପ୍ରଶାଖାରୁ ହଳଦିଆ ପତ୍ରମାନ କାଢ଼ି ଫିଙ୍ଗି ଦେବା, ମଳାରେ ଶୁଖିଲା ଘସି ଆଣି ପକାଇବା, ପାଣି ଦେବା ଇତ୍ୟାଦି ଯିଏ ଯାହା ପାରିଲା, ଗଛ କାମ କଲା ।

ଦିନେ ରଙ୍ଗଣୀ ଗଛରେ ନାଲି ଟହ ଟହ ଫୁଲଟିଏ ଫୁଟିଥିବା ଦେଖି ଘରର ସମସ୍ତେ ଯାଇ ତାରି ପାଖରେ ଛିଡ଼ା ହେଲେ । ସେହି ଗଛ, ଗଛର ଶାଖାପ୍ରଶାଖା, ତା’ର ଫୁଲ, ତା’ର ଗଢ଼ଣ ନେଇ ଅନେକ ଚର୍ଚ୍ଚା ଚାଲିଲା ।

 

ସମସ୍ତଙ୍କ ମୁହଁରେ ରଙ୍ଗଣୀ ଗଛ ଓ ଫୁଲର ସୁନାମ ଉଛୁଳି ଉଠିଲା । ମନେ ହେଲା, ଘରର ବଡ଼ ପୁଅଟିଏ ସତେ ଅବା ସମର୍ଥ ହୋଇ ଚାକିରି ଖଣ୍ଡେ ପାଇଗଲା ।

 

ସେଦିନ ସଞ୍ଜବେଳେ ମୋ’ ସ୍ତ୍ରୀ ମୋତେ ଗଛ ପାଖକୁ ଡାକି କହିଲେ, ଏ ଗଛର ଫୁଲ କେତେ ସୁନ୍ଦର ମ ! ରକ୍ତ ରଂଗରେ ଫାଟି ପଡ଼ୁଛି । ମୋତେ ଖୁବ୍‌ ଭଲ ଲାଗୁଛି ।

 

ସାନଝିଅ ରଙ୍ଗଣୀ ଗଛର ପ୍ରଥମ ଫୁଟିଲା ଫୁଲକୁ ଠାକୁରଙ୍କୁ ଲଗାଇବାକୁ ପ୍ରସ୍ତାବ ଦେଲାବେଳେ, ସାନପୁଅ ପ୍ରକାରାନ୍ତରେ ସେ ପ୍ରସ୍ତାବକୁ କାଟି ଦେଇ କହିଲା, ଗୋଟିଏ ବୋଲି ତ ଫୁଲ ! ତାକୁ ନେଇ କୋଉ ଠାକୁରଙ୍କ ପାଖକୁ ଯିବ ? ଅପେକ୍ଷା କର । ଅନେକ ଫୁଲ ଫୁଟିଲେ ଏକାଠି ନେଇ ଯିବୁ ।

 

ସେହି ଦିନଠୁ ଆରମ୍ଭ କରି ବହୁ ଦିନ ପର୍ଯ୍ୟନ୍ତ ରଙ୍ଗଣୀ ଗଛରେ ନାଲି ଟହ ଟହ ଅନେକ ଫୁଲ ଫୁଟିଲା । ସ୍କୁଲ କଲେଜରୁ ଫେରି ଆସିବା ପରେ ପୁଅ ଝିଅମାନେ ରଙ୍ଗଣୀ ଗଛର ପୃଥୁଳ ଅବୟବର ଚାରିପଟେ ବେଢ଼ିଯାଇ ସେହି ଗଛ, ଗଛର ପତ୍ର ଓ ଫୁଲର ଅନେକ ପ୍ରଶଂସା କଲେ । କେହି ଯଦି ସେ ଗଛର ପତ୍ରଟିଏ କି ଫୁଲଟିଏ ଛିଣ୍ଡାଇ ନେଲା ତାରି ବିରୁଦ୍ଧରେ ଗୋଛା ଗୋଛା ଅଭିଯୋଗ ପତ୍ର ଉପସ୍ଥାପିତ ହେଲା । କେବଳ ସେଇ ମାତ୍ର ଦୋଷୀ ହେଲା ଓ ଘରର ଅନ୍ୟମାନେ ପ୍ରତ୍ୟେକେ ଜଣେ ଜଣେ ବିଚାରକ ହୋଇ ତାରି କାର୍ଯ୍ୟକୁ ନାପସନ୍ଦ କରିବାକୁ ଲାଗିଲେ । ସେଇଥିପାଇଁ ସେ ଗଛରୁ ପତ୍ରଟିଏ କି ଫୁଲଟିଏ ଛିଣ୍ଡାଇବାକୁ କେହିହେଲେ ସାହସ କରି ପାରିଲେ ନାହିଁ ।

 

ମୁଁ ଦେଖିଲି ଅବସର ପାଇଲେ, ମୋର ସ୍ତ୍ରୀ ମଧ୍ୟ ସେହି ରଙ୍ଗଣୀ ଗଛ ନିକଟରେ ଯାଇ ଛିଡ଼ା ହେଲେ ଓ ସେହି ଗଛର ସ୍ତୁତିଗାନ କଲେ । ବଡ଼ ପାଟିରେ ଡାକ ପକାଇଲେ, ଶୁଣୁଛ । ଆଜି ସାତୋଟି ଫୁଲ ଫୁଟିଛି । କାଲିକି ଏଇ ନଅଟି କଢ଼ ଫୁଟିବ ।

 

ମୁଁ ସେହି ଗଛ ପାଖକୁ ଗଲେ ଖୁବ୍‌ ଆନନ୍ଦ ଗଦ୍‌ ଗଦ୍‌ ହୋଇ ପଡ଼ୁଥିଲି । ସେହି ଆନନ୍ଦ, ସେହି ଗଦ୍‌ ଗଦ୍‌ ଭାବରେ ମାସ ପହିଲାର ମାଧୁର୍ଯ୍ୟଠାରୁ ଆହୁରି ଅଧିକ ଆବେଗ ଥିଲା ।

 

ରଙ୍ଗଣୀ ଗଛ ଓ ତାରି ଫୁଲ ଦେଖିଲେ ମୋର ବାଲ୍ୟ ଜୀବନର ଅନେକ ସ୍ମୃତିର ସୁରଭି ମନେ ପଡ଼ୁଥିଲା । ମୋ ମନ ଭିତରଟା ପ୍ରଗଳ୍‌ଭ ଓ ରସାଳ ହୋଇ ଉଠୁଥିଲା । ମୁଁ ଅତୀତର ସେହି ଛିପି ଛିପିକା ଟୁକୁରା ଟୁକୁରା ସ୍ମୃତି ଭିତରେ ପୋତି ହୋଇ ପଡ଼ୁଥିଲି ।

 

ସତେ ଅବା ସେହି ରଙ୍ଗଣୀ ଗଛର ନାଲି ଟହ ଟହ ଫୁଲ ମୋର ହାତ ଧରି ଅନେକ ଅତୀତର ପୂର୍ବ ଅବସ୍ଥାକୁ ଡାକି ନେଉଥିଲା । ସେ ମୋ ମୁହଁରେ ଆଲ୍ଲାଉଦ୍ଦିନ୍‌ର ହାତ ବୁଲାଇ, ମୋ ବୟସର କ୍ଳାନ୍ତିକୁ ଛଡ଼ାଇ ନେଉଥିଲା । ମୋ କାନରେ ସତେ ଅବା ଚୁପ୍‌ ଚୁପ୍‌ କରି କହୁଥିଲା, ତୁ ବୁଢ଼ା ନୋହୁ, ବୁଢ଼ା ନୋହୁ । ତୁ ସେଇ ଦିନର ସେଇ ଯୁବକ । ମନ ଭାବନରେ ଅନେକ ସ୍ଵପ୍ନ ଅନେକ କଳ୍ପନାର ଚାରା ବୁଣି ଖିଲି ଖିଲି ହସି ଉଠୁଥିଲା ।

 

ଆଉ ମୁଁ ମନକୁ ମନ ଦୋହରାଉ ଥିଲି, ମୁଁ ବୁଢ଼ା ନୁହେଁ, ବୁଢ଼ା ନୁହେଁ, ମୁଁ ଯୁବକ । ଅତୀତର ସେହି ମଦମତ୍ତ ଯୁବକ । ମୋର ଜଞ୍ଜାଳ ନାହିଁ, କ୍ଳାନ୍ତି ନାହିଁ, କାରୁଣ୍ୟ ନାହିଁ । ମୁଁ କଳ୍ପନା ଦୋଳିରେ ଝୁଲି ଝୁଲି ଜୀବନ ଯୌବନର ଗୀତ ଗାଏ । ମୋରି ମନ ଆକାଶରେ ଲୁଚି ଯାଏ । ଛପି ଯାଏ ।

 

ମୋ’ ସ୍ତ୍ରୀ ମୋ ଆଗରେ ଆସି ଛିଡ଼ା ହୁଏ । ତାକୁ ଦେଖି ମୋର ମନେ ହୁଏ ସେ ସତେ ଅବା ମୋରି ପ୍ରଥମ ଜୀବନର ସେହି ଅଲିଅଳ, ଅଳସୀ କନ୍ୟା ମୁଁ ତା’ ପିଠିରେ ସ୍ନେହର ସ୍ପର୍ଶ ଦିଏ-। ସେ ଆଖି ବୁଜି ବୁଜି ସେହି ସ୍ନେହକୁ ପିଇଯାଏ ।

 

ଆମେ ଉଭୟେ “ଆମର ବର୍ତ୍ତମାନକୁ ଗୋଟାପଣେ ଭୁଲିଯାଉ ।”

 

ସେ ଦିନ ମୁଁ ଆନନ୍ଦାତିଶଯ୍ୟରେ ପାଗଳ ହୋଇ ଉଠିଥିଲି । ଆଗ୍ରହରେ ମୁଁ ଫୁଲଭରା ରଙ୍ଗଣୀ ଗଛରୁ ଦି’ ଟା ଫୁଲ ଛିଣ୍ଡାଇ ମୋ’ ସ୍ତ୍ରୀର ଜୁଡ଼ା ଉପରେ ଖଞ୍ଜି ଦେଲି ।

 

ମୋ ସ୍ତ୍ରୀ ଲାଜରେ ମୋଡ଼ି ହୋଇଗଲା । ସେ ସେହି ଫୁଲ ଦି’ଟାକୁ ଜୁଡ଼ାରୁ କାଢ଼ି ଲୁଚାଇ ଦେବାକୁ ଚାହୁଁଥିଲେ ବି’, ମୋ ମନରେ ଆଘାତ ହେବ ଭାବି, ସେତକ କରି ପାରିଲା ନାହିଁ-। କେବଳ ରହି ରହି କହିଲା, ଏ କଣ କଲ ? ପିଲାଏ ଦେଖିବେ ଯେ !

 

ସତକୁ ସତ ମୋ’ ସ୍ତ୍ରୀ ଜୁଡ଼ାର ରଙ୍ଗଣୀ ଫୁଲ ଦି’ଟା, ମୋ ପୁଅ ଝିଅଙ୍କ ଆଖିରେ ପଡ଼ିଲା-

 

ବଡ଼ ବଡ଼ ପୁଅଝିଅମାନେ କିଛି କହି ନ ପାରିଲେ ବି ରଙ୍ଗଣୀ ଗଛ ପାଖକୁ ସେ ଦିନ ଆଉ ଗଲେ ନାହିଁ ।

 

ମୁଁ ଭାବିଲି ସେମାନେ ମୋରି କାର୍ଯ୍ୟକୁ ପସନ୍ଦ କରି ନାହାନ୍ତି । କିନ୍ତୁ ସବା ସାନ ଝିଅଟି କହିଲା, ଏ କ’ଣ କଲୁ ଲୋ ମା ? ରଙ୍ଗଣୀ ଗଛରୁ ଫୁଲ ଛିଣ୍ଡାଇଲୁ ! ଆମେ ପରା ଏଯାଏଁ ତାକୁ ଠାକୁରଙ୍କୁ ଦେଇନାହୁଁ !

 

ବଡ଼ ଝିଅ କହିଲା ବାପା ମା’ ପରା ଠାକୁର । ତୋତେ କଣ ତୋ ସାର୍‌ ସ୍କୁଲରେ ସେ କଥା କହି ନାହାନ୍ତି ?

 

ଏ ପ୍ରଶ୍ନ–ଉତ୍ତର ଶୁଣି ମୋ ମୁହଁ ଆହୁରି ତଳକୁ ହୋଇଗଲା । ତଥାପି ସାନ ଝିଅ ବୁଝିଲା ନାହିଁ ।

 

ବଡ଼ ପୁଅ ସବା ସାନ ଝିଅ ଉଦ୍ଦେଶ୍ୟରେ କହିଲା, ଆରେ ତୁଟା ଏଡ଼େ ବୋକୀ ? ରଙ୍ଗଣୀ ଫୁଲରେ ବାସ୍ନା ନାହିଁ । ବାସ୍ନା ନଥିବା ଫୁଲ ଠାକୁରଙ୍କ ଦେହରେ ଲାଗି ହୁଏ ନାହିଁ ।

 

ସାନ ଝିଅ ମନକୁ ଏ କଥାଟା ଚଟ୍‌ କରି ଧରିଲା । ସେ ନିର୍ବିକାର ଭାବରେ ନିଜ ହାତରେ ରଙ୍ଗଣୀ ଫୁଲଟିଏ ଛିଣ୍ଡାଇ ଆଣି ନାକ ପାଖରେ ତାର ବାସ୍ନା ପରୀକ୍ଷା କଲା ଏବଂ କହିଲା, ଆରେ ସତେତ ! ଏ ଫୁଲରେ ବାସ୍ନା ନାହିଁ ।

 

ଏହାପରେ ମୋର ପୁଅଝିଅମାନେ ପ୍ରତ୍ୟେକେ ଗୋଟିଏ ଗୋଟିଏ ରଙ୍ଗଣୀ ଫୁଲ ଛିଣ୍ଡାଇ ତାର ବାସ୍ନା ପରୀକ୍ଷା କଲେ ଓ ତଳକୁ ଫିଙ୍ଗି ଦେଲେ ।

 

ଆଉ ମୁଁ ଉପଲବ୍‌ଧି କଲି, ସତେ ଅବା ମୁଁ ସେହି ରଙ୍ଗଣୀ ଫୁଲର ବାସ୍ନା ଅପହରଣ କରି ତାକୁ ଅନାବଶ୍ୟକ, ଅକର୍ମଣ୍ୟ ଓ ମୂଲ୍ୟହୀନ କରି ପକାଇଛି । ଆମର ସଂସାରରେ ରଂଗଣୀ ଗଛର ଯେଉଁ ଭୂମିକା ଥିଲା, ତାକୁ ମୁଁ କ୍ଷୁଣ୍ଣ କରି ଦେଇଛି । ତାକୁ କେନ୍ଦ୍ର କରି ଆମ ଘରେ ସରସତାର ଯେଉଁ କଳ–ଗୁଞ୍ଜନ ଲହରାଇ ଉଠୁଥିଲା, ତାକୁ ନିଜ ହାତରେ ହତ୍ୟା କରିଛି ।

 

ମୁଁ ଦୋଷୀଟିଏ ପରି ସାମନା ଦରଜା ପଟେ ବାହାରକୁ ଚାଲି ଗଲି ।

☆☆☆

 

ସର୍ପ ଜନ୍ମ ବୃତ୍ତାନ୍ତ

।। ଏକ ।।

 

ପ୍ରତ୍ୟେକ ସମ୍ବାଦ ପତ୍ରରେ ପ୍ରକାଶିତ ହେଲା, ଇନ୍ଦ୍ରଜିତ ବାବୁ ତାଙ୍କର ସମସ୍ତ ଗଚ୍ଛିତ ସମ୍ପତ୍ତି ସ୍କୁଲ ଗୃହ ନିର୍ମାଣ ଉଦ୍ଦେଶ୍ୟରେ ଦାନ କରି ସ୍ଥାନୀୟ ଲୋକଙ୍କର ଧନ୍ୟବାଦର ପାତ୍ର ହୋଇଛନ୍ତି ।

 

କୁବେର ସାହୁ ଏ ସମ୍ବାଦ ପାଠକରି ମନକୁ ମନ ହସିବାକୁ ଲାଗିଲେ । ସ୍ଥାନୀୟ ଲୋକଙ୍କର ସାଧାରଣ ଧନ୍ୟବାଦଟିଏ ପାଇବାପାଇଁ ଇନ୍ଦ୍ରଜିତର କି ବ୍ୟାକୁଳତା ! ନୁଖୁରା ଧନ୍ୟବାଦ ବଦଳରେ, ତା’ର ଏତେ ଦିନର ସଞ୍ଚୟକୁ ପର ହାତକୁ ଟେକି ଦେଇ ଦାଣ୍ଡର ଭିକାରି ପାଲଟି ଗଲା ! ଲୋକଟା କି ନିର୍ବୋଧ ସତରେ ? ଧନ୍ୟବାଦ ପାଇଁ ଯଦି ଏତେ ବ୍ୟାକୁଳ, ତାଙ୍କୁ କହିଥିଲେ ସେ ମାଗଣାରେ ଗୋଟିଏ କାହିଁକି, ଶହ ଶହ ଧନ୍ୟବାଦ ଦେଇ ପାରିଥାନ୍ତେ ।

 

କୁବେର ସାହୁ ନୁଖୁରା ଚା’ କପଟିଏ ପାଇଁ ବରାଦଦେଇ ମନେ ମନେ ଭାବିଲେ ଯାହାହେଉ ଏଥର ତାଙ୍କର ଚଲାବାଟରୁ କଣ୍ଟା ଗଲା । ଇନ୍ଦ୍ରଜିତ ହାତରେ ପଇସା ରହିଲା ନାହିଁ । ଲୋକେ ଏଥର ତାଙ୍କ ପାଖକୁ ଛାଣି ହୋଇ ଆସିବେ । ଟଙ୍କାଏ ଋଣରେ ମାସକୁ ସୁଧ ପାଞ୍ଚ ପଇସା ପରିବର୍ତ୍ତେ ଦଶ ପଇସା କଲେ ବି, ଚଳିବ । ଲୋକେ ଆଉ ତାଙ୍କ ଦୁଆର ମୁହଁରେ ଇନ୍ଦ୍ରଜିତର ଚର୍ଚ୍ଚାକରି ସୁଧ କମାଇବାର ଦୁଆ ଉଠାଇବେ ନାହିଁ ।

 

॥ ଦୁଇ ॥

 

କୁବେର ସାହୁ ବର୍ଷ କେଇଟା ପରେ ଆଶାତୀତ ଧନର ଅଧିକାରୀ ହେଲେ । କିନ୍ତୁ ଲୋଭର କ’ଣ କିଛି ସୀମା ଅଛି ?

 

ଶହେ ଟଙ୍କାର ଅଧିକାରୀ ହଜାର ଟଙ୍କାର ସ୍ଵପ୍ନ ଦେଖେ । ହଜାରେ ଟଙ୍କା ପାଖକୁ ଲକ୍ଷ ଟଙ୍କାର ସ୍ଵପ୍ନ ଝସାଇ ପଶେ । ଏମିତି ଆହୁରି କେତେ–

 

କୁବେର ସାହୁ କେବଳ ଗୋଟିଏ ଗାଁ ନୁହେଁ, ଅଞ୍ଚଳର କୁବେର ରୂପେ ପରିଚିତ ହେଲେ-। ବିଲ, କୋଠାବାଡ଼ି, ସୁନାଗହଣାର ଝକ୍‌ମାରୀ ଖେଳ ତାଙ୍କ ଆଖିରୁ ନିଦ ଛଡ଼ାଇ ନେଲା । ସେ ଦିନରାତି ଭାବି ବସିଲେ, ଆହୁରି ହେଉ, ଆହୁରି ହେଉ । ସାରା ସଂସାରଟା ତାଙ୍କର ହୋଇଯାଉ-

 

କୁବେର ସାହୁ ଜୀବନରେ ଥରେ ହେଲେ କାହାକୁ ହାତ ଉଠାଇ ମୁଠାଏ ଦାନ କରି ନାହାନ୍ତି । ଦେହରୁ ଟିକିଏ ମଳି ଛାଡ଼ିବାକୁ ବି ନାରାଜ । ଯାହା ହାତ ମୁଠାରେ ପଡ଼ିଲା, ରହିଲା । ଖସିବାର ଯୁ’ ନାହିଁ । ଦାନ ପୁଣ୍ୟ କଥା ପଡ଼ିଲେ ନାକ ଟେକି ଭାଗବତ ଶୁଣାନ୍ତି, ମୋତେ କଣ ଇନ୍ଦ୍ରଜିତ କରିପାଇଲ କି ? ପର ପାଇଁ କଣ ଟଙ୍କା ରୋଜଗାର କରିଛି ? ଗାଁ ର ଭଲ ମନ୍ଦ କାର୍ଯ୍ୟରେ କେହି ଭରସା କରି ପାଖ ପଶି ପାରନ୍ତି ନାହିଁ ।

 

।। ତିନି ।।

 

କୁବେର ସାହୁଙ୍କର ପୁଅ ହେଲା ।

 

ପୁଅ ମୁଁହ ଦେଖି କୁବେର ସାହୁ ଫୁଲ ଉଠିଲେ । ମୁଣ୍ଡ ଉପରୁ ବଡ଼ ଚିନ୍ତାଟାଏ ଓହ୍ଲାଇ ପଡ଼ିଲା । ଅପୁତ୍ରିକ କୁବେର ସାହୁଙ୍କ ପ୍ରତି ଆକ୍ଷେପ ଥିଲା ‘କୁବେର ସାହୁ ପରେ ବଂଶ ବୁଡ଼ିବ । ଧନ ସମ୍ପଦ ପର ମୁହଁରେ ପଡ଼ିବ । ବୁଢ଼ାର କଣ ଏତିକି ଅକଲ ନାହିଁ ? କାହା ପାଇଁ ସଞ୍ଚୁଛି ?’ ଆଜି ସେଇ ଅଭାବ ବି’ ପୂରଣ ହେଲା । ଧନ ଜନ ଗୋପ ଲକ୍ଷ୍ମୀରେ ଘର ଉଛୁଳିଲା । ଆଉ ଭୟ କଣ ?

 

କୁବେର ସାହୁ ଏକଲା ବେଳେ ହାତଯୋଡ଼ି ଭଗବାନଙ୍କ ଉଦ୍ଦେଶ୍ୟରେ ଗୁଣୁଗୁଣୁ ହୁଅନ୍ତି, ସବୁ ଦେଲ ଭଗବାନ । ଧନ ସମ୍ପଦ ପାଖକୁ ପୁଅ ଦେଲ । ଆଉ କିଛି କହିବାର ନାହିଁ । କେବଳ ଏତିକି କର, ମୋତେ ଯେତିକି ସମ୍ପଦ ଦେଲ, ପୁଅକୁ ମୋର ସେତିକି ସମ୍ପଦ ଦେଇ ଦିଅ । ପରିବାର ସଂଖ୍ୟା ବଢ଼ିଲା । ଆମେ କରିବୁ କଣ ?

 

॥ ଚାରି ॥

 

ପୁଅ ବଡ଼ ହେବା ସଙ୍ଗେ ସଙ୍ଗେ କୁବେର ସାହୁଙ୍କ ଚିନ୍ତା ବଢ଼ିଲା । ପୁଅର ଖର୍ଚ୍ଚର ସୀମା ନାହିଁ । ବୁଢ଼ାଙ୍କର ଚିନ୍ତାର ଅନ୍ତ ନାହିଁ । ପୁଅର ଖର୍ଚ୍ଚ ଦେଖି କୁବେର ସାହୁଙ୍କୁ ଚିନ୍ତା ଜର ହେଲା । ସେ ବିଛଣାରେ ପଡ଼ି ଛଟପଟ ହେଲେ ଓ ରାତି ଅଧରେ ସପନ ଦେଖି ଟଙ୍କା ସୁନା ଭରା ବାକ୍‌ସ ଅଣ୍ଡାଳି ହେଲେ । ଘରର ଚାବିମାଳ ଆଣି ମୁଚୁଳାତଳେ ରଖିଲେ ଓ ଖାତାପତ୍ର ସବୁ ଶୋଇବା ଘରେ ସଜାଇ ରଖିବାକୁ କହିଲେ । ସେଦିନ ବୁଢ଼ାଙ୍କର ଅନାୟତ୍ତ ଅବସ୍ଥା ଦେଖି ବ୍ରାହ୍ମଣ ହାତରେ ଗାଈ ଦାନ ଟେକିବା ବ୍ୟବସ୍ଥା ହେଲା । ଏହା ଶୁଣି କୁବେରଙ୍କ ମନ ମଉଳି ଗଲା । ସେ ପତ୍ନୀ ପୁତ୍ରଙ୍କୁ ପାଖକୁ ଡାକି ଆଶ୍ଵାସନା ଦେଲେ, ତାଙ୍କର କିଛି ହବ ନାହିଁ । ଅକାରଣଟାରେ ଗାଈ ଦାନ କରିବାକୁ ମନ ବଳାଉଛନ୍ତି କାହିଁକି ?

 

ରାତିରେ କୁବେର ସାହୁ ସ୍ତ୍ରୀ ଦେଖିଲେ, ଯମଦୂତମାନେ ତାଙ୍କୁ ବେଢ଼ିଯାଇ ଯମରାଜାଙ୍କ ପାଖକୁ ଭିଡ଼ି ନେଉଛନ୍ତି । ସେ ଯେତେ ନେହୁରା ହେଲେ ମଧ୍ୟ କେହି ତାଙ୍କ କଥା ଶୁଣୁ ନାହାନ୍ତି । କୁବେର ସାହୁ ତାଙ୍କ ଧନ ସମ୍ପଦର ବିବରଣୀ ବାଢ଼ି ଯମରାଜାଙ୍କୁ ପ୍ରାର୍ଥନା କଲେ, ଆଉ କିଛଦିନ ବଞ୍ଚିବାକୁ ଦିଅନ୍ତୁ । ପୁଅପାଇଁ ଯୋଗ୍ୟ ବୋହୂଟିଏ ବାଛି ବିବାହ କରିବା ପର୍ଯ୍ୟନ୍ତ ମହଲତ ଦରକାର-

 

ଯମରାଜା ତାଙ୍କର ଆକୁଳ ବିନତି ଶୁଣି ଅବଶେଷରେ ନରମି ଗଲେ । କହିଲେ, ଏବେ ମଲେ ରାଜପୁତ୍ର ହୋଇ ଜନ୍ମ ଗ୍ରହଣ କରିବ । ମହଲତ ନେଲେ, ସର୍ପଜଠାରେ ଜନ୍ମଲାଭ କରିବ । କଣ ଚାହଁ ?

 

କୁବେର ସାହୁ ମନକୁ ମନ ଭାବି ସ୍ଥିର କଲେ, ରାଜାମାନଙ୍କର ରାଜୁତି ଆଉ ନାହିଁ କି ରାଜ୍ୟ ନାହିଁ । ରାଜପୁତ୍ର ହୋଇ ଜନ୍ମ ଗ୍ରହଣ କଲେ ଲାଭ କ’ଣ ? ବରଂ ଯେତିକି ଧନ ଅର୍ଜିଛନ୍ତି, କିଛିଦିନ ପାଇଁ ରାଜାଠୁ ବଡ଼ ସମ୍ରାଟ ପରି ଚଳିବେ । ପରେ ବଦଖର୍ଚ୍ଚୀ ପୁଅ ପାଇଁ ତାଙ୍କର ମିଞ୍ଜାସର କନ୍ୟା ପାତ୍ରୀଟିଏ ଖଞ୍ଜିଦେବେ । ତେଣିକି ତାଙ୍କ ଅର୍ଜିତ ସମ୍ପତ୍ତିର ରକ୍ଷଣାବେକ୍ଷଣ ପଥ ସୁଗମ ହେବ । ସେ ଯମ ରାଜାଙ୍କୁ ତାଙ୍କରି ଘରେ ଜନ୍ମ ହେବା ପାଇଁ କହିବେ ଓ ସର୍ପ–ଜନ୍ମ ଲାଭ ପରେ ପୋତା ହୋଇଥିବା ଧନର ନିରାପତ୍ତା ରକ୍ଷା କରିବେ । ଯମରାଜା ତାଙ୍କରି କଥା ଶୁଣି ‘ତଥାସ୍ତୁ’ କଲେ ।

 

।। ପାଞ୍ଚ ।।

 

ପରଦିନ ସକାଳୁ ଦେଖାଗଲା, ବୁଢ଼ାଙ୍କର ଦେହରୁ ଗମ ଗମ ହୋଇ ଝାଳ ନିଗିଡ଼ି ଯାଉଛି । ଦେହରୁ ତାପ ମଧ୍ୟ କମି ଗଲା । ସେ କ୍ରମେ ସୁସ୍ଥ ଅନୁଭବ କଲେ ।

 

ଠିକ୍ ଏତିକିବେଳେ ତାଙ୍କ ମୁଣ୍ଡ ସାମନାରେ ରଖାଯାଇଥିବା ସିନ୍ଦୁକ କଡ଼ରେ ଗୋଟିଏ ଅଚିହ୍ନା ଶିଶୁ–ସର୍ପ ଦେଖାଗଲା ।

 

ଲୋକେ ବୁଢ଼ାଙ୍କର ଶୋଇବା ଘରେ ସାପ ଦେଖି ଆତଙ୍କ ଗଣିଲେ ଓ ତାକୁ ମାରି ଶେଷ କରିଦେବାର ଉପାୟ ପାଞ୍ଚିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା, ବୁଢ଼ା ଅତି ତନ୍ମୟ ଭାବରେ ସେହି ଶିଶୁ–ସର୍ପକୁ ଦେଖି ଉତ୍ସାହିତ ହେଲେ । ତା’ ପାଇଁ କ୍ଷୀର ଆଣି ଦେବାକୁ ଆଦେଶ କଲେ । ସମବେତ ନର ନାରୀଙ୍କୁ ଶୁଣାଇ ବସିଲେ, ସର୍ପ ହେଲା ଦେବାଧିଦେବ ମହାଦେବଙ୍କ ବାହନ । ସର୍ପକୁ ସନ୍ତୁଷ୍ଟ କଲେ, ମହାଦେବ ପ୍ରୀତ ହୋଇ ଧନ ଜନ ଗୋପ ଲକ୍ଷ୍ମୀ ପ୍ରଦାନ କରନ୍ତି । ତେଣୁ ସର୍ପ ପ୍ରତି ବିମୁଖ ହେବା ଅନୁଚିତ ।

 

ମନେହେଲା, କୁବେର ସାହୁ ସ୍ଵପ୍ନ କଥା ଓ ଆଗାମୀ ଜନ୍ମ କଥା ଭାବୁଥିଲେ । ଆଗାମୀ ଜନ୍ମରେ ତାଙ୍କ ଜୀବନର ସୁବ୍ୟବସ୍ଥା କଥା ନିର୍ଦ୍ଧାରଣ କରୁଥିଲେ ।

 

କୁବେରଙ୍କ ପୁତ୍ର କିନ୍ତୁ ବାପାଙ୍କର କଥା ଶୁଣି ହସରେ ଉଡ଼ାଇଦେଲେ । ଉତ୍ତର ଦେଲେ, ସର୍ପ ମହାଦେବଙ୍କର ବାହନ ହେଲେ ମଧ୍ୟ, ଘର ଭିତରେ ଚଳ ପ୍ରଚଳ ହୋଇ ପାରିବନାହିଁ । ସେ ଯେତେହେଲେ ବିଷଧର ପ୍ରାଣୀ । ତା’ର ବିନାଶ କରିବା ସର୍ବାଦୌ କର୍ତ୍ତବ୍ୟ ।

 

କୁବେର ସାହୁଙ୍କ କଥା ରହିଲା ନାହିଁ । ସର୍ପ ନିଧନ ହେଲା ।

 

ନିଧନ ସର୍ପକୁ ଦେଖି କୁବେର ସାହୁ କାନ୍ଦିଲେ । ତାଙ୍କର ବର୍ତ୍ତମାନ ସ୍ପଷ୍ଟ ଧାରଣା ହେଲା ଯେ, ଜୀବତାବସ୍ଥାରେ ଦାନ ଧର୍ମ ବା ପରୋପକାର କାର୍ଯ୍ୟରେ ନିଜ ଅର୍ଜିତ ଧନରୁ କାଣିଚାଏ ସୁଦ୍ଧା ଖର୍ଚ୍ଚ ନକରି, ସେ ଲୋକମାନଙ୍କର ସ୍ନେହ ସହନୁଭୂତିରୁ ବଞ୍ଚିତ ହୋଇଛନ୍ତି । ମୃତ୍ୟୁପରେ ନିଜ ଅର୍ଜିତ ସମ୍ପତ୍ତିର ସୁରକ୍ଷା ପାଇଁ ଯଦି ବା’ ସେ ସର୍ପଜନ୍ମ ଗ୍ରହଣ କରନ୍ତି, ତାହାହେଲେ ନିଜ ଜନ୍ମ କଲା ପୁତ୍ରର ଲାଠି ପ୍ରହାରରେ ମୃତ୍ୟବରଣ କରିବେ ।

 

ଇନ୍ଦ୍ରଜିତଙ୍କ କଥା ତାଙ୍କର ମନେ ପଡ଼ିଲା । ଏତେ ଦିନରେ ସେ ବୁଝିଲେ, ଇନ୍ଦ୍ରଜିତଙ୍କ କଥା ହିଁ ଠିକ୍‌ । ସେ ମନକୁ ମନ ଗୁଣୁଗୁଣୁ ହେଲେ “ଧନ ଅର୍ଜିଲେ ଧର୍ମକରି ।”

 

ସର୍ପ-ମୃତ୍ୟୁ ପରେ ଦେଖାଗଲା, କୁବେର ସାହୁ ବଦଳି ଯାଇଛନ୍ତି । ସେ ଇନ୍ଦ୍ରଜିତଙ୍କ ପରି ନିଜ ଗାଁରେ ଦାତବ୍ୟ–ଚିକିତ୍ସାଳୟ ଖୋଲିବାର ଉଦ୍ୟମ କରୁଛନ୍ତି ।

☆☆☆

 

ସର୍ପ

।। ଏକ ।।

 

ସେଦିନ ହଠାତ୍ ମିଷ୍ଟର ଶର୍ମାଙ୍କର ଉପସ୍ଥିତି ଆମ ସମସ୍ତଙ୍କ ମନରେ ଯେ ନିର୍ଦ୍ଦିଷ୍ଟଭାବେ ଆଲୋଡ଼ନ ସୃଷ୍ଟି କଲା, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।

 

ମୁଁ ଓ ନରେଶ ଚେସ୍ ଖେଳର ମସଗୁଲ ଭିତରେ ନିମଗ୍ନ ରହି, ମିଷ୍ଟର ଶର୍ମାଙ୍କର ପ୍ରଥମ ଆବିର୍ଭାବକୁ ଲକ୍ଷ୍ୟ କରି ପାରି ନ ଥିଲୁ । କିନ୍ତୁ ଆମ ଚେସ୍ ଖେଳର ନୀରବ ଦ୍ରଷ୍ଟା ଦୀନବନ୍ଧୁ ବାବୁଙ୍କର ସତର୍କ ଦୃଷ୍ଟିରୁ ମିଷ୍ଟର ଶର୍ମାଙ୍କର ଆତଙ୍କିତ ମୁଖ–ମଣ୍ଡଳ ଓ ପ୍ରକମ୍ପିତ କଳେବରର ଭୀତିପ୍ରଦ ଦୃଶ୍ୟ ବାଦ ପଡ଼ି ନ ଥିଲା ।

 

ସେ ଦିନ ଆମେ ଶନିବାର ସନ୍ଧ୍ୟା ମନାଉଥିଲୁ । ଆଗତ ପ୍ରାୟ ରବିବାରର ନିର୍ଜଞ୍ଜାଳ ଅବସର, ଆମ ମନ ଭିତରେ ରଙ୍ଗୀନ ଆଳସ୍ୟ ଭରି ଦେଇଥିଲା । କିନ୍ତୁ ଇତି ପୂର୍ବରୁ ଆମର ପ୍ରୋଗ୍ରାମ ଥିଲା; ମୁଁ, ନରେଶ, ଦୀନବନ୍ଧୁ ବାବୁ ଓ ମିଷ୍ଟର ଶର୍ମା ସେ ଦିନ ସନ୍ଧ୍ୟାରେ କେରମ୍‌ ଖେଲିଥାନ୍ତୁ । ବାଜିମରା କେରମ୍‌ ଖେଳ । ହାରିବା ଲୋକ ଜିତାପଟକୁ ରବିବାର ମାଟନୀ ସୋ’ ଦେଖାଇଥାନ୍ତା । ଦୀନବନ୍ଧୁ ବାବୁଙ୍କର ପାର୍ଟନର ମିଷ୍ଟର୍ ଶର୍ମା ପ୍ରଥମେ ଏ ପ୍ରସ୍ତାବରେ ସମ୍ମତି ପ୍ରଦାନ କରିଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ନିଜ ସ୍ୱୀକୃତିକୁ ଟାଳି ଦେଲେ । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଘରୋଇ କାର୍ଯ୍ୟର ଆଳ ଦେଖାଇ ଶନିବାର ସନ୍ଧ୍ୟାରେ ଅନୁପସ୍ଥିତ ରହିଲେ । ଆମର ପ୍ରସ୍ତାବିତ କେରମ୍‌ ଖେଳ ଅଗତ୍ୟା ବନ୍ଦ ରହିଲା । ମିଷ୍ଟର ଶର୍ମାଙ୍କର ପ୍ରକୃତି ସବୁବେଳେ ଦୋଳାୟମାନ । ତାଙ୍କ କଥା ଉପରେ ନିର୍ଭର କରି ହୁଏ ନାହିଁ । ସେ ବାରମ୍ବାର ପ୍ରତିଜ୍ଞା କରି, ପ୍ରତିଜ୍ଞା ଟାଳିବାର ଆନନ୍ଦ ପାଇଥାନ୍ତି । ତାଙ୍କର ଇତସ୍ତତଃ ବ୍ୟକ୍ତିତ୍ଵ ଉପରେ କେବଳ ଆମର ନୁହେଁ, ତାଙ୍କର ନିକଟ ସଂସ୍ପର୍ଶରେ ଆସୁଥିବା କାହାରି ହେଲେ ଅସ୍ଥା ନ ଥାଏ ।

 

ତଥାପି ସମ୍ବଲପୁର ସହରରେ ଆମେ ସମସ୍ତେ ଗୋଟିଏ ସ୍ତରର ସରକାରୀ କର୍ମଚାରୀ ହୋଇଥିବାରୁ, ତାଙ୍କର ବ୍ୟକ୍ତିତ୍ଵ ପ୍ରତି ଅନାସ୍ଥା ଭାବ ଜାଗ୍ରତ ହୋଇ ସାରିଥିଲେ ସୁଦ୍ଧା, ଶନିବାର ଆସରରେ ବାରମ୍ବାର ଏକାଠି ହେବାକୁ ବାଧ୍ୟ ହେଉଥିଲୁ ।

 

ଆମେ କେରମ୍‌ ପ୍ରୋଗ୍ରାମ ବନ୍ଦ କରି ଚେସ୍ ଖେଳରେ ବସିବା ପୂର୍ବରୁ, ମିଷ୍ଟର୍ ଶର୍ମାଙ୍କର ଅନୁପସ୍ଥିତି ସଂପର୍କରେ ଆଲୋଚନା କରିଥିଲୁ । ତାଙ୍କର ହଠାତ୍ କେଉଁ ଧରଣର ଘରୋଇ କାର୍ଯ୍ୟ ପଡ଼ିଥାଇ ପାରେ, ତାକୁ କେନ୍ଦ୍ର କରି ଅନେକ ସମ୍ଭାବ୍ୟ ପ୍ରସଙ୍ଗ ବି ପଡ଼ିଥିଲା । କିନ୍ତୁ ଅନୁପସ୍ଥିତିର ଅସଲ ମର୍ମ ସ୍ଥିର ହୋଇ ପାରିଲା ନାହିଁ ।

 

ଏଇଠି କହି ରଖିବା ଉଚିତ୍ ହେବ ଯେ, ମିଷ୍ଟର ଶର୍ମାଙ୍କର ଘରୋଇ ପ୍ରସଙ୍ଗ ଖୁବ୍‍ ସ୍ୱଚ୍ଛଳ ଥିଲା । ଅନ୍ୟ ଭାଇମାନେ ସରକାରୀ କଳର ଉଚ୍ଚପଦବୀରେ ଆସୀନ ଥିଲେ । ଅଭାବ ଅନଟନର କାରଣ ନ ଥିଲା । ଘରେ ତାଙ୍କର ସୁଶିକ୍ଷିତା, ସୁନ୍ଦରୀ ତଥା ସ୍ଵାସ୍ଥ୍ୟବତୀ ପତ୍ନୀ ସନ୍ତାନ, ସମ୍ପତିଙ୍କର ଦୟିତ୍ୱକୁ ଅତି ସୁନ୍ଦର ଭାବରେ ନିର୍ବାହ କରୁଥିଲେ । ସମସ୍ତେ ସୁଖୀ ଥିଲେ ।

 

ତଥାପି ଘରୋଇ ଅସୁବିଧା ଦେଖାଇ, ଆମ ସଙ୍ଗ ଏଡ଼ାଇ ଦେଇଥିବାରୁ, ଆମେ ମିଷ୍ଟର ଶର୍ମାଙ୍କ ଉପରେ ନାରାଜ ଥିଲୁ । ସ୍ଥିର କରିଥିଲୁ, ଆଉ ତାଙ୍କୁ ଶନିବାର ଆସରର ସାଥି କରିବୁ ନାହିଁ-

 

ଦୀନବନ୍ଧୁ ବାବୁ ମିଷ୍ଟର ଶର୍ମାଙ୍କ ସଂପର୍କରେ ଆମ ଅପେକ୍ଷା ଅନେକ କିଛି ଅଧିକ କଥା ଜାଣିଥିଲେ । ସେ ସବୁ କଥା ଗୋପନ ରଖିବାକୁ ସ୍ଥିର କରି ମଧ୍ୟ ଶେଷ ପର୍ଯ୍ୟନ୍ତ ତାହା ସେ କରିପାରିଲେ ନାହିଁ । ନିଜ ଅଜ୍ଞାତସାରରେ ତାଙ୍କ ମୁହଁରୁ ମିଷ୍ଟର ଶର୍ମାଙ୍କ ପ୍ରକୃତି ଓ ପ୍ରବୃତ୍ତିର ଗୋପନ ତଥ୍ୟ ସବୁ ଆପେ ଆପେ ବାହାରି ପଡ଼ିଲା ।

 

ଆମେ ଜାଣିଲୁ, ମିଷ୍ଟର ଶର୍ମା ସରକାରୀ କଳର ବଡ଼ ପଦବୀରେ ଆସୀନ ଥାଇ ମଧ୍ୟ ଅତି ହୀନ ଆଚରଣ କରନ୍ତି । ସରକାରୀ କ୍ଷମତାର ଅପପ୍ରୟୋଗ କରି ଜନସାଧାରଣଙ୍କ ନିକଟରୁ ନିଃସଙ୍କୋଚରେ ଉତ୍କୋଚ ଗ୍ରହଣ କରିଥାନ୍ତି । ଧରା ପଡ଼ିବେ ନାହିଁ ବୋଲି ପତ୍ନୀ ହାତକୁ ମାସ ଶେଷରେ ଦରମାତକ ବଢ଼ାଇ ଦିଅନ୍ତି ଓ ଉତ୍କୋଚ ଟଙ୍କାରେ ଅବୈଧ ଆଚରଣ କରିଥାନ୍ତି ।

 

‘ଅବୈଧ ଆଚରଣ !’; ମୁଁ ଓ ନରେଶ ବିସ୍ମୟ ପ୍ରକାଶ କଲୁ ।

 

‘ଅବୈଧ ଆଚରଣ ନୁହେଁ ତ ଆଉ କଣ ? ଉତ୍କୋଚ ଟଙ୍କାରେ ସମ୍ବଲପୁର ସହର ଉପକଣ୍ଠରେ ଅବସ୍ଥିତ ନିର୍ଜନ କଫି ହାଉସ ଭିତରେ ବସି ସେ ଦେଶୀ ଓ ବିଦେଶୀ ପାନୀୟର ବ୍ୟବସ୍ଥା କରି ନିଅନ୍ତି । ଟଙ୍କାର ଲୋଭ ଦେଖାଇ ପର ଝିଅ, ପର ସ୍ତ୍ରୀକୁ ନିଜ କାମନା ଯଜ୍ଞର ଆହୂତି ରୂପେ ବ୍ୟବହାର କରନ୍ତି । ଅଥଚ ଘରେ ତାଙ୍କର ଯୁବତୀ ଝିଅ ଓ ସୁନ୍ଦରୀ ସ୍ତ୍ରୀ !’

 

ଦୀନବନ୍ଧୁ ବାବୁଙ୍କ ମୁଁହରୁ ମିଷ୍ଟର ଶର୍ମାଙ୍କର ପ୍ରକୃତି ଓ ପ୍ରବୃତ୍ତିର ଏ ଯାବତ୍‌ ଅନାଲୋଚିତ ବ୍ୟଭିଚାରୀ ଅଂଶତକ ଶୁଣିବା ପରେ ତାଙ୍କ ଉପରେ ଆମ ମନର ଯେଉଁ ଅବଶିଷ୍ଟ ଶ୍ରଦ୍ଧା ଓ ଅନୁରକ୍ତି ଥିଲା କ୍ରମଶଃ ତାହା ବରଫ ଭେଳା ପରି ତରଳିବା ଆରମ୍ଭ କଲା ।

 

ଆମର ମନେ ହେଲା, ସୋନ୍ଦର୍ଯ୍ୟ, ଦେହ, ଆଭିଜାତ୍ୟ କିମ୍ବା ପଦ ପଦବୀ ଉପରେ ପର୍ଯ୍ୟବେଶିତ ନ ଥାଏ । ସେ ଥାଏ ମଣିଷର ମନରେ ।

 

।। ଦୁଇ ।।

 

ମିଷ୍ଟର ଶର୍ମା, କଣ ହେଲା କୁହ ?’ କହି ଦୀନବନ୍ଧୁ ବାବୁ ବସିବାସ୍ଥାନରୁ ଉଠି ପଡ଼ିଲେ ।

 

ଦୀନବନ୍ଧୁ ବାବୁଙ୍କ କଣ୍ଠରେ ବିବ୍ରତ ଉଦ୍‍ବେଗମିଶା ସ୍ୱରଲିପି ଆମ ମନରୁ ଚେସ୍ ଖେଳର ନିଶା ଭାଙ୍ଗିଦେଲା ।

 

ଆମେ ଦେଖିଲୁ, ଶେଷ କାର୍ତ୍ତିକର ଶୀତ ସଂଜରେ ବି ଶର୍ମାଙ୍କ ମୁହଁରେ ଝାଳ ଜମି ଯାଇଥିଲା । ତାଙ୍କ ଆଖିରେ ଶ୍ୱାସରୁଦ୍ଧ ଶଶକର ବିକଳ ଚାହାଣୀ ଥିଲା । ମନେ ହେଲା, ଅନାଗତ ଆଶଙ୍କା ସ୍ମରଣ କରି ସେ ଆତଙ୍କିତ ହୋଇ ପଡ଼ିଛନ୍ତି ।

 

ଅଥଚ ଶର୍ମା ସଦାସର୍ବଦା ନିଜକୁ ଓ ସୁରକ୍ଷିତ ବୋଲି ଘୋଷଣା କରୁଥିଲେ । ଅନେକ କାଳ୍ପନିକ କାହାଣୀ ଶୁଣାଇ ନିଜ ବିଘୋଷିତ ଦାମ୍ଭିକତାକୁ ସାବ୍ୟସ୍ତ କରିବାକୁ ଚେଷ୍ଟା କରୁଥିଲେ । ବାସ୍ତବ ପ୍ରସଙ୍ଗରେ ଅର୍ଦ୍ଧାଧିକ କଳ୍ପନାର ରଙ୍ଗ ବୋଳି, ଦାମ୍ଭିକତାର ବାହାସ୍ପୋଟ ମାରୁ ମାରୁ ସାବ୍ୟସ୍ତ କରିବାକୁ ଚାହୁଁଥିଲେ ଯେ, ପୃଥିବୀରେ ସେଇ କେବଳ ମଣିଷ, ଯିଏ କୌଣସି ପ୍ରକାର ବାଧା ବନ୍ଧନର ଶରବ୍ୟ ହୋଇ ନାହିଁ । ସମସ୍ତ ପ୍ରକାର ଆପଦ ବିପଦ ତାଙ୍କରି ଆଗରେ ପରାସ୍ତ ହୋଇଛି-। ପବନ ପରି ଘେରି ରହିଥିବା ଅସଂଖ୍ୟ ଦୃଶ୍ୟ ଅଦୃଶ୍ୟ ରିଷ୍ଟମାନଙ୍କୁ ଦୁଇ ହାତରେ ଆଡ଼େଇ ଦେଇ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ ପାଇଁ ସେ ଦମ୍ଭିଲା ପାଦ ପକାଇ କଦମ୍ ପରେ କଦମ୍ ଆଗେଇ ଚାଲିଛନ୍ତି-

 

ତେବେ ଆଜି କ’ଣ ସେ କୌଣସି ଆକସ୍ମିକ ବିପଦ ଦ୍ଵାରା କବଳିତ ହେଲେ ? ଆଜି ପ୍ରଥମ କରି କ’ଣ କୌଣସି ଅଦୃଶ୍ୟ ବାଧା ବନ୍ଧନ ଆଗରେ ପରାଜୟ ସ୍ଵୀକାର କଲେ ?

 

ଘଟଣାଟା ଯାହା ହେଉନା କାହିଁକି, ମିଷ୍ଟର ଶର୍ମାଙ୍କର ଉଦ୍‍ବେଗ ପ୍ରପୀଡ଼ିତ ମୁଖମଣ୍ଡଳ, କପାଳର ବିନ୍ଦୁ ବିନ୍ଦୁ ଝାଳ ଆମ ଭିତରେ ଉତ୍କଣ୍ଠା ସୃଷ୍ଟି କଲା ।

 

ଦୀନବନ୍ଧୁ ବାବୁ ଇତ୍ୟବସରରେ ମିଷ୍ଟର ଶର୍ମାଙ୍କ ଖୁବ୍ ପାଖରେ ପହଞ୍ଚି ଯାଇ ସାରିଥିଲେ । ସେ ତାଙ୍କର ହାତ ଧରି ବାରମ୍ବାର ପ୍ରଶ୍ନ କରୁଥିଲେ; କ’ଣ ହୋଇଛି କୁହ !’

 

ମିଷ୍ଟର ଶର୍ମା ଉତ୍ତର ଦେଇ ପାରୁ ନ ଥିବା ଓ ଇତସ୍ତତଃ ଭାବ ପ୍ରକଟ କରୁଥିବା ଦୃଶ୍ୟ ଦେଖି ଆମର ମନେ ହେଲା, ବିପଦ ଅତି ଗୁରୁତର ସଂକଟର ସମ୍ମୁଖୀନ ହେଲା । ତା’ର ମୁକାବିଲା କରି ନପାରି ବାଧ୍ୟ ହୋଇ ଆମର ଆଶ୍ରୟ ପାର୍ଥୀ ହୋଇଛନ୍ତି ।

 

ମୁଁ ଓ ନରେଶ ଚେସ୍ ଖେଳ ଛାଡ଼ି ଆତଙ୍କିତ ଶର୍ମାଙ୍କ ନିକଟସ୍ଥ ହେଲୁ ଓ ଦୀନବନ୍ଧୁ ବାବୁଙ୍କର କଣ୍ଠ ସଙ୍ଗେ ମିଶାଇ ପ୍ରଶ୍ନ କଲୁ; ‘କ’ଣ ହେଇଛି କୁହନ୍ତୁ !’

 

ମିଷ୍ଟର ଶର୍ମା ଶଙ୍କାବହୁଳ, ବିସ୍ଫାରିତ ନୟନ ଯୁଗଳକୁ ଅଳ୍ପ ସଙ୍କୋଚନ କରି ମିଟି ମିଟି ଆଖିରେ ଛଅଟି ପ୍ରଶ୍ନବାଚୀ ଆଖିର ସନ୍ତ୍ରସ୍ତ ଆର୍ତ୍ତନାଦ ଓ ତିନୋଟି କଣ୍ଠର ଓକିଲାତି ସ୍ୱର ଶୁଣି ପ୍ରଥମେ ଅସ୍ପଷ୍ଟ ଭାବରେ ଓ ପରେ ପ୍ରକାଶ୍ୟରେ ଘୋଷଣା କଲେ, ସର୍ପ ! !

 

॥ ତିନି ॥

 

ମିଷ୍ଟର ଶର୍ମାଙ୍କ କଣ୍ଠରେ ‘ସର୍ପ’ ଶବ୍ଦର ଉଚ୍ଚାରଣ ଫେରାର ଆସାମୀର ମୃତ୍ୟୁକାଳୀନ ଜମାନ ବନ୍ଦୀର ବିଭଙ୍ଗ ସ୍ୱରଲିପି ପରି ଜଣା ପଡ଼ୁଥିଲା ।

 

ସର୍ପ ନାମୋଚ୍ଚାରଣ ଶୁଣି ଦୀନବନ୍ଧୁ ବାବୁଙ୍କର ଆଉ ଏକ ଘଟଣା ସ୍ମରଣ ହେଲା । ଦିନେ କଥା ପ୍ରସଙ୍ଗରେ ଶର୍ମା ଘୋଷଣା କରିଥିଲେ ଯେ ସେ ସର୍ପକୁ ବଶୀଭୂତ କରିବାର ସମସ୍ତ କୌଶଳ ହାସଲ କରିଛନ୍ତି । ସେ ସର୍ପ ମନ୍ତ୍ର ମଧ୍ୟ ଜାଣନ୍ତି । ମନ୍ତ୍ର ପଢ଼ିଲେ ଗହ୍ୱର ମଧ୍ୟରୁ ସର୍ପ ସିଧା ସଳଖ ବାହାରକୁ ଚାଲିଆସି ଶର୍ମାଙ୍କ ସାମ୍ନାରେ ଚିତ୍ ହୋଇ ପଡ଼ିଯାଏ । ନାଗ ସାପ ତା’ର ଅବୁଝା ସଁ ସଁ ଶବ୍ଦରେ ପରାଜିତାର ପ୍ରାର୍ଥନା ବାଢ଼େ । ସେତେବେଳେ ସେ କ୍ଷୂଦ୍ରକାୟ ପିମ୍ପୁଡ଼ିଠାରୁ ଆହୁରି ହୀନସ୍ତରର କୀଟପତଙ୍ଗ ପରି ଦୟନୀୟ ଆଚରଣ କରିଥାଏ ।

 

‘ସର୍ପ ମନ୍ତ୍ର ପଢ଼ିଲୁନି ?’ ଦୀନବନ୍ଧୁ ବାବୁ ପ୍ରଶ୍ନ କଲେ ।

 

‘ସେହି ସର୍ପକୁ ଦେଖି ମୁଁ ଆତଙ୍କିତ ହୋଇ ପଡ଼ିଲି । ସର୍ପ ମନ୍ତ୍ର ମନେ ପଡ଼ିଲା ନାହିଁ ।’ ଶର୍ମା ସାମାନ୍ୟ ଲଜ୍ଜିତ କଣ୍ଠରେ ପ୍ରକାଶ କଲେ । ଅଳ୍ପ ସମୟ ଦମ୍ ନେଇ ପୁଣି ସଂଯୋଗ କଲେ; ସେହି ଅତିକାୟ ସର୍ପ ମୋତେ ଦେଖିବା ମାତ୍ରେ କ୍ରୁଦ୍ଧ ହେଲା । ମୋତେ ଦଂଶନ କରିବା ବୋଲି ତୀର ବେଗରେ ମୋ ଆଡ଼କୁ ଛୁଟି ଆସିଲା । ମୁଁ ପ୍ରାଣ ଭୟରେ ଚାଲି ଆସିଲି ।

 

‘କାର କ’ଣ ହେଲା ? କ’ଣ ଚାଲି ଚାଲିକା ଆସୁଥିଲେ ?’ ମୁଁ ପ୍ରଶ୍ନ କଲି ।

 

ହଁ, ଗାଡ଼ି ଖରାପ ଥିବାରୁ ଭାବିଲି; ଅଳ୍ପ ରାସ୍ତା ତ ! ଚାଲି ଚାଲି ଯାଏ ।’ ଶର୍ମା ଉତ୍ତର ଦେଲେ । ତାଙ୍କ କଣ୍ଠର ଭୟାର୍ତ୍ତ ସ୍ୱର କ୍ରମେ ଅପସାରିତ ହୋଇ ଆସୁଥାଏ ।

 

ପିଚୁ–ଢଳା ପ୍ରଧାନ ସଡ଼କରେ ପୁଣି ସର୍ପ !’ ନରେଶ ମନ୍ତବ୍ୟ ଦେଲା ।

 

‘ନା, ସଡ଼କ ଉପରେ କହିଲେ ଭୁଲ ହେବ । କାରଣ ମୁଁ ସଡ଼କ କାଟି ସେହି ଅଣଓସାରିଆ ପାଦଚଲା ରାସ୍ତା ଧରିଥିଲି । ହଠାତ୍ ଅମରୀବଣ ପାଖରେ ସର୍ପ ଦେଖିଲି ।’

 

ଦୀନବନ୍ଧୁ ବାବୁ ଲକ୍ଷ୍ୟ କଲେ, ମିଷ୍ଟର ଶର୍ମା ଏଥର ନିଜ ବକ୍ତବ୍ୟକୁ ସଜାଡ଼ିବାରେ ଲାଗି ପଡ଼ିଲେଣି । ଅସଲ କାରଣ ଜାଣିବା ଆଉ ସହଜ ନୁହେଁ । ତା’ ଛଡ଼ା ସେ ବୁଝି ସାରିଲେଣି ଯେ ସମସ୍ତେ ତାଙ୍କ କଥାରେ ଅବିଶ୍ଵାସ କରିବା ଆରମ୍ଭ କରି ଦେଲେଣି । ଆଉ ଟିକେ ପରେ ସ୍ୱାଭାବିକ ଅବସ୍ଥା ଫେରି ଆସିଲେ ହୁଏତ ସେ ଘୋଷଣା କରି ପାରନ୍ତି; ମୁଁ କେବଳ ମାତ୍ର ଅଭିନୟ କରୁଥିଲି । ମୋର କୁଶଳ ଅଭିନୟରେ ତୁମ୍ଭମାନଙ୍କୁ ବୋକା ବନାଇ ଦେଲି । ମନେରଖ, ମୁଁ କେବଳ ସାହସୀ ନୁହେଁ, ଅଭିନୟ କ୍ଷେତ୍ରରେ ବି’ ଜଣେ ନିପୁଣ କଳାକାର । ମୁଁ ସାପ ଫାପ କିଛି ଦେଖି ନାହିଁ ।’

 

॥ ଚାରି ॥

 

ଦୀନବନ୍ଧୁ ବାବୁ ପରୀକ୍ଷକର ଆଖିରେ ମିଷ୍ଟର ଶର୍ମାଙ୍କ ବେଶଭୂଷଣକୁ ପୁନର୍ବାର ତନଖି ନେଲେ । ସେ ଦେଖିବାକୁ ପାଇଲେ ଶର୍ମାଙ୍କର ସଦ୍ୟ ଇସ୍ତ୍ରିକରା ଜାମାର କଲର ପାଖରେ କଳା ରଙ୍ଗର ଆଙ୍ଗୁଳି ଦାଗ ରହିଛି । ମସ୍ତକର କେଶରାଜି ଅବିନ୍ୟସ୍ତ ।

 

ମନେ ହେଲା, ଦୀନବନ୍ଧୁ ବାବୁ ସର୍ପ ପ୍ରସଙ୍ଗର ପୁରୋଭାଗରେ ଥିବା ସମସ୍ତ ଗୋପନୀୟ ତଥ୍ୟକୁ ଅନୁମାନ କରି ବୁଝି ନେଇ ସାରିଛନ୍ତି । କିନ୍ତୁ ସେହି ଅନୁମାନ ସତ୍ୟ କି ନୁହେଁ, ତାକୁ ନିଜେ ମନେ ମନେ ପରୀକ୍ଷା କରି ନେଉଛନ୍ତି ।

 

[କହିବା ବାହୁଲ୍ୟ, ଦୀନବନ୍ଧୁବାବୁ ସମ୍ବଲପୁର ଜୋନର ମଟର ଭେଇକିଲ ଟାକ୍‌ସ ଅଫିସର । ଚଳନ୍ତା ଟ୍ରକର ଗତି ଦେଖି ଓ ଡ୍ରାଇଭର ମୁହଁର ଭଙ୍ଗୀ ଦେଖି ସେହି ଭେଇକିଲର ନିର୍ଦ୍ଦିଷ୍ଟ ସରକାରୀ ଟାକ୍‌ସ ଟ୍ରେଜେରୀରେ ଜମା ଦିଆଯାଏ ନାହିଁ, ନିର୍ଦ୍ଦିଷ୍ଟ ଭାବରେ ସଙ୍ଗେ ସଙ୍ଗେ ବୁଝି ଯାଆନ୍ତି । ସମସ୍ତେ କହନ୍ତି ଦୀନବନ୍ଧୁ ବାବୁ ସରକାରଙ୍କ ଜଣେ ଅଭିଜ୍ଞ ପୋଖତ ଅଫିସର ।]

 

‘ଦୀନବନ୍ଧୁବାବୁ ଜଡ଼ିତ କଣ୍ଠରେ ପ୍ରଶ୍ନ କଲେ; ଅମରୀବଣ ଭିତରେ ଥିବା ସେହି ବସ୍ତି ଅଞ୍ଚଳର ଛୋଟ ଛୋଟ ଝୁପୁଡ଼ି ଭିତରେ ସର୍ପ ହାବୁଡ଼ରେ ପଡ଼ିଗଲେ କି ?’

 

ଝୁପୁଡ଼ି ଭିତରେ କ’ଣ ସର୍ପ ରୁହେ ? ତା ଛଡ଼ା ମୁଁ ସେହି ଅପନ୍ତରା ଝୁପୁଡ଼ି ଭିତରକୁ ପଶିବି କାହିଁକି ? ରାସ୍ତା ଉପରେ ଚାଲିଛି, ସାମାନାରୁ ସାପ ବାହାରି ଗୋଡ଼ାଇ ଆସିଲା । ମୁଁ ତ ଉଠିପଡ଼ି ଧାଇଁଛି । ସେତିକିବେଳେ ମୁଖସ୍ଥ ମନ୍ତ୍ର ବି ମନେ ପଡ଼ିଲା ନାହିଁ । ମିଷ୍ଟର ଶର୍ମା ଉତ୍ତର ଦେଲେ ।

 

‘ହଁ, ସେଇୟା ହୋଇଥିବ ! ତା’ ଛଡ଼ା, ଆପଣ ବା’ ସେହି ନିଷିଦ୍ଧ ବସ୍ତି ଅଞ୍ଚଳକୁ ଯିବେ କାହିଁକି ? ଆପଣ କଣ ଜାଣନ୍ତି ନାହିଁ ଯେ, ସେଇଠି ସହରର ସବୁ ସାପ ଏକାଠି ହେଇଛନ୍ତି । ପୁରୁଷମାନେ ସେଇଠି ମଦ୍ୟପ ଓ ନାରୀମାନେ ବାରାଙ୍ଗନା । ଅବୈଧ ପ୍ରେମ ଓ ନିଷିଦ୍ଧ ନିଶା ସେବନର ସିଏ ଏକ କେନ୍ଦ୍ରପୀଠ । ଆପଣ ହୁଏତ କାର୍‌ରେ ଆସିଥିଲେ ଏ ଦୁର୍ଯୋଗ ପଡ଼ି ନ ଥାନ୍ତା-। ଛାଡ଼ନ୍ତୁ, କାରଟା ତ ଖରାପ ବୋଲି କହୁଛନ୍ତି । ଭାଗ୍ୟ ଖରାପ ବୋଲି ବୁଝିବାକୁ ହବ ।’ ଦୀନବନ୍ଧୁ ବାବୁ ପ୍ରକାଶ କଲେ ଓ ତା’ ପରେ ମିଷ୍ଟର ଶର୍ମାଙ୍କର କଲରଟାକୁ ପର୍ଯ୍ୟବେକ୍ଷଣ କରୁ କରୁ ପ୍ରଶ୍ନ କଲେ; ‘ଧାଇଁ ଆସୁ ଆସୁ ପଡ଼ିଗଲେ ନା କ’ଣ ? କିନ୍ତୁ କି ଅବସ୍ଥା ଦେଖିଲେ, ଜାମାର ମଇଳା ରଙ୍ଗ ଛାଡ଼ି ନାହିଁ ।

 

ଏହା ପରେ ମିଷ୍ଟର ଶର୍ମା ଆଉ କିଛି କହିଲେ ନାହିଁ ।

 

ନରେଶବାବୁ ସହାନୁଭୂତିଶୀଳ କଣ୍ଠରେ ପ୍ରକାଶ କଲେ; ‘ଦୁର୍ଯୋଗ ଆସିଲେ ଏମିତି ହୁଏ !’

 

‘ଦୁର୍ଯୋଗ ନୁହେଁ ତ ଆଉ କଣ ? ଦୁର୍ଯୋଗ ନ ପଡ଼ିଲେ ଚଲାବାଟରେ କଣ ସର୍ପ ଦର୍ଶନ ମିଳେ ?’ ଦୀନବନ୍ଧୁବାବୁ ମନ୍ତବ୍ୟ ଦେଲେ ।

 

ମୁଁ ପ୍ରକୃତିସ୍ଥ ମିଷ୍ଟର ଶର୍ମା, ନିରୀକ୍ଷକ ଦୀନବନ୍ଧୁ ବାବୁ ଓ ସହାନୁଭୂତିଶୀଳ ନରେଶବାବୁଙ୍କୁ ମୂକ ସାକ୍ଷୀ ସଦୃଶ ଅନାଇ ରହିଥାଏ ।

 

ମିଷ୍ଟର ଶର୍ମା ସତକୁ ସତ ଅଳ୍ପ ସମୟ ପରେ ନିର୍ଲିପ୍ତ ଓ ନିରାସକ୍ତ ଆଚରଣ ପ୍ରକଟ କରିବାକୁ ଲାଗିଲେ । ସେ ମୁହଁରୁ ଝାଳ ବିନ୍ଦୁ ସବୁ ପୋଛି ନେଲେ ଓ ଗଳା ଖଙ୍କାର ମାରି ସଳଖ ଭାବରେ ଛିଡ଼ା ହେଲେ ।

 

ଦୀନବନ୍ଧୁ ବାବୁ କିନ୍ତୁ ଛାଡ଼ିବାର ପାତ୍ର ନୁହନ୍ତି । ସେ ପ୍ରଶ୍ନ କଲେ, ସର୍ପମାନେ ତ ଭୟଙ୍କର ନିଶ୍ଚୟ । କିନ୍ତୁ କେଉଁ ଜାତିର କହିଲେ ନାହିଁତ ?’

 

‘ସର୍ପ ତ ସର୍ପ ଆଉ କଣ କହନ୍ତି ? ତାର ଜାତି, ଗୋତ୍ର ଜାଣିବାକୁ ବେଳ କାହିଁ ?’ ମିଷ୍ଟର ଶର୍ମା ବିରକ୍ତ ହେଲା ପରି ଜଣାପଡ଼ିଲେ ।

 

ନାଁ, ଜାତି ମାନେ ଚିତି, ଧଣ୍ଡ ନା ନାଗ; ଏଇଆ ପଚାରୁଥିଲି । କାରଣ ନାଗ ସାପର ଫଣା ଥାଏ । ଚିତି ଦେହ ଛକ ଛକ…

 

ଦୀନବନ୍ଧୁ ବାବୁଙ୍କ ବାକ୍ୟଟା ପୂରା କରିବାକୁ ସମୟ ନ ଦେଇ ମିଷ୍ଟର ଶର୍ମା ପ୍ରକାଶ କଲେ; ‘ଓଃ, ଏଇ କଥା ପଚାରୁଥିଲେ ? ନାଗୁଣୀଟା !’

 

ନାଗୁଣୀଟା, ନୁହେଁ ? ବିଷାକ୍ତ ନାଗୁଣୀ । ଫଣା ଥିଲା । ଆପଣଙ୍କ ଉପସ୍ଥିତିକୁ ସହ୍ୟ କରି ନ ପାରି ଦଂଶନ କରିବାକୁ ଧାଇଁଥିଲା । ଭାଗ୍ୟ ଭଲ ଆପଣ ବଞ୍ଚି ଗଲେ । ନ ହେଲେ ସର୍ପ ଦଂଶନରେ ଦଂଶିତ ହୋଇ ଦାରୁଣ କଷ୍ଟ ଭୋଗ କରିଥାନ୍ତେ । ବିଶେଷତଃ ସ୍ତ୍ରୀ ଜାତିର ସର୍ପର ବିଷ ଅତି ଉତ୍‌କଟ । ତଥାପି ଚିହ୍ନ ରଖିଛି । ସତର୍କ ଥିବେ । ଦୀନବନ୍ଧୁ ବାବୁ ପ୍ରକାଶ କଲେ ।

 

‘ଚିହ୍ନ ରଖିଛି’ ? ନରେଶ ବିସ୍ମିତ କଣ୍ଠରେ ପ୍ରଶ୍ନ କଲା ।

 

ଦୀନବନ୍ଧୁ ବାବୁ ମିଷ୍ଟର ଶର୍ମାଙ୍କର ଜାମା କଲର ଉପରେ ଆଙ୍କି ହୋଇଯାଇଥିବା ଅଙ୍ଗୁଳିର ଦାଗସବୁ ଦେଖାଇ ଦେଉ ଦେଉ କହିଲେ; ଦେଖୁ ନାହାନ୍ତି ! ନାଗୁଣୀ ଖୁବ୍ ଚାଲାକ । ଆଉ ଆପଣ ଜାଣନ୍ତି, ନାଗୁଣୀ ତା’ର ଶତ୍ରୁ ଉପରେ ପ୍ରତିଶୋଧ ନ ନେଲା ପଯ୍ୟନ୍ତ ଜୀବନରେ ଶାନ୍ତି ପାଏ ନାହିଁ । ସେ ତା’ର ଶତ୍ରୁକୁ ବୁଲି ବୁଲି ଖୋଜେ ।’

 

ମିଷ୍ଟର ଶର୍ମା ଏ ମନ୍ତବ୍ୟ ଶୁଣି କ୍ଷୁବ୍‌ଧ ହେଲେ । ସମୁଦାୟ କଥାଟା ସ୍ପଷ୍ଟଭାବେ ବୁଝିଯିବା ପରେ ପ୍ରକାଶ୍ୟରେ କହିଲେ, ସନ୍ଦେହୀ ଓ ସ୍ଵାର୍ଥପର ସଙ୍ଗ ଅପେକ୍ଷା ନିଃସଙ୍ଗତା ଶତଗୁଣରେ ଶ୍ରେୟସ୍କର । ଏହା କହି ସେ ହଠାତ୍ ଆମ ପାଖରୁ ଅର୍ନ୍ତଦ୍ଧାନ ହୋଇଗଲେ ।

 

ତାଙ୍କର ଚାଲିଯିବା ପରେ, ଦୀନବନ୍ଧୁ ବାବୁ ଉପସ୍ଥିତ ଘଟଣାବଳୀକୁ ଅନୁଧ୍ୟାନ କରି ଯେଉଁ ସମ୍ଭାବ୍ୟ ଚିତ୍ରଟିଏ ଉପସ୍ଥାପନ କଲେ, ତାହା ଆମେ କଳ୍ପନା ସୁଦ୍ଧା କରି ପାରି ନଥିଲୁ ।

 

ଦୀନବନ୍ଧୁ ବାବୁ ପ୍ରକାଶ କଲେ, ଶର୍ମାବାବୁ ଆମ ସାଙ୍ଗରେ କେରମ୍ ଖେଳିବାକୁ ପ୍ରଥମେ ରାଜି ହୋଇ ସୁଦ୍ଧା ଶେଷ ଅବସ୍ଥାରେ ତାକୁ ଟାଳି ଦେଇ କୌଣସି ଏକ ନାରୀ ସମ୍ପର୍କୀୟ ଅବୈଧ ଚିନ୍ତାରେ ନିଜକୁ ନିମଗ୍ନ କରିଥିଲେ । ସେଇ ଅବୈଧ ପ୍ରବୃତ୍ତିକୁ ଚିରତାର୍ଥ କରିବେବୋଲି, ଶେଷ କାର୍ତ୍ତିକର ଶୀତ ସଂଧ୍ୟାରେ ଅମରୀବଣ ଭିତରେ ଆତ୍ମଗୋପନ କରିଥିଲେ । କିନ୍ତୁ ସେହି ସୁନ୍ଦରୀ ସଚ୍ଚରିତ୍ରା ନାରୀ ଜଣକ ତାକୁ ପ୍ରତି ଆକ୍ରମଣ କରି ଉଚିତ୍ ପ୍ରତିଶୋଧ ନେଇଛି । ପ୍ରବଳ ପ୍ରତିରୋଧର ସମ୍ମୁଖୀନ ହୋଇ ସେ ଆମର ଶିବିରକୁ ସାହାଯ୍ୟ ଉଦ୍ଦେଶ୍ୟରେ ଆସିଥିଲା । ପ୍ରକୃତରେ ସର୍ପ ଦର୍ଶନ ତାର ହୋଇ ନାହିଁ । କୌଣସି ନାରୀର ରୂପ ଯୌବନକୁ ଦଂଶନ କରିବ ବୋଲି ଅଗ୍ରସର ହେଲାବେଳେ ସେ ନିଜେ ନିଜ ଅପକର୍ମ–ସର୍ପ ଦ୍ୱାରା ଦଂଶିତ ହେଲା ।

 

॥ ପାଞ୍ଚ ॥

 

ଆମେ କୌତୂହଳୀ ହୋଇ ଦୀନବନ୍ଧୁ ବାବୁଙ୍କର ସମ୍ଭାବନାକୁ ପରୀକ୍ଷା କରି ଦେଖିବା ସକାଶେ ମିଷ୍ଟର ଶର୍ମାଙ୍କ ଘରକୁ ଫୋନ କଲୁ । ମିସେସ୍ ଶର୍ମା ନିଜେ ଆସି ଫୋନ ଧରିଲେ ଓ ଉତ୍ତର ଦେଲେ ଯେ, ମିଷ୍ଟର ଶର୍ମା ସଂଧ୍ୟା ପୂର୍ବରୁ ସାଙ୍ଗମାନଙ୍କ ସଙ୍ଗରେ କେରମ ଖେଳିବାକୁ କାର୍ ନେଇ ଚାଲିଯାଇଛନ୍ତି ।

ସମ୍ଭାବନାର ପ୍ରଥମାଂଶ ସତ୍ୟ ପ୍ରତିପାଦିତ ହେବା ପରେ, ଶେଷାଂଶର ଦୃଶ୍ୟାବଳୀ ଦେଖିବାକୁ ଆଗ୍ରହୀ ହୋଇ ପଡ଼ିଲୁ । ଆମେ ତିନିଜଣଯାକ ସାଙ୍ଗ ହୋଇ ସମ୍ବଲପୁର ସହରର ସେହି ନିର୍ଦ୍ଦିଷ୍ଟ ଅମରୀବଣ ଭିତରେ ଦରଛପା ହୋଇ ରହିଥିବା ନିଷିଦ୍ଧ ବସ୍ତି ଅଞ୍ଚଳକୁ ଆଗପଛ ହୋଇ ଚାଲିଲୁ ।

ଅମରୀବଣ ନିକଟସ୍ଥ ଏକ ଅଶ୍ଵତଥ ବୃକ୍ଷ ତଳେ ମିଷ୍ଟର ଶର୍ମାଙ୍କର କଳା ରଙ୍ଗର କାର୍‌ଖଣ୍ଡକ ଦେଖିବାକୁ ମିଳିଲା । କାର୍‌ର ସାମନା କାଚ ଭାଙ୍ଗିଯାଇଥାଏ । ତା’ ସାମନାରେ ଦଳେ ଉତ୍ତ୍ୟକ୍ତ ଲୋକ ବୃତ୍ତାକାରରେ ଛିଡ଼ା ହୋଇ ହୋ ହୋ ଧ୍ୱନି ଛାଡ଼ୁଥାନ୍ତି । ଆମେ ସେହି ବୃତ୍ତାକାର ବ୍ୟୁହ ଫାଙ୍କରେ ଯେଉଁ ଅଦ୍ଭୁତ ଦୃଶ୍ୟ ଦେଖିଲୁ, ତାହା ଏକାବେଳେ ଅପୂର୍ବ ଓ ବିସ୍ମୟକର ।

ବୃତ୍ତ ମଧ୍ୟ ଭାଗରେ ଜଣେ ସୁନ୍ଦରୀ ମଧ୍ୟ ବୟସ୍କା ନର୍ସ ରଣଚଣ୍ଡୀ ବେଶ ଧାରଣା ପୂର୍ବକ ଛିଡ଼ା ହୋଇଥାଏ । ତାରି ପାଦ ତଳେ ବାରମ୍ବାର ମୁଣ୍ଡ କଚାଡ଼ି କ୍ଷମା ଭିକ୍ଷା କରୁଥାନ୍ତି ସ୍ଵୟଂ ମିଷ୍ଟର ଶର୍ମା !

☆☆☆

 

Unknown

ସପନି, ଗୌରୀ, କେନ୍ଦୁଗଛ

ଜହ୍ନରାତି ଉପାଖ୍ୟାନ

 

ସପନି ପଧାନ

 

ସପନି ପଧାନ ତାର ଧାରୁଆ ଟାଙ୍ଗିଆରେ ଯୋଡ଼ିକେନ୍ଦୁଗଛକୁ ଗୋଟିଏ ଚୋଟରେ ହାଣି ଗଡ଼ାଇ ଦେବାପରେ ପଲ୍‌ହା ଭିତରକୁ ପଳାଇ ଆସିଲା ଓ ବେରିଆ ନିଆଁରେ ‘କାହାଳୀ’ ଧରାଇ ଦମ୍ ନେଲା ।

 

କଳା ମଚ ମଚ ମୃଦ୍‌ଗର ଦେହଟା ତାର ପଲ୍‌ହା ଛାଇରେ ଆଶ୍ଵସ୍ତ ହେଲା । ଟିକିଏ ଆରାମ ନେବା ପରେ, ତା’ ମୁହଁରେ ପବନର ଧାସ ବାଜି ସତେଜ ଦେଖାଗଲା । ସେ ମନେ ମନେ ହସିଲା ଆଉ ଭାବିଲା, ପଲ୍‌ହାକୁ ଘେରି ରହିଥିବ ! ପ୍ରଶସ୍ତ ପଡ଼ିଆ ଉପରକୁ ସବୁ ଅରମା ଅପନ୍ତରା ଗହଳ ବୁଦା କାଟି ସଫା କରି ଦେବ । ଫରଚା ପଡ଼ିଆ ଉପରେ ବାଡ଼ ବାନ୍ଧିବ । ତା’ପରେ ଛୋଟ କୂଅଟିଏ ଖୋଳି ପନି ପରିବା ଚାଷ ଆରମ୍ଭ କରିଦେବ । ଆଉ ହଳିଆ କାମ କରିବ ନାହିଁ । ନିଜର ପଡ଼ିଆ ଜମି ଖଣ୍ଡିକ ଉଠିଆ କରି ଦେଲେ, ତାରି ଆମଦାନୀରେ ସୁନ୍ଦର ଚଳିଯାଇ ହେବ ।

 

ଛି, ପରଘରେ ମୂଲ ଲାଗିବା ଭଲ ନୁହେଁ । ନିଜ ଜମି ଥାଉ ଥାଉ….ସପନି ମନକୁ ମନ କହିହେଲା ଓ ହାତର ଟାଙ୍ଗିଆ ଧାର ସଙ୍ଗେ, ଅନ୍ୟ ଏକ କେନ୍ଦୁ ବୁଦାକୁ ଏକ ସମୟରେ ଚାହିଁଲା ।

 

ଠିକ୍ ଏତିକି ବେଳେ ବାପା କଥା ତାର ମନେ ପଡ଼ିଲା । ଗଲା ସନ ବାପ ତାକୁ ଏକୁଟିଆ କରି ଛାଡ଼ି ଗଲା । ବାପ ସକାଶେ ମା ନଥିବା ଦୁଃଖ ସେ ଭୁଲି ଯାଇଥିଲା । ବାପ ପାଖରେ ବସାଇ ବୁଝାଇ କହୁଥିଲା, ଆଉ ମୂଲ ଲାଗିବା ନାହିଁ । ବାପ ଅଜା ଦିହକରୁ ପଡ଼ି ରହିଥିବା ଅନାବାଦୀ, ଜମି ଆବାଦ କରିବା । ଫସଲ ଫଳାଇ ସାହୁକାର ବନିବା । କିନ୍ତୁ ସେ ଅପେକ୍ଷା କଲା ନାହିଁ । ଅବେଳରେ କାଳ ପୂରିଗଲା । ଏକୁଟିଆ ତାକୁ ସବୁ କଥା କରିବାକୁ ପଡ଼ିବ-

 

ଗୌରୀ–

 

ଯୁବତୀ ଝିଅ ଗୌରୀ ପଲ୍‌ହା ଆରକଡ଼ୁ ଖଣ୍ଡି କାଶ ମାରି ତାରି ଉପସ୍ଥିତି ଜଣାଇ ଦେଲା-

 

ସପନି ତା’ ଆଡ଼କୁ କଡ଼ ନ ଭାଙ୍ଗି ବି’ ବୁଝିଲା, ଗୌରୀ ଆସିଛି । କାରଣ ତାରି ଆସିବା ବେଳ ଇଏ । ଯୁଆଡ଼େ ଥିବ, ବେଳ ନଇଁଲା ବେଳକୁ ଆସି ହାଜର ହେବ । ଏକାଠି ବସି ପହରେ କାଳ ସୁଖ ଦୁଃଖ ହେବ । ପଚାରିବ ଆଉ କେତେ ଦିନ ସପନି ? ଆଉ କେତେ ଦିନ ଅପେକ୍ଷା ? ଆମେ କଣ ଏକାଠି ହେବାନି ? ଆମର ବାହାଘର କେବେ ହେବ ?

 

ଗୌରୀ ଖୁବ୍ ପାଖକୁ ଚାଲି ଆସିଲା ଦମ୍‌କା ହସ ହସିଲା ।

 

ସପନି ପଛ ମୁହାଁ ହୋଇ ମନ ମଉଜରେ କାହାଳି ଟାଣୁଥାଏ ଓ ଗୌରୀ କି ଉତ୍ତର ଦେବ ଭାବି ହେଉଥାଏ ।

 

ଟିକିଏ ଦେଖ ତ ! ମୋତେ ଦେଖି ! ଗୌରୀ ଜଡ଼ିତ କଣ୍ଠରେ ପ୍ରଶ୍ନ କଲା ।

 

ସପନି ମୁହଁ ବୁଲାଇ, ଗୌରୀକୁ ଚାହିଁଲା ଓ ତାଜୁବ ହୋଇଗଲା ।

 

ଗୌରୀଟା ଏମିତି ବି’ ଦେଖିବାକୁ ଡଉଲ ଡାଉଲ ସୁନ୍ଦରୀଆ ଝିଅଟାଏ ତାର ବଳିଲା ବଳିଲା ଦେହରେ ନୂଆ ଯୌବନ କଥା କହେ । ସେ ହସିଲେ ତାର ପୂରିଲା ଗାଲର ମଝିଅଂଶଟା ଖାଲ ହୋଇ ଯାଇ ଚମତ୍କାର ଦେଖାଯାଏ । ତା’ ଆଖିରେ ଅନେକ ତୀର ମରା ସ୍ଵପ୍ନ । ତା’ଯୌବନରେ ଅନେକ ଭାଙ୍ଗ ।

 

ଗୌରୀକୁ ଦଶପୂରି ଏଗାର ଚାଲିଲା ବେଳୁ, ସପନି ସଙ୍ଗରେ ବିବାହ ପ୍ରସ୍ତାବ ପଡ଼ିଛି । ଯେଉଁମାନେ ସେ ପ୍ରସ୍ତାବର ସୂତ୍ରଧର ଥିଲେ, ସେମାନେ ମରି ହଜି ଗଲେଣି । ସପନିର ବାପା ମା ନାହାନ୍ତି କି ଗୌରୀର ବାପା ବଡ଼ଭାଇ ନାହାନ୍ତି । ଗୌରୀର ମା ବୁଢ଼ୀଟା ଜୁଳୁ ଜୁଳୁ କରି ଚାହୁଁଛି । କହୁଛି, ଯେତେ ଶୀଘ୍ର ବିଭା କାମଟା ବଢ଼ିଯିବ ସେତେ ଭଲ । ତେଣିକି ଅଚିନ୍ତାରେ ଆଖି ବୁଜିହେବ-

 

ଗୌରୀ ବଡ଼ ହେଇଛି । ଗୌରୀ ଯୁବତୀ ହେଇଛି । ଗୌରୀ ସୁନ୍ଦରୀ ହେଇଛି ।

 

ଗୌରୀ ଉପରେ ଗାଁର ସବୁ ଲୋକଙ୍କର ଆଖି ।

 

ସପନି ଦେଖିଲା, ଗୌରୀ ଦେହରେ ଛିଟ କସ୍ତାଶାଢ଼ି, କାନରେ ସୁନେଲି ବଳା, ଢାଲିଆ ଖୋସାରେ ଲାଲ ରିବନର ବେଢ଼ା କଳା ରେଶମୀ ଜାଲ ଖଞ୍ଜିଛି ।

 

ସପନି ଆଖିରେ ଗୌରୀ ସେଦିନ ଆହୁରି ସୁନ୍ଦର, ଆହୁରି ଲୋଭନୀୟ ଓ ଅପୂର୍ବ ଦେଖାଗଲା ।

 

ଗୌରୀ ଇତି ପୂର୍ବରୁ ଏତେ ସୁନ୍ଦର କେବେ ଦେଖା ଯାଉ ନଥିଲା ।

 

ସପନି ଓ ଗୌରୀ–

 

ଗୌରୀର ସେହି ସୁସଜ୍ଜିତ ରୂପ ଦେଖି ସପନିର ଦେହ ସାରା ରିମ୍ ଝିମ୍ ହୋଇ ଉଠିଲା-। ମନେହେଲା ତା ଦେହରେ ଝଡ଼ ଉଠିଛି । ସେ ଝଡ଼ ସ୍ନାୟୁର ପ୍ରତିଟି ସଂଚାଳକ କେନ୍ଦ୍ରକୁ ବିପର୍ଯ୍ୟସ୍ତ କରି ପକାଉଛି । ତା ଦେହ ଭିତରୁ ସତେ ଅବା ଏକ କ୍ଷୁଧିତ ଇଚ୍ଛା–ଶାକବଟିଏ, ବୋଲହାକ ନମାନି, ପଘା ଛିଣ୍ଡାଇ ବାହାରେ ଧାଇଁବ ବୋଲି ଛାଟିପିଟି ହେଉଛି । ସେ ତାର ମୁନିଆ ଶିଂଘ ଆଉ ନଖରେ ସପନିର ଛାତି ପଞ୍ଜରାକୁ ଶକ୍ତ ଆଘାତ କରି ଖିନ୍‌ଭିନ୍‌ କରି ଦେଉଛି ।

 

ସପନି ଅଶାନ୍ତ ହେଲା । ସପନି ଅତିଷ୍ଠ ହେଲା ।

 

ଗୌରୀ ସବୁ ସମର୍ଥ ଯୁବତୀଙ୍କ ପରି ମନ୍ତ୍ର ଜଣେ । ସେ ସପନିର ସେହି ଇତସ୍ତତଃ ଆଖି ଦି’ଟାକୁ ଚାହିଁ ସବୁ କଥା ବୁଝିନେଲା ଓ ପୁଣି ହସିଲା ।

 

ସେ ହସ ସ୍ଵୀକୃତିର !

 

ସପନି ଗୌରୀକୁ ଫୁଲ ଆଞ୍ଜୁଳାଏ ପରି ଟେକି ନେଇ ପଲ୍‌ହା ଭିତରେ ପଶିଗଲା ।

 

ଦେହରେ ଜୈନିକ କ୍ଷୁଧା ଅଛି । ଆଉ ଏକ ଦେହର ଉତ୍ତାପରେ ଆଉଟି ହେଲେ ଯାଇ ସେ କ୍ଷୁଧା ପ୍ରଶମିତ ହୁଏ ଓ ଆଉ ଆଉଟି ହେବା ମଣିଷ ପକ୍ଷରେ ଏକ ଆବଶ୍ୟକତା ।

 

ସପନି ଗୌରୀର ପୁଷ୍ପିତ ଦେହକୁ ନିଜ କୋଳରେ ପୁରାଇ, ମୁହଁକୁ ପିଇଲା ଆଖିରେ ଚାହୁଁ ଚାହୁଁ ଥର ଥର କଣ୍ଠରେ କହିଲା, ମୁଁ ତୋତେ ଆସନ୍ତା ଆଷାଢ଼ରେ ବାହାହେବି ଗୌରୀ, ଆଉ ଡେରି ନାହିଁ ଆମେ ଏଥର ଏକାଠି ରହିବା । କଣ କହୁଛୁ ?

 

ମୁଁ ଆଉ କହିବି କଣ ? ବାହାଘରର ଟଙ୍କା ଖଞ୍ଜିଛୁ । ଗୌରୀ ପ୍ରଶ୍ନ କଲା ।

 

ଏଇ ପଡ଼ିଆକୁ ଚାହାଁ । ପରିଷ୍କାର କରି ପକାଇଛି । ବାଡ଼ ବାନ୍ଧିବି କୂଅ ଖୋଳିବି । ପରିବା ଚାଷ କରିବି । ଅନେକ ଆଦାୟ ହେବ । ସପନି ତା’ଯୋଜନାକୁ ବୁଝାଇ କହିଲା ।

 

ସେତ ମୋ’ ଆଈ କହୁଥିବା ସାହୁକାର କଥାଣୀ । ଚାହିଁବ ଯଦି ମାସ ଦି’ଟାରେ ଟଙ୍କା ହେବ । ଗୌରୀ ଚାଲାକ ଝିଅଟିଏ ପରି ପରାମର୍ଶ ଦେଲା ।

 

କହିଲୁ କେମିତି ? ସପନି ପ୍ରଶ୍ନ କଲା ।

 

ପତାବାଲା ମୋତିରାମ ପାଖରେ ନୌକରୀ କର । ମୁଁ ତାକୁ କହିବି । ତୋତେ ବାବୁ ଚାକିରି ଦେବ । ଆଞ୍ଜୁଳେ ଟଙ୍କା ପାଇବୁ ଗୌରୀ କହିଲା ।

 

ପତାବାଲା ମୋତିରାମ–

 

ଗୌରୀ ମୁହଁରେ ପତାବାଲା ମୋତିରାମର ନାଆ ଶୁଣି ସପନିର ଦେହ ଝିମେଇଗଲା ।

 

ମୋତିରାମ ସ୍ଥାନୀୟ ଲୋକ ନୁହେଁ । ଗୁଜରାଟରେ ଘର । ଓଡ଼ିଆ ଦେଶକୁ ଟଙ୍କା ଅର୍ଜି ଆସିଛି । ଏଇଠି ସେ ସବୁଦିନ ରହିବ ନାହିଁ । ଠିକା ପୂରିଗଲେ, ଟଙ୍କା ପଇସା ନେଇ ଦେଶକୁ ଚାଲିଯିବ । ଏଇଠି ତାର ମାଆ ଭଉଣୀ କେହି ନାହାନ୍ତି । ସବୁ ସୁନ୍ଦରିଆ ଝିଅଙ୍କୁ ସେ ପତ୍ନୀ ଭାବରେ ପାଇବାକୁ ଚାହେଁ । ଦେହରେ ଯୌବନ ଅଛି । ପକେଟ୍‌ରେ ଟଙ୍କା ଅଛି । ଧରାକୁ ସରା ମଣିବା ତାର ଅଭ୍ୟାସ ।

 

ସେଦିନ ସପନିକୁ ଡାକି ଚାକିରି ଦେବା କଥା ଉପରେ ପଡ଼ି କହିଲା । ଚାକିରି କଥା ସଙ୍ଗେ ଗୌରୀ ନାଆଁକୁ ଯୋଡ଼ି ଦେବାର୍‍, ସପନି ପତାବାଲାର ପିଣ୍ଡା ଛାଡ଼ି ନିଜ ପଲ୍‌ହାକୁ ଫେରି ଆସିଲା ।

 

ଗୌରୀ ଆଜି ସେହି ମୋତିରାମର କଥା କହୁଛି ।

 

ଗୁଣ୍ଡା, ଲଫଙ୍ଗା ପତାବାଲା ମୋତିରାମ !

 

ସପନିର ଦେହ ଜଳିଗଲା । ସେ ଗୌରୀକୁ ନିଜ କୋଳରୁ ଆଡ଼େଇ ଦେଇ ପ୍ରଶ୍ନ କଲା, ତୁ କଣ ‘ପତର ଫଡ଼ି’ରୁ ଫେରିଲୁ ଗୌରୀ ?

 

ଗୌରୀ ରାଜି ହେଲା । କହିଲା କାମ୍‌ଧାମ୍‍ କିଛି ନୁହେଁ । ତଥାପି ଶାଢ଼ି, ସାୟା, ବ୍ଲାଉଜ, କାନବଳା ପାଇଲି । ମୋତିରାମ ଆହୁରି କହିଛି, କାନକୁ ‘ଝଲକା’ ଦେବ । ତେଣୁ ମୁଁ କହୁଛି, ତୁ ସେଠି ବାବୁ ଚାକିରି କର । ପତାବାଲା ମୋତିରାମ ଖୁବ୍ ଭଲ ।

 

ସପନି ଗୌରୀ ଆଗରେ ପତାବାଲା ପାଖକୁ ଯିବାକୁ ମୁହେଁ ମୁହେଁ ମନାକରି ଦେଲା । ଓଲଟା ତାକୁ ଆକଟ କଲା ।

 

ଗୌରୀ କିନ୍ତୁ ଶୁଣିଲା ନାହିଁ । କହିଲା, ପରଦୁଆରେ ଯେତେ କାମ କଲେ ମଧ୍ୟ ସାହୁକାରର ପସନ୍ଦ ନାହିଁ । କିନ୍ତୁ ପତାବାଲା ପାଖରେ କାମଧାମ ବିଶେଷ କିଛି ନାହିଁ । ଅଥଚ ଖାଲି ପଇସା । ମୁଁ ତୋ’ପରି ମୂର୍ଖ ନୁହେଁ । ମୁଁ ସେଠାକୁ ଯିବି । ଅଲବତ୍ ଯିବି ଆଦାୟ ଛାଡ଼ିବି ନାହିଁ । ଗୌରୀ ମୁହଁ ବୁଲାଇ, ନାକ ଫୁଲାଇ ସେଇ ଯେ ଫେରିଗଲା ଆଉ ଆସିଲା ନାହିଁ ।

 

କେନ୍ଦୁଗଛ–

 

ଗୌରୀ ଚାଲିଯିବା ପରେ ସପନିର ରାଗ ଦି’ଗୁଣ ବଢ଼ିଗଲା । ସେ ଧାରୁଆ ଟାଙ୍ଗିଆ ଖଣ୍ଡକ ନେଇ ପଡ଼ିଆର ଆଉ ଅନେକ କେନ୍ଦୁବୁଦା ହାଣି ପକାଇଲା । ରାତି ପହରକୁ ସେ କ୍ଳାନ୍ତ ହୋଇ ପଡ଼ିଲା ଓ ରାଗଟାବି ତାର ଶାନ୍ତ ହୋଇ ଆସିଲା ।

 

ପରଦିନ ସେ ମୂଲ ଲାଗିବାକୁ ଗଲା ନାହିଁକି ବାଡ଼ବନ୍ଧା କାମ କଲାନାହିଁ । ପଲ୍‌ହା ଭିତରେ ପଡ଼ିଥିବା ନୁଙ୍ଗୁରା ଦଉଡ଼ିଆ ଖଟରେ ପଡ଼ି ରହିଲା ଓ ଆକାଶ ପାତାଳ ଭାବିହେଲା ।

 

ଗୌରୀ ଦିନକ ପରେ ପୁଣି ଆସି ପଲ୍‌ହା ପାଖରେ ମୁହଁ ମାରି ଦେଇଗଲା । ଅଥଚ, ସପନି ତାକୁ ତୁଣ୍ଡ ଫିଟାଇ ରାମ କି କୃଷ୍ଣ କିଛି ହେଲେ କହିଲା ନାହିଁ ।

 

ଗୌରୀ ମାଆ ନିଜେ ଆସି କହି କହି ଥକିଗଲା ପଛକେ, ସପନି ତାର ଜିଦ୍ ଛାଡ଼ିଲା ନାହିଁ ।

 

ତୃତୀୟ ଦିନ ସପନି ପୁଣି ତାର ଟାଙ୍ଗିଆ ଧରି ବୁଦା ହାଣୁଛି, ଦି’ଟା ପୋଲିସ ଚପରାସି ତାକୁ ଥାନାକୁ ଡାକି ନେଇଗଲେ ।

 

ଥାନା ଭିତରେ ପତାବାଲା ମୋତିରାମକୁ ଦେଖି ସପନିର ପେଟର ପିତ ମୁଣ୍ଡ ଉପରକୁ ଉଠିଗଲା । ସେ ମୋତିରାମ ବିରୁଦ୍ଧରେ ଅନେକ କଥା ବକିହେଲା ।

 

ପତାବାଲା ମୋତିରାମ ପୋଲିସ ବାବୁ ଆଗରେ ଯୋଡ଼ାଯୋଡ଼ି କରି ରିପୋର୍ଟ କରିଥିଲା ସପନି ସରକାରୀ ଜମିରେ ବଢ଼ି ଉଠୁଥିବା ସବୁ କେନ୍ଦୁଗଛ ହାଣି ପକାଉଛି । ଅଥଚ ସେ ସେହି ଜୋନ୍‌ର ସମସ୍ତ କେନ୍ଦୁଗଛର ମାଲିକ । କାରଣ ନିର୍ଦ୍ଦିଷ୍ଟ ଖଜଣା ଦେଇ ସେ ସରକାରଙ୍କ ନିକଟରୁ ସେହି ଜୋନ୍‌ର ଠିକା ଆଣିଛି । ସପନି କେନ୍ଦୁବଣକୁ କାଟି ସଫା କରିବା ଦ୍ୱାରା କେନ୍ଦୁପତ୍ର କାରବାରରେ ଅମାପ କ୍ଷତିର ସମ୍ଭାବନା ଦେଖା ଦେଇଛି । ପୋଲିସ ତାଙ୍କର ସହାୟକ ହେବା ବାଞ୍ଛନୀୟ ।

 

ସପନି ଗୁହାରି କଲା, ଜମି ମୋର । ତା’ ଉପରର ଗଛବୃଛ ବି’ ମୋର । ସରକାର ମୋ’ ନାମରେ ଥିବା ଜମି ଓ ଜମି ଉପରର ଗଛବୃଛକୁ ଅନ୍ୟକୁ ଠିକା ଦେଇ ନ ପାରନ୍ତି । ମୁଁ ମୋର ପଡ଼ିଆ ଜମିକୁ ଆବାଦ କରି ପରିବା ଚାଷ କରିବି । ଏଥିରେ ମୋର ଦୋଷ ନାହିଁ ।

 

କିନ୍ତୁ ଏ ସବୁ ସତ୍ତ୍ଵେ ସପନିକୁ ଥାନା ଭିତରେ ଭୀଷଣ ମାଡ଼ ହେଲା । ଥାନାବାଲାମାନେ ତାକୁ ନାଲି ଆଖି ଦେଖାଇ ଜବତ କଲେ, ଓ ମୋତିରାମ ସଙ୍ଗେ ନ ଲାଗିବାକୁ ସତର୍କ କରି ଦେଇ ଥାନାରୁ ବିଦାୟ ଦେଲେ ।

 

ମୋତିରାମ ଖାଲି ଚୌକି ଉପରେ ବସି ହସୁଥାଏ ।

 

ସତରେ ତା’ର ଭୁଲ୍ କେଉଁଠି ସପନି, ବୁଝି ପାରିଲା ନାହିଁ ସେ କ୍ଳାନ୍ତ ଶ୍ରାନ୍ତ ହୋଇ ନିଜ ପଲ୍‌ହାକୁ ଫେରି ଆସି ଦେଖିଲା, ଗୌରୀ ସେହି କଟା କେନ୍ଦୁଗଛ ଗୁଡ଼ିକୁ ପୁଣି ଥରେ ମାଟିରେ ଗାତ ଖୋଳି ଗୋଟି ଗୋଟି କରି ପୋତିବାରେ ଲାଗିଛି ।

 

ସପନିକୁ ଦେଖିବା ମାତ୍ରେ ଗୌରୀ ତା’ପାଖକୁ ଧଇଁ ସଇଁ ହୋଇ ଧାଇଁଗଲା ଓ ସପନିକୁ ଜାବୁଡ଼ି ଧରିଲା । ତା’ଛାତି ଉପରେ ଲୋଟି ଯାଇ କାନ୍ଦ କାନ୍ଦ ହୋଇ କହିଲା, ତୁ ମୋତେ ମାଫ୍ କରରେ ସପନି । ମନା କରୁଥିଲୁ ମାନିଲି ନାହିଁ । ମୋତିରାମ ମଣିଷ ନୁହେଁ, ଜାନୁଆର୍ । ସେ ମୋର ଇଜ୍ଜତ ଲୁଟିବାକୁ ଚାହୁଁଥିଲା । ପଇସା ଦେଇ ମୋତେ କିଣିବାକୁ ଚାହୁଁଥିଲା । ମୁଁ ପଳାଇ ଆସିଲି । ନାଁ, ତା’ ପାଖକୁ ଆଉ କେବେ ଯିବିନାହିଁ । ସେ ପୁଣି କହିଛି, ତୋତେ ଜେଲକୁ ପଠାଇବ । ତୁ କୁଆଡ଼େ ତାର କେନ୍ଦୁଗଛର ଜଙ୍ଗଲ କାଟି ନଷ୍ଟ କରିଦେଲୁ । ଥାନାବାବୁ ପଚାରିଲେ କହିବୁ, କେନ୍ଦୁଗଛ ତୁ କାଟିନାହୁଁ । ସେ ସବୁ ତା’ ମନକୁ ମରିଗଲା । ମୁଁ ତୋର କାଟିଥିବା ସବୁ ଗଛକୁ ପୋତି ଦେଇଛି ।

 

ସପନି ଓ ଗୌରୀ ପୋତା କେନ୍ଦୁଗଛ ମଝିରେ ଛିଡ଼ା ହୋଇ ପରସ୍ପରକୁ ଚାହିଁଲେ । ସେମାନଙ୍କ ଆଖିରେ ଲୁହ କି ହସ କିଛି ନଥିଲା । ସତେ ଅବା ଚାରୋଟି ପ୍ଲାଷ୍ଟିକ୍ ଆଖି ଡୋଳା ଦୁଇଟି ପଥର ମୂର୍ତ୍ତି ମୁହଁରେ ଖଞ୍ଜାଯାଇଛି ।

 

ସପନି ଓ ଗୌରୀ ବହୁ ସମୟ ପର୍ଯ୍ୟନ୍ତ ନୀରବରେ ସେହି ପୋତା କେନ୍ଦୁଗଛ ମଝିରେ ଛିଡ଼ା ହେଲେ । ପରେ ଠିକ୍ କଲେ, ସକାଳ ପାହିଲେ ଗାଁ ଛାଡ଼ି ସହରକୁ ଚାଲିଯିବେ । ସେଇଠି ଦୁଃଖ ସୁଖକରି ଚଳିବେ । ସେଇଠି ମୋତିରାମ ନଥିବ କି ଥାନାବାଲାର ଦୌରାତ୍ମ୍ୟ ନଥିବ । ପତାବାଲା ଗାଁ ନଛାଡ଼ିବା ପର୍ଯ୍ୟନ୍ତ ଫେରିବେ ନାହିଁ ।

 

ସପନି ର ବାଡ଼ ବନ୍ଧା, ପରିବା ଚାଷ କଥା ଆଉ ମନେ ପଡ଼ିଲା ନାହିଁ ।

 

ସପନି ଓ ଗୌରୀ ଅବଶେଷରେ ହାତ ଧରା ଧରି ହୋଇ ଭଙ୍ଗା ପଲ୍‌ହା ଭିତରେ ପଶିଲେ । ମନ ଭିତରେ ଅନେକ ଦୁଃଖ, ଅନେକ ଯନ୍ତ୍ରଣା । ଜଣକର ଦୁଃଖ ଆର ଜଣକୁ ବଳାଉଛି-। କହିବାକୁ ଭାଷା ନାହିଁ । ଆଖିର ଲୁହ ସରି ଯାଇଛି । କିନ୍ତୁ ଦୁହିଁଙ୍କ ଭିତରେ କାନ୍ଦ କାନ୍ଦ ଭାବ-। ପ୍ରତିବାଦ ପାଇଁ ସାହସ ନାହିଁ । ଆତ୍ମପକ୍ଷ ସମର୍ଥନର ସୁଯୋଗ ନାହିଁ । ଗୋଟିଏ ହତାଶ ଓ କାରୁଣ୍ୟ ମିଶ୍ରିତ ବିଷାଦ ଭାବ ଭିତରେ ସେମାନେ ନିମଜ୍ଜିତ ।

 

ସେଦିନ ଗାଆଁର ଅତିଥି ହୋଇ ଜହ୍ନରାତି ଆସିଲା । ଅଥଚ ଗୌରୀ କି ସପନି ତାକୁ ଅଭ୍ୟର୍ଥନା ଜଣାଇ ପାରିଲେ ନାହିଁ । ସତେ ଅବା ଜହ୍ନଟା ତାଙ୍କର ନୁହେଁ ! ସେ ଜହ୍ନ ମୋତିରାମ ଓ ମୋତିରାମକୁ ସମର୍ଥନ କରୁଥିବା ଥାନାବାଲାମାନଙ୍କର ।

 

ସପନି ଓ ଗୌରୀ ଉଭୟଙ୍କର ମନେ ହେଲା, ନିଜ ନିଜ ଦେହଟାମାନ ଖାଲି ସେମାନଙ୍କର ।

 

ତେଣୁ ସବୁ ଯନ୍ତ୍ରଣା ଓ ପରାଜୟର ଗ୍ଳାନିକୁ ଭୁଲି ଯିବାକୁ ସେମାନେ ପରସ୍ପରର ଦେହ ଯୌବନ ଭିତରେ ଅରମା ଲତା ପରି ଛନ୍ଦୁରି ହୋଇ; ନିଜକୁ ହଜାଇ ଦେବାକୁ ପସନ୍ଦ କଲେ । ସେ ଦୁହେଁ ଏକାଠି ଗୋଟିଏ ବିଛଣାରେ ଶୋଇ ଶୋଇ ନିଜ ଦେହ ଓ ଯୌବନ ଉପରେ ଦାଉ ସାଧି, ଦୁନିଆର ଅବସ୍ଥିତିକୁ ଅସ୍ଵୀକାର କଲେ ।

 

ଅବଶେଷରେ ସେମାନେ କ୍ଳାନ୍ତ ହୋଇ ଶୋଇ ଗଲେ । ସେମାନଙ୍କ ଛାତି ପଞ୍ଜରାର ସମସ୍ତ ଅବରୁଦ୍ଧ ଦାବୀ, ଅଭିଯୋଗ, ପ୍ରତିବାଦ ଅଜ୍ଞାନ ଶିଶୁଟିଏ ପରି ଶୋଇଗଲା ।

 

ଏ ଖବର ଜହ୍ନରାତି ପତାବାଲା ମୋତିରାମ, ପୋଲିସ, ସରକାର, ସମ୍ବାଦପତ୍ର କାହାର, କାନରେ ପହଞ୍ଚିଲା ନାହିଁ ।

 

ଏଇ ଗୌରୀ ଓ ସପନି ସଂପ୍ରଦାୟର ମଣିଷମାନେ ସବୁବେଳେ ନିର୍ଯ୍ୟାତିତ ହୋଇ, ନିଜ ନିଜର ଦେହ ଯୌବନ ଉପରେ ଅତ୍ୟାଚାର କରନ୍ତି ଓ କ୍ଲାନ୍ତ ହେଲେ ଶୋଇ ପଡ଼ନ୍ତି । ଆଉ କେହି କେହି ସେ କଷଣ ସେ ଆତ୍ମଗ୍ଳାନିକୁ ସଂପୂର୍ଣ୍ଣ ରୂପେ ଭୁଲି ଯିବାକୁ ମଦ ଖଟିର ଆଶ୍ରୟ ନିଅନ୍ତି-। କାରଣ ବଞ୍ଚିବାଟାହିଁ ତାଙ୍କ ପକ୍ଷରେ ସବୁ କିଛି । ଜହ୍ନରାତିର ସ୍ଵାଦ ଚାଖିବା ସେମାନଙ୍କର ଭାଗ୍ୟରେ ନାହିଁ । ଜହ୍ନରାତି ଖାଲି ସେମାନଙ୍କ ପାଇଁ, ଯେଉଁମାନେ ତା’ଦେହରୁ ଫାଇଦା ଉଠାଇ ଜାଣନ୍ତି । ଯାହାର ସ୍ଵପ୍ନ, ବିଳାସ, କଳ୍ପନା, ପ୍ରାଚୁର୍ଯ୍ୟ ଅଛି, ଜହ୍ନରାତି ସେହିମାନଙ୍କର ।

 

ଅୟସର ସେତୁବନ୍ଧ ବାନ୍ଧିବାକୁ ସତେଅବା ଜହ୍ନରାତି ଆସେ । ସେ ବେଳେ ବେଳେ ପତାବାଲା ମୋତିରାମ ପାଖରେ ପହଞ୍ଚି ସୁନ୍ଦରୀ ଗୌରୀ ପରି ଯୁବତୀ କନ୍ୟାର ଇଜ୍ଜତ ଲୁଟିବାକୁ ଇସାରା ଦିଏ । ବିଚାର ଶୂନ୍ୟ ପୋଲିସ ଅଫିସର୍‌ ବା ଦୁର୍ନୀତି ପରାୟଣ କର୍ମଚାରୀ ପାଖକୁ ଆସି ରିସ୍‌ପତ୍‌ ଗ୍ରହଣ କରିବାକୁ ଇଙ୍ଗିତ ଦିଏ ।

 

ଏ ଜହ୍ନରାତି ଆସେ ଅ ଡକାରେ, ଆପେ ଆପେ ।

 

ସେ ଦିନର ସେହି ଅପୂର୍ବ ଜହ୍ନରାତିରେ ଗାଆଁ ତମାମ ଝଲସି ଉଠିଲା । ଜହ୍ନ ରାତିର ବାଉଳା ପବନ ମାନେ, ସପନିର ପଲ୍‌ହା ଚାରିପଟେ ପଇଁତରା ମାରୁ ମାରୁ ଗୌରୀ ଯେଉଁ କଟା କେନ୍ଦୁଗଛର ଡାଳମାନଙ୍କୁ ନିଜ ହାତରେ ଗାତଖୋଳି ପୁଣି ଥରେ ମାଟି ଉପରେ ପୋତି ପକାଇଥିଲା ସେ ସମସ୍ତ ଉପାଡ଼ି ଦେଲେ । ତାପରେ ସେମାନେ (ପବନମାନେ !) ଗୌରୀ ଓ ସପନି ଏକାଠି ଶୋଇଥିବା ପଲ୍‌ହା ଭିତରେ କିଛିକ୍ଷଣ ଅଟକି ଯାଇ, ଗୌରୀ ଓ ସପନିର ଓଜନିଆ ପ୍ରଶ୍ଵାସ ମାଖି, ଗ୍ରାମ ଛାଡ଼ି ଅରଣ୍ୟ ଭିତରେ ପଶିଗଲେ ।

 

ନିଦା ଜହ୍ନରାତି, କଟା କେନ୍ଦୁଗଛର ନାଣ୍ଡୁ ମୂଳମାନଙ୍କୁ ଦେଖି କିରି କିରି ହୋଇ ହସିଲା-

 

କାହିଁକି ହସିଲ ? ନାଣ୍ଡୁ ମୂଳ ପାଖରେ ଗଜୁରି ଉଠୁଥିବା ନୂଆ ନାଁ ବାଳକ ଗଛଟି ପ୍ରଶ୍ନ କଲା ।

 

ଅର୍ଥାତ୍‌ ?

 

ମୋତିରାମ କହିଲା, ସପନି କେନ୍ଦୁଗଛ ହାଣି କେନ୍ଦୁପତ୍ର କାରବାର ଉପରେ କ୍ଷତି ଘଟାଇଛି । ପୋଲିସ ତାକୁ ବିଶ୍ଵାସ କଲା । ପତାବାଲା ମୋତିରାମ ଟଙ୍କା ଦେଇ କେବଳ କେନ୍ଦୁପତ୍ର କାରବାରର ହକ୍ ନୁହେଁ, ସରକାରୀ ସହାୟତା ବି’ ଖରିଦ୍ କଲା । ସେଥିପାଇଁ ସପନି ଶାସ୍ତି ପାଇଲା । ଅଥଚ ଦେଖୁଛି କେନ୍ଦୁଗଛ ! ତୁମ ବଂଶର ବିନାଶ ନାହିଁ ।

 

ହଣା କେନ୍ଦୁଗଛ ମୂଳରେ ଗଜୁରି ଉଠୁଥିବା ନୂଆ ନା ବାଳକ ଗଛର ସରୁ ସରୁ ନାଲି, ମୁଲାୟମ ପତ୍ରମାନେ ଜହ୍ନରାତିର ହସ ସଙ୍ଗେ ସ୍ୱର ମିଶାଇ ହସିଲେ । ସେମାନେ ମୁଣ୍ଡ ଟୁଙ୍ଗାରି ଟୁଙ୍ଗାରି ଉତ୍ତର ଦେଲେ ଠିକ୍ କହିଛ ।

 

ଅନ୍ୟ କେନ୍ଦୁଗଛର ମୂଳ–ଚେର ଫୁଟାଇ ଗଜୁରି ଉଠିଥିବା ଆଉ କେଇଟି ପିକ ଏକ ସ୍ଵରରେ ଜହ୍ନରାତିକୁ ଶୁଣାଇ କହିଲେ, ଆମେ ଅଜର, ଅମର । ଆମେ କେନ୍ଦୁଗଛ ବୋଲି ମୂଲ୍ୟହୀନ ନୋହୁ । ଲୁହା କୋଇଲା ଖଣିଠୁ ବି’ ଆମେ ମୂଲ୍ୟବାନ । ସରକାର ଓ ଶାସନ ନିୟନ୍ତ୍ରଣ କରିବାକୁ ଓଡ଼ିଶାରେ ଆମର ଜନ୍ମ । ନେତା ଉପନେତାର ଚରିତ୍ର ଚିତ୍ରଣ ପାଇଁ ଆମେ ସହାୟକ । ଆମକୁ ଛୋଟ ମନେ କରନା ।

 

ଜହ୍ନରାତି ଏକଥା ଶୁଣି ପୁଣି ହସିଲା । ସେ ଏକ ବିଳମ୍ବିତ ହସ । କହିଲା, ଚିନ୍ତାନାହିଁ, ମୁଁ ତୁମର ସହାୟକ । କାରଣ, ତୁମେ ସଂପଦର । ତୁମେ ମୋତିରାମ ପରି ଧନୀ ଠିକାଦାରର । ସପନି ଗୌରୀ ସଙ୍ଗେ ତୁମର ସଂପର୍କ ନାହିଁ । ସପନି ଓ ଗୌରୀର ମୋ’ ସଙ୍ଗେ ମଧ୍ୟ ସଂପର୍କ ନାହିଁ-। ଆମେ ଉଭୟେ ସଂପଦ ପାଇଁ, ସ୍ୱପ୍ନ ପାଇଁ, ମୋତିରାମ ପାଇଁ ।

 

ତା’ପରେ ଶିଶୁ କେନ୍ଦୁଗଛ ଓ ପଡ଼ିଆର ଅନ୍ୟ କେନ୍ଦୁଗଛମାନେ ଏବଂ ଜହ୍ନରାତି ପରସ୍ପରକୁ କୋଳାକୋଳି ହେଲେ ।

 

ସପନି ଓ ଗୌରୀ ସେତେବେଳେ ଏ ସମସ୍ତ ଘଟଣା ଓ ଦୃଶ୍ୟକୁ ଅସ୍ଵୀକାର କରି ନିଦ ଭିତରେ ନିଜକୁ ହଜାଇ ଦେଇଥିଲେ ।

☆☆☆

 

ନାଲି ଆଲୁଅ

 

ହରିବନ୍ଧୁ, ପ୍ରଥମେ କେଉଁ ଇଚ୍ଛା କେଉଁ ଅଭିଳାଷ ନେଇ ଜନଗହଳ ସହରର ଏକ ଶାଖାଗଳିର କିଛି ଅଂଶ ଅବରୋଧ କରି ନୂତନ ପ୍ରାସାଦର ଭିତ୍ତି ସ୍ଥାପନ କରୁଥିଲେ କେଜାଣି, ଜନସାଧାରଣଙ୍କ ପକ୍ଷରୁ ବାରମ୍ବାର ଆପତ୍ତି ଅଭିଯୋଗ ହେବା ପରେ ସ୍ଥାନୀୟ ଶାସନ ବିଭାଗର ଉଚ୍ଚପଦାଧିକାରୀ ସ୍ୱୟଂ ଘଟଣାସ୍ଥଳୀରେ ପ୍ରବେଶ ହୋଇ ଯେତେବେଳେ ସରଜମିନ ତଦନ୍ତ କଲେ ଓ ରାଜସ୍ଵ ବିଭାଗରୁ ଦୁଇ ଚାରି ଜଣ ଅମୀନ ଆଣି ସଂପୃକ୍ତ ସରକାରୀ ଜମିକୁ ଭାଗ ମାପ କରିବା ଆରମ୍ଭ କରି ଦେଲେ, ହରିବନ୍ଧୁ ଅତିଶୀଘ୍ର ସେହି ଅଫିସରଙ୍କୁ ନିଜ ବୈଠକ ଘରକୁ ଡାକି ନେଇ କିଛି ସମୟ ପାଇଁ ଗୋପନ ମନ୍ତ୍ରଣା କଲାପରେ ହଠାତ୍ ଘୋଷଣା କଲେ ଯେ, ପ୍ରାସାଦ ନିର୍ମାଣ କାର୍ଯ୍ୟ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଘୁଞ୍ଚାଇ ଦିଆଗଲା ।

 

ଉପସ୍ଥିତ ଜନତା ଭାବିଲେ, ଏଇ ପ୍ରଥମ ଥର ପାଇଁ ହରିବନ୍ଧୁ ହାରିଲା ଓ ତାଙ୍କର ଜିତାପଟ ହେଲା । ସେମାନେ ପରସ୍ପରର ମୁହଁକୁ ଚୁହାଁଚୁହିଁ ହୋଇ ମୁଚୁକି ହସିଲେ ଓ ହାତ ଧରାଧରି ହୋଇ ସ୍ଵ ସ୍ଵ ବାସଗୃହକୁ ପ୍ରତ୍ୟାବର୍ତ୍ତନ କଲେ ।

 

ସାହି ତମାମ ଏ ବିଜୟବାଣୀ ପ୍ରଚାରିତ ହୋଇଗଲା । ସହରର ଅଧିବାସୀମାନେ ଏହି ବିଜୟ ବାର୍ତ୍ତାକୁ ରାଜା ମହାରାଜାଙ୍କର ରାଜ୍ୟ ବିଜୟ ପର୍ବ ପରି ପାଳନ କଲେ । ସେମାନେ ପରସ୍ପର ମଧ୍ୟରେ କଥାବାର୍ତ୍ତା କଲାବେଳେ ମୁକ୍ତ କଣ୍ଠରେ ସ୍ଵୀକାର କଲେ ଯେ, ରାଜ୍ୟର ଶାସନ କଳ ନିଷ୍ପାପ ଓ ନିର୍ମଳ ରହିଛି । ଶାସନକର୍ତ୍ତାମାନେ କ୍ରମେ ନିଜ ନିଜକୁ ଦୁର୍ନୀତି ମୁକ୍ତ କରିବାକୁ ଚେଷ୍ଟା କରୁଛନ୍ତି । ଏହିପରି କିଛିଦିନ ଚାଲିଲେ; ଦେଶର କଳୁଷିତ ଶାସନ ପ୍ରଣାଳୀ ବିଶୋଧିତ ହେବ । ଲୋକେ ଆଉ ଉତ୍କୋଚ ଦେଇ ପଦାଧିକାରୀଙ୍କ ମତାମତକୁ ପ୍ରଭାବିତ କରି ପାରିବେ ନାହିଁ-। ଏ ରାଜ୍ୟ ‘ରାମ ରାଜ୍ୟ’ ରେ ପରିଣତ ହେବ ।

 

ଜନସାଧାରଣଙ୍କ ଏପରି ଭାବନା କରିବା ମୂଳରେ ଯୁକ୍ତିଯୁକ୍ତ କାରଣ ଥିଲା । ସହରର ସ୍ଵନାମଧନ୍ୟ ମଦ୍ୟ ବ୍ୟବସାୟୀ ହରିବନ୍ଧୁ ଚାହିଁଥିଲେ ଦେଶର ରାଜସ୍ୱ ବିଭାଗ କେବଳ ନୁହେଁ ସହରର ଉନ୍ନୟନ ବିଭାଗ, ପୂର୍ତ୍ତ ବିଭାଗ ସମେତ ମୁଖ୍ୟ ଶାସନ ବିଭାଗକୁ ଦୋହଲାଇ ଦେଇଥାନ୍ତେ । ନିଜେ କୌଣସି କାର୍ଯ୍ୟ ହାସଲ କରିବାରେ ବ୍ୟର୍ଥ ହେଲେ, ନିଜ ବ୍ୟବସାୟ ସଂପୃକ୍ତ ଅବକାରୀ ବିଭାଗର ସର୍ବମୟ କର୍ତ୍ତାଙ୍କୁ ଏଣେ ତେଣେ ପଠାଇ, ଧରାଧରି କରି ଇପ୍‌ସିତ କାର୍ଯ୍ୟ ହାସଲ କରି ନେଇଥାନ୍ତେ । ପ୍ରତି ବଦଳରେ ଖଣ୍ଡେ ଫିଏଟ୍‌କାର୍‌ ବା ଆମ୍ବାସି ସ୍କୁଟର ଦେବାକୁ ପଡ଼ିଥାନ୍ତା । କିନ୍ତୁ ନିଜର ଜିଦ୍‌ ଆଗରେ ଆମ୍ଵାସି ସ୍କୁଟର ଅଥବା ଫିଏଟ୍‌କାର୍‌ର ଦାମ୍‌ଟା କ’ଣ ଏତେ ବେଶୀ ? ଏଭଳି ଟକର ପଡ଼ିଲେ, ହରିବନ୍ଧୁ ବାଁ ହାତରେ ତାଙ୍କର କହରିଆ ଲମ୍ବା ଲମ୍ବା ନିଶର ଶେଷାଂଶକୁ ଦି’ ଥର ଦଳି ପକାଇ ଗମ୍ଭୀର କଣ୍ଠରେ ଉତ୍ତର ଦିଅନ୍ତି, ଆରେ ଯା ବେ ଯା । ଦେଖିଲେବି । ବେଟା ଫୁଟାଣୀ କାଢ଼ୁଛି । ମରଦ୍‌କା ବାତ୍ ହାତୀକା ଦାନ୍ତ । ଆବେ, ଏଇ ହାତରେ ପଇସା ରୋଜଗାର କରୁଛି’ ଏଇ ହାତରେ ସାରିବି । ରୁପିଆ ମୋର ହାତର ମଳି । ଦି ଦିନ ମାଲ୍‌ଶଟ୍ କଲେ ହେଲା ! ତୁ କଣ, ତୋର ଚଉଦ ପୁରୁଷକୁ ଚିତା କାଟିଦେବା ଲୋକ ମୁଁ । ଜାଣିଛୁ-?

 

ସତକୁ ସତ ହରିବନ୍ଧୁ ବାବୁଙ୍କ କଥାର ଦାମ୍ ଅଛି । ଯାହା କହନ୍ତି କରନ୍ତି । ଦି’ ଚାରିଦିନ ପାଇଁ ଅବକାରୀ ଜିନିଷର ଅଭାବ ପଡ଼େ । ସହରରେ ଚୋରା ବଜାର ତେଜିଯାଏ । ଅଢ଼େଇ ଦିନ ବେଳକୁ ସବୁ ନର୍ମାଲ ।

 

ହରିବନ୍ଧୁ ବାବୁ ଏଥର କିନ୍ତୁ ଜିଦ୍ କଲେ ନାହିଁ । ରାସ୍ତା ଖୋଳି କାନ୍ଥ ଉଠାଇବା କାମ ବନ୍ଦ କଲେ । ସମସ୍ତେ କହିଲେ, ହରିବନ୍ଧୁ ବାବୁଙ୍କ ଅଙ୍ଗାଙ୍ଗୀ ଦୋସ୍ତ ମ୍ୟୁନିସିପାଲ ନିର୍ବାଚନରେ ଏଥର ପରାଜିତ ହୋଇଥିବାରୁ ଜନସାଧାରଣଙ୍କ ବିଜୟ ହେଲା । ରାସ୍ତା ଅବରୋଧ ବନ୍ଦ ରହିଲା ।

 

(ଦୁଇ)

 

ଏ ଘଟଣାର ମାତ୍ର ଦୁଇଦିନ ଯାଇନାହିଁ, ପୂର୍ତ୍ତବିଭାଗ ତରଫରୁ ପ୍ରଧାନ ରାସ୍ତାର ସେହି ଉପଗଳି ଛକ ମୁହଁରେ ରାସ୍ତାବନ୍ଦ ନୋଟିସ ମରାହୋଇ କାଠର ଅର୍ଗଳି ପକା ହେଲା । ସେ ସାହିର ସମସ୍ତେ ପରସ୍ପର ମୁହଁକୁ ବିସ୍ମୟ ବିସ୍ଫାରିତ ନୟନରେ ଚୁହାଁଚୁହିଁ ହେଲେ । ପରେ ଅଫିସ ଦଉଡ଼ି ବୁଝିଲେ, ରାସ୍ତାର ଅବସ୍ଥା ଅତ୍ୟନ୍ତ ଖରାପ । ପୂର୍ତ୍ତବିଭାଗ ପକ୍ଷରୁ ମରାମତି ହେବ । ସେଇଥିପାଇଁ କାଠର ଅର୍ଗଳି ପଡ଼ିଛି ।

 

କିନ୍ତୁ ହରିବନ୍ଧୁ ବାବୁ ସେହି ନୋଟିସ ଓ କାଠଗଡ଼ା ଦେଖି ମୁଚୁକି ମୁଚୁକି ହସିଲେ ଓ ସେ ଦିନର ପ୍ରଥମ ସଂଧ୍ୟାରେ ନୋଟିସ ପାଖରେ ଏକ ଲଣ୍ଠନର ‘ନାଲି ଆଲୁଅ’ ବ୍ୟବସ୍ଥା କରିଦେଲେ । ଲୋକଙ୍କ ଆଗରେ ପ୍ରକାଶ କଲେ, ରାସ୍ତାଟି ନୂଆରେ ବନ୍ଦ ହେଲା । ନୂଆ ଲୋକ କ’ଣ ସମସ୍ତେ ବିଜ୍ଞାପନ ପଢ଼ିଛନ୍ତି ନାଁ କାଠଗଡ଼ା ଦେଖିଛନ୍ତି ? ଭୁଲରେ ଏ ଗଳି ମୁହଁକୁ ପୂର୍ବ ଅଭ୍ୟାସ ବଶତଃ ଗଡ଼ି ଆସିଲେ, ଦୁର୍ଘଟଣାର ସମ୍ମୁଖୀନ ହେବେ । ସେଇଥିପାଇଁ ନାଲି ଆଲୁଅ ।

 

(ତିନି)

 

ରାସ୍ତା ବନ୍ଦ ହୋଇ କାଠ ଅର୍ଗଳି ପଡ଼ିବାର ଦୁଇଟିମାସ କଟିଗଲା । ଅଥଚ ରାସ୍ତା ମରାମତିର ବ୍ୟବସ୍ଥା ହେଲା ନାହିଁ ।

 

ଜନସାଧାରଣ ସେହି ଗଳିର ରାସ୍ତା କାଟି ଅନ୍ୟ ରାସ୍ତାରେ ଯିବା ଆସିବା କଲେ । କ୍ରମେ ଅନ୍ୟ ରାସ୍ତାରେ ଚାଲିବା ସେ ଅଞ୍ଚଳର ଲୋକମାନଙ୍କର ଅଭ୍ୟାସରେ ପରିଣତ ହୋଇଗଲା-

 

ଦିନେ ହଠାତ୍ ଦେଖାଗଲା, ସହର ଉନ୍ନୟନ ବିଭାଗର ଜଣେ ଉଚ୍ଚ ପଦସ୍ଥ ଅଫିସର ଆସି ନିଜ ହାତରେ କୋଡ଼ିଧରି ମୁଖ୍ୟ ରାସ୍ତାରୁ କିଛି ଅଂଶ ହାଣି ପକାଉଛନ୍ତି । ସେ ମାଟି ହାଣିଲା ବେଳେ, ଭଡ଼ାଟିଆ ସଂକୀର୍ତ୍ତନ ଦଳଟିଏ ଯୁଟିଯାଇ ଉଚ୍ଚନାଦରେ ମୃଦଙ୍ଗ ବାଦନ କରୁଛନ୍ତି ଓ ସହଯୋଗୀମାନେ ଗିନି କସ୍ତାଳ ଓ ଝାଞ୍ଜରେ ଚଉଦିଗକୁ କମ୍ପାଇ ଦେଉଛନ୍ତି । ସରକାରୀ ଫଟୋଗ୍ରାଫର, ବେସରକାରୀ ସାମ୍ବାଦିକ ଓ ଗଲା ଆଇଲା ଲୋକମାନେ ଉତ୍ସବକୁ ମନଧ୍ୟାନ ଦେଇ ଉପଭୋଗ କରୁଛନ୍ତି ।

 

ସାହିଲୋକେ ‘କଥା କଣ’ ବୋଲି ରୁଣ୍ଡ ହେଲାବେଳେ ପ୍ରଚାର ବିଭାଗର ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଗଲା, ଏଇଠି ସହରର ଗଣ୍ୟମାନ୍ୟ ହରିବନ୍ଧୁ ବାବୁ ଦେଉଳ ନିର୍ମାଣ କରିବେ । ଆଜି ସେ ଦେଉଳର ଶୁଭ ଭିତ୍ତି ସ୍ଥାପନ କରାଗଲା । ଏ ଦେଉଳ ସହରରେ ଧର୍ମ ମନୋଭାବ ସୃଷ୍ଟି କରିବାରେ ସହାୟକ ହେବ । ତେଣୁ ଜନସାଧାରଣଙ୍କ ସମର୍ଥନ କ୍ରମେ ସହରର ସ୍ଵନାମଧନ୍ୟ ପୁଣ୍ୟାତ୍ମା ହରିବନ୍ଧୁ ବାବୁ ସରକାରଙ୍କ ନିକଟରେ ଯେଉଁ ଦରଖାସ୍ତ ଦୁଇମାସ ପୂର୍ବେ ପେଶ୍ କରିଥଲେ, ସରକାର ତାହା ମଞ୍ଜୁର କରି ଅଛନ୍ତି ।

 

ଏହାପରେ ପୁଣି ସେହି ମୃଦଙ୍ଗ, କସ୍ତାଳ, ଗିନି, ଝାଞ୍ଜ ସମେତ ‘ହରିବୋଲ’ ଓ ହୁଳହୁଳି ନାଦ ।

 

ସାହିର ଚତୁର୍ଥାବସ୍ଥାରେ ପାଦ ପକାଇଥିବା ଓ ତୃତୀୟ–ଚତୁର୍ଥ ଅବସ୍ଥାର ଘଡ଼ିସନ୍ଧି ସ୍ଥଳରେ ଦଣ୍ଡାୟମାନ ହୋଇଥିବା ସ୍ତ୍ରୀ ଓ ପୁରୁଷମାନେ ହରିବନ୍ଧୁଙ୍କର ଏହିପରି ଧର୍ମଭାବାପନ୍ନ ନିଷ୍ପତ୍ତିକୁ ସ୍ଵାଗତ କଲେ ମଧ୍ୟ, ମଧ୍ୟ-ବୟସ୍କ ତଥା ଯୁବକ ଯୁବତୀମାନେ ଏହାର ତୀକ୍ଷ୍‌ଣ ବିରୋଧ କଲେ ।

 

ପୁଣି କିଛିଦିନ ପରେ ଦେଖାଗଲା, ପ୍ରତିବାଦ କରୁଥିବା ଯୁବକ ଯୁବତୀମାନଙ୍କ ମଧ୍ୟରୁ କେତେକ, ଦେଉଳ ନିର୍ମାଣ ବ୍ୟବସ୍ଥା ଉପରେ ଆକ୍ଷେପ ନକରି ନୀରବ ରହୁଛନ୍ତି । ତେଣୁ କ୍ରମେ ହରିବନ୍ଧୁ ବାବୁଙ୍କ ନିଷ୍ପତ୍ତିକୁ ବିରୋଧ କରୁଥିବା ଯୁବକ ଯୁବତୀମାନେ ସଂଖ୍ୟାନ୍ୟୂନ ତାଲିକାଭୁକ୍ତ ହେଲେ ।

 

ହରିବନ୍ଧୁ ସତେ ଅବା ଏଇ ସୁବର୍ଣ୍ଣ ସୁଯୋଗକୁ ଅପେକ୍ଷା କରିଥିଲେ । ରାତାରାତି ରାଜମିସ୍ତ୍ରୀ ଲଗାଇ ସେ ରାମଚନ୍ଦ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କଲେ । ଜାକ-ଯମକରେ ଦେଉଳ ଉଦ୍‌ଘାଟନ ପର୍ବ ପାଳିତ ହେଲା । ଏହି ପର୍ବର ମୁଖ୍ୟ ଅତିଥି ହେଲେ ହରିବନ୍ଧୁ ବାବୁଙ୍କର ମ୍ୟୁନିସିପାଲ୍‌ ନିର୍ବାଚନରେ ନଗଦ ହାରିଯାଇଥିବା ସେହି ଏକଦା ପ୍ରଭାବଶାଳୀ ଅଙ୍ଗାଙ୍ଗୀ ବନ୍ଧୁ ।

 

(ଚାରି)

 

ଦେଉଳ ପ୍ରତିଷ୍ଠା ହେବାପରେ ସାହିର ବୟସ୍କ ଗୃହସ୍ଥ ଓ ଗୃହୀମାନେ ଆସି ଘଣ୍ଟା ବଜାଇ ଚାମର ଢାଳି, ଶଙ୍ଖ ଫୁଙ୍କି ରାମଲକ୍ଷ୍ମଣ ଓ ସୀତଙ୍କର ଆରାଧନା କଲେ । ଛୋଟ ପୁଅ ଝିଅମାନେ ପ୍ରସାଦ ପାଇବା ଲୋଭରେ ସଞ୍ଜ ମୁହଁରୁ ଆସି ମନ୍ଦିର ପ୍ରାଙ୍ଗଣକୁ ମୁଖରିତ କଲେ । ସମସ୍ତେ ପରସ୍ପର ମଧ୍ୟରେ କୁହାକୁହି ହେଲେ, ଅବଶେଷରେ ହରିବନ୍ଧୁର ଜ୍ଞାନ ଉଦୟ ହେଲା । ଉପାର୍ଜିତ ସମ୍ପଦର ସଦୁପଯୋଗ କଲା । ଆର ଜନ୍ମ ପାଇଁ ଧର୍ମ ସଂଚିଲା ।

 

ବେଳେ ବେଳେ ହରିବନ୍ଧୁ ଆସି ସମବେତ ଜନତା ମଝିରେ ପଶି ଠାକୁରମାନଙ୍କର ସେବା ପୂଜାରେ ଯୋଗ ଦିଅନ୍ତି । ତାଙ୍କୁ ଦେଖିଲେ ଜନ ସମୁଦ୍ର ଦୁଇଭାଗ ହୋଇଯାଏ । କେହି କେହି ମନ୍ଦିର ବେଢ଼ାରେ ଦଣ୍ଡାୟମାନ ଥିବା ସତ୍ତ୍ୱେ, ହରିବନ୍ଧୁଙ୍କୁ ଚଳନ୍ତି ଦେବତା ଜ୍ଞାନରେ ଦଣ୍ଡବତ କରନ୍ତି । ହରିବନ୍ଧୁ ଉପସ୍ଥିତ ଥିବା ଦିନ ଅଧିକ ପ୍ରସାଦର ବ୍ୟବସ୍ଥା ହୋଇଥାଏ ବୋଲି, ବାଳକ ବାଳିକାମାନେ ତାଙ୍କୁ ଦେଖିଲେ ଖୁବ୍ ଆନନ୍ଦ ପ୍ରକାଶ କରନ୍ତି ।

 

କିନ୍ତୁ ସାହିର ବିରୋଧି ଦଳର ସ୍ତ୍ରୀ ପୁରୁଷମାନେ ପ୍ରଚାର କରନ୍ତି ଯେଉଁଦିନ ଅବକାରୀ ବ୍ୟବସାୟରେ ଅତ୍ୟଧିକ ଲାଭ ମିଳେ, ଅଥବା ଜୁଆ ଖେଳରେ ଜିଣେ; ସେହିଦିନ କେବଳ ହରିବନ୍ଧୁ, ଦେବଦର୍ଶନ କରିବାକୁ ଆସେ । ଅନ୍ୟଦିନ ସେ ଠାକୁରଙ୍କ ପାଖରେ ଅଭିମାନ କରି ତାଙ୍କର ମୁଖଦର୍ଶନ ମଧ୍ୟ କରେ ନାହିଁ । ଠାକୁର ସେବାରେ ବି, ତା’ର ବ୍ୟବସାୟୀ ବୁଦ୍ଧି ! ଧନ୍ୟରେ ହରିବନ୍ଧୁ !

 

(ପାଞ୍ଚ)

 

କିଛିଦିନ ପରେ ଦେଖାଗଲା, ମୁଖ୍ୟ ମନ୍ଦିର ଓ ମନ୍ଦିର ସଂଲଗ୍ନ ପ୍ରାଙ୍ଗଣକୁ ଛାଡ଼ି, ରାଜପଥ ସନ୍ନିକଟସ୍ଥ ମୁକ୍ତ ବିସ୍ତୀର୍ଣ୍ଣ ମନ୍ଦିର ପ୍ରାଙ୍ଗଣରେ ଛୋଟ ଛୋଟ ଘର ତୋଳା ଯାଉଛି । ସାହିବାଲା ଖବର ନେଇ ବୁଝିଲେ, ସେଇଠି ହରିବନ୍ଧୁ ଛୋଟ ଛୋଟ ଦୋକାନ ଘର ତୋଳି ଭଡ଼ାରେ ଦେବେ । ଠାକୁର ଦର୍ଶନ ଭିଡ଼ ସଙ୍ଗରେ ବ୍ୟବସାୟଟାବି ବେଶ୍ ଜମିବ ।

 

ଏଥିରେ ସାହୀର ଅସନ୍ତୁଷ୍ଟ ଗୋଷ୍ଠୀର ଲୋକମାନେ ପ୍ରତିବାଦ କରିବାକୁ ଆଗେଇ ଆସିଲା ବେଳେ, ଘରର ମୁରବୀମାନେ ଆଗଭର ହୋଇ କହିଲେ ଠାକୁର ପୂଜାଚର୍ଚ୍ଚା ପାଇଁତ ସେ ସାହିବାଲାଏ ପଇସାଟିଏ ବି ଚାନ୍ଦା ଦେଉନାହାନ୍ତି । ଅଥଚ ତେଣେ ଠାକୁର ପାଖରେ ଦି’ ଓଳି ଭୋଗ ଲାଗୁଛି । ସେହି ଖର୍ଚ୍ଚର ବ୍ୟବସ୍ଥା କରିବାକୁ ହରିବନ୍ଧୁ ଯଦି ଦେଉଳ ପ୍ରାଙ୍ଗଣରେ ଦି’ଚାରି ବଖରା ଦୋକାନ ଘର ତୋଳି ଉଡ଼ା ଲଗାଇଲା, ଏଥିରେ ସାହିବାଲାଙ୍କର ବିରୋଧ କରିବାର କ’ଣ ଅଛି ? ବରଂ ହରିବନ୍ଧୁ ପାଇଁ ଏ ସାହି ପବିତ୍ର ହେଲା । ଦେବସ୍ଥାନର ଧୂପଦୀପ ନୈବେଦ୍ୟରେ ସାହିର ଅଶାନ୍ତଗ୍ରହ ଶାନ୍ତ ହେଲା । ପ୍ରତିବାଦ କାହିଁକି ? ତେଣିକି ହରିବନ୍ଧୁ ବାବୁଙ୍କ ଯୋଜନା ନିଷ୍କଣ୍ଟକ ହେଲା । ଦେବସ୍ଥାନରେ ବ୍ୟବସାୟର ମୂଳଦୁଆ ପଡ଼ିଲା । ମାସ ଦୁଇଟା ମଧ୍ୟରେ ଦିଅଁ ଆଡ଼ୁଖାରେ ରହିଗଲେ । ସେ ସାହିରେ ଦୋକାନ ବ୍ୟବସାୟ ତେଜି ଉଠିଲା ।

 

(ଛଅ)

 

ଦିନେ ଦେଖାଗଲା, ମନ୍ଦିର ପ୍ରାଙ୍ଗଣ ଭିତରେ ହରିବନ୍ଧୁ ବାବୁଙ୍କର ଅବକାରୀ ହିସାବ ରକ୍ଷକ ଆସି ଛୋଟିଆ ଘରଟିଏ ଦଖଲ କରି ବସିଛନ୍ତି । ସାହି ମାଇପିମାନେ ତାଙ୍କର ଓ ତାଙ୍କ ସାଙ୍ଗସାଥିଙ୍କର ଦୌରାତ୍ମ୍ୟରେ ମନ୍ଦିର ବେଢ଼ା ଭିତରକୁ ପଶିବାକୁ ସାହାସ କରି ପାରୁ ନାହାନ୍ତି ।

 

ମନ୍ଦିର ବେଢ଼ା ଭିତରେ ଅବକାରୀ ଗନ୍ଧର ଆଘ୍ରାଣ ପାଇ ସାହିର ବୟସ୍କ ଗୃହସ୍ଥ ଓ ଗୃହିଣୀମାନେ ମଧ୍ୟ ଆସ୍ତେ ଆସ୍ତେ ମନ୍ଦିର ଯିବା ବନ୍ଦ କରି ଦେଲେ ।

 

ଦିଅଁଙ୍କର ଚାମର ଢାଳିବା, ପୂଜା ବେଳେ ଶଙ୍ଖ ଫୁଙ୍କିବା ଓ ଘଣ୍ଟା ବଜାଇବା ଇତ୍ୟାଦି ଆନୁସଙ୍ଗିକ କାର୍ଯ୍ୟବିଧି ଘଟଣାମତେ ହୋଇ ପାରିଲା ନାହିଁ । ତେଣୁ ଚତୁର ହରିବନ୍ଧୁ ପ୍ରାସାଦ ଖର୍ଚ୍ଚ କମାଇ ଦେଇ, ଭକ୍ତ ଅର୍ଥରେ ବାହାରୁ ଲୋକ ଆଣି ସେମାନଙ୍କୁ ସନ୍ଧ୍ୟାକାଳୀନ ନିଯୁକ୍ତି ଦେଲେ । ଏହାରି ଫଳରେ ସାହିର ଯେଉଁ କେତେ ଜଣ ଅଳ୍ପ ବୟସ୍କ ବାଳକ ବାଳିକା, ପିତାମାତାଙ୍କର ଆକଟ ନ ମାନି ତଥାପି ମନ୍ଦିର ବେଢ଼ାରେ ପ୍ରବେଶ କରି ପୂଜା ଅର୍ଚ୍ଚନା ବେଳେ ଠାକୁରଙ୍କ ସମ୍ମୁଖରେ ଉପସ୍ଥିତ ରହୁଥିଲେ, ସେମାନେ ମଧ୍ୟ ମନ୍ଦିର ଆସିବା ଏକାବେଳେକେ ବନ୍ଦ କରିଦେଲେ । ଅବଶେଷରେ ଦେଖାଗଲା, ହରିବନ୍ଧୁଙ୍କର ନବ ନିର୍ମିତ ରାମ ଦେଉଳରେ ଦର୍ଶକମଣ୍ଡଳୀ କେହି ନାହାନ୍ତି, ଅଥଚ ଅର୍ଥ ବିନିମୟରେ ସାମୟିକ ନିଯୁକ୍ତି ପାଇ ମୁତୟନ ହୋଇଥିବା ଲୋକମାନେ ନିର୍ଦ୍ଧାରିତ ପୂଜାବିଧି ଉତ୍ସବକୁ ସମୟ ଦେଖି ଯନ୍ତ୍ରପରି ପାଳନ କରି ଯାଉଛନ୍ତି ।

 

ଦିନେ ହରିବନ୍ଧୁ ବାବୁ ଆଉ ଏକ ଅଭିନବ ଉପାୟ ଉଦ୍ଭାବନ କଲେ । ସେ ମନ୍ଦିର ବେଢ଼ାରେ ଘିଅ ଦୀପ ପରିବର୍ତ୍ତେ ନାଲି ବିଜୁଳି ଆଲୁଅ ଲଗାଇ ଦେଲେ । ପୁଣି ହନୁମାନ, ବିଭୀଷଣ, ଜାମ୍ବବାନ, ସୁଗ୍ରୀବ ସମେତ ଅସଂଖ୍ୟ ସୁନ୍ଦର ନରନାରୀଙ୍କର ପ୍ରତିମୂର୍ତ୍ତିମାନ ଚୂନ ଇଟାରେ ତିଆରି କରାଇ ଦେଲେ, କାହା ହାତରେ ଘଣ୍ଟ ଓ କାହା ହାତରେ ଚାମର ଧରାଇ ଦେଲେ-। ପୁଣି କାହା ହାତରେ ଗିନି, ମୃଦଙ୍ଗ କସ୍ତାଳ ଇତ୍ୟାଦି ଶୋଭା ପାଇଲା ।

 

ଏହାରି ଫଳରେ ବାହାର ଲୋକଙ୍କୁ ଆଣି ସାମୟିକ ନିଯୁକ୍ତି ଦେବା ବନ୍ଦ ହୋଇଗଲା ।

 

ଠାକୁରମାନଙ୍କ ଆଗରେ ଦିନରାତି ଜିରୋପାୱାର ଯୁକ୍ତ ନାଲି ବିଜୁଳିବତୀ ଜଳି ରଙ୍ଗୀନ ଆଲୋକ ବିତରଣ କଲା । ସାମାନ୍ୟ ନରନାରୀଙ୍କ ପରିବର୍ତ୍ତେ, ପୁରାଣ ବର୍ଣ୍ଣିତ ଉଚ୍ଚ ଶ୍ରେଣୀୟ ଭକ୍ତମାନେ ଆହୋରାତ୍ର ଠାକୁର ସେବାରେ ନିୟୋଜିତ ରହିଲେ । ସାହି ନରନାରୀଙ୍କ ସମାବେଶ କଥା ଭାବେ କିଏ ?

 

ଶେଷରେ ହରିବନ୍ଧୁଙ୍କର ବିରୋଧୀ ଦଳର ସ୍ତ୍ରୀ ପୁରୁଷମାନେ ପ୍ରଚାର କଲେ, ହରିବନ୍ଧୁ ସାହିବାଲାଙ୍କୁ ବୋକା ବନାଇ ଦେଲା । ପ୍ରଥମରୁ ସାହି ଭିତରେ ଚୋରିରେ ଯେଉଁ ଅବକାରୀ ଜିନିଷ ବିକିବାର ପରିକଳ୍ପନା କରିଥିଲା, ତାହା ଅବଶେଷରେ ସଫଳ ହେଲା ।

 

ଜାଣିବା ଲୋକମାନେ ଏକଥା ଶୁଣି ପରସ୍ପର ମୁହଁକୁ ଚୁହାଁଚୁହିଁ ହେଲେ । କିନ୍ତୁ ସେ ଦୃଷ୍ଟିରେ ଅଭିଶାପ ଥିଲା କି ଅଭିଯୋଗ ଥିଲା ଜଣା ପଡ଼ିଲା ନାହିଁ ।

 

କିନ୍ତୁ ସେମାନଙ୍କ ସେହି ନିରୀହ ଛାଗଳ ଚାହାଣୀ ଦେଖି ଏତକ ବୁଝି ହେଲା, ସତେ ଅବା ସେମାନେ ପରସ୍ପରକୁ ଦୃଷ୍ଟି ଅନ୍ତରାଳରେ ପ୍ରଶ୍ନ କରୁଛନ୍ତି, ଆମକୁ ହରିବନ୍ଧୁ ସତରେ କ’ଣ ବୋକା ବନାଇ ଦେଲା ? ଆମେ କ’ଣ ସତର ନିର୍ବୋଧ ? ହରିବନ୍ଧୁ କ’ଣ ସତରେ ସମସ୍ତଙ୍କଠୁ ଅଧିକ ଚାଲାକ ?

 

କିନ୍ତୁ, ଏ ପ୍ରଶ୍ନର ଉତ୍ତର କିଏ ଅବା ଦେବ ? ସେ ଲୋକ କାହିଁ ? କେଉଁଠି ??

 

ଠାକୁର ରାମଚନ୍ଦ୍ର ପୂର୍ବପରି ସେହି ବିସ୍ଫାରିତ ନୟନ, ଦରହସିତ ଅଧର ଓ ଉତ୍ତୋଳିତ ହସ୍ତରେ ହରିବନ୍ଧୁ ସମେତ, ସାହିବାଲା, ସହର ବାସିନ୍ଦା ଓ ସାରା ସଂସାରକୁ ନିର୍ବିକାର ନିରାସକ୍ତ ଭାବରେ ଅନାଇଥିଲେ ।

☆☆☆

 

ବୁଡ଼ିଗଲା ଗୋଡ଼

 

ତାଙ୍କ ସଙ୍ଗରେ ଅଧ୍ୟକ୍ଷ ନାୟକଙ୍କ ଅଫିସ ପ୍ରକୋଷ୍ଠରେ ହଠାତ୍ ସାକ୍ଷାତ ହେଲା । ମୁଁ ମନେ ମନେ ଚମକି ଉଠିଲି ।

 

ସେତେବେଳେ ମୁଁ ଅଧ୍ୟକ୍ଷ ନାୟକଙ୍କ ସଙ୍ଗେ କିଛିଟା ସରକାରୀ କିଛିଟା ଘରୋଇ ଆଲୋଚନାରେ ନିମଗ୍ନ ଥିଲି ।

 

ଅଧ୍ୟକ୍ଷ ତାଙ୍କୁ ଦେଖିବା ମାତ୍ରେ ତାଙ୍କର ସ୍ଵାଭାବିକ ପ୍ରଗଳ୍‌ଭତା ହରାଇ ବସିଲେ । ସେ ଗମ୍ଭୀର ହେବାକୁ ଚେଷ୍ଟା କଲେ ଓ ମୋ’ ସଙ୍ଗେ ଆଉ କୌଣସି ଆଲୋଚନା ନକରି ଆଗନ୍ତୁକାଙ୍କୁ ତୀର୍ଯ୍ୟକ୍ ଚାହାଣୀରେ ଚାହିଁବାକୁ ଲାଗିଲେ ।

 

ଅଧ୍ୟକ୍ଷଙ୍କ ସେହି ପରିବର୍ତ୍ତିତ ଅବସ୍ଥା ମୋତେ ଜଣାଇ ଦେଲା, ଏଇଠି ତୁମର ଆଉ କାମ ନାହିଁ । ତୁମେ ଚାଲି ଯାଇପାର ।

 

କିନ୍ତୁ ସେହି ଅସ୍ଵାଭାବିକ ପରିବେଶ ମୋ ଭିତରେ ଗଳ୍ପ ଲେଖିବାର ସ୍ଵାଭାବିକ ପରିସ୍ଥିତି ସୃଷ୍ଟି କଲା । ମୁଁ ନିର୍ଲଜ୍ଜ ଭାବରେ ସେଇଠି ବସି ରହିବାକୁ ଉଚିତ ମନେ କଲି ।

 

ଆଗନ୍ତୁକା ଅଧ୍ୟକ୍ଷଙ୍କ ଅନୁମତିକୁ ଅପେକ୍ଷା ନ କରି ସାମନାରେ ଖାଲି ପଡ଼ିଥିବା ଚୌକି ଅଧିକାର କଲେ ଓ ଅଧ୍ୟକ୍ଷଙ୍କର କୁଶଳ ପ୍ରଶ୍ନ କଲେ ।

 

ମୁଁ ତାଙ୍କୁ ଆଉଥରେ ପ୍ରଶ୍ନବାଚୀ ଚାହାଣୀରେ ଚାହିଁଲି ଓ ସ୍ମୃତି–ମନ୍ଥନ କଲି ।

 

ତାଙ୍କୁ ବଡ଼ ବଡ଼ ସାହିତ୍ୟ ସଭାଠାରୁ ଆରମ୍ଭ କରି ପାର୍ଟି ଓ ପଂକ୍ତି, ପିକ୍‌ନିକ୍ ନାଇଟକ୍ଳବ, ପ୍ରେକ୍ଷାଳୟ, ସଙ୍ଗୀତ ବିଚିତ୍ରା କାର୍ଯ୍ୟକ୍ରମ ଭିତରେ ଦେଖିଥିବାର ମନେ ହେଲା । ପୁଣି ସହରର ବିଭିନ୍ନ ଲୋକାରଣ୍ୟ ଛକ ଜାଗାମାନଙ୍କରେ ମରାଯାଇଥିବା ସିନେମା ପୋଷ୍ଟରର ଲାବଣ୍ୟମୟୀ ନାୟିକା ସଙ୍ଗେ ତାଙ୍କ ମୁହଁର ଆଶ୍ଚର୍ଯ୍ୟ ସାମଞ୍ଜସ୍ୟ ଥିବାର ମନେ ହେଲା ।

 

ଏହାପରେ ଅଧ୍ୟକ୍ଷ ଓ ଆଗନ୍ତୁକା ପରସ୍ପର ମଧ୍ୟରେ ଆଳାପ ଆଲୋଚନା କରୁଥିବା ଅବସରରେ ସମସ୍ତ ସମ୍ଭ୍ରମକୁ ଲଙ୍ଘନ କରି ମୁଁ ସେହି ଆଗନ୍ତୁକାଙ୍କ ସୁନ୍ଦର ମୁହଁକୁ ଚତୁର ସମୀକ୍ଷକର ଚକ୍ଷୁରେ ବାରମ୍ବାର ନିରୀକ୍ଷଣ କରିବାକୁ ଲାଗିଲି ।

 

ମୋର ମନେହେଲା, ସିନେମା ପୋଷ୍ଟରର ସେହି ଶୋଭାଙ୍ଗୀ ନାରୀ ମୂର୍ତ୍ତି ସଙ୍ଗେ ଆଗନ୍ତୁକାଙ୍କର ଶତକଡ଼ା ଶହେ ଭାଗ ସାଦୃଶ୍ୟ ରହିଛି । ପୃଥକ ଭିତରେ ଏତିକି ଚଳଚିତ୍ର ବିଜ୍ଞାପନ ପତ୍ରର ନାୟିକାର ସେହି ଲୋଭନୀୟ ସାଜସଜ୍ଜା ଉପସ୍ଥିତ ଆଗନ୍ତୁକାଙ୍କର ନାହିଁ । ଆଖିରେ ନାହିଁ ସେହି ତୀର୍ଯ୍ୟକ ମନ ମତାଣିଆ କଜଳଗାର । କେଶ ବିଥିକାର ରକ୍ତ ଲୋହିତ ରେଶମୀ ଦୋଳନର ସେହି ଦୋଳାୟମାନ ଭଙ୍ଗୀ ତାଙ୍କ ମସ୍ତକରେ ବର୍ତ୍ତମାନ ଅନୁପସ୍ଥିତ ।

 

ମୁଁ ଯେତିକି ମନେ କଲି ଯେ ମୋରି ସମ୍ମୁଖରେ ଉପବେଶନ କରିଥିବା ଭଦ୍ରମହିଳା ଓ ସିନେମା ପୋଷ୍ଟରର ନାୟିକା ଏବଂ ଏକଅଭିନ୍ନ ବୋଲି ମୋର ସେତିକି ପରିମାଣରେ ତାଙ୍କ ପ୍ରତି ଅଧିକ ଆଗ୍ରହ ଜାତ ହେଲା ।

 

ସିନେମା ପୋଷ୍ଟର ଦେଖି ମନେ ହୋଇଥିଲା, ଚଳଚିତ୍ରର ନାୟିକା ଅତ୍ୟନ୍ତ ସୁନ୍ଦରୀ ହୋଇଥିବେ । ବୟସ ଓ ଯୌବନ ତାଙ୍କୁ ମଦମତ୍ତ କରିଥିବ । ତାଙ୍କ ଆଖିରୁ କାଣିଚାଏ ସ୍ନେହ ପାଇବେ ବୋଲି ଅନେକ ଅବିବାହିତ ରୂପ ମୁଗ୍‌ଧ ଯୁବକ ତାଙ୍କ ଚତୁର୍ଦ୍ଦିଗରେ ଚକର କାଟୁଥିବେ । ସେ ଯୁଆଡ଼େ ଯାଉଥିବେ, ସେହି ବାଟରେ ସୌନ୍ଦର୍ଯ୍ୟର ଝରଣା ବହୁଥିବ ।

 

ଭଦ୍ରମହିଳା ମୋ’ ମନର ନୀରବ ଭାଷା ବୁଝି ପାରିଥିବା ପରି, ଅଧ୍ୟକ୍ଷଙ୍କ ସଙ୍ଗେ କଥାବାର୍ତ୍ତା କରୁ କରୁ ମୋ’ ଆଡ଼କୁ ନିମିଷକ ପାଇଁ ଚାହିଁଲେ ।

 

ମୁଁ ତାକୁ ନିରୀକ୍ଷକର ନିବିଡ଼ ଚାହାଣୀରେ ନିରୀକ୍ଷଣ କରୁଥିଲେ ମଧ୍ୟ, ସେହି ମୁହୂର୍ତ୍ତରେ ସାମାଜିକ ସମ୍ଭ୍ରମ ପ୍ରତି ସଚେଷ୍ଟ ହୋଇ ତାଙ୍କ ମୁହଁରୁ ଆଖି ଫେରାଇ ନେଲି ।

 

କିନ୍ତୁ ଲକ୍ଷ୍ୟକଲି, ଆଗନ୍ତୁକା ମୋର ସେହି ଅପ୍ରତିଭ, ମଧ୍ୟଯୁଗୀୟ ମନୋବୃତ୍ତି ପସନ୍ଦ ନକରି ମୁଚୁକି ମୁଚୁକି ହସୁଛନ୍ତି ।

 

ଅଧ୍ୟକ୍ଷ କ୍ରମେ ଅପେକ୍ଷାକୃତ ଅଧିକ ପ୍ରଗଳ୍‍ଭ ହୋଇ ଉଠୁଥିଲେ । ତାଙ୍କ ମୁହଁରେ କିଛିକ୍ଷଣ ପୂର୍ବର କୃତ୍ରିମ ଗାମ୍ଭୀର୍ଯ୍ୟ ଆଉ ନଥିଲା । ତା’ର ରଙ୍ଗମଧ୍ୟ ବଦଳି ଯାଇଥିଲା । ସେ କେମିତି ଏକ ନିଦୁଆ ଚାହାଣୀରେ ତାଙ୍କୁ ଚାହିଁ ରହିଥିଲେ ।

 

ଭଦ୍ର ମହିଳା ନିହାତି ସାଧାରଣ ଶାଢ଼ି ଓ ବ୍ଲାଉଜ୍‌ ପିନ୍ଧି ଆସିଥିଲେ ବି’ ପିନ୍ଧିବାର ଭଙ୍ଗୀରୁ ତାଙ୍କ ଦେହର ଫେନିଳ ସୌନ୍ଦର୍ଯ୍ୟ ଫୁଟି ଉଠୁଥିଲା । ବେକଖୋଲା, ହାତକଟା ବ୍ଲାଉସ୍‌ ଫାଙ୍କରୁ ମହିଳାଙ୍କର ସୁବର୍ଣ୍ଣ ସ୍ୱାସ୍ଥ୍ୟ ଝଲସି ଯାଉଥିଲା । ସୁସଜ୍ଜିତ କେଶ ବିଥିକାରେ ସେ ଗୋଟିଏ ମାତ୍ର ପ୍ଲାଷ୍ଟିକ୍‌ ତିଆରି ବିଦେଶୀ ଫୁଲଖଞ୍ଜି, ମସ୍ତକରେ ସୌନ୍ଦର୍ଯ୍ୟକୁ ବହୁଗୁଣିତ କରି ପାରିଥିଲେ । ସାଦା ଶାଢ଼ିର ହଂସମିଥୁନ ଚିତ୍ର ତାଙ୍କ ସୁସଜ୍ଜିତ ବକ୍ଷୋଜର ଶିଖର ଦେଶରେ ଆରବ୍ୟ କାହାଣୀର କୁହେଳିକା ସୃଷ୍ଟି କରୁଥିଲା ।

 

ଆପଣ ଛୁଟିରେ ଯାଉଛନ୍ତି ଶୁଣିଲି, ଅଧ୍ୟକ୍ଷ ଅର୍ଦ୍ଧେକ ସ୍ଵଗତ ଅର୍ଦ୍ଧେକ ସ୍ପଷ୍ଟ କଣ୍ଠରେ ପ୍ରଶ୍ନ କଲେ ।

 

କ’ଣ କରିବି କୁହନ୍ତୁ ତ । ସେ ବରାବର ଚିଠି ଲେଖୁଛନ୍ତି ଯିବାକୁ । କିନ୍ତୁ ଏଣେ ମୋର ଏତେ କାମ ଭିଡ଼ ଯେ, ତାକୁ ଛାଡ଼ିଯିବା ସମ୍ଭବ ହେଉ ନାହିଁ । ତେଣେ ପୁଣି ପୁଅ ମୋର ବାରମ୍ବାର ମନେ ପଡ଼ୁଛି ।

 

ନା, ନା, ଆପଣ ତାଙ୍କ ପାଖକୁ ଅନ୍ତତଃ ବର୍ଷକୁ ଥରେ ହେଲେ ଯାଇ ସାକ୍ଷାତ କରି ଆସିବା ଭଲ । ସେ ବିଦେଶରେ ରହିଲେ । ନିଶ୍ଚୟ ଆପଣ ତାଙ୍କର ମନେ ପଡ଼ୁଥିବେ । ଅଧ୍ୟକ୍ଷ ପରାମର୍ଶ ଦେଲେ ।

 

ତା’ବି କ’ଣ ଭାବୁନି ? କିନ୍ତୁ ମୋ’ ଯିବାଟା ନିହାତି ଆବଶ୍ୟକ ବୋଲି କାହିଁ ମୋର ମନେ ହେଉନାହିଁ । କାରଣ ତା’ ହୋଇଥିଲେ, ମୁଁ ନଗଲେ ନାଇଁ ଅନ୍ତତଃ ସେ ବର୍ଷକ ଭିତରେ ଥରୁଟିଏ ହେଲେ ମୋ’ ସଙ୍ଗେ ଆସି ଦେଖା କରୁଥାନ୍ତେ । ଗତ ତିନିବର୍ଷ ହେଲା, ଆସି ନାହାନ୍ତି । ଆଗନ୍ତୁକା ଏହା କହି ଚୁପ୍ ହେଲେ ଓ ନିଜ ପଦ ଅଙ୍ଗୁଳୀମାନଙ୍କୁ ଚାହିଁଲେ ।

 

ମୁଁ ଲକ୍ଷ୍ୟ କଲି, ପରିବେଶ କ୍ରମେ ଘରୋଇ ସଂଳାପ ଆଡ଼କୁ ମୁହାଁଇଛି ।

 

ମହିଳାଙ୍କର ମାଂସଳ ପାଦ ଦି’ଟା ନାଏଗ୍ରା ଚପଳର ନାଲି ରଙ୍ଗରେ ଫାଟି ପଡ଼ୁଥାଏ । ହଂସ ମିଥୁନ ଚିତ୍ରିତ ଶାଢ଼ିର ତ୍ରିରଙ୍ଗ ଧଡ଼ିଟା ନଳିଗୋଡ଼ ଉପରେ ଲହଡ଼ା ଭାଙ୍ଗୁଥାଏ ।

 

ବିବାହିତ ଜୀବନରେ ଏତେଟା ଜିଦ୍‍ ଧରି ବସିଲେ କଣ ଚଳେ ? କିଛିଟା ତ୍ୟାଗ ବାଞ୍ଛନୀୟ । ଅଧ୍ୟକ୍ଷ ସଂଯୋଗ କଲେ ।

 

କିନ୍ତୁ ତ୍ୟାଗ କରିବ କିଏ ? ପୁରୁଷ ନା ସ୍ତ୍ରୀ ? ଅଗନ୍ତୁକା ପ୍ରଶ୍ନ କଲେ ।

 

ଜଣକ କଥା ମୁଁ କହୁନାହିଁ । ନାରୀ ପୁରୁଷ ଉଭୟେ କିଛି କିଛି ତ୍ୟାଗ କରିବା ପାଇଁ ପ୍ରସ୍ତୁତ ରହିବା ବାଞ୍ଛନୀୟ । ବିବାହ ପାଇଁ ସେଇଆ । ଆପୋଷ ସନ୍ଧିପତ୍ର ।

 

ମୁଁ କ’ଣ ତ୍ୟାଗ କରିନାହିଁ ଭାବୁଛନ୍ତି ? ଏକୁଟିଆ ଏଇଠି ରହିଛି । ପୁଅର ବିଦେଶ ପାଠପଢ଼ା ଖର୍ଚ୍ଚ ପାଇଁ ଚାକିରି କରୁଛି । ଚଳି ହେଉନାହିଁ ବୋଲି ବିଭିନ୍ନ ପ୍ରୋଗ୍ରାମ୍ ଆଟେଣ୍ଡ କରିବାକୁ ବାଧ୍ୟ ହେଉଛି । ଅଥଚ ସିଏ ବିଦେଶରେ । ପଇସା ପତ୍ର ପଠାଇବା ଦୂରେଥାଉ, ଆମର ଖବର ଅନ୍ତର ସୁଦ୍ଧା ରଖିଲେ ନାହିଁ । ଶୁଣୁଛି, ପ୍ରତ୍ୟହ ନାଇଟ୍ କ୍ଲବ୍‍ରେ ରାତି କଟୁଛି । ଉପାର୍ଜନ ଅଛି, ବୟସ ବି’ ଅଛି । ସେ କାହିଁକି କାହାକଥା ବୁଝିବେ ? ଅଥଚ ମୋତେ ସବୁକଥା ଦେଖିବାକୁ ପଡ଼ୁଛି । ଆଗନ୍ତୁକା ଗମ୍ଭୀର କଣ୍ଠରେ ପ୍ରକାଶ କଲେ ।

 

ଅଧ୍ୟକ୍ଷ ଏହାଶୁଣି ସତେ ଅବା ସହାନୁଭୂତିରେ ଭିଜିଗଲେ । କହିଲେ, ଜାଣିଛି, ସବୁ ଜାଣିଛି । ସେଇଥି ପାଇଁ କହୁଛି, ଆପଣ ଛୁଟିନେଇ କିଛିଦିନ ପାଇଁ ପାଖକୁ ଚାଲି ଯାଆନ୍ତୁ ।

ସବୁ ଜାଣିଛନ୍ତି, ଅଥଚ ଏ ପ୍ରକାର ଉପଦେଶ ଦେଉଛନ୍ତି ? ବିବାହର ସାଲିସ୍ ପତ୍ରରେ କ’ଣ ମୁଁ ଏକା ସ୍ଵାକ୍ଷର କରିଛି ? ତାଙ୍କର କିଛି ଦାୟିତ୍ଵ ନାହିଁ ? ମହିଳା ଜଣକ ଉତ୍ତେଜିତ କଣ୍ଠରେ ଉତ୍ତର ଦେଲେ ।

ଅଧ୍ୟକ୍ଷ ଜାଣିଶୁଣି କଣ୍ଠସ୍ୱରକୁ ନିମ୍ନ କଲେ । କହିଲେ, ଆପଣ ନାରୀ । ସର୍ବସହଣୀ । ଏ ଦେଶର ନାରୀ, ସୀତା ସାବିତ୍ରୀର ଆଦର୍ଶ ନେଇ ଜନ୍ମ ହୁଏ ।

ମହିଳା ଏହା ଶୁଣି ହସିଲେ । ସେ ଏକ ବ୍ୟଙ୍ଗ ବିଦୃପଭରା ହସ । ସେ ହସରେ ପ୍ରତିଶୋଧ, ପ୍ରତିହିଂସା, ପ୍ରତିଆକ୍ଷେପ ସବୁ କିଛି ଥିଲା । ତାଙ୍କ ମୁହଁର ସୌନ୍ଦର୍ଯ୍ୟ ସେ ହସର ଧାସରେ ବିବର୍ଣ୍ଣ ହୋଇଗଲା । କହିଲେ, ସୀତା ସାବିତ୍ରୀର ଆଦର୍ଶ କଥା ଆହୁରି ଭାବୁଛନ୍ତି ? ତା’ ହେଉଥିଲେ, ମୁଁ ଚାକିରି କରି ଉପାର୍ଜନ କରୁଥାନ୍ତି କାହିଁକି ? ତା’ ଛଡ଼ା ଏ ଯୁଗରେ କେଉଁ ପୁରୁଷ ପୁଙ୍ଗବ ହିନ୍ଦୁ ପୁରାଣର ରାମଚନ୍ଦ୍ର ଅଥବା ସତ୍ୟବାନଙ୍କ ଆଦର୍ଶରେ ଅନୁପ୍ରାଣିତ ? ଯଦି ତାହା ହିଁ ହୋଇଥାନ୍ତା, ଏ ଦେଶରେ ନାଇଟ୍ କ୍ଲବ୍ ନଥାନ୍ତା କି ବିଦେଶୀ ପାନଶାଳା ସବୁ ଏତେ ଚଢ଼ା ମୂଲ୍ୟରେ ନିଲାମ ହେଉ ନଥାନ୍ତା । ଆଉ ଆପଣତ ଜାଣନ୍ତି ସେହି ନାଇଟ୍ କ୍ଲବ୍ ଓ ବିଦେଶୀ ପାନଶାଳାର ପୃଷ୍ଠପୋଷକତା କରେ କିଏ ?

ନାଁ ମୁଁ ଜାଣେନା । ଅଧ୍ୟକ୍ଷ ଉତ୍ତର ଦେଲେ । ପୁଣି ସଂଯୋଗ କଲେ, ମୋ’ ଜାଣିବାରେ ଏ ଦେଶର ଅସାମାଜିକ ଗୋଷ୍ଠୀ ହିଁ ତାରି ପୃଷ୍ଠପୋଷକତା କରିଥାନ୍ତି । ସାମାଜିକ ନୀତି ନିୟମକୁ ନଷ୍ଟଭ୍ରଷ୍ଟ କରି, ଦେଶରେ ଅରାଜକତା ସୃଷ୍ଟି କରିବା ସେମାନଙ୍କ ଉଦ୍ଦେଶ୍ୟ ।

ନାଁ–ନାଁ–ନାଁ, ଆଗନ୍ତୁକା ପ୍ରତିବାଦ କଲେ । ଆପଣ ମୋ’ ସଙ୍ଗରେ ଥରେ ଆସନ୍ତୁ, ସବୁ ବୁଝିଯିବେ । ରାତ୍ରିର ଦ୍ୱିତୀୟ ପ୍ରହର, ନାଇଟ୍ କ୍ଲବ୍ ଓ ବିଦେଶୀ ପାନଶାଳାରେ ଝଡ଼ ସୃଷ୍ଟି କରେ । ଉଲଗ୍ନ ପ୍ରାୟ ନାରୀର ପୁଷ୍ପିତ ରୂପ ଯୌବନକୁ ଏକାଧିକ ପୁରୁଷ ପୁଙ୍ଗବ ମଦିରାସିକ୍ତ ଆଖିରେ ଅନାଇ ରହନ୍ତି । ସେମାନଙ୍କ ସେହି ମୁହୂର୍ତ୍ତର ଚାହାଣୀ ଦେଖିଲେ ଆପଣ ନିଶ୍ଚିୟ ଜାଣିବେ, ସେମାନେ ଚାହାନ୍ତି କଣ ! ଆଉ ସେହି ମଦ୍ୟପ ମେଳାରେ ଆପଣ କାହାକୁ ପାଇବେ ଜାଣନ୍ତି ? ଦେଶର ଶାସନକୁ ନିୟନ୍ତ୍ରଣ କରୁଥିବା ଅନେକ ଉଚ୍ଚପଦସ୍ଥ ରାଜକର୍ମଚାରୀ । ସେମାନଙ୍କ ପାଖରେ ବସିଥିଲେ ଚିନି, ଚାଉଳ ପରମିଟ୍ ପାଇଁ ଦରଖାସ୍ତ କରିଥିବା ଅସଂଖ୍ୟ ଧନ କୁବେର ଅଥବା ଦେଶର ରାସ୍ତା, ଗୃହ ପୋଲ ନିର୍ମାଣ ଦାୟିତ୍ଵ ବହନ କରିଥିବା ପ୍ରଥମ ଶ୍ରେଣୀର କଣ୍ଟ୍ରାକଟ୍‌ର ବୃନ୍ଦ । ଆପଣଙ୍କୁ ବୁଝାଇ କହିବା ଆବଶ୍ୟକ ହେବ ନାହିଁ ଯେ, ସେହିମାନେହିଁ ଆମ ଦେଶରେ ସୀତା, ସାବିତ୍ରୀ ଅଥବା ରାମଚନ୍ଦ୍ର, ସତ୍ୟବାନଙ୍କ ଅପେକ୍ଷା ଅଧିକ ଜନପ୍ରିୟ ।

ଅଧ୍ୟକ୍ଷ ତଥାପି ଚିନ୍ତା ସଙ୍କଟରେ ପଡ଼ିଥାନ୍ତି ।

ମୁଁ ମଧ୍ୟ ସେ ସ୍ଥାନରେ ଆଉ ଅଧିକ ସମୟ ବସି ରହିବା ଉଚିତ କି ନୁହେ, ତାହା ସ୍ଥିର କରି ନପାରି, ଚିନ୍ତା ସଙ୍କଟରେ ପଡ଼ି ଯାଇଥାଏ ।

ଅଧ୍ୟକ୍ଷ କିଛି ସମୟ ଦମ୍‌ମାରି ପୁଣି ତାଙ୍କର ଯୁକ୍ତି ଉପସ୍ଥାପିତ କଲେ । କହିଲେ, ସୀତା ରାମଚନ୍ଦ୍ରଙ୍କୁ ନିଜ ତ୍ୟାଗ ବଳରେ ମହାନ କଲେ ଓ ନିଜେ ମଧ୍ୟ ମହନୀୟା ହେଲେ । ଏ ଦେଶର ସମସ୍ତ କାବ୍ୟ ପୁରାଣ ସେମାନଙ୍କ ଜୟଗାନ କରୁଛି । ମୁଁ ମାନୁଛି, ସ୍ତ୍ରୀ ପକ୍ଷରେ ସ୍ଵାମୀ ପାଇଁ ଯେପରି ସ୍ଵାର୍ଥତ୍ୟାଗ ଆବଶ୍ୟକ; ସ୍ଵାମୀର ସ୍ତ୍ରୀ ପାଇଁ ସେହିପରି କିଛିଟା ତ୍ୟାଗ କରଣୀୟ । ଆପଣ ମୋ’ କଥା ଆଉଥରେ ଚିନ୍ତାକରି ଦେଖନ୍ତୁ ।

 

ଅଧ୍ୟକ୍ଷଙ୍କ ମୁହଁରୁ ଏ ପ୍ରକାର ପୁନରାବୃତ୍ତି ଶୁଣି ମହିଳା ଜଣକ ଅତିଶୟ ଅତିଷ୍ଠ ହୋଇ ପଡ଼ିଲେ । ସେ ଅସ୍ଥିର ଭାବରେ ଆସନ ତ୍ୟାଗ କରୁ କରୁ ପୁଣିଥରେ ଚୌକି ଉପରେ ବସିପଡ଼ି କହିଲେ, ଦେଖନ୍ତୁ, ମୁଁ ହିନ୍ଦୁ ପୁରାଣର ଧାର ଧାରେ ନାହିଁ । ମୋତେ ପଚାରିଲେ କହିବି, ସେଗୁଡ଼ା ନିହାତି ମନ ଗଢ଼ା କଥା । ମୋ ନାଁ ଲୁସି ସାନ୍ୟାଲ । ମୋ ମତରେ ପୁରୁଷ ସ୍ତ୍ରୀ ଉଭୟେ ସମାନ । ସେମାନେ ମଣିଷର ସହଜାତ ପ୍ରବୃତ୍ତି ନେଇ ଜନ୍ମ ହୁଅନ୍ତି ଓ ତାରି ଭିତରେ ମରନ୍ତି । ଦୋଷ ଦୁର୍ବଳତାହୀନ ନିଛକ ଆଦର୍ଶବାଦର ରାମ ସୀତା ଅଥବା ସାବିତ୍ରୀ ସତ୍ୟବାନ ମୋ ଆଖିରେ ଅନ୍ୟ ସଂସାରର ଚରିତ୍ର ।

 

ଅଧ୍ୟକ୍ଷ ଏଥର ଆହୁରି ଦୃଢ଼ହୋଇ ନିଜ ସଂପର୍କରେ ଓ ଧର୍ମ ସଂପର୍କରେ ଯୁକ୍ତି କରିବା ଆରମ୍ଭ କରିଥିଲେ ।

 

ଲୁସି ସାନ୍ୟାଲ ଆଉ ଧୈର୍ଯ୍ୟ ଧରି ବସିବା ଅବସ୍ଥାରେ ନଥିଲେ । ଉଠିପଡ଼ି କହିଲେ, କରିବା ଓ କହିବା ମଧ୍ୟରେ ଆକାଶ ପାତାଳ ପ୍ରଭେଦ । ତାହା ହୋଇଥିଲେ ଆପଣ ନିଜେ ଆପଣଙ୍କ କହିବା କଥା ନିଜ ଜୀବନରେ ପ୍ରୟୋଗ କରି ଦେଖାଇ ଦେଇ ଥାଆନ୍ତେ । ଆପଣ ନିଜକୁ ନିଜେ ପ୍ରଶ୍ନ କରନ୍ତୁ, ଏତେଦିନ ପର୍ଯ୍ୟନ୍ତ ନିଜର ବିବାହିତା ପତ୍ନୀକୁ ନିଜ ପାଖରୁ ଦୂରେଇ ରଖି, ନିଜ ସଂସାରରେ ଏତେ ବଡ଼ ରହସ୍ୟାଚ୍ଛନ୍ନ ଗୋଲକାଧନ୍ଦା ସୃଷ୍ଟି କରିଛନ୍ତି କି ନାହିଁ । ମଣିଷର ମନ ସବୁଠି ସମାନ । ଆତ୍ମପକ୍ଷ ସମର୍ଥନ ପାଇଁ ସମସ୍ତେ ଆଗ୍ରହୀ । ଅବଶ୍ୟ ଏକଥା କହିଲି ବୋଲି ମନରେ କିଛି ଭାବିବେ ନାହିଁ, କ୍ଷମା ଦେବେ ।

 

ମହିଳା ଆସନ ଛାଡ଼ି ଚାଲିଗଲେ ।

 

ମୁଁ ଦେଖିଲି, ଅଧ୍ୟକ୍ଷ ସତକୁ ସତ ଭାବନାରେ ପଡ଼ି ଯାଇଛନ୍ତି । ସେ ନୀରବରେ ନିଜ ଆସନରେ ବସି ତଳକୁ ମୁଣ୍ଡ ନୁଆଇଁ ନେଇଛନ୍ତି । ବିଦାୟୀ ମହିଳା ଫେରି ଯାଉଥିବା ଦେଖି ସେ କିଛିହେଲେ କହିଲେ ନାହିଁ । ତା’ପରେ ପୁଣି ଦେଖିଲି, ଅଧ୍ୟକ୍ଷ ତାଙ୍କ ଘୂର୍ଣ୍ଣାୟମାନ ଚୌକିକୁ ନିଜ ପାଦରେ ଚାପଦେଇ ଘୂରାଇ ପକାଇଲେ ଓ ମୋ’ ଆଡ଼କୁ ପିଠିକରି ନିଜ ଆଖିରୁ ଲୁହ ପୋଛିଲେ ।

 

ଏ ଦୃଶ୍ୟ ମୋ’ ଆଖିରେ ବିସ୍ମୟ ସୃଷ୍ଟି କଲା ଯେତିକି, ସେମାନଙ୍କ ସଂପର୍କରେ ସବୁକଥା ଜାଣିବାକୁ ମନ ଭିତରେ କୌତୂହଳ ଉଦ୍ରେକ ହେଲା ତତୋଽଧିକ ।

 

ପରେ ଅନୁସନ୍ଧାନ କରି ବୁଝିଲି ଲୁସି ସାନ୍ୟାଲ୍‌ ଯେମିତି ନିଜ ସ୍ଵାମୀ ଓ ପୁତ୍ରଠାରୁ ଦୂରେଇ ରହି ତଥାକଥିତ ପ୍ରତିଷ୍ଠା ହାସଲ ନାମରେ ବିଭିନ୍ନ ଚଳଚିତ୍ର, ନାଇଟ୍ କ୍ଲବ ଓ ପାର୍ଟି ପଂକ୍ତିରେ ଯୋଗଦେଇ ନିଜ ଜୀବନର ନିର୍ଜନତାକୁ ଭୁଲିଯିବାକୁ ଚାହୁଁଛନ୍ତି, ବୟସ୍କ ଅଧ୍ୟକ୍ଷ ନାୟକ ସେମିତି ଆତ୍ମ ନିର୍ବାସନ ଜୀବନ ଯାପନ କରୁଛନ୍ତି । ନିଜର ପୁତ୍ର, କନ୍ୟା, ପତ୍ନୀ ତଥା ପରିବାର ସଙ୍ଗରେ ତାଙ୍କର ସାମାନ୍ୟତମ ସମ୍ପର୍କ ସୁଦ୍ଧା ନାହିଁ ।

 

ପୁଣି ଦିନେ ରାସ୍ତା ଧାରରେ ଦେଖି ବିସ୍ମିତ ହେଲି, ସେ ଦିନର କ୍ରୂଦ୍ଧା ଲୁସି ସାନ୍ୟାଲ୍‌ ଓ ନୀତିବାଦୀ ନାୟକ ଗୋଟିଏ ରିକ୍‌ସାରେ ଏକାଠି ବସି, ଏକ ପ୍ରେକ୍ଷାଳୟ ଅଭିମୁଖେ ଯାତ୍ରା କରୁଛନ୍ତି-

 

ଅଧ୍ୟକ୍ଷ ମହାଶୟଙ୍କ ଶୁଭ୍ରପ୍ରାୟ ମସ୍ତକ ହଠାତ୍ କୃଷ୍ଣବର୍ଣ୍ଣ ଧାରଣ କରି ସୁନ୍ଦର ଦେଖାଯାଉଛି । ଆଖିରେ ତାଙ୍କର ଯୁବକ ସୁଲଭ ଚଞ୍ଚଳତା । ଦାମୀ ଶାର୍ଟର ସାମନା ପକେଟ୍‌ରେ ଚମ୍ପା ଫୁଲର ମୁକ୍ତ ପାଖୁଡ଼ା ଦେଖାଯାଉଛି । ଲୁସି ସାନ୍ୟାଲ ମଧ୍ୟ ଅପେକ୍ଷାକୃତ ଅଧିକ ସମୟ ବିନିଯୋଗ କରି ନିଜକୁ ଚଳଚିତ୍ର ବିଜ୍ଞାପନ ପତ୍ରର ସେହି ସୁସଜ୍ଜିତ ନାୟିକା ପରି ନିଜକୁ ସଜାଇଛନ୍ତି । ତାଙ୍କ ଆଖିର ତୀର୍ଯ୍ୟକ କଜଳଗାର କାନମୂଳି ପର୍ଯ୍ୟନ୍ତ ଲମ୍ବି ଆସିଛି । ସୁନ୍ଥା ପାଖରୁ ଦୁଇକେରା କୁଞ୍ଚିତ ଅଳକା ପାଲିସ୍‌ କପାଳ ଉପରେ ଲହଡ଼ା ଭାଙ୍ଗୁଛି । ତାଙ୍କ ଓଷ୍ଠ, ଚିବୁକ ତଥା ଚାହାଣୀରେ ଆକର୍ଷଣର ଲୋହିତ ସୁରଲିପି ।

 

ସେମାନେ ଉଭୟେ ମୋତେ ରାସ୍ତା ଧାରରେ ଦେଖିଲେ । କିନ୍ତୁ ଦେଖି ମଧ୍ୟ‌ ନଦେଖିଲା ପରି ମୁହଁ ବୁଲାଇ ନେଲେ ।

 

ମୋ’ ଆଗରେ ଅଧ୍ୟକ୍ଷ ଓ ଲୁସି ସାନ୍ୟାଲର ଅସଲ ରୂପ ଆଉ ଅଛପା ରହିଲା ନାହିଁ । ବୁଝିଲି, ଅନ୍ୟ ଅନେକଙ୍କ ପରି ସେମାନେ ମଧ୍ୟ ଏ ଯୁଗର ବହୁ ବିଜ୍ଞାପିତ ତଥାକଥିତ ସଭ୍ୟତାର ମୁଖା ପିନ୍ଧି, ନିଜକୁ ଯେତେ ଭଦ୍ର, ଶିକ୍ଷିତ ଓ ସଂଭ୍ରାନ୍ତ ବୋଲି ଡିଣ୍ଡିମ ପିଟୁଥିଲେ ମଧ୍ୟ, ସେମାନଙ୍କ ଭିତରେ ପଞ୍ଚତନ୍ତ୍ରର ପ୍ରବଞ୍ଚକ କୁମ୍ଭୀର ଓ କୁମ୍ଭୀର ପତ୍ନୀର ଅଭିଳାଷ ଅଛି । ସେମାନେ ଆର୍ଯ୍ୟ ସଂସ୍କୃତିର ପ୍ରତୀକ ବୃଦ୍ଧ ମାଙ୍କଡ଼ର କଲିଜା ଚାଖିବାକୁ ଚାହାନ୍ତି । ଅନ୍ୟ ସବୁକଥା କୁମ୍ଭୀରର ମନଭୁଲାଣିଆ ଛଳନା ମାତ୍ର ।

 

ଚପଳା

 

ଚପଳା ଚଟ୍‌କିନା ନିଦରୁ ଉଠି ଚାହିଁଲା, ବଡ଼ଦାଣ୍ଡ ଉପରେ ସକାଳୁଆ ନରମ ଖରାଟା ଲହଡ଼ି ଭାଙ୍ଗୁଛି । ସେ ନସରପସର ହୋଇ ନଡ଼ିଆ ଗଛ ଛାଇତଳର ପାଣି ପାଇପ୍ ପାଖକୁ ଧାଇଁଗଲା ଓ ଭଲକରି ମୁହଁ ହାତ ଧୋଇ ନୀଳଚକ୍ରକୁ ଚାହିଁ ଚାହିଁକା ନମସ୍କାର କଲା ।

 

ନୀଳଚକ୍ରର ପାଦତଳେ ପୁରୀ ସହରର ସବୁତକ କିରଣ ସତେଅବା ଅଜାଡ଼ି ହୋଇ ଯାଇଥାଏ । ବାରହାତିଆ ଚନ୍ଦ୍ର–ତାରା–ଖଚିତ–ବାନାଖଣ୍ଡକ ସକାଳର ସେଇ ନରମ ସୁନାରଙ୍ଗର କିରଣ ସଙ୍ଗେ ଲୁଚକାଳି ଖେଳୁଥାଏ ।

 

‘ଇଲୋ ବୋଉଲୋ ! ମୋତେ ଯେ ଏଇନେ ଭୁବନେଶ୍ଵର ଯିବାକୁ ହେବ ।’ ଚପଳା ମନକୁ ମନ କହିହେଲା, ଆଉ ଏକ ନିଃଶ୍ୱାସରେ ଧାଇଁବାକୁ ଲାଗିଲା ।

 

ଚପଳାର ପରିଧେୟ ସେଇ ସବୁଦିନିଆ ହଳଦିଆ ରଙ୍ଗର ଶାଢ଼ି । ଅଣ୍ଟା ପାଖକୁ ସରୁ ହୋଇ ଧଳା ରଙ୍ଗର ଗାର । ବେଳ ପାଖକୁ ଜରିକାମକରା ଚିତ୍ରବିଚିତ୍ର ଧଡ଼ି । ଶାଢ଼ି ଦେହରେ କଳାରଙ୍ଗର କେତେ ଚିତ୍ରପଟ । ଏଇ ବେଶ ଭୂଷଣରେ ଚପଳା ଚମତ୍କାର ଦେଖାଯାଏ ।

 

ପୁରୀ ସହରରେ ଏମିତି ଜଣେ ଲୋକ ନାହିଁ, ସିଏ ଚପଳାକୁ ଚିହ୍ନିନି ବୋଲି କହିବ । ସହସ୍ର ଲୋକଭେଳାରେ ଚପଳା ବାରି ହୋଇଯାଏ ।

 

ଚପଳା ତରବର ହୋଇ ଚାଲିଗଲାବେଳେ, ରାସ୍ତା ପାର୍ଶ୍ଵର ଅଗଣିତ ନରନାରୀ ତାକୁ ମୁଗ୍‌ଧ ଆଖିରେ ଚାହିଁ ରହନ୍ତି । ତା’ର ଚାଲି ତ ଚାଲି ନୁହେଁ, ଏକ ରକମର ଦଉଡ଼ । ଆଖି ପଲକରେ ଅଦୃଶ୍ୟ ହୋଇଯିବ । ଏଇନେ ଥିବ, ଏଇନେ ଲୋକଗହଳି କାଟି କାହିଁ କେତେ ଦୂରକୁ ଦଉଡ଼ି ଯାଇଥିବ ।

 

ସବୁଦିନ ପରି ଚପଳା ସେଦିନ ବଡ଼ିଭୋରରୁ ମଣିଷ ଭେଳା ଭିତରେ ପଶି ଆଗେଇ ଯାଉଥିଲାବେଳେ ଲୋକ କୁହାକୋହି ହେଲେ, ଆଜି କୁଆଡ଼େ ବାହାରିଛି କେଜାଣି ! କୋଣାର୍କ, ଭୁବନେଶ୍ୱର ଯିବାର ରାସ୍ତା ଏକ । କିଏ କହିବ, କୁଆଡ଼ିକି ତା’ର ଗତି ?

 

କିନ୍ତୁ ସେ ଯୁଆଡ଼େ ଯାଉନା କାହିଁକି, ସବୁଦିନ ବଡ଼ଦାଣ୍ଡ ଉପରେ ଛିଡ଼ା ହୋଇ, ବେକ ଭାଙ୍ଗି ନୀଳଚତ୍ର ଆଡ଼େ ଚାହେଁ । ଗୁଣୁଗୁଣୁ ହୋଇ ଗୁହାରିଲା ପରି କହେ, ଆଜି ଦିନଟା ଶୁଭରେ କଟାଅ ଜଗନ୍ନାଥ । ଭଲରେ ଭଲରେ ତୁମରି ପାଖକୁ ଫେରିଆସେ ।

 

ଚପଳାର ଡାକ କେବେହେଲେ ଅବ୍ୟର୍ଥ ହୁଏନା । ସେ ଯୁଆଡ଼େ ଥାଉନା କାହିଁକି, ମାଛିଅନ୍ଧାରରୁ ବଡ଼ଦାଣ୍ଡରେ ଆସି ହାଜର ହୋଇଯାଏ । ଦେଉଳ ବେଢ଼ାରେ ଝାଞ୍ଜ ବାଜି ଉଠିଲେ, ମଉନ ହୋଇ ଜଗନ୍ନାଥ ଜଣାଣ ପଢ଼େ ।

 

(ଦୁଇ)

 

ବଡ଼ିଭୋର୍‌ରୁ ଭୁବନେଶ୍ଵର ଯିବ ବୋଲି ମାଧବିକା ସ୍ଵାମୀ ସଙ୍ଗରେ ବଡ଼ଦାଣ୍ଡରେ ହାଜର ହେଲା ।

 

ଆଃ, ଚପଳାଟା ଯଦି ସାଙ୍ଗ ହୁଅନ୍ତା, ଭୁବନେଶ୍ଵର ଯାତ୍ରା ସଫଳ ହୁଅନ୍ତା ।

 

କିନ୍ତୁ ଚପଳା କ’ଣ କଥାମାନି ଚାହିଁବ ?

 

ଚପଳାର ଅନେକ ସାଙ୍ଗସୁଖ । ଅନେକ ବନ୍ଧୁ ସେ ପାଇଛି । ପୁରୀ ସହରକୁ ନୂଆହୋଇ ଆସିଲେ କ’ଣ ହେବ, ଏଇ କିଛିଟା ଦିନ ଭିତରେ ତା’ର ବହୁ ଲୋକଙ୍କ ସାଙ୍ଗରେ ପରିଚୟ ହୋଇଗଲାଣି ।

 

ଚପଳାର ଏ ଜନପ୍ରିୟତା ଦେଖି ସତରେ ଈର୍ଷା ଜାତ ହୁଏ ।

 

ଚପଳାର କ’ଣ ଦେଖି ପୁରୀବାସିନ୍ଦା ଏତେ ବିଭୋଳ ? ତା’ ଦେହରେ କ’ଣ ସୁନା ଲାଗିଛି କି ? ଘୋଡ଼ିପରି ହସେ । ହରିଣପରି ଧାଏଁ ।

 

ଛଇ–ଛଟକରେ ମେଘ ବିଜୁଳିକି ବଳେଇଯାଏ । ତଥାପି ଲୋକେ ତା’ ପଛରେ ଗୋଡ଼ାନ୍ତି । ତଥାପି ତା’ର ସୁନାମ ଗାଆନ୍ତି । କହନ୍ତି କୋଟିକରେ ଗୋଟିଏ ! ଚପଳା ପରି ଦ୍ଵିତୀୟା କେହି ମିଳିବେ ନାହିଁ ।

 

ଚପଳାର ଜାକଜମକ ସଙ୍ଗରେ ତାଳଦେଇ ଚାଲିବେ ବୋଲି ପୁରୀ ସହରର ଅନେକ ବୋହୂ ଭୂଆସୁଣୀ ହଳଦୀ ବର୍ଣ୍ଣର ଧଳାପଟା ପଡ଼ିଥିବା କଲକତୀ ଶାଢ଼ି ବରାଦ କଲେଣି । ପୁରୀ ସହରର ଏଇ କିଛିଦିନ ହେବ ହଳଦିଆ ଶାଢ଼ିର ଅଭାବ ଦେଖା ଦେଲାଣି ।

 

ମାଧବିକା କହିପୋଛି ସେଇ ହଳଦିଆ ଶାଢ଼ିରୁ ଖଣ୍ଡେ ମଗାଇ ପିନ୍ଧିଥିଲା । ଚପଳାକୁ ଦେଖିଲାମାତ୍ରକେ ସେ ନିଜ ସଙ୍ଗରେ ଚପଳାର ତୁଳନା ଆରମ୍ଭ କରିଦେଲା ।

 

ଚପଳା ନବଯୌବନ ପାଇଥିଲେ ମଧ୍ୟ ମାଧବିକା ବି’ କିଛି କମ୍ ନୁହେଁ । ଶାଶୁ ଶ୍ୱଶୁର ବାଛି ତାକୁଇ ବୋହୂ କରି ଆଣିଥିଲେ ।

 

ସେଇ ବାହାଘର କଥା ମନେ ପଡ଼ିଯିବାରୁ ମାଧବିକା ଚଲାବାଟରେ ସାମାନ୍ୟ ଧିମେଇଯାଇ ଦୀର୍ଘ ନିଃଶ୍ଵାସ ଛାଡ଼ିଲା । ସେତେବେଳେ ସେ ନବଯୌବନ ପାଇଥାଏ । ନୂଆଜୀବନର ମତୁଆଲା ସ୍ଵପ୍ନ ଦେଖିବାକୁ ତାକୁ ଖୁବ୍ ଭଲ ଲାଗୁଥାଏ । ସବୁବେଳେ ନିଜ କଥା ଭାବିବାକୁ ମନ ବଳୁଥାଏ ।

 

ଦିନେ ସକାଳେ ଶାଶୁ ଶ୍ୱଶୁର ସଙ୍ଗହୋଇ ସାକ୍ଷୀଗୋପାଳରେ ପହଞ୍ଚିଲେ । ସେତେବେଳେ ପୁରୀ ସହର ସମେତ ଆଉ ତିନି ଚାରିଟା ବୋହୂ ଦେଖା ସରିଯାଏ । ମନ ମାନି ନ ଥିଲା ବୋଲି ସାକ୍ଷୀଗୋପାଳ ଯିବା ହେଲା ।

 

ମାଧବିକା ସକାଶେ ସିଏ ଥିଲା ଏକ ପରୀକ୍ଷାର ଦିନ । ସେ ବସି ବସି ସେଦିନ ମୁଣ୍ଡବାନ୍ଧି, କଜଳ ନାଇ, କୁଙ୍କୁମଲଗାଇ, ଗୋଲାପି ଶାଢ଼ି ଖଣ୍ଡେ ପିନ୍ଧି ଭାବୀ ଶାଶୁ–ଶ୍ୱଶୁର ଆଗରେ ଛିଡ଼ା ହେଲା ।

 

ଝିଅ ତ ନୁହେଁ ସଖୀକଣ୍ଢେଇ ।

 

ଶାଶୁ ଶ୍ୱଶୁର ସେ ରୂପ ଦେଖି ଝଲସେଇ ଗଲେ ।

 

ମାଧବିକା କିନ୍ତୁ ଗୋଟାପଣେ ଝାଳେଇ ଯାଇଥାଏ । ସତରେ କ’ଣ ପୁରୀ ସହରର ବୋହୂ ହେବାର ତା ଭାଗ୍ୟରେ ଅଛି ? ସେ ମନେ ମନେ ଜଗନ୍ନାଥଙ୍କ ନାମ ନେଲା ।

 

ଜଗନ୍ନାଥ ମାଧବିକାର ମନ କଥା ବୁଝିଲେ ।

 

ଶାଶୁ ଶ୍ୱଶୁର ପୁରୀ ସହରରୁ ନିର୍ମାଲ୍ୟ ମହାପ୍ରସାଦ ଆଣି ନିର୍ବନ୍ଧ କରିଦେଲେ । ତା ପରେ ପରେ ବାହାଘର । ରାଜକୁମାର ପରି ରୂପର ଓ ଗଣେଶ ପରି ଗୁଣର ସ୍ଵାମୀ ପାଇ ମାଧବିକା ନିଜକୁ ଧନ୍ୟ ମନେ କଲା ।

 

କଉଡ଼ି ଖେଳରେ ହାରି ଯିବାରୁ ସ୍ଵାମୀ କଥା ଦେଇଥିଲେ, ସଙ୍ଗରେ ଭୁବନେଶ୍ଵର ନେଇଯିବେ ।

 

ବାହାଘର ଦି’ବର୍ଷ ପରେ ଆଜି ସେ ପଣ ପୂରଣ କରିବେ ।

 

ମାଧବିକା ବଡ଼ଦାଣ୍ଡ ଉପରେ ସାମାନ୍ୟ ଅଟକି ଯାଇ ମନକୁ ମନ ହସିଲା ।

 

ମାଧବିକାର ସ୍ଵାମୀ ଦେଖିଲେ, ରାସ୍ତା ମଝିରେ ମାଧବୀ ହସୁଛି । କହିଲେ, ଚପଳା ପରା ଚାଲି ଯାଉଛି । ତମେ ଛିଡ଼ାଟା ହେଲ କ’ଣ ମ ?

 

ମାଧବିକା ଭାବିଲା କହିଦେବ ଆଉ କ’ଣ ତା’ ପଛରେ ଗୋଡ଼ାଇବି ? ତୁମେ କ’ଣ ଚାହଁ, ମୁଁ ସବୁ କଥାରେ ଚପଳା ପରି ତରବର ହୁଏ ବୋଲି ? ସେପରି ହେବା କ’ଣ ଭଲ ?

 

ନାଁ, ଚପଳା ସଙ୍ଗରେ କିନ୍ତୁ ଭୁବନେଶ୍ଵର ଯିବାକୁ ହେବ । ସମସ୍ତେ କହନ୍ତି, ଚପଳା ସଙ୍ଗରେ ଯୁଆଡ଼ିକି ଯିବ, ଯାତ୍ରାଟା ବେଶ୍ ଉପଭୋଗ୍ୟ ହୁଏ । ଆଉ କିଏ ଚାହେ ନି, ତା ଯାତ୍ରାଟା ସୁଖପ୍ରଦ ହେଉ ବୋଲି ।

 

ମାଧବିକା ବାଧ୍ୟ ହୋଇ ଧାଇଁବାକୁ ଲାଗିଲା, ଆଉ ମନକୁ ମନ କହିଦେଲା, ଚପଳାର ଭାଗ୍ୟ ଖୁବ୍ ଟାଣ । ସମସ୍ତେ ତାରି ପ୍ରଶଂସାରେ ଶତମୁଖ । ସେ କାହାରି ପାଖକୁ ଭୁଲ୍‌ରେ ସୁଦ୍ଧା ଦିନେ ଯାଏନି’ । ଅଥଚ ତା’ରି ସଙ୍ଗସୁଖ ପାଇବେ ବୋଲି ପ୍ରତିଦିନ ତା’ରି ପାଖକୁ ଶହ ଶହ ଲୋକ ବାଉଳା ହୋଇ ଧାଇଁଥାନ୍ତି । ଚପଳା ସବୁଦିନ ଗର୍ବରେ ମୁଣ୍ଡ ଟେକି ଚାଲେ ।

 

ମାଧବିକାର ମନ କଥା ବୁଝିଲା ପରି, ଚପଳା ଚାଲି ଯାଉ ଯାଉ ମାର୍କେଟ ସାମନାର ଚାରିଛକରେ ସାମାନ୍ୟ ଅପେକ୍ଷା କଲା ।

 

ମାଧବିକର ସ୍ଵାମୀ ଆନନ୍ଦରେ ପ୍ରକାଶ କଲେ, ଏଇ ଚପଳା ଆମକୁ ତ ଚାହିଁଛି । ସେ ଆମ ପାଇଁ ଅପେକ୍ଷା କରିଛି !

 

ମାଧବିକାର ନାଲି ଓଠରେ ସରୁ ହସ ଧାରେ ଫୁଟି ଫୁଟି ଉଠିଥିଲା । ଚପଳା ଯେ ସେମାନଙ୍କ ସକାଶେ ରାସ୍ତା ମଝିରେ ଅପେକ୍ଷା କରିଛି । ଚାହୁଁ ଚାହୁଁ ସାଙ୍ଗ ହୋଇ ଭୁବନେଶ୍ଵର ମାଡ଼ିଯିବେ । ଆଉ ତା’ ପରେ… ?

 

ଦି’ବର୍ଷ ହେଲା ବାହାଘର ସରିଲାଣି । ତା ସଙ୍ଗର ଝିଅ ବୋହୂମାନେ କୋଳରେ ପୁଅଝିଅ ଖେଳା କଲେଣି । ଅଥଚ ଏପର୍ଯ୍ୟନ୍ତ ସେ ସନ୍ତାନର ମୁଖ ଦର୍ଶନରୁ ବଞ୍ଚିତା ହୋଇଛି ।

 

ଏଥର ସେ କେଦାରକୁଣ୍ଡରେ ମାନସିକ କରି ମୁଣ୍ଡ ଧୋଇବ । ଲିଙ୍ଗରାଜଙ୍କ ଆଗରେ ସାଷ୍ଟାଙ୍ଗ ହେବ ଆଉ କହିବ– ।

 

କ’ଣ କହିବ ମାଧବିକା ?

 

ପୁଅ ନାଁ ଝିଅ ?

 

ମାଧବିକା ଚାହେ ତା’ର ପୁଅ ହେଉ । ଅଥଚ ସ୍ଵାମୀଙ୍କର ଭାରି ଇଚ୍ଛା, ଝିଅଟିଏ ହେଉ ।

 

ମାଧବିକା ଭାବି ସ୍ଥିର କରିଛି, ପୁଅର ମାଆ ହେବାରେ ଯେତିକି ଗର୍ବ ଗୌରବ, ଝିଅର ମାଆ ହେବାରେ ସେ ଗୌରବ ନାହିଁ । ଝିଅ ଜନ୍ମନିଏ ପିତାମାତାଙ୍କର ବୋଝ ହୋଇ । ତାକୁ ପଢ଼ାଇ ଶୁଣାଇ ଶିକ୍ଷିତା କରିବା ଓ ଶେଷକୁ ତାକୁ ହାତକୁ ଦି’ହାତ ନ କରିବା ପର୍ଯ୍ୟନ୍ତ ଦେହରେ ପ୍ରାଣ ନ ଥାଏ । ଝିଅ ଯଦି ଯୋଗ୍ୟା ହେଲା ତ ଭଲ, ଯଦି ଅଯୋଗ୍ୟ ହୁଏ, କଥା ସଇଲା । ନେଉ ଆଣୁ କଥା ସରିବ ନାହିଁ । ଘରେ ବାହାରେ ନାଁ ପଡ଼ିବ । ଦୁହିତା–ଦୁଇକୁଳକୁ ହିତା ନହେଲେ ପିତା–-

 

ମାଧବିକା ନିଜ ସ୍ଵାମୀଙ୍କର ପସନ୍ଦ ଦେଖି ମୁହଁ ମୋଡ଼ିଲା । ନାଁ ସେ ଲିଙ୍ଗରାଜଙ୍କ ପାଖରେ ଅଳି କରିବ ପୁଅ ଦିଅ ବୋଲି ।

 

ମାଧବିକା ତା’ ପାଦର ଗତିକୁ ଦି’ଗୁଣ କରିଦେଲା ।

 

(ତିନି)

 

ଆରେ ଏ କ’ଣ ମ :

 

ଚପଳା ଆଉ ଟିକିଏ ଅପେକ୍ଷା କରି ପାରୁ ନି’ ?

 

ଆରେ, ଏଇ ଯେ ସେ ବାହାରିଲା !

 

ମାଧବିକାର ସ୍ୱାମୀ ଚପଳା ଉଦ୍ଦେଶ୍ୟରେ ହାତ ବଢ଼ାଇ କହିଲେ, ଆରେ ରହମ ! ଯିବ ତ ଯିବ, ଏତେ ଛାନିଆ କାହିଁକି ? ଆମେ ପରା ହେଇ ଆସିଗଲୁଣି ।

 

ମାଧବିକା ମଧ୍ୟ ଚିଡ଼ି ଚିଡ଼େଇ ଉଠିଲା । କହିଲା, ଚପଳାଟା ପୋଖତୀ ମାଇପି ପରି ହେଉଛି । ଦିନଯାକ ସତେ ଅବା ପିଲାକୁ ତା’ର ଦେଖି ନାହିଁ କି ଛାତିରେ ତା’ର ମୁହଁ ଲଗାଇ ନି । ଛାତି ଟାଣୁଛି ଯେ ଏତେ ତରବର ହଉଛି ?

 

ମାଧବିକା ଆଉ ତା’ର ସ୍ଵାମୀ ଦେଖିଲେ, ସେମାନଙ୍କ ପରି ଆହୁରି ଅନେକ ସ୍ତ୍ରୀପୁରୁଷ ଚପଳାକୁ ପହଞ୍ଚାଇବେ ବୋଲି ଧାଉଁଛନ୍ତି । ଚପଳା ଅପେକ୍ଷା କରିବ ବୋଲି କରୁଣ କଣ୍ଠରେ ଡକା ଛାଡ଼ିଛନ୍ତି ।

 

ଆଃ, ଚପଳାର ଏ କି ଆକର୍ଷଣ !

 

ଚପଳାର ସଙ୍ଗ–ସୁଖ ପାଇଲେ ସତେ ଅବା ଏଇ ଅନୁସରଣକାରୀ ନରନାରୀଙ୍କ ଜନ୍ମ ସାର୍ଥକ ହବ । ତାରି ଦେହ ସଙ୍ଗରେ ନିଜ ଦେହକୁ ଯୋଡ଼ିଲେ ଯାଇ ଶାନ୍ତି ଲାଗିବ ।

 

ଚପଳାର ଦେହରେ କ’ଣ ଅଛି କେଜାଣି !

 

ଏଇ ଅନୁସରଣକାରୀ ନରନାରୀମାନଙ୍କର ଏ କି ବ୍ୟାକୁଳତା ?

 

ଅଥଚ ମାଧବିକା ଜାଣେ, ପୁରୀ ସହରରେ ବସବାସ କରୁଥିବା ଲୋକେ ଜଗତର ନାଥ ଜଗନ୍ନାଥଙ୍କ ପ୍ରତି ଏତେ ଆସକ୍ତି ପ୍ରକାଶ କରନ୍ତି ନାହିଁ । ଚପଳାର ସ୍ପର୍ଶସୁଖ ପାଇବେ ବୋଲି ସେମାନଙ୍କ ମନଭିତରେ ଯେଉଁ ଉନ୍ମାଦନା ସୃଷ୍ଟି ହୋଇଛି, ଜଗନ୍ନାଥଙ୍କୁ ଦର୍ଶନ କରିବା ଉଦ୍ଦେଶ୍ୟରେ ସେମାନଙ୍କ ମନରେ ଏତେ ଟିକିଏ ଉନ୍ମାଦନା ବି’ ଦେଖାଯାଏ ନାହିଁ ।

 

ଚପଳା ପରିବର୍ତ୍ତେ ଯଦି ଏଇ ମଣିଷଜାତିଟା ପରମେଶ୍ଵର ଜଗନ୍ନାଥଙ୍କ ପ୍ରତି ଏମିତି ଆନୁଗତ୍ୟ ପ୍ରକାଶ କରନ୍ତା !!

 

ନାଁ ନାଁ, ହୋଇପାରେ ଏଥିରେ ପୁରୀବାସିନ୍ଦାଙ୍କର କୌଣସି ଭୁଲ୍ ନାହିଁ । ଏ ଯୁଗ ବିଜ୍ଞାପନର ଯୁଗ । ଚପଳା ନିଜକୁ ଚମତ୍କାରଭାବରେ ସଜାଇ, ନିଜ–ରୂପ–ଯୌବନର ପ୍ରଶସ୍ତି ବାଢ଼ୁଛି ବୋଲି ଏଇ ମଣିଷଜାତିଟା ଅଗ୍ନି–ଲୋଭୀ ପତଙ୍ଗ ଭଳି ସାଲୁବାଲୁ ହୋଇ ତା’ରି ପଛରେ ଗୋଡ଼ାଇଛି । ଚପଳା ନିଜକୁ ନିଜେ ସଂଯତ କରନ୍ତା କି ?

 

ଏ ରଙ୍ଗ କ’ଣ ସବୁଦିନକୁ ରହିବ ! ମାଧବିକା ମନକୁ ମନ ଭାବି ହେଲା ।

 

ବୟସ ସଙ୍ଗରେ ରୂପ–ରଙ୍ଗର ସମ୍ପର୍କ ଅଛି । ବୟସ ଖସି ଗଲେ ରୂପ ମଳିଚିଆ ହୁଏ । ନ ଥାଏ ତହିଁରେ ଯୌବନର ଦୀପ୍ତି କି ରାଗ !

 

ଚପଳା ବୃଦ୍ଧା ହେବ । ଚପଳା ଦେହରେ ହଲଦୀରଙ୍ଗ ବିବର୍ଣ୍ଣ ଦେଖାଯିବ । ପଦର ଗତି ବି’ ଶିଥିଳ ହେବ । ଏବେ ଚଣ୍ଡୀ ପରି ଏଣେ ତେଣେ ବେପରୁଆ ଭାବରେ ବୁଲୁଛି । ମୁହଁରେ ଲଗାମ ନାହିଁ କି ଗୋଡ଼ରେ ବେଡ଼ି ନାହିଁ । ତେଣିକି ବୟସୀ ହୋଇଗଲେ ପଛରୁ ଠେଲିଲେ ଯାଇ ଚାଲିବ । ବାରମ୍ବାର ପାଣି ପିଇବାକୁ ମାଗିବ । କହିବ, ଭଲ ଲାଗୁନି । ମୋତେ ଖାଲି ଆଉଁସୁ ଥାଅ-

 

ସେ ଦିନର ସେହି ବିଷର୍ଣ୍ଣ କାହାଣୀକୁ ଚପଳା ମନେ ପକାଉ ନାହିଁ । ମନେ ପକାଇବାକୁ ବା’ ବେଳ କାହିଁ ? ସେ ଭାବୁଛି, ଏଇ ବୟସ, ଏଇ ରୂପ ଜୀବନସାରା ରହିଥିବ । ବଡ଼ ଦାଣ୍ଡରେ ଉଦଣ୍ଡୀ ଭଳି ସବୁ ଦିନ ବୁଲୁଥିବ । ସମସ୍ତେ ତାକୁ ତାରିଫ କଲା ଆଖିରେ ଚାହିଁଥିବେ । ଆଉ ସେ ସାରା ଜନ୍ମଟା ଫୁର୍ତ୍ତିରେ ଉଡ଼ାଇ ଦେବ ।

 

ଚପଳାର ବା ଦୋଷ କାହିଁ ?

 

ଯେତକ ଯାକ ଦୋଷ ତା’ରି ଯୌବନର !

 

ମାଧବିକା ଆଉ ତା’ର ସ୍ୱାମୀ ଦେଖିଲେ, କାହାକୁ ଅପେକ୍ଷା ନ କରି ଚପଳା ଚାଲିଗଲା-

 

କ’ଣ କରିବା ? ମାଧବିକା ନିଜ ସ୍ଵାମୀଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କଲା । ମାଧବିକାର ଭୟ ହେଲା, ସେମାନେ ବୋଧହୁଏ ଆଉ ଭୁବନେଶ୍ଵର ଯାଇ ପାରିବେ ନାହିଁ ।

 

କ’ଣ ଆଉ କରିବା ? ଆମେ ନିଶ୍ଚୟ ଚପଳା ସଙ୍ଗରେ ଯିବା । ମାଧବିକାର ସ୍ୱାମୀ ଉତ୍ତର ଦେଲେ ।

 

ସେ ପୁଣି କେମିତି ? ମାଧବିକା ଅବିଶ୍ଵାସକଣ୍ଠରେ ପ୍ରଶ୍ନ କଲା ।

 

ଚପଳା ଆମକୁ କୁମ୍ଭାରପଡ଼ା–ଫାଣ୍ଡି ପାଖରେ ଅପେକ୍ଷା କରିଥିବ । ଆମେ ରିକ୍‌ସାରେ ଯାଇ ତା’ ସଙ୍ଗରେ ମିଶିବା । ମାଧବିକାର ସ୍ୱାମୀ ଉତ୍ତର ଦେଲେ ।

 

ମାଧବିକା ସ୍ୱାମୀଙ୍କ ଆଗରେ କିଛି ହେଲେ ପ୍ରକାଶନ କଲେ ମଧ୍ୟ ମନକୁ ମନ କହିହେଲା, ଏଇ ପୁରୁଷଜାତିଟାର ଅଦ୍ଭୁତ ଜିଦ୍ ତ ! ଯାହା ଭାବିଥିବେ ସେଇଆ । ଯେତେହେଲେ ମରଦ ପୁଅ ।

 

ତା’ପରେ ଭାବିଲା କହିଦେବ କି, ଚପଳା ଦେହରେ କ’ଣ ମହୁ ଲାଗିଛି ଯେ, ତା ସଙ୍ଗେ ନ ଗଲେ ଚଳୁ ନାହିଁ ? ଆଉ କ’ଣ ଆମେ ଆଉ କାହା ସଙ୍ଗରେ ଯାଇପାରିବା ନାହିଁ ?

 

ନାଁ, ସେ ସବୁ ଥାଉ । ମାଧବିକା ନୀରବ ହେଲା ।

 

ମାଧବିକାର ସ୍ଵାମୀ ସତକୁ ସତ ରିକ୍‌ସା ଡାକି କୁମ୍ଭାରପଡ଼ା ଫାଣ୍ଡି ପାଖକୁ ଯିବାକୁ କହିଲେ ।

 

ରିକ୍‌ସାବାଲା ପ୍ରଶ୍ନ କଲା, କ’ଣ ଚପଳା ପାଖକୁ ?

 

ମାଧବିକାର ସ୍ୱାମୀ ହଁ ଭରିଲେ ।

 

(ଚାରି)

 

ସତକୁ ସତ ଚପଳା କୁମ୍ଭାରପଡ଼ା ଫାଣ୍ଡି ପାଖରେ ଅପେକ୍ଷା କରିଥିଲା । ତା’ ସାଙ୍ଗରେ ଅପେକ୍ଷା କରିଥିଲେ ଅସଂଖ୍ୟ ସ୍ତ୍ରୀପୁରୁଷ, ବାଳକ–ବାଳିକା । ସେମାନେ ସମସ୍ତେ ଭୁବନେଶ୍ଵର ଅଭିମୁଖୀ । ଚପଳା ସାଙ୍ଗରେ ଗଲେ ଯାତ୍ରାଟା ଜମି ଉଠେ ବୋଲି ସେ ସମସ୍ତେ ତା’ରି ସାଙ୍ଗରେ ଯିବାକୁ ପସନ୍ଦ କରିଛନ୍ତି ।

 

ମାଧବିକା ଓ ତା’ର ସ୍ଵାମୀ ଚପଳା ଦେହସାଙ୍ଗରେ ଦେହ ଯୋଡ଼ି ମହାଆରମରେ ବସିଗଲେ ।

 

ଉଭୟ ସ୍ଵାମୀ ସ୍ତ୍ରୀ ଲଗାଲଗି ହୋଇ ବସିବା ଦେଖି ଚପଳା ମନ ଆନନ୍ଦରେ ହୁଳହୁଳି ପକାଇଲା ।

 

ଅନେକ ଦିନ ପରେ ମାଧବିକା ଓ ତା’ର ସ୍ଵାମୀ ବହୁଦିନ ପୂର୍ବରୁ ସେହି ସୁସଜ୍ଜିତ ବିବାହବେଦୀର ହୁଳହୁଳି କଥା ସ୍ମରଣ କଲେ । ସେମାନେ ହସାହସି ହୋଇ ପରସ୍ପର ମୁହଁକୁ ଚାହିଁଲେ ।

 

ଚପଳା ସଙ୍ଗରେ ଗଲେ ଯୁଖି ଏଡ଼େ ମଜା ?

 

କାହିଁକି ହସିଲ ? ମଧୁମିତା ପ୍ରଶ୍ନ କଲା ।

 

ଆଉ ତୁମେ ? ସ୍ଵାମୀ ତା’ର ପ୍ରତିପ୍ରଶ୍ନ କଲେ ।

 

ଉଭୟେ ଉଭୟଙ୍କ ପ୍ରଶ୍ନ ଓ ତା’ର ଉତ୍ତର ବୁଝୁଥିଲେ ବି ମୁହଁ ଫିଟାଇ କେହି କିଛି କହିଲେ ନାହିଁ ।

 

କିଛି ସମୟ କଟିଗଲା ।

 

ସାକ୍ଷୀଗୋପାଳ ପାଖେଇ ଆସୁଥିଲା । ମଝିରେ ମଝିରେ ଚପଳା ବି ସମସ୍ତଙ୍କ ମନର ହସ ସଙ୍ଗେ ତାଳ ପକାଇ ହସୁଥିଲା ।

 

ଆଃ, କି ଆରାମ, କି ଆନନ୍ଦ !

 

ଆଚ୍ଛା ତୁମେ କେମିତି ଜାଣିଲ ଯେ ଚପଳା ବଡ଼ଦାଣ୍ଡ ଛାଡ଼ି ଚାଲି ଆସି କୁମ୍ଭାରପଡ଼ା ଫାଣ୍ଡି ପାଖରେ ଅପେକ୍ଷା କରିଥିବ ? ଆଉ ସେ ରିକ୍‌ସାବଲା ମଧ୍ୟ କେମିତି ବୋଲି ଜାଣିଲା ? ମାଧବିକା ପ୍ରଶ୍ନ କଲା ।

 

ବୋକୀ ନା କଅଣ ମ ?

 

କୁମ୍ଭାରପଡ଼ା–ଫାଣ୍ଡି ପାଖରେ କେବଳ ଚପଳା ନୁହେଁ, ସବୁ ଯାତ୍ରୀବାହୀ ବସ୍ ପରା ଅପେକ୍ଷା କରନ୍ତି ! ମାଧବିକାର ସ୍ଵାମୀ ଉତ୍ତର ଦେଲେ ।

 

ଚପଳା ଆଉ କାହାରି କଥା କାନେଇବା ଅବସ୍ଥାରେ ନ ଥାଏ । ସେ ଏକ–ମୁହାଁ ହୋଇ ଭୁବନେଶ୍ଵର–ଅଭିମୁଖେ ଅଣନିଃଶ୍ଵାସୀ ହୋଇ ଧାଇଁଥାଏ ।

 

ତାକୁ ଯେ ପୁଣି ପୁରୀ ଫେରି ଆସିବାକୁ ପଡ଼ିବ ।

☆☆☆

 

କାମଳ

 

ଏବଂ ଶେଷରେ ତାହାହିଁ ଘଟିଲା–

 

ବିଶ୍ୱବିଦ୍ୟାଳୟର ନିମନ୍ତ୍ରିତ ବକ୍ତା ଯଶୋଧରଙ୍କ ଆଶଙ୍କା ସତ୍ୟରେ ପରିଣତ ହେଲା । ସେ ବସ୍‌ଷ୍ଟାଣ୍ଡରେ ପଦପକାଇଛନ୍ତି, ‘ବାଣୀବିହାର ବସ୍’ ଛାଡ଼ିଦେଲା । ସମୟ ଦେଖିଲେ ଆଉ ପଚିଶ ମିନିଟ ପରେ ବିଶ୍ଵବିଦ୍ୟାଳୟର ବକୃତା କାର୍ଯ୍ୟକ୍ରମ ଆରମ୍ଭ ହୋଇଯିବ । ଠିକ୍‍ ସମୟରେ ଉପସ୍ଥିତ ହୋଇ ନପାରିଲେ, ସୁଯୋଗଟା ହାତରୁ ଖସି ଯାଇପାରେ । ତା’ ସଙ୍ଗେ ସଙ୍ଗେ ଶହେଟା ଟଙ୍କା....

 

ଯଶୋଧର ଅନୁତାପ କଲେ । ବନ୍ଧୁଙ୍କ ଘରୁ ରିକ୍‌ସା ଧରିଥିଲେ ଏ ପରିସ୍ଥିତି ଉପୁଜି ନଥାନ୍ତା । ମାତ୍ର ଟଙ୍କାଟିଏ ପାଇଁ....

 

ଯଶୋଧର ମନେ ମନେ ଠିକ୍ କଲେ ଯେମିତି ହେଉ ପଚିଶ ମିନିଟ ଭିତରେ ବାଣୀବିହାରରେ ପହଞ୍ଚିବେ । ଟାକ୍‌ସିବାଲାମାନେ ଅମୂଲ ମୂଲ କଲେ । ରିକ୍‌ସାବାଲା କହିଲା, ତିନି ଟଙ୍କାରୁ କମ ହେବନାହିଁ । ଯାହାକୁ ପଚାରିଲେ ମୋଟର ଷ୍ଟାଣ୍ଡରୁ ବାଣୀବିହାର ଭଡ଼ା ତିନି ଟଙ୍କା’ । ସବୁ ରିକ୍‌ସାବଲା କଥାବାର୍ତ୍ତା କରି ଗୋଟିଏ ଦାମ୍ ରଖିଛନ୍ତି ନା କ’ଣ ? ଯଶୋଧର ରିକ୍‌ସା ଭଡ଼ା କମାଇବା ଉଦ୍ଦେଶ୍ୟରେ ଆଉ କିଛି ବାଟ ଚାଲିଲେ । ଏପଟେ ସେପଟେ ଅନାଉ ଥାନ୍ତି । ହୁଏତ କୌଣସି ବନ୍ଧୁ ଏକୁଟିଆ ରିକ୍‌ସାରେ ବସି ବା ମୋଟର ସାଇକେଲରେ ବସି ବାଣୀବିହାର ଯାଉଥିବେ ତାଙ୍କୁ ଦେଖିଲେ, ସୁବିଧାରେ ଚାଲିଯିବେ । ଭଡ଼ାଦେବାକୁ ପଡ଼ିବନାହିଁ । କିନ୍ତୁ ନା’ ଦିନ ଖରାପ । କାହାରି ଦେଖାଦର୍ଶନ ନାହିଁ ।

 

ଯଶୋଧର ବାଧ୍ୟହୋଇ ଖଣ୍ଡେଦୂର ଚାଲିଆସିବା ପରେ, ସେହି ତିନି ଟଙ୍କାର ଖଣ୍ଡେ ରିକ୍‌ସା ଧରିଲେ । କହିଲେ, ପଚିଶ ମିନିଟ ଭିତରେ ରିକ୍‌ସା ବାଣୀବିହାରରେ ପହଞ୍ଚିବ । ନହେଲେ ଭଡ଼ା ମିଳିବ ନାହିଁ ।

 

ଭୀଷଣ ଖରା । ରିକ୍‌ସାବାଲା ଝାଳନାଳ ହୋଇ ଚାଲିଛି । ଠିକ୍ ପଚିଶ ମିନିଟ ଭିତରେ ବାଣୀବିହାରରେ ହାଜର ହେଲା ।

 

ଯଶୋଧର ମନେ ମନେ ହିସାବ କଲେ, ପଚିଶ ମିନିଟରେ ତିନିଟଙ୍କା । ଦିନକ ମଜୁରୀ ସତାବନ ଅଠାବନ ଟଙ୍କା । ତାଙ୍କ ଦରମାରୁ ଅନେକ ବେଶୀ । ତେବେ ‌ଏତେ ଖର୍ଚ୍ଚ କରି, ଏତେ ପାଠପଢ଼ି ଲାଭ କଣ ? ରିକ୍‌ସାବାଲାମାନେ ଠକୁଛନ୍ତି । ନିର୍ଦ୍ଧୁମ ଠକୁଛନ୍ତି । ସେ ବି ଠକିବେ । ‌‍‌ଅଧଘଣ୍ଟା ବକୃତା ଦେଇ ଶହେଟଙ୍କା ମାରି ନେବେ । ଭଲଭାବରେ ପ୍ରସ୍ତୁତ ହୋଇ ଆସିନାହାନ୍ତି । ଶହେ ଟଙ୍କା ଲୋଭରେ ଯାହା......

 

ସେ ରିକ୍‌ସାରୁ ଓହ୍ଲାଇ ଜାଣିଶୁଣି ଫଟା ଦି’ଟଙ୍କିଆ ନୋଟ ସଙ୍ଗରେ ନୂଆ ଟଙ୍କାକିଆ ନୋଟଟିଏ ମିଶାଇ ରିକ୍‌ସାବାଲା ହାତକୁ ବଢ଼ାଇଦେଲେ ଓ ନିତାନ୍ତ ବ୍ୟସ୍ତ ‌ଭାବରେ ଧାଇଁଲା ପରି ଚାଲିଲେ ମନେ ମନେ ଭାବୁଥିଲେ ରିକ୍‌ସାବାଲା ବୁଢ଼ା ଠକ । ତାକୁ ଅଚଳନ୍ତି ନୋଟ ଖଣ୍ଡେ ଦେଇ ଭୁଲ କରିନାହାନ୍ତି । ପିଲା ପାନେ ଖାଇବ ।

 

ଯଶୋଧର ତରବର ହୋଇ ବିଶ୍ଵବିଦ୍ୟାଳୟର ପାହାଚ ଉଠୁଛନ୍ତି, ରିକ୍‌ସାବାଲା ‘ବାବୁ ବାବୁ’ ହୋଇ ପାଟିକଲା ।

 

ଯଶୋଧର ଭାବିଲେ ହୁଏତ ଫୁଟା ନୋଟ୍ ଖଣ୍ଡକ ବଦଳାଇବାକୁ ଆସୁଛି । ‌କହିବେ, ଦେଲାବେଳେ କହିଲୁ ନାହିଁ ? ଏ ନୋଟ ମୋର ନୁହେଁ । ଚାଲିଯା–

 

ରିକ୍‌ସାବାଲା କିନ୍ତୁ ତାଙ୍କର ଆଟାଚି ଖଣ୍ଡକ ଯଶୋଧରଙ୍କ ହାତକୁ ବଢ଼ାଇଦେଇ କହିଲା ବାବୁ ତରବର ହୋଇ ଭୁଲରେ ଛାଡ଼ି ଆସିଲେ । ଏଇ ନିଅନ୍ତୁ.....

 

ଯଶୋଧର ଚିତ୍ରପ୍ରତିମା ପରି ରିକ୍‌ସାବାଲା ମୁହଁକୁ ଅନେଇ ରହିଲେ ।

☆☆☆

 

ଖମାରୀ

 

ବିଘ୍ନରାଜ ପଲ୍‌ହା ଭିତରୁ ଖମାରୀ ଚଇତନକୁ କଣେଇ କଣେଇ ଚାହିଁବାକୁ ଲାଗିଲା ।

 

ଚଇତନ ଶୋଇ ଯାଇଛି । ପାହାନ୍ତା ପହରର ନିଦଟା ତା’ଦେହରେ ବେଶ୍ ଭାବରେ ଜମି ଯାଇଛି ଗତ ରାତିରେ ଧାନମଡ଼ା ଥିଲା । ସବୁକାମ ଶେଷ–ହେଲା ବେଳକୁ ପାହାନ୍ତିଆ ତରା ଝଲସି ଉଠୁଥିଲା । ଏକା ଏକା ପାଳ ସବୁ ଟେକିରଖି ଧାନଗଦା ସଜାଡ଼ିଲା । ବିଚରା ପରିଶ୍ରମ କରି କରି ବିସ୍ତର ଥକି ଯାଇଛି । ଏ ନିଦଟା ସହଜେ ଛାଡ଼ିବ ନାହିଁ ।

 

ବିଘ୍ନରାଜ ଦେଖିଲା, ମେରୁଖୁଣ୍ଟ ଚାରିପଟେ ମଡ଼ାଧାନସବୁ ପର୍ବତ ସମାନ ଗଦା ହେଇଛି ।

 

ଆଃ, ଏବର୍ଷ ଫସଲଟା ଖୁବ୍ ହେଇଛି । ସବୁ ଧାନଖରି ଯଦି ଏଇ କଣ୍ଟରେ ଉତୁରେ, ତେବେ ଏବର୍ଷ ମହାଜନ ଋଣ ଆଉ ବାକିଆ ପଡ଼ିବ ନାହିଁ । ବର୍ଷକର ଖାଇବା ସୁନ୍ଦର ଚଳିଯିବ । ଦରମା ଟଙ୍କାରେ ଲୁଗାପଟା ଖର୍ଚ୍ଚଟା ଉଠିଯିବ । ଖମାରୀ ନିଜ ହାତରେ ଏଥର ବାଡ଼ି ବେଉଷଣ କରିଛି । ତା’ ହାତଟା କି ଜବରଦସ୍ତ ! ଯହିଁରେ ହାତ ଦେଲା, ଶୁଭ । ପରିବା ଫସଲ ଦେଖିତ ଗାଁବାଲାଙ୍କର ଆଖି ଖୋସି ହୋଇ ଯାଉଛି ।

 

ଚଇତନ ଖମାରୀ ପାଇଁ ବିଘ୍ନରାଜର ଅନେକ ପ୍ରଶଂସା । ତାର ସ୍ପଷ୍ଟ ମନେ ଅଛି । ସେଦିନ କେଉଁ ଶୁଭଲଗ୍ନରେ ସକାଳ ପାହିଥିଲା କେଜାଣି, ଚଇତନ ଆସି ପହୁଞ୍ଚିଗଲା, ଚୁମ୍ବକରେ ଦେବାନେବା କଥା ଦି’ପଦ ହୋଇ ଖମାରୀ ଦାୟିତ୍ଵ ମୁଣ୍ଡାଇ ନେଲା । ସେଇ ଦିନଠୁ କାମରେ କେବେ ହେଳା କରିନି । ବାହାରର ଆଉ ପାଁଜଣ ହଳିଆଙ୍କପରି ଝିବ୍‌ଝାକ୍ ନାହିଁ କି କାମରେ ଖଇଚା ନାହିଁ । ଆଜି ଦେହ ଭଲ ନାହିଁତ, କାଲି ବଥାଉଛି ବୋଲି ପେଖନା କାଢ଼ି ନାହିଁ । ତା’ ଦେହ ଜାଣେ କି କାମ ଜାଣେ । ଦୁନିଆର ଆଉ ସବୁ କଥା ତା’ ଆଗରେ ମିଛ ।

 

ଚଇତନ ହାଲିଆରେ ଶୋଇ ଯାଇ ଘୁଙ୍ଘୁଡ଼ି ମାରୁଛି ।

 

ଆହା ବିଚାରା ଶୋଇଥାଉ । ସାହୁକାରର ଭଲପାଇଁ ପ୍ରାଣମୂର୍ଚ୍ଛା ସଂଗ୍ରାମ କରୁଛି । ଆପଣା ପର ବାଛ ବିଚାର ନାହିଁ । ବିଶେଷ କରି, ଘର ମୁରବୀ ବାପାଙ୍କର ଦେହାନ୍ତ ପରେ, ସେ ଆହୁରି ଦାୟିତ୍ଵବାନ୍ ହୋଇ ଉଠିଛି । କାମ ବରଗିବାକୁ ପଡ଼ୁନାହିଁ । ନିଜମନରୁ ଉହାଟ କରି ସବୁକଥା କରି ଯାଉଛି ।

 

ବିଘ୍ନରାଜ ବାପ ମଲାଦିନର ସେହି ଦୁଃଖପୂର୍ଣ୍ଣ କଥା ମନେ ପକାଇବାକୁ ଲାଗିଲା । ତାଙ୍କର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଚଇତନ ବୁଢ଼ାଙ୍କ ଗୋଡ଼ତଳେ ବସି ଦେହହାତ ଆଉଁସୁ ଥାଏ । ଶେଷ ମୁହୂର୍ତ୍ତରେ ସେ କାହାକୁ କିଛି ନ କହି ଚଇତନକୁହିଁ ପାଖକୁ ଡାକିଥିଲେ । ତା’ପରେ ନଇଁଲା ନଇଁଲା କଣ୍ଠରେ କହିଥିଲେ, ତୋରି ଉପରେ ମୋର ଅନେକ ଭରସା ଚଇଁ ! ତୋତେ ମୁଁ ନୌକର ଜ୍ଞାନ କରି ନଥିଲି । ତୁ ଥିଲୁ ମୋର ସଙ୍ଗ, ବନ୍ଧୁ, ମନ୍ତ୍ରଣା ଦାତା ସବୁକିଛି । ମୋ ଅନ୍ତେ ତୋତେ ସବୁ ଲାଗିଲାରେ ଚଇଁ ! ଘର ଉପରେ ନିଘା ରଖିବୁ । ସମ୍ଭାଳିବୁ !

 

ଚଇତନ ଲୁହ ଛଳ ଛଳ ଆଖିରେ ଘରର ମୁରବୀଙ୍କ ମଲା ଖଟରେ ବସି ଆଶ୍ଵାସନା ଦେଇଥିଲେ । ତୁମର ଲୁଣ ଖାଉଛି ବାବୁ ! ଧରମ କେବେ ହୁଡ଼ିବି ନାହିଁ ।

 

ବାସ୍ ସେତିକି । ତାପରେ ବୁଢ଼ାଙ୍କର ଉର୍ଦ୍ଧ୍ୱନିଃଶ୍ଵାସ ଉଠିଲା । ସେଇ ଚଇତନର କୋଳ ଉପରେ ମଥାରଖି ବୁଢ଼ା ଆଖି ବୁଜିଦେଲା ।

 

ସେଇଦିନଠୁ ଚଇତନ କେବେହେଲେ ତାରି ପ୍ରତିଶ୍ରୁତି ଲଙ୍ଘନ କରି ନାହିଁ । ଆଜି ପର୍ଯ୍ୟନ୍ତ କଥା ଜଗି ଚଳି ଆସିଛି । ବାପାଙ୍କର ଦେହାନ୍ତ ପରେ କେତେ ଲୋକ କେତେ କଥା ଶିଖାଇ ଚଇତନକୁ ଛଡ଼ାଇ ନେବାକୁ ଚେଷ୍ଟାକଲେ । ଟଙ୍କା ଆଉ ବର୍ତ୍ତନର ମୋହ ଦେଖାଇ କାମରୁ ବାହାରି ପଡ଼ିବାକୁ ପ୍ରବର୍ତ୍ତାଇଲେ । ଚଇତନ କାହାରି କଥାରେ କାନ ଦେଇ ନାହିଁ ।

 

ଚଇତନ ଶୋଇ ଶୋଇ କଡ଼ ଲେଉଟିଲା ।

 

ଚଇତନ ଆଜିକାଲି ନିଜ ଦେହପା’ ପ୍ରତି ଯତ୍ନ ନେଉନାହିଁ । ଗାଲର ଦାଢ଼ି ପାଚି ଗଲାଣି-। ହନୁହାଡ଼ ଦି’ଟା ସ୍ପଷ୍ଟ ଦେଖାଯାଉଛି । ଆଖି ଦି’ଟା ଭିତରକୁ ପଶି ଯାଇଛି । ଇସ୍, କି ବିବର୍ଣ୍ଣ ଦେଖାଯାଉଛି ଚଇତନ ।

 

ବିଘ୍ନରାଜ ବାପ ଥିଲାବେଳର ସୁଖର ଦିନ ଗୁଡ଼ିକ ମନେ ପକାଇବାକୁ ଲାଗିଲା । ବାପ’ ବଞ୍ଚିଥିଲା ବେଳେ ଚଇତନର ଏତେ ଦାୟିତ୍ଵ ନଥିଲା କି ଦୁଃଖ ନଥିଲା । ଦେହରେ ସ୍ୱାସ୍ଥ୍ୟ ଖୁନ୍ଦି ହୋଇଥିଲା । ମୁହଁରେ ହସ ପୂରି ରହିଥିଲା । ଘରେ ମଧ୍ୟ ଅଭାବ କିଛି ନଥିଲା ।

 

ବାପ ମଲାପରେ ଅଭାବ ଅନାଟନ ଘୋଟି ଆସିଛି ।

 

ଏଇ ଅଭାବ ଅନାଟନ ଦେଖି ଚଇତନ ବି’ ତାକୁ ସନ୍ଦେହ କରିବା ଆରମ୍ଭ କରି ଦେଇଛି-। ଅଦା ବେପାରୀ ଜାହାଜ ମୂଲ କରୁଛି ।

 

ବିଘ୍ନରାଜ ମନକୁ ମନ ହସିଲା ।

 

(ଦୁଇ)

 

ମେଘ ଉପରେ ପାହାନ୍ତାତାରା ହସୁଛି ।

 

ରାଧିକା ଖବର ପଠାଇଥିଲା, ଅଳ୍ପଦିନ ଭିତରେ ଗାଁକୁ ଆସିବ ।

 

ଆଃ, କେତେ ସୁନ୍ଦର ଲାଗିବନାହିଁ ଆସନ୍ତା ଦିନ ଗୁଡ଼ିକ ! ବିଘ୍ନରାଜ ମନକୁ ମନ ହସିବାକୁ ଲାଗିଲା ।

 

କିନ୍ତୁ........

 

ଘରେ ବାହାରେ ପୁଣିଥରେ ତାକୁ ସନ୍ଦେହ କରିବା ଆରମ୍ଭ କରିଦେବେ । ସେ ସନ୍ଦେହରୁ ନିଜକୁ ବଞ୍ଚାଇ ରଖିବା ଅସମ୍ଭବ ହୋଇ ଉଠିବ ।

 

ତଥାପି......ରାଧିକାର ସାନ୍ନିଧ୍ୟରେ ଜୀବନ ଅଛି । ତାର ହସିଲା ଆଖିର କଟାକ୍ଷ ଦେଖିଲେ ମନର ସମସ୍ତ ଦୁଃଖ ଗ୍ଳାନି ଉଭେଇ ଯାଏ । ତାର ଦେହର ଲାବଣ୍ୟରେ ପୋତିହୋଇ ଯିବାକୁ ମନବଳେ ।

 

ନୌକର ଚଇତନ ସେ କଥା ବୁଝିନାହିଁ । ସାରା ଜୀବନ ଧରି ସେକଥା ସେ ବୁଝି ପାରିବ ନାହିଁ ।

 

ବିଘ୍ନରାଜ ଶୁକ୍ରତରାକୁ ଚାହୁଁ ଚାହୁଁ’ ରାଧିକାକୁ ମନେ ପକାଉଛି, ଖଳାପାଖରେ ବଳଦ ଘଣ୍ଟିର ଆବାଜ ଶୁଭିଲା ।

 

ରାଧିକା ଶାଶୁଘରୁ ଫେରିଲା ବେଳେ ବୁଲାଣିଆ ବାଟଧରି ଠିକ୍‍ ଏଇ ଖଳା ସାମନା ରାସ୍ତାରେ ହିଁ ଫେରିଥାଏ ।

 

ବିଘ୍ନରାଜ ଖଳା ଫାଟକକୁ ଦଉଡ଼ି ଯାଇ ଦେଖିଲା, ସତକୁ ସତ ରାଧିକା ଶଗଡ଼ରେ ବସି ଫେରୁଛି । ଖଳା ସାମନାକୁ ପହଞ୍ଚିବା ପୂର୍ବରୁ ସେ ଶଗଡ଼ ମୁହଁକୁ ଘୁଞ୍ଚି ଆସିଛି ।

 

ଛ, ମାସ ପରେ ରାଧିକା ଶାଶୁଘରୁ ଫେରୁଛି ।

 

ବିଘ୍ନରାଜର ମନ ଭିତରଟା ଶିହରଣରେ ଫାଟି ପଡ଼ୁଥିଲା । ସେ ଆଖିରେ ଆଖିରେ ରାଧିକାର ସ୍ଵାସ୍ଥ୍ୟ ସମ୍ପଦକୁ ଶୋଷି ନେଉଥିଲା ।

 

ଛ’ ମାସ ଭିତରେ ରାଧିକାର ସ୍ଵାସ୍ଥ୍ୟରେ ଅନେକ ପରିବର୍ତ୍ତନ ଘଟିଛି । ଆଖିରେ ତା’ର ହରିଣୀର ଚଞ୍ଚଳତା । ଦେହରେ ତା’ର ମୌସୁମୀର ଛନ୍ଦ । ସୁନ୍ଦରୀ ରାଧିକାକୁ ପାହାନ୍ତା ପହରର ଏଇ କାଲୁଆ ପରିବେଶ ଭିତରେ ଗୋଟାପଣେ ଆଶ୍ଳେଷ କରି ହୁଅନ୍ତାକି ! ତା’ର କାରୁଣ୍ୟ ଭରା ପାନ ପତରିଆ ଗଣ୍ଡର ସ୍ଵାଦକୁ ନିଜ ଓଠରେ ଚାଖି ନେଇ ହୁଅନ୍ତାକି !

 

ରାଧିକା ବିଘ୍ନରାଜକୁ ମନେ ମନେ ଖୋଜି ହେଉଥିଲା । ଆଖି ସଙ୍ଗରେ ଆଖି ମିଶିବା ସଙ୍ଗେ ସଙ୍ଗେ ଫିକ୍‌କିନା ହସିଦେଲା ।

 

ସେ ହସ ଦେଖି ବିଘ୍ନରାଜ ଶିହରଣରେ ଫାଟି ପଡ଼ିଲା । ବନ୍ୟ ମାତଙ୍ଗ ଦମ୍ପତ୍ତି ପରି ସେମାନେ ପରସ୍ପରକୁ କିଛିକ୍ଷଣ ପାଇଁ ଚାହିଁ ରହିଲେ ।

 

ରାଧିକାର ହସ ଆଗରେ ସଂସାରର ସମସ୍ତ ପରିହାସ ନଗଣ୍ୟ ମନେ ହେଲା ।

 

ଗାଁ ଲୋକେ ସେମାନଙ୍କର ମିଳାମିଶାଟାକୁ ସହିପାରୁ ନାହାନ୍ତି ।

 

ତଥାପି ରାଧିକାର ଏଇ ପୁରନ୍ତା ଦେହକୁ ଦେଖିଲେ ମନ ଭିତରଟା କୁରୁଳି ଉଠେ । ମନେ ହୁଏ, ତା’ରି ପୁରନ୍ତା ଛାତି ଉପରେ ଶୋଇ ଶୋଇ ସମୟର ସ୍ଥିତିକୁ ସଂପୂର୍ଣ୍ଣ ରୂପେ ଭୁଲି ଯିବାକୁ ।

 

ରାଧିକା ମନର କଥା ବୁଝି ପାରେ । ସେ ଶଗଡ଼ ଛିଡ଼ାକରି ଖଳା ପାଖକୁ ଲାଗି ଆସୁଛି-

 

ବିଘ୍ନରାଜ ଦେଖିଲା, ଚଇତନ ଆହୁରି ଶୋଇଛି । ମେରୁ ଖୁଣ୍ଟକୁ ଲାଗି ପର୍ବତ ସମାନ ଧାନ ଗଦା ହୋଇଛି ।

 

ବିଘ୍ନରାଜ ରାଧିକାକୁ ଆପ୍ୟାୟିତ କରିବ ବୋଲି ଧାନଗଦା ଉପରେ ନଜର ଦେଲା । ଧାନଗଦାରୁ ଅଧେ ଖାଲି କରି ଦେଲେ ବି’ ହିସାବ ମିଳିବ ନାହିଁ ।

 

ରାଧିକାର ତା’ ଉପରେ ଭୀଷଣ ଲୋଭ । ସେଇଥିପାଇଁ ତ ସେ ଲୋକ ଉପହାସକୁ ନ ମାନି ବାରମ୍ବାର ତା’ରି ଇଚ୍ଛାକୁ ସମ୍ମାନ ଦିଏ ।

 

ଲୋକେ କହନ୍ତି, ବାରବନିତା ରାଧାର ଲୋଭ ତା’ରି ଉପରେ ନୁହେଁ, ତା’ର ଧନ ସମ୍ପତ୍ତି ଉପରେ ! ଏ ସବୁ ଅସହଣୀ ପ୍ରକୃତିର ଲୋକଙ୍କ ଭାବନା ! କିଏ ଶୁଣୁଛି ସେମାନଙ୍କ କଥାକୁ ?

 

ବିଘ୍ନରାଜ ସବୁ କଥାକୁ ପଛରେ ପକାଇ, ଧାନଗଦା ଦେହରୁ ଧାନକାଢ଼ି, ବସ୍ତା ଭର୍ତ୍ତି କରିବାକୁ ଲାଗିଲା ।

 

ରାଧିକା ଖଳା ବାହାରେ ଅପେକ୍ଷା କରିଥାଏ ।

 

ବିଘ୍ନରାଜ ତିନିବସ୍ତା ଧାନ ଶଗଡ଼ ଉପରେ ଲଦି, ଚତୁର୍ଥ ବସ୍ତାଟା ଉଠାଇ ଦେବାକୁ ଯାଉଛି, ଚଇତନର ନିଦ ଭାଙ୍ଗିଗଲା ।

 

ଆକାଶର ପାହାନ୍ତା ତରାଟା କିରି କିରି ହୋଇ ହସୁଛି ।

 

ଚଇତନ ଏକ ସମୟରେ ରାଧିକା ଓ ବିଘ୍ନରାଜକୁ ଚାହିଁବାକୁ ଲାଗିଲା । ସେ ଚାହାଣୀରେ ଅନେକ ଆଶ୍ଚର୍ଯ୍ୟ ଖୁନ୍ଦି ହୋଇଥାଏ ।

 

ବାବୁ, ଏ କଣ କରୁଛ ? ଘର ଚଳିବ କେମିତି ? ଗଲାସନର ମହାଜନ ଋଣ କଥା କଣ ଭୁଲିଗଲ ? ଚଇତନ ପ୍ରଶ୍ନ କଲା ।

 

ସେ ପ୍ରଶ୍ନ ସହସ୍ର ରୂପ ଧରି ବିଘ୍ନରାଜକୁ ବିବ୍ରତ କଲେ । ସେ ଟିକିଏ ଭୟ ପାଇଗଲା ।

 

ରାଧିକାଟା ଭୟାର୍ତ୍ତ ଚକ୍ଷୁରେ ଚାହିଁଛି ।

 

ଖମାରି ! ଚୁପ୍‌କର । ବିଘ୍ନରାଜ କଠୋର କଣ୍ଠରେ ତାଗିଦ୍ କଲା ।

 

ବା–ବୁ ! ଚଇତନ ଅଡ଼ି ବସିଲା ।

 

ଚଇତନ କଥାକୁ ଏଡ଼ିଦେଇ ଧାନବସ୍ତା ନେଇ ବିଘ୍ନରାଜ ଆଗେଇ ଆସୁଛି, ରାଧିକା ଗୁଣୁଗୁଣୁ ହୋଇ ମନ୍ତବ୍ୟ ଦେଲା, ହଳିଆଟା ପୁଣି ସାହୁକାରକୁ ଜବାବ ଦେବ ?

 

ଚଇତନ ଆଗପଛ ସବୁ ଭୁଲି ବିଘ୍ନରାଜର ପାଦଧରି ମିନତି କଲା, ତୁମେ ଅବୁଝା ହୁଅନି’ ବାବୁ ! ମୋ’ ସାନ କୁହା ମାନ । ପିଲାପିଲିଙ୍କ କଥା ଭାବ !

 

ବିଘ୍ନରାଜ ରାଗରେ ଲାଲ ପଡ଼ିଗଲା । ସେ ଠୋ’କିନା ଚଇତନ ଗାଲରେ ଚାପୁଡ଼ାଏ ପକାଇ କହିଲା, ଏଇ ମୁହୂର୍ତ୍ତରେ ବାହାରି ଯା’ କହୁଛି ! ତୋ’ ଭଲଗତି ଥିଲେ ଖଳା ଛାଡ଼ି ଚାଲିଯା । ନ ହେଲେ ଥାନାରେ ଦେବି ।

 

ତୁମେ ମୋତେ ମାଇଲ ବାବୁ ? ତୁମେ ମୋତେ ମାରି ପାରିଲ ? ଚଇତନ ଶେଷ ଅଭିଯୋଗ କଲା । ଆଖିରେ ତା’ର ଅଶ୍ରୁର ଶ୍ରାବଣୀ ଧାରା ।

 

ଆହୁରି ପାଟି ଫିଟାଉଛୁ ? କହୁଛି, ଚାଲିଯା । ବିଘ୍ନରାଜ ଜବତ୍ କଲା ।

 

ଚଇତନ ଛୋଟ ମୁନିବର ନାଲିଆଖି ଦେଖି ଡରିଗଲା ସେ କାନ୍ଦି କାନ୍ଦି ଖଳା ଛାଡ଼ୁ ଛାଡ଼ୁ କହୁଥିଲା, ‘ସାହୁ’ଙ୍କର ମଲା ପରେ ପରେ ମୋର କାମ ଛାଡ଼ି ଦେବା ଉଚିତ ଥିଲା । ଅକାରଣଟାରେ ରହି.......

 

ପରଦିନଠୁ ଖମାରୀ ଚଇତନର ଦର୍ଶନ ମିଳିଲା ନାହିଁ ।

 

ବିଘ୍ନରାଜ କିନ୍ତୁ ପ୍ରଚାର କରି ଦେଲା ଯେ, ଚଇତନଟା ଚୋରଟିଏ । ଖଳାରୁ ଧାନ ଚୋରି କରୁ କରୁ ଧରା ପଡ଼ିଗଲା । ଆଉ କେଉଁ ମୁହଁରେ ସାମନାକୁ ଆସିବ ? ମଣିଷ ନୁହେଁ ଯେ, ଚୁପ୍ ସଇତାନ୍‌ଟା....

☆☆☆

 

ସ୍କାଇଲାବ ପଡ଼ୁଛ

 

ଗାଁ ମୁଣ୍ଡରେ ନାମଯଜ୍ଞ । ଗାଁର ସମସ୍ତେ ଶକ୍ତି ଅନୁସାରେ ଚାନ୍ଦା ଦେଉଛନ୍ତି । ‘ନାହିଁ’ ପଦ ନାହିଁ । ଏମିତି ଧର୍ମ କାମକୁ କିଏ କାହିଁକି ମନା କରିବ ? ଭଗବାନଙ୍କ ନାଁ ନେବାକୁ ସମସ୍ତଙ୍କର ସବୁବେଳେ ନାହିଁ । ଗାଁରେ ନାମଯଜ୍ଞ ହେଲେ, ସେହି ପୁଣ୍ୟନାମ ଗାଁସାରା ବିଛେଇ ହୋଇଯିବ । କାନରେ ପଡ଼ିଲେ ପାତକ କ୍ଷୟ ଯିବ । ମଣିଷ ହୋଇ କିଏ ପାତକ କରୁନାହିଁ ? ଲୋଭ, ମୋହ ମାୟାର ସଂସାର । ଏଇଠି ଜନମ ହେବା ମାତ୍ରେ ପାତକ । ମିଛରେ ନ କାନ୍ଦିଲେ ମାଆ ବି କ୍ଷୀର ଦେବ ନାହିଁ । ସତ କହିଲେ ପେଟ ଅପୋଷା । ସେ ସବୁ ପାତକ ଛଡ଼ାଇବାକୁ ପୁଣ୍ୟ ଦରକାର । ନାମଯଜ୍ଞ ପାପ ଛଡ଼ାଇବାର ଏକ ମାଧ୍ୟମ ।

 

ନାମଯଜ୍ଞ ପାଇଁ ଗାଁରେ ନାହିଁ ନଥିବା ଆଗ୍ରହ । ଭାଗବତ ଘରେ ସଭା ବସିଛି । ଲୋକଙ୍କ ନାମ ତାଲିକା କରାଯାଉଛି । କିଏ କେତେ ଚାନ୍ଦା ଦେବ ସେ କଥା ଲେଖା ହେଉଛି । ଗାଁର ମୁଖିଆମାନେ ବସି ତାଲିକା କରୁଛନ୍ତି ।

 

ଏଥର କିନ୍ତୁ ଚାନ୍ଦା ପାଇଁ ଜୋର ଜବରଦସ୍ତି ନାହିଁ । ଲୋକେ ଆପେ ଆପେ ବସିବା ଜାଗାରୁ ଉଠି କେତେ ଚାନ୍ଦା ଦେଇ ପାରିବେ ସେ କଥା ଘୋଷଣା କରୁଛନ୍ତି, ଯିଏ ଯେତେ ଅଧିକ ଚାନ୍ଦା ଦେଇ ପାରିବ, ସେତକ ନିଜ ମୁହଁରେ ହାଙ୍କି ପକାଉଛି । ସତେ ଅବା ଚାନ୍ଦା ଦେବାରେ ପ୍ରତିଯୋଗିତା ଚାଲିଛି ।

 

ଅନ୍ୟଥର ପରି ତୋତେ ଏତିକି ଚାନ୍ଦା ଦେବାକୁ ପଡ଼ିବ ବୋଲି କେହି କହୁ ନାହାନ୍ତି । ଗାଁ ମୁଖିଆ ନିଶରେ ହାତ ମାରି କହୁ ନାହାନ୍ତି ‘ଆମକଥା ଭାଙ୍ଗୁଛୁ ? ଆଚ୍ଛା ଦେଖି ନେବା ।’ ଅନ୍ୟଥର ପରି ଗାଁ ସାହୁକାର ହରିସାହୁ କହୁ ନାହାନ୍ତି, ‘ନାମଯଜ୍ଞ ନାଁରେ ଚାନ୍ଦା ଠୁଳ କରି ନିଜ ନିଜ ଭିତରେ ବାଣ୍ଟି ନେବ । ସେ କଥା କଣ ମୁଁ ଜାଣେ ନାଁ ? ମିଛରେ ଖାଲି ପ୍ରହସନ ।’

 

ଏଥର ଗାଁରେ ବଗୁଲିଆ ଇଂରାଜୀ–ପଢ଼ା ଟୋକାମାନେ ବି ନାମଯଜ୍ଞକୁ ଉପହାସ କରି ବକ୍ତୃତା ଛାଡ଼ୁ ନାହାନ୍ତି । କହି ବୁଲୁ ନାହାନ୍ତି, ‘ଧର୍ମ ନାଁରେ ଆଖି ମିଟିକା ମାର ନାହିଁ । ଯାହାର ଟଙ୍କା ପଇସା ଅଛି, ନିଜଘରେ ପୂଜାଧଜାର । ଯିଏ ଦେଉଛି ନିଅ, ନ ଦେଲେ ବାଧ୍ୟ କର ନାହିଁ । ନ ହେଲେ ଦେଖି ନେବୁ ।’

 

ଗାଁର ପୁରୋହିତ କହୁଛନ୍ତି, ‘ଏଥର ନାମଯଜ୍ଞ କଲେ ଦକ୍ଷିଣା ନେବି ନାହିଁ । ଚାନ୍ଦାଭେଦା ଦେବାର ଶକ୍ତି ନାହିଁ । ସେହି ଦକ୍ଷିଣା ଟଙ୍କାଟା ଯଜ୍ଞରେ ଲଗାଇ ଦିଅ । ମୋ ପିଲାଛୁଆ ମୁକ୍ତି ପାଇବେ ।’

 

ସଂକୀର୍ତ୍ତନ ଦଳର ନେତାମାନେ ‘ଗୁଆଗଣ୍ଡା’ ନିମନ୍ତ୍ରଣକୁ ଅପେକ୍ଷା କରୁ ନାହାନ୍ତି । ସେମାନଙ୍କ ମନରେ ମାନ ଅଭିମାନ କିଛି ନାହିଁ । ବଳେ ଆସି ପଚାରି ଯାଉଛନ୍ତି ଆମକୁ କେଉଁ ପହର ଦୟା ହେଉଛି ଆଜ୍ଞା ? ଆମ ପାଳିଟା ଆଗରେ ପକାଇ ଦିଅନ୍ତୁ !

 

ଗାଁର ସ୍ତ୍ରୀଲୋକମାନେ ଯଜ୍ଞ ମଣ୍ଡପକୁ ଲିପିପୋଛି ପରିଷ୍କାର କରିବାରେ ବ୍ୟସ୍ତ ଅଛନ୍ତି । ପିଲାମାନେ ମନଧ୍ୟାନ ଦେଇ ଆମ୍ବ ତୋରଣ ସଜାଇବାରେ ଲାଗି ପଡ଼ିଛନ୍ତି । ପାରିଲା ଲୋକମାନେ ଯଜ୍ଞସ୍ଥଳୀ ପାଖରେ ନଡ଼ା ଛପର କରୁଅଛନ୍ତି । ଯିଏ ଯାହା କାମରେ ବ୍ୟସ୍ତ । କାହାକୁ କିଛି କହିବାକୁ ପଡ଼ୁନାହିଁ । କାହାରି ଉପରେ ବଳାତ୍କାର ନାହିଁ । ସମସ୍ତ ସମସ୍ତଙ୍କ କାମରେ ବ୍ୟସ୍ତ । ନିଜ ହାତରେ ଯାହା ସମ୍ଭବ, ସେତକ ସେ ଆପେ ଆପେ କରି ଯାଉଛି । ଗାଁସାରା ନାମଯଜ୍ଞରେ ବ୍ୟସ୍ତ କାହାକୁ ବିଶ୍ରାମ ନାହିଁ ।

 

ଏତକ କରି ପାରିଲେ ଆଗାମୀ ବିପଦରୁ ରକ୍ଷା ମିଳିବ । ଭଗବାନ ଦୟାକଲେ ଗାଁଟା ଉଜୁଡ଼ିଯିବ ନାହିଁ । ଗାଁର ସବୁ ଲୋକ, ସବୁ ପରିବାର ଆନନ୍ଦରେ ବଞ୍ଚି ଯିବେ ।

 

ଗାଁର ପୁରୁଖା ସାହୁକାର ହରି ସାହୁ ପୁରୁଣା ମାଟି କଳସରୁ ସବୁତକ ଗୁଆଘିଅ ଆଉଏକ ପିତଳ କଳସରେ ଅଜାଡ଼ୁ ଅଜାଡ଼ୁ ମନକୁ ମନ କହି ହେଉଥିଲେ, ଏତକ ହେଲେ ଯଜ୍ଞ କୁଣ୍ଡରେ ପଡ଼ିଥାଉ । ଭଗବାନ ନିଶ୍ଚୟ ମୋ କଥା ବୁଝିବେ । ମୋ ପିଲା ଛୁଆଙ୍କୁ ବିପଦ ଆପଦରୁ ଉଦ୍ଧାର କରିବେ । ଈଶ୍ୱର ଦୟାକଲେ, ମୋ ଘର ଧନଜନ ଗୋପଲକ୍ଷ୍ମୀରେ ସବୁଦିନ ଉଛୁଳୁଥିବ । ଜୀବନ ଥିଲେ ଗୁଆଘିଅ କଳସ ପୁଣି ପୂରି ଉଠିବ । ବିପଦଟା ଆଗେ କଟିଯାଉ ।

 

ଠିକ୍ ଏତିକିବେଳେ ଦାଣ୍ଡଦୁଆରୁ ମୂଲିଆପୁଅ ‘ବିଷ୍ଣୁ ବେହେରା’ର ଡାକ ଶୁଭିଲା, ଦାଣ୍ଡଦୁଆରେ ଥାଇ ପାଟିକଲା, ସାହୁକାରେ ଅଛ କି ? ମୁଁ ବିଷ୍ଣୁ ବେହେରା ଆସିଛି ।

 

ବିଷ୍ଣୁ ବେହେରା ହରି ସାହୁଙ୍କର ପୁରୁଣା ଖାତକ । ତା ବାପା ଅମଳରୁ ଦିଆନିଆ ଚଳୁଛି-। କୌଣସି ଦିନ କଥା ହୁଡ଼ି ନାହିଁ । ଗରଜବେଳେ ନେବ ଓ ଠିକଣାବେଳେ ଫେରେଇବ-। ସେଥିରେ କୌଣସି ଠକାମୀ ନାହିଁ । ଖାଲି କହିଛି, ‘ମୋର ଅସମୟରେ ତୁମରି ଦୁଆରେ ଛିଡ଼ା ହୋଇଛି ସାହୁକାରେ । ନାହିଁପଦ କହିବ ନାହିଁ । ମୋ ବାପା ଥିଲାବେଳେ ତୁମ ପାଖରୁ ଦେବାନେବା କରୁଥିଲା । କେବେ ଋଣୀ ରହି ନାହିଁ । ମୁଁ ବି କେବେ ଋଣୀ ହେବି ନାହିଁ ।

 

ବିଷ୍ଣୁ ବେହେରା ଉପରେ ହରି ସାହୁଙ୍କର ଅଗାଧ ବିଶ୍ୱାସ । ହରି ସାହୁ ଭିତର ଘରେ ଥାଇ ଉତ୍ତର ଦେଲେ, “ମୁଁ ଆସୁଛି ବିଷ୍ଣୁ ଅପେକ୍ଷା କର ।"

 

ହରି ସାହୁ ଘିଅ କଳସ ଧରି ଦୁଆର ମୁହଁକୁ ବାହାରିଲାବେଳେ ବିଷ୍ଣୁ ବେହେରା ଯୋଡ଼ହାତ ହୋଇ ଛିଡ଼ା ହୋଇଥିଲା । ତାକୁ ଦେଖି ହରି ସାହୁଙ୍କର ଅନେକ ଦୟା ହେଲା । ମନେ ମନେ ଠିକ୍‌ କଲେ, ଜୀବନ ଥିଲେ ବିଷ୍ଣୁ ବେହେରାକୁ ଛାଡ଼ିବେ ନାହିଁ । ତା’ପରି ଲୋକ ମିଳିବେ ନାହିଁ । ତେବେ ବିଷ୍ଣୁ ବେହେରା ମୁକ୍ତି ପାଇଲେ ହେଲା । ସେ ବିଷ୍ଣୁକୁ ଦେଖି ଆଦର କରି କହିଲେ, ‘କିରେ ବିଷ୍ଣୁ, ଏ ଅସମୟରେ ଏଠିକି କାହିଁକି ? ଯଜ୍ଞ ପାଖକୁ ଗଲୁ ନାହିଁ ?

 

ବିଷ୍ଣୁ କହିଲା, “ଆଗେ ସାହୁକାର ପଛକୁ ଦେବୀ ଦେବତା, କଥାଦେଇ ତାକୁ ନ ରଖିଲେ ଯେଉଁ ପାପ ହେବ, ସେଥିରୁ ଉଧୁରିବା ସହଜ ନୁହେଁ । ଦେବୀଦେବତା କେହି ରକ୍ଷା କରି ପାରିବେ ନାହିଁ । ନିର୍ମଳ ହୋଇ ଛିଡ଼ା ହୋଇଥିଲେ ପାତକ ନାହିଁ ।"

 

ହରି ସାହୁ ବୁଝିଲେ, ବିଷ୍ଣୁ ବେହେରା ବି ଉଦ୍ଧାର ବାଟ ଖୋଜୁଛି । ପଚାରିଲେ, “କେଉଁ କଥା ରଖିବାକୁ ଆସିଲୁ ବିଷ୍ଣୁ ?”

 

ଆପଣଙ୍କ ଋଣ ଟଙ୍କା ଶୁଝି ଦେବାକୁ ଆସିଛି । କେତେବେଳେ କେଉଁ ଘଟଣା ଘଟିବ କିଏ ଜାଣେ ? ନିର୍ମଳ ହୋଇ ଆମେ ଆମର ଠିଆ ହୋଇଥିଲେ ହେଲା ! ପାତକ ବୋଝ ବୋହିବାକୁ ପଡ଼ିବ ନାହିଁ । ନହେଲେ ପରା ତୁମ ଗୁହାଳରେ ବଳଦ କି ବାଡ଼ି କିଆରୀର ଲଙ୍କାମରିଚ ହେବାକୁ ପଡ଼ିବ !

 

କିଏ ବଞ୍ଚୁଛି କି ମରୁଛି କିଏ ଜାଣେ ? ମୁଁ ବଞ୍ଚିଥିଲେ ତ ମୋ ଗୁହାଳ କି ବାଡ଼ି ରହିବ ? ମୁଁ ଯଦି ମରିଯାଏଁ !

 

ଆହା ! ଆପଣ ଏ କଣ କହୁଛନ୍ତି ସାଉକାରେ ? ଆପଣଙ୍କ ପରି ଧର୍ମ ପୁରୁଷମାନେ ମରିଯିବେ ତ ସଂସାର ରହିବ କେମିତି ? ଧର୍ମ ନଥାଇ ଧରତୀ କ’ଣ ରହିଛି ? ବିଷ୍ଣୁ ବେହେରା ଉତ୍ତର ଦେଲା ।

 

ହରି ସାହୁ ଅନ୍ୟଦିନ ହୋଇଥିଲେ ବିଷ୍ଣୁ ବେହେରା ଉପରେ ଖୁସି ହୋଇ ଯାଇ ଥାଆନ୍ତେ । ବଡ଼ ପାଟିରେ ପାଖ ଲୋକଙ୍କୁ ପାଟିକରି କହିଥାନ୍ତେ, ‘ଆରେ ଅମୁକ ! ଶୁଣୁଛ ? ବିଷ୍ଣୁ କଣ କହୁଛି ଶୁଣିଯାଅ ! ବିଷ୍ଣୁ କହୁଛି, ମୁଁ କୁଆଡ଼େ ଧାର୍ମିକ ଲୋକ ! ମୋ ପାଇଁ ଧରତୀମାତା ତିଷ୍ଠି ରହିଛି । କିନ୍ତୁ ସେଦିନ ସେ ବାହାରର କାହାକୁ ନ ଡାକି ବିଷ୍ଣୁ ବେହେରାକୁ ପାଖରେ ବସାଇ କହିଲେ, ମୁଁ କେବେହେଲେ କାହାରି ଉପକାର କରି ନାହିଁରେ ବିଷ୍ଣୁ ! ଜୀବନସାରା ନିଜର ଲାଭ କଥାହିଁ ବୁଝିଛି । କାହାକୁ କେବେ ହାତଟେକି ଦାନ କରିନାହିଁ । ସୁଧ ଆଶାରେ ଋଣ ଦେଇଛି । ମୂଳ ସଙ୍ଗରେ ସୁଧ ଟଙ୍କା ଅସୁଲ କଲାବେଳେ ପଇସାଏ ବି କାହାକୁ ଛାଡ଼ ଦେଇନାହିଁ । ଦାନ ଧର୍ମ, ଦୟା ମାୟା ମୋର କିଛି ନାହିଁ । ମୋ ପରି ପାପୀଲୋକ କେହି ନାହିଁ । ତେଣୁ ଭଗବାନଙ୍କ ଦୟା ପାଇବା ମୋ ପକ୍ଷରେ ଅସମ୍ଭବ । ଏଇ ଶେଷ ବେଳେ କଣ କରି ପାରିବି, ଯାଇ ଦେଖୁଛି । ଯଜ୍ଞପାଇଁ ଗୁଆ ଘିଅ ନେଇ ବାହାରି ଥିଲି । ତୁ ଆସି ପହଞ୍ଚିଗଲୁ । ତୋ କାମଟା ସାରିଦେଲେ ଗାଁ ମୁଣ୍ଡକୁ ଯିବି । କହ କି କାମ ମୋ ସଙ୍ଗରେ ଟଙ୍କା ପଇସା କିଛି ନେବୁ କି ?

 

ବିଷ୍ଣୁ ବେହେରା ହରି ସାହୁଙ୍କ ସ୍ୱୀକାରୋକ୍ତି ଶୁଣି ସ୍ତମ୍ଭୀଭୂତ ହୋଇ ଯାଇଥିଲା । ଭାବୁଥିଲା, ବେଳକାଳ ଭଲ ନାହିଁ ବୋଲି ସାଉକାରେ ଯାଚ୍ଛାତା’ କହି ଯାଉଛନ୍ତି । କାହିଁ, ୟା’ ପୂର୍ବରୁ କେବେତ ଏମିତି କହୁ ନଥିଲେ । ସଦାବେଳେ ଟଙ୍କା ପାଇଁ ଝିକ୍‌ ଝିକ୍‌ । ଆଜି ପଚାରୁଛନ୍ତି ଟଙ୍କା ପଇସା ନେବୁ କି ? କିନ୍ତୁ ଟଙ୍କା ପଇସା ଏବେ ନେଇ କରିବି କ’ଣ ? ବଂଚିଥିଲେ ତ ? ନହେଲେ ଋଣ ଭାର ବୋହି ବଳଦ ହେବାକୁ ପଡ଼ିବ । ଆଗେ ବାକିଆ ଋଣତକ ପଇଠ ହେଉ । ତା ପରେ ଅନ୍ୟକଥା, ମୁହଁ ଖୋଲି କହିଲା ସାଉକାରେ ! ଆଜି ଆପଣଙ୍କ ଟଙ୍କା ଫେରାଇବା ଦିନ ସେଇଥିପାଇଁ ଟଙ୍କା ଯୋଗାଡ଼ କରି ଆଣିଛି । ସେତକ ପଇଠ ଦେଲେ ସ୍ୱସ୍ତି, ଆପଣଙ୍କ ମୂଳସୁଧ ଗଣି ରଖନ୍ତୁ ।

 

ହରି ସାହୁ ଦେଖିଲେ, ବିଷ୍ଣୁ ବେହେରା ତା ପିନ୍ଧା ଲୁଗାରୁ ଟଙ୍କା ବନ୍ଧା ଗଣ୍ଠିଟା ଫିଟାଉଛି-। କହିଲେ, ଟଙ୍କା ଫେରାଇବାକୁ ଏତେ ତରତର କାହିଁକି ବିଷ୍ଣୁ ? ଏ ସପ୍ତାହଟା ଗଡ଼ାଇ ଦେ, ଅଧିକା ସୁଧ ମାଗିବି ନାହିଁ । ଆର ସପ୍ତାହରେ ଟଙ୍କା ନେବି ।

 

ନାଁ, ସାଉକାରେ । ଜୀବନରେ କେବେ କଣ୍ଟ ଭାଙ୍ଗି ନାହିଁ । ମୋତେ ସେକଥା କହନ୍ତୁ ନାହିଁ । ପ୍ରଥମେ ଆପଣଙ୍କ ଧନ ଗଣି ରଖନ୍ତୁ । ଦରକାର ପଡ଼ିଲେ ପୁଣି ଆସିବି । ବିଷ୍ଣୁ ଉତ୍ତର ଦେଲା ।

 

ହରି ସାହୁ କହିଲେ, ମୁଁ କଣ କେବେ ତୋତେ ଅବିଶ୍ୱାସ କରିଛି ? କହିଲି ପରା, ଆର ସପ୍ତାହକୁ ଆସିବୁ ବୋଲି !

 

ଯଦି ମୁଁ ମରିଯାଏ ? ବିଷ୍ଣୁ ବେହେରା ଆତଙ୍କିତ କଣ୍ଠରେ ପ୍ରଶ୍ନ କଲା ।

 

ତୋତେ ଦୋଷ ଲାଗିବ ନାହିଁ । ମୁଁ ସାଉକାରେ ପରା କହୁଛି, ହରି ସାହୁ ଆଶ୍ୱାସନା ଦେଲେ ।

 

କିନ୍ତୁ ଭଗବାନଙ୍କ ଦୁଆରେ ଦୋଷୀ ହେବି ସାଉକାରେ ! ଋଣ ଧନ ଫେରସ୍ତ କରି ନଥିଲେ ମୋ ପିଲାଛୁଆ କାଳ ମୁହଁରେ ଯିବେ । ସେହି ଦୋଷରେ ମୁଁ ଯଦି ମରିଯାଏଁ ? ବିଷ୍ଣୁ ବେହେରା ତା କଥାକୁ ଦୋହରାଇଲା ।

 

ଏଥର ହରି ସାହୁ ମନର କଥା ଖୋଲି ପକାଇ କହିଲେ, ତୋ ପାଖରୁ ଏତେ ସୁଧ ନେଲେ ମୁଁ ମଧ୍ୟ କାଳ ମୁହଁରୁ ବର୍ତ୍ତି ପାରିବି ନାହିଁ ବିଷ୍ଣୁ, ଜୀବନରେ ଯାହା ପାପ କରିଛି, କରୁଛି । ଆଉ ନୁହେଁ । ଜାଣିଶୁଣି ଏ ବେଳରେ ତାହା କରିବି ନାହିଁ । ତୋଠୁ ଟଙ୍କା ନେଇ ମୁଁ ମରିବାକୁ ଚାହୁଁନାହିଁ । ଟଙ୍କାଟା ବଡ଼ କଥା ନୁହେ ସବୁଠୁ ବଡ଼ କଥା ହେଲା ଜୀବନ ରଖିବା ! ତୁ କଥାରଖି କଣ୍ଟ ଅନୁସାରେ ଟଙ୍କା ଫେରାଇବାକୁ ଆସିଲୁ । ସେଇ ବଡ଼ କଥା । ବର୍ତ୍ତମାନ ମୁଁ ମଧ୍ୟ ବଞ୍ଚିବାକୁ ଚାହୁଁଚି ବିଷ୍ଣୁ ! ମୁଁ ତୋତେ ମୂଳ ସୁଧ ଉଭୟରୁ ମୁକ୍ତ କରି ଦେଲି । ତୋତେ ଆଉ ଟଙ୍କା ଶୁଝିବାକୁ ହେବ ନାହିଁ । ମୁଁ ସବୁ ଟଙ୍କା ପାଇଗଲି ବୋଲି ଜାଣ ! ଏଥିରେ ଯଦି ମୋର ବିଗତ ପାପରୁ କିଛି ଧୋଇ ହୋଇଯାଏ !

 

କିନ୍ତୁ ବିଷ୍ଣୁ ବେହେରା ଛାଡ଼ିବା ଲୋକ ନୁହେଁ । କହିଲା, ଋଣ ଟଙ୍କା ନ ଫେରେଇଲେ ଯେଉଁ ପାପ ହୁଏ, ତହିଁରେ ପରିବାରର ସମସ୍ତେ ଦୁଃଖ ଦୁର୍ଦ୍ଦଶା ଭୋଗନ୍ତି । ମୁଁ ମୋ ପିଲାଙ୍କର ସୁଖ ଚାହେଁ ସାଉକାରେ ଟଙ୍କା ନୁହେଁ । ଏହା କହି ସେ ହରି ସାହୁଙ୍କ ମୂଳ ଓ ସୁଧ ଟଙ୍କାତକ ତାଙ୍କରି ସାମନାରେ ଅଜାଡ଼ି ଦେଇ ଫେରିଗଲା ।

 

ହରି ସାହୁ ମୂଲିଆ ପୁଅ ବିଷ୍ଣୁ ବେହେରାକୁ ଯେତେ ଡାକିଲେ ବି ସେ ତାଙ୍କ କଥାରେ କାନ ଦେଲା ନାହିଁ । ହରିସାହୁ ଅନୁଭବ କଲେ, ବିଷ୍ଣୁ ବେହେରା ବି ଜୀବନ ପ୍ରତି ସତର୍କ ହୋଇ ଯାଇଛି । ତାକୁ ଯେତେ ବୁଝାଇଲେ ବି ଆଉ ବୁଝିବ ନାହିଁ । ତେଣୁ ସେ ଉପାୟ ପାଞ୍ଚି କହିଲେ, ଆରେ ବିଷ୍ଣୁ ! ଘିଅ କଳସଟା ଯଜ୍ଞ ପାଖକୁ ପହୁଞ୍ଚାଇ ଦେବୁ ନାହିଁ ?

 

ଯଜ୍ଞ କଥା ଶୁଣି ବିଷ୍ଣୁ ବେହେରା ଫେରି ଆସିଲା । କହିଲା, ଦିଅ, ଯାହାଦେବ ଦିଅ ! ଠାକୁର ସେବା କରିବି ନାହିଁ ତ ଆଉ କାହା ସେବା କରିବି ?

 

ବିଷ୍ଣୁ ବେହେରା ଗୁଆଘିଅ ଭରା କଳସିଟି ଧରି ଗଡ଼ ଜିଣିଲା ଭଳି ଆଗରେ ଆଗରେ ମାଡ଼ି ଚାଲିଲା ।

 

ହରି ସାହୁ ଭାବିଲେ, ଠାକୁର କାମରେ ମୂଲିଆ ସାହାଯ୍ୟ ଭଲ ହେବ ନାହିଁ । ସେ ବିଷ୍ଣୁ ବେହେରାକୁ ବାଟରେ ଅଟକାଇ କହିଲେ, ତୋର କାମଦାମ ଥିବ । ମିଛରେ ମୋ କାମ କରିବୁ କାହିଁକି ? ଦେ’ ମୋତେ ସେ ଘିଅ କଳସଟା ଦେଇ ଦେ ! ମୁଁ ନିଜେ ନେଇ ଯଜ୍ଞରେ ପହୁଞ୍ଚାଇ ଦେବି ।

 

ବିଷ୍ଣୁ ବେହେରା ସେ କଥାରୁ କ’ଣ ବୁଝିଲା କେଜାଣି, ଘିଅ କଳସକୁ ହରି ସାହୁଙ୍କ ହାତକୁ ବଢ଼ାଇ ଦେଉ ଦେଉ ଫିକ୍‌କରି ହସି ଦେଲା ଓ ଗାଁ ମୁଣ୍ଡର ଛାମୁଣ୍ଡିଆ ତିଆରି କରିବାକୁ ଚାଲିଗଲା ।

☆☆☆

 

ସଙ୍ଗୀତା

 

ସଙ୍ଗୀତା ଥିଲା ସେ ଦିନର ବେତାର ବିଚିତ୍ରା କାର୍ଯ୍ୟକ୍ରମର ଶେଷ ଶିଳ୍ପୀ ।

 

ପ୍ରଶାନ୍ତ ଏ ତଥ୍ୟ ବହୁ ପୂର୍ବରୁ ବେତାର ଘୋଷଣାରୁ ସଂଗ୍ରହ କରି ପ୍ରାୟ ମୁଖସ୍ଥ କରି ସାରିଥିଲା ।

 

ସଙ୍ଗୀତା ସଙ୍ଗରେ ଆଉ ଯେଉଁମାନେ ବିଚିତ୍ରା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରୁଥିଲେ, ସେମାନେ ହେଲେ ମାଧବୀ ମାଥୁର, ଆଶା ଆରୋରା ଓ ଆହୁରି ଅନେକ । କିନ୍ତୁ ସେମାନଙ୍କ କାର୍ଯ୍ୟକ୍ରମ ସଙ୍ଗେ ପ୍ରଶାନ୍ତର କୌଣସି ସମ୍ପର୍କ ନ ଥିଲା କି ଆଗ୍ରହ ନ ଥିଲା । ତା’ର ସମସ୍ତ ଆଗ୍ରହ ଓ ଉଦ୍ଦାମତାକୁ ଠୁଳ କରି ସେ ବେତାର ବିଚିତ୍ରାର ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମକୁ ଅପେକ୍ଷା କରିଥିଲା ।

 

ଆଜି ନୁହେଁ, ଅନେକଦିନ ହେଲା ପ୍ରଶାନ୍ତକୁ ସଙ୍ଗୀତାର ସଙ୍ଗୀତ ମୁଗ୍‌ଧ କରିଛି । ତାର କଣ୍ଠ ସ୍ୱରକୁ ସେ ଭଲ ପାଇ ଆସିଛି । ଗଲାବାଟରେ ଯଦି ଅଧାବୋଲା ଗୀତ କିମ୍ବା ସଙ୍ଗୀତର ଶେଷ ପଂକ୍ତିଟି ମଧ୍ୟ ପ୍ରଶାନ୍ତର କାନରେ ପଡ଼େ ଓ ଯଦି ସେ ସଙ୍ଗୀତର ଗାୟିକା ସଙ୍ଗୀତା ହୋଇଥାଏ, ତାହାହେଲେ ବିଦଗ୍‌ଧ ଶ୍ରୋତା ପ୍ରଶାନ୍ତ ସେ କଥା ନିର୍ଭୁଲ ଭାବରେ କହିଦେଇ ପାରିବ-

 

ଏମିତି ଭାବରେ ସଙ୍ଗୀତାର ନାମ ଓ ତା କଣ୍ଠସ୍ୱର ସଙ୍ଗରେ ପ୍ରଶାନ୍ତର ଆତ୍ମୀୟତା ଆସି ଯାଇଥିଲା । ସଙ୍ଗୀତାର ଗୀତ ଶୁଣିବା ଦୂରେ ଥାଉ, ତାର ନାମୋଚ୍ଚାରଣ ଶୁଣି ମଧ୍ୟ ସେ ମନେ ମନେ ପୁଲକିତ ହୋଇ ଉଠୁଥିଲା । ସଙ୍ଗୀତାର କଣ୍ଠସ୍ୱର ପରି ତା’ର ନାଁ ମଧ୍ୟ ପ୍ରଶାନ୍ତକୁ ଖୁବ୍‌ ଭଲ ଲାଗିଲା ମନେ ହେଲା, ଏଇ ସଙ୍ଗୀତା ସଙ୍ଗେ ଅତ୍ୟନ୍ତ ପରିଚିତ, ଅନେକ ଦିନ, ଏପରିକି ଜନ୍ମାନ୍ତରୁ ମଧ୍ୟ ତା’ ସଙ୍ଗେ ପ୍ରଶାନ୍ତର ପରିଚୟ ଥିଲା, ଖାଲି ସେତିକି ନୁହେଁ, ଏଇ ସଙ୍ଗୀତ ଆଲୋଚନା ପଡ଼ିଲେ ବନ୍ଧୁ ମହଲରେ ମଧ୍ୟ ପ୍ରଶାନ୍ତ ସଙ୍ଗୀତାର ଉଚ୍ଚ ପ୍ରଶଂସା କରୁଥିଲା । ସଙ୍ଗୀତା ବିରୁଦ୍ଧରେ କୌଣସି ମନ୍ତବ୍ୟକୁ ସେ ସହ୍ୟ କରି ପାରୁ ନ ଥିଲା । ତା’ର ସମସ୍ତ ବୁଦ୍ଧିବିଦ୍ୟା ଖଟାଇ ସେ ସଙ୍ଗୀତାର ପକ୍ଷ ସମର୍ଥନ କରୁଥିଲା, ସଙ୍ଗୀତା ବିରୁଦ୍ଧରେ କେହି କୌଣସି କଟୁକ୍ତି ବାଢ଼ିଲେ ପ୍ରଶାନ୍ତ ତାହା ନିଜ ଦେହ ଉପରକୁ ନେଇ ସଂପୃକ୍ତ ଲୋକ ସଙ୍ଗେ କଳି କରୁଥିଲା ।

 

ପ୍ରଶାନ୍ତର ଚେତନ ଓ ଅବଚେତନ ମନକୁ ସଙ୍ଗୀତା ସମ୍ପୂର୍ଣ୍ଣ ରୂପରେ ଅଧିକାର କରି ବସିଥିଲା । ତେଣୁ ଶୁଣିବା ପରମୁହୂର୍ତ୍ତଟି ମଧ୍ୟ ସଙ୍ଗୀତାର ଚିନ୍ତାରେ ଅତିବାହିତ ହେଉଥିଲା ।

 

(ଦୁଇ)

 

ସେ ଦିନ ପ୍ରଶାନ୍ତ ସ୍ଥିର କରି ବସିଲା, ଯେପରି ହେଲେ ମଧ୍ୟ ସଙ୍ଗୀତା ସଙ୍ଗେ ସାକ୍ଷାତ କରିବ । ସଙ୍ଗୀତା ସଙ୍ଗେ ସାକ୍ଷାତ କରି ତାର କଣ୍ଠସଙ୍ଗୀତର ଉଚ୍ଛ୍ୱସିତ ପ୍ରଶଂସା କରିବ, କଥା ପ୍ରସଙ୍ଗରେ ପ୍ରକାଶ କରିବ, ତା’ରି ସଙ୍ଗୀତର ମୋହିନୀଶକ୍ତି ତା’ର ମନ ଓ ପ୍ରାଣକୁ କେତେ ଦୂର ଆସକ୍ତ ଓ ଆକୃଷ୍ଟ କରି ରଖିଛି । ଏକଥା କହିବ ବୋଲି ଭାବିଲାବେଳେ ପ୍ରଶାନ୍ତର ମନଭିତରଟା କୁରୁଳି ଉଠୁଥିଲା, ନିଜକୁ ଗୋଟାପଣେ ପ୍ରକାଶ କରିଦେବା ସକାଶେ ସେ ଆନୁସଙ୍ଗିକ ଭାଷା ଖୋଜୁଥିଲା । ଆଶ୍ଚର୍ଯ୍ୟର କଥା ସେଦିନ ସେ ସଙ୍ଗୀତାର ସଙ୍ଗୀତ–ବୈଚିତ୍ର୍ୟକୁ ମୋଟେ ଉପଭୋଗ କରିପାରିଲା ନାହିଁ, ସେ ନିଜ ଚିନ୍ତା ନିଜ କଳ୍ପନାରେ ଏତେ ବ୍ୟସ୍ତ ଥିଲା ଯେ ସଙ୍ଗୀତାର ଘୋଷା ପଦଟାକୁ ମଧ୍ୟ ସ୍ମରଣ ରଖି ପାରିଲା ନାହିଁ ।

 

ପ୍ରଶାନ୍ତ ଭାବୁଥିଲା, ସଙ୍ଗୀତାର କଣ୍ଠ ଯେପରି ସୁନ୍ଦର ଓ ରସୋଚ୍ଛଳ ତା’ର ବ୍ୟକ୍ତିଗତ ସୌନ୍ଦର୍ଯ୍ୟ ମଧ୍ୟ ସେହିପରି ଲୋଭନୀୟ ହୋଇଥିବ; ତା ଦେହରେ ବସନ୍ତର ମତୁଆଳ ସଙ୍ଗୀତ ଲେଖି ହୋଇଥିବ, ତା’ ଆଖିରେ ଆକାଶର ଅନନ୍ତ ନୀଳିମା ଥିବ । ତା’ ମୁହଁରେ ମହୋତ୍ସବର ରୂପରୋଶଣି ଭରିଥିବ ।

 

ପ୍ରଶାନ୍ତ ଅତିଷ୍ଠ ହୋଇ କାର୍ଯ୍ୟକ୍ରମ ସମାପ୍ତ ହେବାଯାଏ ଅପେକ୍ଷା କଲା, ଏହି ଅପେକ୍ଷା କରିବା ସମୟତକ ତା ପାଇଁ ସୁଦୀର୍ଘ ମନେ ହେଲା, ସେ ପ୍ରତି ମୁହୂର୍ତ୍ତକୁ ଘଣ୍ଟା ଓ ଦିନର ବ୍ୟବଧାନ ପରି ମନେ କରୁଥିଲା ।

 

(ତିନି)

 

ଅବଶେଷରେ ସଙ୍ଗୀତ କାର୍ଯ୍ୟକ୍ରମ ଶେଷ ହେଲା ।

 

ବାହାରେ ଅପେକ୍ଷା ଗୃହରେ ଉପବେଶନ କରିଥିବା ଶୁଭେଚ୍ଛୁମାନେ ସଂପୃକ୍ତ ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସକାଶେ ଫୁଲତୋଡ଼ା ନେଇ ଆଗେଇ ଗଲେ ।

 

ପ୍ରଶାନ୍ତ ମଧ୍ୟ ଫାଟକ ପାଖରେ ବିକ୍ରି ହେଉଥିବା ଏକ ଦାମୀଫୁଲର ସ୍ତବକ ସଂଗ୍ରହ କଲା ଓ ସଙ୍ଗୀତ ପରିବେଷଣ ପ୍ରକୋଷ୍ଠ ଆଡ଼କୁ ଚାଲିଲା ।

 

ମାଧବୀ ମାଥୁରର ସମର୍ଥକ ଶ୍ରୋତା ମାଧବୀକୁ ଫୁଲତୋଡ଼ାଟିଏ ବଢ଼ାଇଦେଲା ଓ ତାର ଶୁଭକାମନା କଲା ।

 

ଆଶା ଆରୋରାର ସ୍ୱାମୀ ଆଶା ହାତକୁ ଦାମି ଆଲବମଟିଏ ବଢ଼ାଇଦେଲେ ଓ ସର୍ବସମକ୍ଷରେ ତାର ସୁନାରଙ୍ଗର ହାତ ପାପୁଲିକୁ ଚୁମ୍ବନ କଲେ ।

 

ସୁଜାତାନାମ୍ନୀ ଆଉ ଜଣେ ସୁନ୍ଦରୀ କନ୍ୟା ବହୁ ଆଗ୍ରହୀ ଶ୍ରୋତୃମଣ୍ଡଳୀଙ୍କ ନିକଟରୁ ଅନେକ ଉପହାର ଲାଭ କଲା ଓ ଖୁସି ହେଲା ।

 

ଫଟୋଗ୍ରାଫରମାନେ ଏଇ କୃତୀ କଳାକାରମାନଙ୍କ ଫଟୋ ଉଠାଇଲେ ଓ ସେମାନଙ୍କ ନାମ ସଂଗ୍ରହ କରି ଟିପାଖାତାରେ ଲେଖି ରଖିଲେ ।

 

ପ୍ରଶାନ୍ତ ବହୁ ମୂଲ୍ୟ ପୁଷ୍ପସ୍ତବକଟିଏ ହାତରେ ନେଇ ତା’ର ପ୍ରିୟ ଶିଳ୍ପୀ ସଙ୍ଗୀତାକୁ ହିଁ ଅପେକ୍ଷା କରିଥିଲା ।

 

ସମସ୍ତେ ଚାଲିଯିବା ପରେ, ଅବଶେଷରେ ସଙ୍ଗୀତା ଆସିଲା ।

 

ସଙ୍ଗୀତା ଆସିବା ଖବର ପାଇ ଜଣେ ମଧ୍ୟବୟସ୍କ ଗୃହସ୍ଥ ହାତରେ ହାତବାଡ଼ିଟିଏ ନେଇ ସଙ୍ଗୀତ ପରିବେଷଣ ପ୍ରକୋଷ୍ଠଦ୍ୱାରକୁ ଆଗେଇ ଗଲେ ।

 

ସେତେବେଳେ ଦର୍ଶକମଣ୍ଡଳୀ କିମ୍ବା ଶୁଭେଚ୍ଛୁମାନଙ୍କର ଭିଡ଼ ଆଉ ନ ଥିଲା । ଘଟଣାସ୍ଥଳୀରେ ଜଣେ ହେଲେ ଫଟୋଗ୍ରାଫର ଉପସ୍ଥିତ ନ ଥିଲେ ।

 

ପ୍ରଶାନ୍ତ ଏ ଦୃଶ୍ୟ ଦେଖି ବିରକ୍ତ ହେଲା ଓ ସାଧାରଣ ଲୋକଙ୍କ ଉଦ୍ଦେଶ୍ୟରେ କଟୁମନ୍ତବ୍ୟ ପ୍ରଦାନ କଲା । ମନକୁ ମନ କହିହେଲା, ଏ ଦେଶରେ ଯୋଗ୍ୟ କଳାକାର ପାଇଁ ସମ୍ମାନ ନାହିଁ । କଳାକାରକୁ ଏମାନେ ନ୍ୟାଯ୍ୟସମ୍ମାନ ଦେଇ ଜାଣନ୍ତି ନାହିଁ । ନ ହେଲେ ସଙ୍ଗୀତା ପରି ଉଚ୍ଚାଙ୍ଗ କଣ୍ଠଶିଳ୍ପୀ ଉଚ୍ଛ୍ୱସିତ ପ୍ରଶଂସାରୁ ବଞ୍ଚିତା ହୋଇ ନଥାନ୍ତା !

 

ସଙ୍ଗୀତା ଅବଶେଷରେ ଆସିଲା ।

 

ମଧ୍ୟବୟସ୍କ ଗୃହସ୍ଥଜଣକ ତା’ ହାତ ଧରିଲେ ଓ ତା’ର ଡାହାଣ ହାତରେ ହାତବାଡ଼ିଟି ଧରାଇଦେଲେ ।

 

ସୌମ୍ୟ, ଶାନ୍ତ, ଗମ୍ଭୀର ସଙ୍ଗୀତା ସଙ୍ଗୀତ ପରିବେଷଣ କେନ୍ଦ୍ର ଛାଡ଼ି ବାହାରେ ଛିଡ଼ା ହେଲା ।

 

ପ୍ରଶାନ୍ତ ଦେଖିଲା, ସଙ୍ଗୀତାର ଆଖି ଦୁଇଟି ଅଚଳ !

 

ପ୍ରଶାନ୍ତର ମନେ ହେଲା, ତା ପାଦତଳର ବସୁଧା ଆସ୍ତେ ଆସ୍ତେ ରସାତଳଗାମୀ ହେଉଛି । ସମଗ୍ର ବିଶ୍ୱ ଘୂରି ଯାଉଛି । ସେ ମନେ ମନେ ଈଶ୍ୱରଙ୍କୁ ଡାକିଲା ଓ କହିଲା, ତୁମର ଏ କି ଅବିଚାର ଭଗବାନ ! ସଙ୍ଗୀତାପରି ଶିଳ୍ପୀକୁ ଅନ୍ଧୁଣୀ କଲ !

 

ଏହାପରେ ସେ ନୀରବରେ ସଙ୍ଗୀତାର ହାତ ଧରି ଚାଲୁଥିବା ସେହି ମଧ୍ୟବୟସ୍କ ଗୃହସ୍ଥଙ୍କ ହାତକୁ ଫୁଲତୋଡ଼ାଟି ବଢ଼ାଇ ଦେଲା ଓ ଏକ ପ୍ରକାର ଧାଇଁ ଧାଇଁ ନିଜ ବସାକୁ ଫେରି ଆସିଲା ।

 

ଆଉ ସେହିଦିନଠାରୁ ପ୍ରଶାନ୍ତ ସଙ୍ଗୀତ ଶୁଣିବା ଛାଡ଼ିଦେଲା–

☆☆☆

 

ସଂଗ୍ରହ କରନ୍ତୁ

 

ଓଡ଼ିଶାର ସୁପରିଚିତ ଲେଖକ ଶ୍ରୀ ଭାଗୀରଥି ନେପାକଙ୍କର ଅନବଦ୍ୟ ସୃଷ୍ଟି ସଂଭାର

 

ଉପନ୍ୟାସ–ମଧୁମଦିରା, କାଲି ଆଜି ପରଦିନ, ତରୁଣୀର ମନ, ସନ୍ତାନର ମାୟା, ମଙ୍ଗଳସୂତ୍ର, ପୁନରାବୃତ୍ତି, ସୂଚନା, କଳାକଳଙ୍କ, ଉପସଂହାର, ଚାରି ଅଧ୍ୟାୟ ଓ ଅନ୍ୟାନ୍ୟ କୋଡ଼ିଏ ଉପନ୍ୟାସ

 

ଗଳ୍ପ–ମୋର ପ୍ରିୟ କାହାଣୀ, ପ୍ରିୟମ୍ବଦାର ପ୍ରଶ୍ନ, ପାହାଚ ଓ ଶ୍ରେଷ୍ଠଗଳ୍ପ ସଂକଳନ (ସଂଯୋଜନା) ଏବଂ କଥା ବିଚିତ୍ରା

 

ଆଦିବାସୀ ସାହିତ୍ୟ–ଓଡ଼ିଶାର ଆଦିବାସୀ, ଆଦିବସୀ ଜୀବନ, ଆଦିବାସୀ ପୂଜାପାର୍ବଣ, ଓଡ଼ିଶାର ଲୋକ ସଂସ୍କୃତି, ଡାଲଖାଇ, ଦଣ୍ଡ, କରମା(ଯନ୍ତ୍ରସ୍ଥ)

 

ମହିମା ଧର୍ମ ସାହିତ୍ୟ–ମହିମା ଧର୍ମରେ କବି ଭୀମଭୋଇଙ୍କ ଭୂମିକା କବିକୂଳ ଚାନ୍ଦ ଭୀମ ଭୋଇ କବି ଭୀମ ଭୋଇ ଓ ମହିମା ଧର୍ମ ପରିଚୟ ମହିମା ଧର୍ମ ଓ ସାହିତ୍ୟ : ତିନି ଅଧ୍ୟାୟ କବି ଭୀମା ଧୀବର ଓ କପଟପାଶା

 

ସାହିତ୍ୟ ସମାଲୋଚନା–ସାହିତ୍ୟ ସମାଲୋଚନା ବିଚିତ୍ର: ଓଡ଼ିଆ ସାହିତ୍ୟର ତିନି ଭୀମ ଓଡ଼ିଆ ସାହିତ୍ୟରେ ଭକ୍ତ କବି ଚୈତନ୍ୟ ଦାସ

 

ଜୀବନୀ–ଉତ୍କଳ ଗୌରବ ମଧୁସୂଦନ, ଗଙ୍ଗାଧର ଆତ୍ମଜୀବନୀ, ଭୀମଭୋଇ ଆତ୍ମ ପରିଚିତି

 

ଅନ୍ୟାନ୍ୟ–ଜୀବନ ତୃଷ୍ଣା (କବିତା) କର୍ପୁର ମଂଜରୀ,

Image